ଅନ୍ଧାରରୁ ଆଲୋକକୁ
ଅନ୍ଧାରରୁ ଆଲୋକକୁ
ନିରୋଳା ସନ୍ଧ୍ୟାରେ ଅନ୍ଧାରିଆ ଗଳିର ବୁକୁ ଚିରି ସେ ଆସୁଛି, ନିର୍ଭୟରେ କିନ୍ତୁ୍ ସନ୍ତର୍ପଣରେ । ମାମୁଲି ଏକ ଷ୍ଟେସନ ଠାରୁ ମାତ୍ର କେଇ ମିନିଟର ରାସ୍ତା ପାର ହେଲେ ଦେବୀ ମାଆଙ୍କ ମନ୍ଦିର । କିନ୍ତୁ ସେଠାକୁ ଯିବାକୁ ହେଲେ ଟିକେ ବୁଲିକି ଗଳି ରାସ୍ତା ଦେଇ ଯିବାକୁ ହୁଏ ।
ମନ୍ଦିରର ସନ୍ଧ୍ୟା ଆଳତୀ ପରେ ଲୋକ ମାନଙ୍କ ଚଳପ୍ରଚଳ ଖୁବ୍ କମ୍ ଦେଖାଯାଏ ସେଠାରେ । କେବଳ ମଦ୍ୟପ, ନିଶାକାରୀମାନେ ବାଟବଣା ହେଲେ ସେ ରାସ୍ତାରେ ଆସନ୍ତି । କିନ୍ତୁ ସେ ଆସୁଛି, ଲକ୍ଷ୍ୟ ତାର ମନ୍ଦିର ପାଖକୁ, ଉଦ୍ଦେଶ୍ୟ କିନ୍ତୁ ଭିନ୍ନ, ନିଶ୍ଚିତ ରୂପେ ଦେବୀ ଦର୍ଶନ ନୁହେଁ । ହଠାତ ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ଆରମ୍ଭ ହେଲା । ଶ୍ରାବଣୀ ବର୍ଷା । କିଛି ଆକସ୍ମିକ ନୁହେଁ । ସେ ଆଶ୍ରୟ ନେଇଗଲା ମନ୍ଦିର ଗେଟ୍ ଉପରେ ଥିବା ସିମେଣ୍ଟ କଂକ୍ରିଟ ତଳେ । ବିଶେଷ ଓଦା ହୋଇନି ।
କିଏ?
ଚମକି ପଡିଲା ସେ ।
ମୁଁ । ମାନେ ?
ପଥିକ ।
ରାତିରେ । ହଁ, ମୁଁ ଜାଣିଛି । ବର୍ଷା କମିଲେ ଚାଲିଯିବି ।
ଠିକ୍ ଅଛି । ଏ ସମୟରେ ଏ ସ୍ଥାନ ସୁରକ୍ଷିତ ନୁହେଁ ।
ଶୀଘ୍ର ପଳାଇଗଲେ ଭଲ ।
ସେ ପ୍ରତ୍ୟୁତ୍ତର କଲା ନାହିଁ । ବର୍ଷାର ଗତି କମି ଆସୁଥିଲା । କିନ୍ତୁ ସେ ସେଠାରେ ଠିଆ ହୋଇ ରହିଲା । କାହାକୁ ଯେମିତି ଅପେକ୍ଷା କରିଛି । ରାସ୍ତାରେ ସମ୍ପୂର୍ଣ୍ଣ ଅନ୍ଧକାର ଛାଇ ଯାଇଥିଲା ସେତେବେଳକୁ । କିନ୍ତୁ ତାକୁ ଭୟ ଲାଗୁନଥିଲା । କାରଣ ରାତିଟା ତାର, ଅନ୍ଧାରଟା ବି ତାର । ଆଉ ସେହି ଅନ୍ଧାର ଭିତରେ ସେ ସେ ସବୁବେଳେ ଖୋଜୁଥିଲା ତା ଜୀବନର ଆଲୋକ ।
ଅନ୍ଧାରଟା ଆଉ କଣ କି? ଆଲୋକର ଅନୁପସ୍ଥିତି ନା । ସେ ପୁଣି ଚମକି ପଡିଲା, ପୁଣି ସେହି ଏକା ପ୍ରଶ୍ନ ।
କିଏ?କଣ୍ଠସ୍ୱର କିନ୍ତୁ ଅଲଗା ।
ମୁଁ ।
ମୁଁ ମାନେ?କିଏ ତମେ?ନିଶ୍ଚିତ ରୂପେ ଝିଅଟିଏ ।
ହଁ,ଠିକ ଜାଣିପାରିଛନ୍ତି ।
ଏ ଅନ୍ଧାରରେ?
ଅପେକ୍ଷା କରିଛି ।
କାହାକୁ?
ଯାହା ଠାରୁ ବଇନା ନେଇଛି । ମୁଁ ବେଇମାନୀ ନୁହେଁ ।
ତୁମ ପରିଚୟ?
ଅଜଣା ।
କି ଆଶ୍ଚର୍ଯ୍ୟ । ତୁମ ପରିଚୟ ତୁମେ ଜାଣିନା?
ଏ ସବୁ କଥାବାର୍ତ୍ତା ଭିତରେ ବର୍ଷା ସେମାନଙ୍କୁ ନିକଟତର କରିସାରିଥିଲା । କେହି କାହାର ମୁହଁ ଦେଖି ପାରୁନଥିଲେ ।
ତୁମ ଘର?
ଷ୍ଟେସନ ପ୍ଳାଟଫର୍ମର ସିଡି ତଳେ ଦୁଇ ହାତର ଜାଗା ।
ତୁମ ପରିବାର?
ଜାଣିନି । ହଁ,ବାପା ମାଆ ନିଶ୍ଚିତ ଥିବେ ବା ଥିଲେ, ନହେଲେ ମୁଁ ଆସିଲି କୁଆଡୁ?
ହୁଏତ ମୁଁ ବୈଧ ହୋଇପାରେ, ଜାରଜ ବି ।
ତୁମ ନାଆଁ ?
ତୁମ ଇଚ୍ଛାରେ ମୋତେ ଡାକିପାର, ଯେ କୌଣସି ନାମରେ, ମୋର ନିର୍ଦ୍ଦିଷ୍ଟ ନାମ ନାହିଁ ।
ବଞ୍ଚୁଛ କେମିତି?
ଦିନରେ ଭିକ୍ଷାବୃତ୍ତି । ଆଉ ରାତିରେ,କାମାନ୍ଧ,ଯୌନପିପାସୁ, ନାରୀ ମାଂସ ଲୋଭୀ ପୁରୁଷମାନଙ୍କୁ ଦେହ ବିକି କିଛି ରୋଜଗାର । ନିର୍ଭୟ ନିଃସଙ୍କୋଚରେ କହି ଚାଲିଥିଲା ସେ ।
ହଠାତ ବର୍ଷା ସହିତ ପବନର ବି ବେଗ ବଢିଗଲା । ଦୁହେଁ ଶୀତଳ ପବନର ଛୁଆଁରେ ଶୀତେଇ
ଉଠିଲେ । ବିଜୁଳି ଆଲୋକରେ ପରସ୍ପରକୁ ଦେଖିନେଲେ । ଆଚ୍ଛା ମୁଁ ତୁମକୁ ବିଜୁଳି ନାମରେ ଡାକିଲେ ଚଳିବ?
କହିଛି ତ, ଯିଏ ଯେଉଁ ନାମରେ ଡାକିପାରେ ।
ଏ କାମ କରିବାକୁ ତୁମକୁ ଖରାପ ଲାଗୁନି? ଘୃଣା ଆସୁନି?
କାହିଁକି?ମୁଁ ତ କାହାର ଝିଅଟିଏ, ମାଆ ଅବା ଭଉଣୀ ନା ।
ଯଦି ଏ ପୁରୁଷ ସମାଜ ଏତିକି ବୁଝିପାରୁନି, ତା'ହେଲେ ବଞ୍ଚିବାକୁ ମୁଁ ଯଦି ଏହା କରୁଛି, ଖରାପ କାହିଁକି ଲାଗିବ? ତା'ପରେ ମୁଁ ମୋ ଦେହର ଭୋକ ମେଣ୍ଟାଇବା ପାଇଁ ତ ଏହା କରୁନି ବରଂ ପରିସ୍ଥିତି ପରିବେଶ ଆଜି ମତେ ଏ ରାସ୍ତାରେ ଠିଆ କରିଛି ।
ମୁଁ ଆସୁଛି ବାବୁ, ବର୍ଷା କମିଗଲାଣି । ବଇନା ଦେଇଥିବା ଲୋକଟି ଏ ଯାଏଁ ଆସିଲାନି । ରାତି ବି ବହୁତ ହେଲାଣି । ହଁ ବାବୁ, ମୁଁ ଏ ଯାଏଁ ଜାଣି ପାରିଲିନି, ତମେ କିଏ?
ମୁଁ ଜାଣେନି ।
ତୁମ ପରିଚୟ ବି ତୁମେ ଜାଣନି?
କେଉଁଠି ରୁହ?
ଯେଉଁ ଦିନ ଯେଉଁ ହୋଟେଲରେ ଅଇଁଠା ବାସନ ମାଜେ ସେଦିନର ଠିକଣା ସେଇଠି । କଥାବାର୍ତ୍ତା ଭିତରେ ଦୁହେଁ ରାସ୍ତାରେ ପାଦଦେଲେ । ହଠାତ୍ ଏକ ବିଜୁଳିର କାନଫଟା ଶବ୍ଦରେ ଦୁହେଁ ଦୁହିଁଙ୍କୁ ଜାବୁଡ଼ି ଧରିଲେ କିଛି ମୁହୂର୍ତ୍ତ ପାଇଁ ।
ବାବୁ?????
ହଁ, କୁହ । ମୁଁ ଆଲୋକ । ମୋତେ ଏହି ନାଆଁରେ ଡାକିପାର ।
ଏ ଭଳି ବିଜୁଳି ଯଦି ବାରମ୍ବାର ହୁଅନ୍ତା?
ଖୁବ ଭଲ ହୁଅନ୍ତା ।
ଯଦିଏହା ସବୁ ଦିନ ପାଇଁ ହୁଅନ୍ତା?ଅବଶ୍ୟ ତାହା ସମ୍ଭବ ନୁହେଁ ।
କାହିଁକି?
ନାରୀର ଦେହକୁ ଉପଭୋଗ କରିବା ପାଇଁ ପୁରୁଷ ଏ ପ୍ରଶ୍ନ କରିପାରେ । କିନ୍ତୁ ଏହା ମନର କଥା ନୁହେଁ ।
କିନ୍ତୁ ଆଜି ମୁଁ ଆଉ କାହାର ନୁହେଁ । କାଲି ପାଇଁ ତୁମକୁ ଅପେକ୍ଷା କରିବାକୁ ପଡିବ ।
କିନ୍ତୁ ମୁଁ ସାଥୀ ଚାହେଁ, ଆଜି କାଲି ପାଇଁ ନୁହେଁ ବରଂ ସବୁ ଦିନ ପାଇଁ । ଆଉ ତୁମକୁ ଏ ପଙ୍କିଳ ରାସ୍ତାରୁ ଉଦ୍ଧାର କରିବା ବି ମୋର ଇଚ୍ଛା । ଆକାଶର ସବୁ ମେଘଖଣ୍ଡ ଏକାଠି ହୋଇ ମୂଷଳ
ଧାରାରେ ବର୍ଷି ଦେଇଗଲେ, ଏମାନଙ୍କ ମିଳନକୁ ସମର୍ଥନ ଜଣାଇ । ସେହି ଛନ୍ଦବଦ୍ଧତା ଭିତରେ ସେମାନେ ଫେରିଲେ ପୁଣି ସେହି ଆଶ୍ରୟସ୍ଥଳୀକୁ । ମେଘମୁକ୍ତ ଆକାଶରୁ ଝରିପଡୁଥିବା ଜହ୍ନ ଆଲୁଅରେ ଦୁହେଁ ଦୁହିଁଙ୍କୁ ଦେଖୁଥିଲେ ନିର୍ନିମେଷ ନୟନରେ । ଦେବୀ ମାଆଙ୍କ ଅଙ୍ଗ ଲାଗି ହୋଇଥିବା ଛଡା ଗେଣ୍ଡୁଫୁଲଟିଏ ବିଜୁଳିର ଗଭାରେ ଖୋସି ଦେଇ ଗଣ୍ଡ ଦେଶରେ ଚୁମ୍ବନଟିଏ ଆଙ୍କି ଦେଇ କହିଲା ଆଲୋକ, ମୁଁ ହିଁ ଆଜି ରାତି ପାଇଁ ତୁମକୁ ବଇନା ଦେଇଥିଲି । ଜୀବନର ପ୍ରଥମ । ତୁମକୁ ଆଉ କାହାର ବଇନା ନେବାକୁ ପଡିବନି ଆଜି ପରେ । ଦେବୀ ମାଆଙ୍କୁ ପ୍ରଣାମ ଜଣାଇ ଦୁହେଁ ଫେରୁଥିଲେ ବିଜୁଳିର ସେହି ଦୁଇ ହାତର ଜାଗାକୁ, ପ୍ଳାଟଫର୍ମର
ସିଡି ତଳକୁ । ଆକଶରେ ହସୁଥିଲା ଫୁଲେଇ ଜହ୍ନ ।
