STORYMIRROR

sudarsan mahapatra

Inspirational

4  

sudarsan mahapatra

Inspirational

ପୂଜା ଉପହାର

ପୂଜା ଉପହାର

2 mins
308


     ହଠାତ୍ ଝରକା ସେପାଖରେ ଦେଖାଗଲା ଝିଅଟିଏ। ଏତେ ସକାଳୁ ସକାଳୁ ଝିଅଟି ନର୍ଦ୍ଦମାରେ ପଶି କ’ଣ କରୁଛି ? ସମସ୍ତଙ୍କ ଆଖି ସେଇ ଆଡ଼କୁ ଚାଲିଗଲା । ମାଧବ ଓ ତା'ର ଦୁଇ ପିଲା ଝରକା ପାଖକୁ ଉଠିଗଲେ ।ଛୋଟ ଝିଅର ଚିରା ଫ୍ରକ୍, ମୁଣ୍ଡର ନୁଖୁରା କହରା ଚୁଳ ମୁହଁକୁ ଢାଙ୍କି ଦେଇଛି । ନର୍ଦ୍ଦମାର ପଙ୍କ ଠାଏ ଠାଏ ଲାଗିଥିଲା । କାହାରି ଆଡ଼କୁ ନଚାହିଁ ପଙ୍କକୁ ଗୋଳେଇ ମାଛ ଚିପିବା ପରି ସେ ଦରାଣ୍ଡି ଚାଲିଥିଲା ।   


 -“ଏତେ ସକାଳୁ ତୁ ନର୍ଦ୍ଦମାରେ କ’ଣ ଖୋଜୁଛୁ ?” ମାଧବ ତାକୁ ପଚାରିଲା ଅନିସନ୍ଧିତ୍ସୁ ହୋଇ।

- “ଏଇ ନାଳରୁ ବେଳେବେଳେ ମଦ ବୋତଲ ମିଳେ । ଏବେ ଏବେ ଗଣେଶ ପୂଜା, ବିଶ୍ଵକର୍ମା ପୂଜା ଗଲା। ଲୋକମାନେ ମଦ ପିଇସାରି ବୋତଲ ଗୁଡା କାଳେ ଏଇଠି ପକେଇ ଦେଇଥିବେ ! ଗୋଟିଏ ବୋତଲକୁ ଗୋଟିଏ ଟଙ୍କା । ମୋ ପାଖରେ ଦଶଟଙ୍କା ଅଛି । ଆଗକୁ ଦୁର୍ଗାପୂଜା ଆସୁଛି। ସବୁକୁ ମିଶେଇ ମୋ ସାନଭାଇ ପାଇଁ ନୂଆ ସାର୍ଟ ଟିଏ ମା' କିଣି ଦେବ। ତା'ର ପିନ୍ଧିବାକୁ କିଛି ନାହିଁ।ଆଉ ଆମେ ଦୁହେଁ ପୂଜାରେ ବୁଲି ବେଲୁନ୍, ମିଠେଇ ଆଉ ମଟରଭଜା କିଣିବୁ ।” ଉତ୍ସାହ ଭରା କଣ୍ଠରେ କହିଲା ଝିଅଟି।


   ମାଧବର ପିଲା ଦୁହେଁ ପରସ୍ପରକୁ ଚାହିଁଥିଲେ । ସବୁ କଥା ଶୁଣି ସେମାନଙ୍କ ମୁହଁ ଶୁଖିଗଲା। ସାନଭାଇ ଅଝଟ କରୁଥିବା ଖେଳନାଟିକୁ ଭଉଣୀଟି ଖୁସି ମନରେ ଏଥର ଦେଇ ଦେଲା । ପ୍ରାୟ ମଧ୍ୟାହ୍ନ ବେଳକୁ ମାଧବ ଘରକୁ ଫେରି ଦେଖିଲା ଝିଅଟି ସେପର୍ଯ୍ୟନ୍ତ ସେଇ ନର୍ଦ୍ଦମାରେ ପଶିଛି। ପ୍ରାୟ ଦଶ ବାରଟା ବୋତଲ ସେ ଠୁଳ ମଧ୍ୟ କରିଛି । ସେ ମନେ ମନେ ଭାବୁଥିଲା ଝିଅଟିର ସବୁ ଇଚ୍ଛା ପୂରଣ ହୋଇ ଯାଆନ୍ତା କି ! ନିଜେ ନିମ୍ନ ଶ୍ରେଣୀର ଅନ୍ତର୍ଗତ ହୋଇ ଥିବାରୁ ଅନୁଭବ କରି ପାରୁଥିଲା ଅଭାବର ରୂପରେଖକୁ । ପ୍ରତ୍ୟେକ ଦିନର ଜୀବନ ସଂଗ୍ରାମର ସାରଣୀ ତା' ସାମ୍ନାରେ ଫୁଟି ଉଠୁଥିଲା।ଝିଅଟି କିନ୍ତୁ ସେମିତି ଲାଗିଥିଲା ତା’ର କାମରେ...!


    କିଛି ସମୟ ପରେ କାନ୍ଦ ଶବ୍ଦ ଶୁଣି ମାଧବ ସେଇ ଆଡକୁ ଧାଇଁଲା।ତା ଅନୁମାନ ସତ ଥିଲା। ଝିଅଟି ହିଁ କାନ୍ଦୁଥିବାର ଦେଖିଲା।ଅଶ୍ରାବ୍ୟ ଭାଷାରେ ଗାଳି କରୁଥିବା ଲୋକଟିଏ ଝିଅଟି ସଂଗ୍ରହ କରିଥିବା ବୋତଲ ଗୁଡିକ ତା ଅଖାରେ ଭର୍ତ୍ତି କରୁଥିଲା। ମାଧବ କ'ଣ କରିବ ବୋଲି ଭାବିଲା ଭିତରେ ଲୋକଟି ଆଗକୁ ପାଦ ବଢାଇ ସାରିଥିଲା। ବୋଧହୁଏ ମଦ ନିଶାରେ ଟଳଟଳ ହେଉଥିଲା ସେ। ମାଧବ କ୍ରୋଧ ବଶତଃ ବାଡି ଗୋଟିଏ ଠାବ କରି ତାକୁ ବାଡେଇବା ପାଇଁ କେତୋଟି ପାଦ ପକେଇଲା ଭିତରେ ପଛରୁ ଶୁଣିଲା ଝିଅଟିର ସ୍ବର।- "ତାକୁ ମାରନା ବାବୁ। ସେ ମୋ ବାପା।" ପୁଣିଥରେ କଇଁ କଇଁ ହୋଇ କାନ୍ଦି ଉଠିଲା ଝିଅଟି।ତା ଆଖି ଦେଖି ମାଧବକୁ ଲାଗିଲା ବୋତଲ ହରେଇବା ଦୁଃଖରେ ନୁହେଁ, ବାପା ମାଡଖାଇବା ଭୟରେ ଝିଅଟି ଏଥର କାନ୍ଦୁଥିଲା। ସେଦିନର ରିକ୍ସା ଟଣା ରୋଜଗାର ପଇସା କୋଡିଏ ଟଙ୍କା ଝିଅଟି ହାତରେ ଗୁଞ୍ଜି ଦେଇ ' ତୋ ଭାଇ ପାଇଁ ସାର୍ଟ କିଣିବାକୁ ମା'କୁ ଚୁପ୍ କରି ଦେଇଦେବୁ ' ବୋଲି କହିଲା ମାଧବ। ଝିଅଟିର କାନ୍ଦ ଆଉ ଭୟ ମିଶ୍ରିତ ମୁହଁରେ ଚେନାଏ ହସ ଉକୁଟି ଉଠିଲା ଏଥର.!!!



Rate this content
Log in

Similar oriya story from Inspirational