ମଧୁମିତା
ମଧୁମିତା
ଜୀବନର ଅଙ୍କାବଙ୍କା ଉଠାଣି ଗଡାଣି ରାସ୍ତାରେ ଚାଲୁଚାଲୁ ଅଭାବୀ ସଂସାରର ବୋଝକୁ ମୁଣ୍ଡରେ ଧରି ଆଗକୁ ବଢୁଥିଲା ବେଳେ ସେ ଯେ ବୟସର ପଚିଶଟି ପାହାଚ ଅତିକ୍ରମ କରି ସାରିଥିଲା, ଏକଥା ଭାବିଲା ବେଳକୁ ନିଜକୁ ବିଶ୍ୱାସ କରିପାରୁନଥିଲା ମଧୁମିତା। ମଦ୍ୟପ ବାପା, ରୋଗୀଣା ମା, ପାଠ ପଢୁଥିବା ଦୁଇ ଭାଇ ଭଉଣୀଙ୍କ ପାଇଁ ତା ଜୀବନର ମୂଲ୍ୟବାନ ଦଶ ବର୍ଷ ଅତିକ୍ରମ କରି ସାରିଲାଣି ସେ। ଅତୀତକୁ ରୋମାନ୍ଥନ କରି ଭବିଷ୍ୟତର ଲକ୍ଷ୍ୟରେ ପହଞ୍ଚିବାରସିଦ୍ଧାନ୍ତ ନେଇ ସେ ଚାଲିଥିଲା ବର୍ତ୍ତମାନରେ। ଗୋଟିଏ ଲକ୍ଷ୍ୟ, ତା ଭାଇଭଉଣୀଙ୍କୁ ପାଠପଢ଼ାଇ ବଡ କରିବା। ଅବଶ୍ୟ ତା ବାପା ଯେ କିଛି ରୋଜଗାର କରୁ ନ ଥିଲେ ତା ନୁହେଁ କିନ୍ତୁ ଦିନ ସାରା ପରିଶ୍ରମ କରି ସଂଧ୍ୟାରେ ରୋଜଗାର କରିଥିବା ଅର୍ଥର ଏକ ବଡଭାଗ ଗାଁ ମୁଣ୍ଡ ନୂଆଁଣିଆ ଚାଳଘରେ ରଖିଦେଇ ଟଳମଳ ପାଦ,ଲାଲ ଲାଲ ଆଖି ନେଇ ସେ ଘରକୁ ଫେରୁଥିଲେ। ପରିବାରର ଦାରିଦ୍ର୍ୟ, ମଦ୍ୟପ ସ୍ୱାମୀର ବ୍ୟବହାର ,ଘରେ ବଢିଲା ଝିଅ ଏସବୁକୁ ଚିନ୍ତା କରିକରି ମା ତାର ମାନସିକ ଭାରସାମ୍ୟ ହରାଇ ରୁଗ୍ଣ ହୋଇଗଲେ। ବିଦ୍ୟାଳୟ ଶିକ୍ଷା ପରେ ଘରର ପରିସ୍ଥିତିକୁ ନେଇ ଚିନ୍ତିତ ମଧୁମିତା ତା ପାଠରେ ଡୋରୀ ବାନ୍ଧୁଥିଲା ବେଳେ କେହି ଜଣେ ଶୁଭଚିନ୍ତକଙ୍କ ପରାମର୍ଶରେ ସେ ଛୋଟ ପିଲାମାନଙ୍କୁ ଟିଉସନ କଲା। ସଂଗ୍ରୃହିତ ଅର୍ଥରେ ଘର ଖର୍ଚ୍ଚ ଉଠାଇବା ସହିତ ଦ୍ୱାଦଶ ପଢ଼ା ବି ଶେଷ କଲା। କିନ୍ତୁ ତା'ପରେ....ତା'ପରେ ସେ ଆଉ ପାରିଲାନି। ଘରର ଆବଶ୍ୟକତା ସହିତ ମା'ର ଔଷଧ ଖର୍ଚ୍ଚ ସବୁ ତ ସେଥିରୁ।
କଣ କରିବ ସେ....
ଆଗାମୀ କାଲିର ସୂର୍ଯୋଦୟ ଯେ ସମସ୍ତେ ଦେଖିବେ ଏ କଥାର ନିଶ୍ଚିତତା ନାହିଁ। ସେ କିନ୍ତୁ ଆଶା ରଖିଥିଲା ଆସନ୍ତାକାଲିକୁ। ଏକ ନୂତନ ସୂର୍ଯ୍ୟର ନୂତନ କିରଣରେ ତା'ର ତା ପରିବାରର ଦାରିଦ୍ର୍ୟ ଦୂର ହୋଇ ଏକ ନୂତନ ସଂସାର ତିଆରି ହେବ। ବଡ ଆଶାବାଦୀ ସେ। ତେଣୁ ତ ସେ ପରିଶ୍ରମ କରୁଛି ଅକ୍ଳାନ୍ତ ପରିଶ୍ରମ। ତାର ଧୀର ମଧୁର କଥା ,ରୂପ ଗୁଣ ଯୋଗୁଁ ଗାଁର ସମସ୍ତଙ୍କ ଠାରୁ ସେ ସାଉଁଟୁଥିଲା ସ୍ନେହ, ଭକ୍ତି, ଭଲପାଇବା। ଭଗବାନ ଯେତେବେଳେ ସୁଖ ଦେବାକୁ ଚାହାଁନ୍ତି ବୋଧେ ଦୁଃଖ ଦେଇ ପରୀକ୍ଷା ନିଅନ୍ତି। ଦିନେ ମଦ୍ୟପ ଅବସ୍ଥାରେ ଘରକୁ ଫେରୁଥିବା ବେଳେ ଆବୁଡା ଖାବୁଡା ଗ୍ରାମ୍ୟ ରାସ୍ତାରେ ପଡିଯାଇ ତା ବାପା ସବୁଦିନ ପାଇଁ ଆଖି ବୁଜିଲେ । ମା'ଙ୍କ ର ଅସୁସ୍ଥତା ଆହୁରି ବଢିଗଲା, ପାଗଳାମୀ ବି। ଅବଶ୍ୟ ପରିବାର ପାଇଁ ବାପାଙ୍କର କିଛି ଦାୟିତ୍ବ ବୋଧ ନ ଥିଲା।
କିନ୍ତୁ ବାପା ତ..... ଏତେ ସବୁ ଦୁଃଖ ଅଭାବ ଭିତରେ ବି ସେ କେବେ ଭୂୂୂଲ୍ ରାସ୍ତାରେ ପାଦ ଥାପିନଥିଲା । ସେଥିପାଇଁ ତ ସେ ଗାଁରେ ଆଦର୍ଶ ଥିଲା ଉଦାହରଣ ଥିଲା। ଘରର ଝିଅ ମାନଙ୍କୁ ତାଗିଦ କଲା ବେଳେ ବାପା ମା କହୁୁୁଥିଲେ । ମଧୁକୁ ଦେଖି ତା'ଠାରୁ କିଛି ଶିଖ୍। ସତରେ ସେ ସେମିତି ଝିଅଟେ ଥିଲା।
ତିରିଶ ବର୍ଷ ରେ ପାଦ ଥାପିଲା ମଧୁମିତା। ତା ସାଂଗସାଥି ମାନେ ବାହା ହୋଇ ମା ଡାକ ଶୁଣିଲେଣି। ସେମାନେ ଯେତେବେଳେ ଗାଁକୁ ଆସନ୍ତି ସେ ସେମାନଙ୍କ ସହ ଭାବ ବିନିମୟ କରେ ଅତି ଆନ୍ତରିକତାର ସହ। କିନ୍ତୁ ତା ଅନ୍ତର ଭିତରୁ କେହି ଯେମିତି ତାକୁ କହୁଥାଏ ମଧୁ... ଜୀବନ ସାରା କଣ ଅବିବାହିତ ରହିଯିବୁ?
ଆସନ୍ତାକାଲି ତୋର କିଛି ହୋଇଗଲେ....କିନ୍ତୁ ଅଭାବୀ ପରିବାର ଅତିକ୍ରାନ୍ତ ବୟସର ଝିଅର ପୁଣି ବାହାଘର? ଆଜି ସକାଳୁ ସକାଳୁ ଗାଁ ସାହୁକାରଙ୍କର ପାଦ ପଡିଛି ମଧୁମିତା ଘରେ। କିଛି ବୁଝିପାରିଲାନି ସେ ପରନ୍ତୁ ଡରି ଗଲା। ତଥାପି ଆଶଙ୍କା ଭିତରେ ଯଥିମାନ୍ୟ ଜଣାଇ ତାର ସେଇ ଗୋବର ଲିପା ଚଟାଣରେ ପଟିଟିଏ ବିଛାଇ ଦେଇ ବସିବାକୁ ନିବେଦନ କଲା ସାହୁକାରଙ୍କୁ।
ବସିବି ଯେ ଗୋଟିଏ ସର୍ତ୍ତରେ। ଆହୁରି ଡରିଗଲା ସେ। ଭାବୁଥାଏ, ସେ କିଛି ଭୂଲ କରିନିତ ତା' ଅଜାଣତରେ। ଉତ୍ତର ପାଉ ନଥିଲା। ମନକୁ ଦୃଢ଼ କରି କହିଲା- ସର୍ତ୍ତ ଯଦି ଉଚିତ, ମୁଁ ଆପଣଙ୍କ କଥାକୁ ଅମାନ୍ୟ କରିବି ନାହିଁ। କୁହନ୍ତୁ।
ମା' ତୁ ଜାଣିଛୁ ଆଜିକୁ ଚାରି ମାସ ହୋଇଗଲା ମୋ ଘର ତୁଳସୀ ଚଉରା ମୂଳରେ ସଂଧ୍ୟା ଦୀପ ଜଳୁନି। ବୁଝିପାରିଲିନି। ଘର,ପରିବାର ସହିତ ଏକ ମାତ୍ର ପୁଅକୁ ଛାଡି କରୋନାର କରାଳ ଗ୍ରାସରେ ବୋହୂର ମୃତ୍ୟୁ ପରେ ଘରେ ଶ୍ମଶାନର ନୀରବତା। ତେଣୁ ବହୁତ ଭାବିବା ପରେ ମୁଁ ତୋ ପାଖକୁ ଆସିଛି, ତୁ ଯଦି ମୋ ଘରର ତୁଳସୀ ଚଉରା ପାଖରେ ସଂଧ୍ୟାବତୀ ଜାଳନ୍ତୁ.. କିନ୍ତୁ
ମୋ ପୁଅର ବି ଏହି ଇଚ୍ଛା ମା। କିଛି କ୍ଷଣ ପାଇଁ ନୀରବୀ ଗଲା ସେ।ସେହି ନୀରବତା ଭିତରେ ସେ ଦେଖୁୁୁଥିଲା ଆସନ୍ତାକାଲିକୁ। ମା,ଭାଈ, ଭଉଣୀ ସମସ୍ତଙ୍କୁ ଚାହିଁଲା ସେମାନଙ୍କ ନୀରବତା
ଜଣାଇ ଦେଉଥିଲା ସେମାନଙ୍କର ବି ସେଇ ଇଚ୍ଛା। ମୁହଁ ଖୋଲିଲା ମଧୁମିତା। ମୋର ବି ଗୋଟିଏ ସର୍ତ୍ତ....ମୁଁ ତୋର ସବୁ ସର୍ତ୍ତରେ ରାଜି ମା। କହ... ।
ମୋ ପରିବାର..ସେ ସବୁର ଦାୟିତ୍ୱ ମୋର। ଠିକ୍ ଅଛି ମୁଁ ରାଜି। ଅତି ଆନନ୍ଦରେ ବାହୁଡିଗଲେ ସାହୁକାର। ସପ୍ତାହରେ ସରିଗଲା ବାହାଘର। ବିନୋଦ ବାବୁଙ୍କ ଭଲପାଇବା, ଶାଶୁ ଶଶୁରଙ୍କ ସ୍ନେହ ଆଦର ଭିତରେ ସେ ତାର ବ୍ୟବହାର ସ୍ତ୍ରୀ ପଣିଆରେ ସମସ୍ତଙ୍କୁ ନିଜର କରିନେଲା। ସ୍ୱାମୀଙ୍କ ଚେଷ୍ଟା ବଳରେ ତା ଭାଇ ବି କମ୍ପାନୀ ଚାକିରୀ ପାଇ ପରିବାରର ଦାୟିତ୍ୱ ନେଲାଣି।
ଆଜି ସେ ବହୁତ ଖୁସି। ଆସନ୍ତାକାଲିର ସୁନ୍ଦର ସକାଳ ପାଇଁ ଆଶା ରଖି ପୁଅ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାରେ ମନଦେଲା।
