ଗୁଡ଼ଲୁର ହସ
ଗୁଡ଼ଲୁର ହସ
ଗୁଡଲୁର ଥୁକୁଲ ଥୁକୁଲ ଚାଲି ସହ ଦରୋଟି ଭାଷାରେ ଖନେଇ ଖନେଇ କଥା କହୁଥିବା ପାଟିରୁ ଝରିପଡୁଥିବା ଖିଲି ଖିଲି ହସ କେବଳ ତା ପରିବାରରେ କାହିଁକି ସେ ଫ୍ଳାଟର ସମସ୍ତଙ୍କୁ ଖୁସି ପ୍ରଦାନ କରୁଥିଲା । ଛୋଟ ଛୁଆର ଏ ଭାବରେ ଥାଏ ସ୍ୱର୍ଗୀୟ ଆନନ୍ଦ । ସ୍ରଷ୍ଟା ସେଥିପାଇଁ ବୋଧହୁଏ ତା ମନରେ ଭରି ନ ଥାନ୍ତି ପର ଆପଣା ଭାବ,ଛନ୍ଦ, ମାୟା,କପଟ । ସିଏ କାହାର?ସିଏ କାହାର ନୁହଁ, ସିଏ ତ ସମସ୍ତଙ୍କର । ତେଣୁ ଦୁଇଟି କଥା ସମସ୍ତେ କହନ୍ତି:ଛାଡ଼,ଛୋଟ ଛୁଆଟା କିମ୍ବା ତୁ କଣ ଛୋଟ ପିଲା ହେଇଛୁ ଜାଣିପାରୁନୁ?
ଭଗବାନ ସମସ୍ତଙ୍କୁ ହସ ଦେଇଛନ୍ତି, ଲୁହ ବି ।
କିନ୍ତୁ ତା ଭିତରେ ଭିନ୍ନତା ଅଛି, ପାର୍ଥକ୍ୟ ଅଛି । ଛୁଆ ହସେ ଯେତେବେଳେ ସେ ଖୁସି ହୁଏ, ଅବଶ୍ୟ ଖୁସି କଣ ସିଏ ଜାଣେନି । ଅନ୍ୟ ମାନେ କହନ୍ତି, ସେ ଖୁସିରେ ହସୁଛି । ଛୁଆ କାନ୍ଦେ ବି । କିନ୍ତୁ ସେ ଦୁଃଖରେ କାନ୍ଦେନି । କାରଣ ଦୁଃଖ କଣ ସିଏ ଜାଣେନି ଅନ୍ୟମାନେ ବି କହନ୍ତି ନି ସେ ଦୁଃଖରେ କାନ୍ଦୁଛି । ଛୁଆର ଆନନ୍ଦ ଆଉ ଦୁଃଖ ଉଭୟରେ ହସ ଥାଏ । ସେ ପରା ବିଧାତାର ପ୍ରତି ରୂପ । ନିଷ୍ପାପ, ନିରହଂକାର, ନିରପରାଧ ଅବୟବର ଜୀବନ୍ତ ମୂର୍ତ୍ତିଟିଏ ସେ । ସେମିତି ଗୁଡଲୁ ।
ଧନୀ ଘରର ପିଲା ଗୁଡଲୁ । ଯଥେଷ୍ଟ ଧନ ତାଙ୍କ ଘରେ । କାହିଁକି ନ ରହିବ ଧନ । ବାପା ବଡ ବ୍ୟବସାୟୀ ମା'ଙ୍କର । ସରକାରୀ ଚାକିରୀ । ଗୁଡଲୁ ତାଙ୍କର ପ୍ରଥମ ସନ୍ତାନ । ତେଣୁ ତାର ଦିନଚର୍ଯ୍ୟାର ଦାମୀ ସାମଗ୍ରୀ ଠାରୁ ଖେଳଣା, ପୋଷାକ ସବୁ ତା ପାଇଁ ଘରେ ଭରପୂର । ସେ ଏଥିରେ ଏତେ ଖୁସି ଯେ, ସବୁବେଳେ ହସୁଥାଏ । ତାର ଖେଳ, ଦୁଷ୍ଟାମୀ ଭିତରେ ତାର ହସକୁ ଉପଭୋଗ କରି ତା ଜେଜେ ଓ ଜେଜେ ମାଆଙ୍କ ସମୟ କଟିଯାଏ । ସେ ତା ଜେଜେମାଆଙ୍କର ଭାରି ଗେହ୍ଲା । ସେ ଫ୍ଳାଟର ସମସ୍ତେ ତାକୁ କୋଳେଇ ନେବାର ଇଚ୍ଛାକୁ ସମ୍ବରଣ କରି ପାରନ୍ତି ନାହିଁ । ବିଶେଷ କରି ବୟସ୍କା ମାଆ ମାନେ । ଅତି ଗେହ୍ଲାରେ ସେଇ ଜେଜେମାଆମାନେ କହନ୍ତି-
ଗୁଡଲୁ,ତୋ ହସରେ ପେଟ ପୁରିଯାଉଛି । ତୁ ମୋର ......ହବୁକି ରେ?
ଗୁଡଲୁ କଣ ବୁଝେ କେଜାଣି, ହସି ହସି ଦୂରକୁ ପଳାଏ ।
ଆଜି ଗୁଡଲୁର ତୃତୀୟ ଜନ୍ମ ବାର୍ଷିକୀ । ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି ଜେଜେଙ୍କ ସହିତ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରି ଫେରିଲାଣି ସେ । ଦିନରେ ସାଂଗସାଥୀ ତଥା ଫ୍ଳାଟର ସମସ୍ତଙ୍କ ପାଇଁ ଭୋଜିର ଆୟୋଜନ । ସନ୍ଧ୍ୟାରେ ଜନ୍ମଦିନ କେକ୍ କଟାଯିବାର କାର୍ଯ୍ୟକ୍ରମ ରଖାଯାଇଛି । ପରିବାରର ସମସ୍ତ ସଦସ୍ୟ ଆନନ୍ଦରେ । ଏ ଆନନ୍ଦ ଭିତରେ ଗୁଡଲୁ ଖୁସିରେ ଏପଟ ସେପଟ ହେଉଛି । ହସୁଛି, ସେହି ହସକୁ ବାଣ୍ଟି ସମସ୍ତଙ୍କୁ ସ୍ୱାଗତ କରୁଛି । ହସ ଖୁସିରେ ସବୁ କାର୍ଯ୍ୟ ଶେଷ ପାହାଚରେ । କେକ୍ କାଟିବା ପରେ ଗୁଡଲୁର ହସ,କାନ୍ଦରେ ବଦଳିଗଲା । ସେ ଖୋଜୁ ଥିଲା ଜଣକୁ । ତା ଜେଜେ ମାଆଙ୍କୁ । ତା କେକର ପ୍ରଥମ ଖଣ୍ଡଟା ତାଙ୍କ ପାଟିରେ ଦେବ ସେ । କିନ୍ତୁ ହାଏ,ତାର ଦ୍ୱିତୀୟ ଜନ୍ମଦିନ ପରେ ପରେ ତା ପ୍ରିୟ ମଣିଷ ତାକୁ ଛାଡି, ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଥିଲେ ।
