ରାଧା ମାଆ
ରାଧା ମାଆ
ମଗୁଶୀର ମାସର ପାହାନ୍ତି ସକାଳେ କଅଁଳିଆ ସୂର୍ଯ୍ୟ କିରଣକୁ ପିଠି କରି ଜାଡରୁ ସାମାନ୍ୟ ଆଶ୍ୱସ୍ତିଲପାଇବା ପାଇଁ ନିଜର ଗୋବର ଲିପା ବାରି ପିଣ୍ଡାରେ ବସିଥିଲା ରାଧା ମାଆ ।ଅଶୀଟି ବୟସକୁ ଅତିକ୍ରମ କରି ସାରିଥିବା ରାଧା ମାଆ ଶାରୀରିକ ଦୂର୍ବଳତା ଅନୁଭବ କରୁଥିଲା ।କିନ୍ତୁ ମାନସିକ ସ୍ତରରେ ସେ କେବେ ଭାଙ୍ଗି ପଡ଼ିନଥିଲା।ଅବଶ୍ୟ ତା' ଜୀବନରେ ଦୁଃଖ ଯେ ନଥିଲା ତା ନୁହେଁ କିନ୍ତୁ ଦୁଃଖକୁ ସାଥୀ କରି ବଞ୍ଚି ଥିବା ରାଧା ମାଆ ସୁଖ ପଛରେ କେବେ ଗୋଡ଼ାଇ ନଥିଲା।
ତାର ବିଶ୍ୱାସ ଥିଲା ସୂରୁଯ ମାହାପୁରୁ ଉପରେ।ସେ ଇଚ୍ଛା କରିଛନ୍ତି ବୋଲି ସେ ଦୁଃଖରେ ଅଛି।ସେ ଚାହିଁଲେ କଣ ତାକୁ ସୁଖ ଦେବେନି?ସବୁ ତାଙ୍କର ଇଚ୍ଛା, ମଣିଷ ତ ନିମିତ୍ତ ମାତ୍ର। ଧରଣୀର ପଦ ସ୍ପର୍ଶ କରି ସୂର୍ଯ୍ୟ ଯେତେବେଳେ ଆତ୍ମପ୍ରକାଶ କରେ ତାର କିରଣର ପ୍ରଖରତା ବଢିଚାଲେ ଆଗକୁ ଆଗକୁ ଆହୁରି ଆଗକୁ।ପୁଣି ସେ କିରଣର ତୀବ୍ରତା କମି ଆସେ ଧୀରେ ଧୀରେ ଆହୁରି ଧୀରେ।ଏହା ହିଁ ଜୀବନର ସତ୍ୟ।ଅସ୍ତାଚଳରେ ଲୁଚିଯାଏ ସୂର୍ଯ୍ୟ ବାର୍ତ୍ତାଟିଏ ଦେଇ:ମୁଁ ତୀବ୍ର ଜ୍ୱଳନ
ଦେଇପାରେ, ଶୀତଳତା ବି।ସେ କିରଣରେ ଥାଏ ସୃଷ୍ଟିର ପ୍ରବାହମାନ ଧାରା-ନଦୀ, ସମୂଦ୍ର,ବୃକ୍ଷଲତା,
କୀଟ ପତଙ୍ଗ,ସବୁରିଭିତରେ ଉଜ୍ଜିବିତ ହୁଏ ପ୍ରାଣଶକ୍ତି।ସେଦିନ ପୁରାଣ ପଣ୍ଡା କହୁଥିବାର ଶୁଣିଛି
ରାଧା ମା।ସୂର୍ଯ୍ୟ ନ ଥିଲେ ପ୍ରାଣ ନଥାନ୍ତା ।ଠିକ ତ। ଆଜିର ବିଜ୍ଞାନ ଯାହା କହେ, ସୂର୍ଯ୍ୟକିରଣରେ କୁଆଡେ ଭିଟାମିନ ଅଛି,ଯାହା ଜୀବର ପ୍ରାଣଶକ୍ତି।କିନ୍ତୁ ସେ ଏସବୁ ବୁଝୁନଥିଲା।ସେ ଏତିକି ବୁଝିଥିଲା, ସୂର୍ଯ୍ୟ ନ ଥିଲେ ଆଲୋକ ନଥାନ୍ତା,ଆଲୋକ ନ ଥିଲେ କିଏ ନଥାନ୍ତା। ସେଦିନ ନିଜର ପ୍ରାତଃ କାର୍ଯ୍ୟ ସମାପନ ପରେ ସବୁ ଦିନ ପରି ରାଧା ମାଆ ପୁରାଣରୁ ଶୁଣିଲା,ହନୁମାନ ବୋଲି ଗୋଟେ ମେଞ୍ଚଡ ଟୋକା ଲାଲଫଳଟିଏ ଭାବି ସୂର୍ଯ୍ୟଙ୍କୁ ଗିଳି ଦେଲା।ସବୁଆଡେ ଅନ୍ଧାର ଛାଇଗଲା।ସଂଯୋଗ ବଶତଃ ସେଦିନର ମେଘାଛନ୍ନ ଆକାଶକୁ ଚାହିଁ ସେ ଏତେ ଦୁଃଖୀ ହୋଇଗଲା ଯେ ଅଖିଆ ଅପିଆ, ଆଖିରୁ ଝରୁଥିଲା ଲୁହ।ସେ ଭାବୁଥିଲା ସୂର୍ଯ୍ୟଙ୍କର କିରଣ ଆଉ ମିଳିବନି।ଏଇ ଆଶଙ୍କା ଭିତରେ ତା ଆଖିରୁ ନିଦ ହଜିଗଲା।ସକାଳୁ ସକାଳୁ ତୋଫା ଆଲୁଅ, ମେଘ ଉହାଡରେ ସୂର୍ଯ୍ୟଙ୍କ ଲୁଚକାଳୀ ଖେଳ।ଆଶ୍ୱସ୍ତ ହେଲା ରାଧା ମାଆ । ବାରମ୍ବାର ଜୁହାର ହେଉଥିଲା ସୂର୍ଯ୍ୟଙ୍କୁ।ଉପଭୋଗ କରୁଥିଲା ସେହି ନିର୍ମଳ ସତେଜ କିରଣକୁ। ଆଜି ଶାମ୍ବଦଶମୀ।ସୂର୍ଯ୍ୟ ପୂଜା।ରାଧା ମାଆ ନିଜକୁ ପ୍ରସ୍ତୁତ କରୁଥିଲା ସୂର୍ଯ୍ୟଙ୍କୁ ଜଳ ଦେବା ପାଇଁ, ଯାହା ସେ ସବୁଦିନ କରେ,ହେତୁ ପାଇଲା ଦିନଠାରୁ।ଆଜିର ପୂଜା ପାଇଁ ସେ ଆନନ୍ଦରେ ଥିଲା କିନ୍ତୁ ବ୍ୟସ୍ତ ନଥିଲା।କାହିଁକି ବ୍ୟସ୍ତ ହେବ।ବୋହୁ ଲଳିତା ତ ସବୁ କରି ସାରିଲାଣି।ପୂଜା ପାଇଁ ନୈବେଦ୍ୟ ଠାରୁ ଆରମ୍ଭ କରି ପୂଜାସଜ ସବୁ ପ୍ରସ୍ତୁତ କରି ସାରିଲାଣି।ପୁଅ ରାଧା ଗୋସାଇଁ ଙ୍କୁ୍ ନେଇ ଆସିଲେ ପୂଜା ହେବ।ଏଇ ତ ରାଧା ମାଆର ହସ ଖୁସିର ଅଭାବୀ ସଂସାର। ରୂପବତୀ, ଗୁଣବତୀ, ଆଜ୍ଞାକାରୀ ବୋହୁ।ବଳିଷ୍ଠ, କର୍ମଠ, ମାଆକୁ ଅତି ଯତ୍ନରେ ରଖିଥିବା ପୁଅ।ଆଉ ନାତି ଟୋକା, ସିଏତ ରାଧା ମାଆର ଜୀବନ। ସୂର୍ଯ୍ୟ ପୂଜା ଆରମ୍ଭ କଲେ ଗୋସାଇଁ।ଆଜି ମଧ୍ୟ।ହ୍ନର ସୂର୍ଯ୍ୟ କିରଣର ତେଜ ଅଧିକ ଅଛି।ପୂଜା ସରିଲା।ଗୋସାଇଁଙ୍କ ନିର୍ଦ୍ଦେଶରେ ସମସ୍ତେ ଠିଆ ହେଲେ ସୂର୍ଯ୍ୟଙ୍କୁ ପୁଷ୍ପାଞ୍ଜଳି ଦେବାପାଇଁ।ନଇଁ ଯାଇଥିବା ଅଣ୍ଟାକୁ ସଳଖି ସେ ବି ଠିଆ ହୋଇଗଲା। ତା ପରିବାରର ସୁଖ ମନାସି ତା'ର ମାହାପୁରୁଙ୍କୁ ଫୁଲ ଦେଉ ଦେଉ ରାଧା ମାଆର ପିଣ୍ଡରୁ ପ୍ରାଣପକ୍ଷୀ ଉଡି ଯାଇଥିଲା।ନାତି ଟୋକା କହୁଥିଲା ଜେଜେମାଆ ଯାଇଛି ସୂର୍ଯ୍ୟ ଦେବତା ପାଖକୁ।
