STORYMIRROR

Kalyani Nanda

Inspirational

4  

Kalyani Nanda

Inspirational

ପୁରୁଣା ଦିନର ମହକ

ପୁରୁଣା ଦିନର ମହକ

5 mins
388

ନରେନ୍ଦ୍ର ଶୀଘ୍ର ଶୀଘ୍ର ଅଫିସ ଯିବାକୁ ନିଜ ସ୍କୁଟରରେ ବାହାରି ପଡିଲା । ଆଜି ନୂଆ କଲେକ୍ଟର ତାଙ୍କ ଅଫିସକୁ ଆସୁଛନ୍ତି । ଶୀଘ୍ର ତ ଯିବାକୁ ପଡିବ । କଲେକ୍ଟର ଅଫିସରେ ଦୁଇ ବର୍ଷ ହେଲା କିରାଣୀ ଚାକିରୀଟିଏ ପାଇଛି ନରେନ୍ଦ୍ର । ଅଫିସରେ ପହଞ୍ଚି ଦେଖିଲା , ନୂଆ କଲେକ୍ଟର ଆସୁଛନ୍ତି ବୋଲି ପ୍ରାୟ ସମସ୍ତେ ସମୟରେ ପହଞ୍ଚି ଯାଇଥିଲେ ସେଦିନ । ସବୁ ଷ୍ଟାଫ କଲେକ୍ଟର ରୁମ ବାହାରେ ଅପେକ୍ଷାରେ ଥିଲେ ତାଙ୍କୁ ସ୍ବାଗତ କରିବାକୁ । ନରେନ୍ଦ୍ର ବି ବଡ଼ବାବୁ ଙ୍କ ପାଖରେ ଛିଡା ହୋଇଥାଏ । ନୂଆ କଲେକ୍ଟର ଙ୍କ ନାମ ଟା ଶୁଣିଲା ପରେ ତାକୁ ଯେମିତି ଚିହ୍ନା ଚିହ୍ନା ଲାଗୁଥାଏ । ହଁ, ଏଇ ନାଁରେ ଆଉ କେହି ବି ହୋଇ ଥାଇ ପାରନ୍ତି । ସୁରେଶ୍ଵର ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲାର ନୂଆ ଜିଲ୍ଲାପାଳ । କିନ୍ତୁ ନୂଆ କଲେକ୍ଟର ସୁରେଶ୍ଵର ପଟ୍ଟନାୟକ ଙ୍କୁ ଦେଖିଲା ପରେ ନରେନ୍ଦ୍ର ମନରେ ଆଉ ସନ୍ଦେହ ନ ଥିଲା , ଯେ ସେ ଯେଉଁ ସୁରେଶ୍ଵର ପଟ୍ଟନାୟକ ଙ୍କୁ ଚିହ୍ନିଛି, ଜାଣିଛି ଇଏ ସେଇ । ତା ବାଲ୍ଯ ବନ୍ଧୁ ସୁରେଶ୍ଵର ଅର୍ଥାତ ତାରିଖ ପ୍ରିୟ ସୁର । କିନ୍ତୁ ନରେନ୍ଦ୍ର ସୁରେଶ୍ଵରକୁ ନିଜ ବସ୍ ବୋଲି ଜାଣିବା ପରେ ଚେଷ୍ଟା କରୁଥାଏ ସୁରେଶ୍ଵରର ଆଗକୁ ଯେମିତି ନ ଯାଏ । କିନ୍ତୁ ଗୋଟିଏ ଅଫିସରେ କାମ କରୁଛି ଯେତେବେଳେ କେବେ ତ ହେଲେ ନିଜ ହାକିମ ପାଖରେ କାମ ତ ପଡିବ । ବଡ ବାବୁ ଦୁଇ ଦିନ ଛୁଟିରେ ଥିଲେ । ତେଣୁ ନରେନ୍ଦ୍ର କିଛି ଫାଇଲ ନେଇ କଲେକ୍ଟର ରୁମକୁ ଗଲା ତାଙ୍କର ଦସ୍ତଖତ କରାଇବା ପାଇଁ । ରୁମରେ ଜଣେ, ଦୁଇଜଣଙ୍କ ଛଡା ଆଉ କେହି ନଥିଲେ । ସେମାନେ ଗଲା ପରେ ନରେନ୍ଦ୍ର ଫାଇଲ ଦେଲା ଦସ୍ତଖତ କରିବା ପାଇଁ । ଦସ୍ତଖତ କରି କଲେକ୍ଟର ତାକୁ ତା ନାଁ ପଚାରିଲେ । " ନରେନ୍ଦ୍ର ମହାରଣା " । ନାଁ ଶୁଣି କଲେକ୍ଟର ନରେନ୍ଦ୍ର ମୁହଁକୁ ଚମକି ପଡି ଅନେଇଲେ । କିଛି ସମୟ ଦେଖିଲା ପରେ ନରେନ୍ଦ୍ରକୁ ଚିହ୍ନି ପାରି ଖୁସି ହୋଇ କହିଲେ ," ଆରେ ନରି ,ତୁ ? ଆଶ୍ଚର୍ଯ୍ଯ, ତୁ ଏଇ ଅଫିସରେ ଅଛୁ ଅଥଚ ମୋତେ ତୁ କେବେ ଦେଖା କରିନୁ । ନିଜ ବିଷୟରେ ବି କିଛି କହିନୁ। " ନରେନ୍ଦ୍ର ଖୁବ୍ ସଙ୍କୋଚରେ କହିଲା , " ନା, ମୁଁ ଚିହ୍ନି ପାରିଥିଲି ,କିନ୍ତୁ ଏଠି ଆପଣ ମୋ ବସ୍ । ମୁଁ ଆପଣଙ୍କୁ ସେଇ ସ୍କୁଲର ସାଂଗ ନରେନ୍ଦ୍ର ମହାରଣା ବୋଲି କେମିତି କହିଥାନ୍ତି । " " ଆରେ, ତୁ ମୋତେ ଆପଣ ,ଆପଣ କଣ କହୁଛୁ ମୋତେ ? ତୁ ତ ମୋର ସାଂଗ । " " ନା, ଏଠି ଅଫିସରେ ତ ଆପଣ ମୋ ହାକିମ, ମୁଁ ଆପଣଙ୍କ ନାମ କହି 'ତୁ' କହି, ନାଁ ଧରି କେମିତି ଡାକିବି ? ମୋ ସ୍କୁଲ ସାଂଗ ବୋଲି କେମିତି ପରିଚୟ ଦେବି ? ଯାହା ହେଲେ ବି ପଦବୀର ସମ୍ମାନ, ମର୍ଯ୍ଯାଦା ତରଖିବାକୁ ହେବ ।" 

ନରେନ୍ଦ୍ର ଭାବୁଥାଏ , ତା ସାଂଗ ଏତେ ଉଚ୍ଚକୋଟୀର ପଦବୀରେ ଥାଇ ସୁଦ୍ଧା ତା ପିଲା ଦିନ ସାଂଗକୁ ଭୁଲିନି । ଯେମିତି ସ୍କୁଲରେ ଥିଲା ଏବେ ବି ସେମିତି ଅଛି । ଗର୍ବ, ଅହଙ୍କାର ଟିକିଏ ବି ନାହିଁ । ନରେନ୍ଦ୍ର ବେଶ ଖୁସି ହେଉଥାଏ ଯେ ତା ସାଂଗ ଏତେ ଉଚ୍ଚ ପଦବୀରେ ଥାଇ ବି ତାକୁ ଭୁଲିନି । ସୋନପୁର ପ୍ରାଥମିକ ବିଦ୍ୟାଳୟରୁ ପଞ୍ଚମ ଶ୍ରେଣୀ ପାସ୍ କଲା ପରେ ବାପା ତାର ହାଇସ୍କୁଲରେ ନରେନ୍ଦ୍ରର ନାମ ଷଷ୍ଠ ଶ୍ରେଣୀରେ ଲେଖାଇ ଦେଇଥିଲେ । ନରେନ୍ଦ୍ରର ବାପା ଛୋଟ କିରାନା ଦୋକାନଟିଏ କରି ଯାହା ରୋଜଗାର କରୁଥିଲେ ସେଇଥିରେ ନିଜ ପରିବାରକୁ ସୁରୁଖୁରୁରେ ଚଳାଇ ନେଉଥିଲେ । ପରିବାର କହିଲେ , ନରେନ୍ଦ୍ରର ବାପା, ମାଁ ଓ ତା ସାନ ଭାଇ । ନରେନ୍ଦ୍ରକୁ ଓ ତା ଭାଇକୁ ଭଲ ପାଠ ପଢାଇ , ଭଲ ମଣିଷଟିଏ କରିବାକୁ ଚାହୁଁଥିଲେ ତା ବାପା । ନରେନ୍ଦ୍ର ଖୁବ ବେଶି ଭଲ ନ ପଢିଲେ ବି ଖରାପ ନ ଥିଲା ପାଠପଢାରେ । ଖରା ଛୁଟି ପରେପରେ ନରେନ୍ଦ୍ର ସ୍କୁଲ ଯାଇଥିଲା । ନୂଆ ସ୍କୁଲ, ନୂଆ ୟୁନି ଫର୍ମ , ନୂଆ ବାତାବରଣ । ବହୁତ ଖୁସି ଥିଲା ସେ ସେଦିନ । ଷଷ୍ଠ ଶ୍ରେଣୀର 'କ' ବିଭାଗରେ ଯାଇ ପଛ ବେଞ୍ଚରେ ବସିଥିଲା । ନରେନ୍ଦ୍ର ପତଳା ହୋଇ ଡେଙ୍ଗା ଥିଲା , ସେଥିପାଇଁ ଶ୍ରେଣୀ ଶିକ୍ଷକ ତାକୁ ପଛ ବେଞ୍ଚରେ ବସିବାକୁ କହିଥିଲେ ।


କିଛି ଦିନପରେ ସୁରେଶ୍ଵର ସେଇ ବିଦ୍ଯାଳୟକୁ ଆସିଥିଲା , ଷଷ୍ଠ 'କ' ବିଭାଗର ଛାତ୍ର ଭାବରେ । ତା ବାପା excise dept.ରେ କାମ କରୁଥିଲେ । ବଦଳି ହୋଇ ସୋନପୁର ଆସିଥିଲେ । ସୁରେଶ୍ଵର ଯେଉଁ ଦିନ ସ୍କୁଲକୁ ଆସିଥିଲା ସେ ବି ପଛ ବେଞ୍ଚରେ ନରେନ୍ଦ୍ର ପାଖରେ ଯାଇ ବସିଥିଲା କାରଣ ଆଗ ପାଖର ସବୁ ବେଞ୍ଚରେ ପିଲା ମାନେ ବସିଥିଲେ । ସୁରେଶ୍ଵର ଦେଖିବାକୁ ଗୋରା, ସ୍ୱାସ୍ଥ୍ୟବାନ ଥିଲା । ପଢାପଢିରେ ବି ବିଚକ୍ଷଣ ଥିଲା । କିଛି ଦିନ ଭିତରେ ସୁରେଶ୍ଵର ଓ ନରେନ୍ଦ୍ର ଖୁବ ଭଲ ସାଂଗ ହୋଇ ଯାଇଥିଲେ । ସୁରେଶ୍ଵର ଭଲ ପଢାପଢି କରୁଥାଏ । ସବୁବେଳେ ଶ୍ରେଣୀରେ ପ୍ରଥମ ହୁଏ । ଧୀରେ ଧୀରେ ନରେନ୍ଦ୍ର ଓ ସୁରେଶ୍ଵର ଭିତରେ ପ୍ରଗାଢ ବନ୍ଧୁତା ହୋଇଥିଲା । ନରେନ୍ଦ୍ର ରୁ ନରି ଓ ସୁରେଶ୍ଵର ରୁ ସୁରରେ ଦୁଇ ବନ୍ଧୁ କେତେବେଳେ ଯେ ବନ୍ଧୁତାର ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ , ସେମାନେ ବି ଜାଣି ନ ଥିଲେ । ଯେତେ ଯେତେ ସମୟ ବିତୁ ଥାଏ , ଦୁହେଁ ଦୁହିଁଙ୍କର ଆହୁରି ନିକଟତର ହେଉଥାନ୍ତି । ଟିଫିନ ଛୁଟିରେ ସାଂଗ ହୋଇ ଖାଇବା , ଛୁଟି ପରେ ସବୁଦିନ ସୁର ସାଂଗରେ ତା ସାଇକେଲରେ ଘରକୁ ଯିବା , ଏ ସବୁ ନିତିଦିନିଆ କଥା ଥିଲା । ନରେନ୍ଦ୍ର ସୁରେଶ୍ଵର ସାଂଗରେରହିବା ଯୋଗୁଁ ପଢାପଢିରେ ବେଶ ଉନ୍ନତି କରି ପାରିଥିଲା । ଏମିତି ଭାବରେ ମାଟ୍ରିକୁଲେଶନ ପରୀକ୍ଷାରେ ଦୁହେଁ ପାଶ୍ ବି ହୋଇଗଲେ । ସୁରେଶ୍ଵର ପଢାପଢି ଭଲ କରୁଥିଲା । ଭଲ ନମ୍ବରରେ ପାଶ୍ କରିଥିଲା । ତେଣୁ ଉଚ୍ଚ ଶିକ୍ଷା ପାଇଁ ତା ବାପା ତାକୁ ଭୁବନେଶ୍ବର ପଠାଇଥିଲେ ଓ ନିଜେ ମଧ୍ଯ ବଦଳି ନେଇ ସେଠାକୁ ସପରିବାର ଚାଲି ଯାଇଥିଲେ । ତା ପରଠୁ ନରେନ୍ଦ୍ର ଆଉ ସୁରେଶ୍ଵରର ଦେଖା ସାକ୍ଷାତ ହେଇନି । ନରେନ୍ଦ୍ର ସେଇଠିରହି ସୋନପୁର କଲେଜରୁ ବିଏ ପାସୋରି ବଲାଙ୍ଗିର କଲେକ୍ଟରରେ ଚାକିରୀ ପାଇ ତା ଘର, ପରିବାରର ଦାୟିତ୍ବ ନିର୍ବାହ କରୁଥାଏ । କିନ୍ତୁ ତା ସାଂଗ ସୁରକୁ ସେ କେବେ ବି ଭୁଲି ନ ଥାଏ । ବେଳେ ବେଳେ ସ୍କୁଲର ସେଇ ଖୁସିର ମୂହୁର୍ତ୍ତ ମନେ ପଡିଲେ ତାର ଭାରି ଇଚ୍ଛା ହୁଏ , ପୁଣିଥରେ ଫେରିଯାଆନ୍ତା ସେଇ ପୁରୁଣା ସମୟକୁ , ସେଇ ସ୍କୁଲର, ସେଇ ତା ସାଂଗ ସୁର ସହ ସେମିତି ପଛ ବେଞ୍ଚରେ ବସି ଉପଭୋଗ କରନ୍ତା ତାର ସେଇ ଖୁସିର ମୂହୁର୍ତ୍ତକୁ । ଯେଉଁ ସୁର , ତା ପ୍ରିୟ ସାଂଗ କଥା ଏତେ ଭାବୁଥାଏ , ସେ ଆଜି କଲେକ୍ଟର ହୋଇ ତା ବସ୍ ହୋଇ ତା ଆଗରେ । ନିଜ ବିଚକ୍ଷଣତା ବଳରେ ଆଜି ଏତେ ଉଚ୍ଚକୋଟୀର ପଦବୀରେରହି ନିଜ କାମ ସୁଚାରୁ ରୂପେ ନିର୍ବାହ କରୁଛି । ସତରେ ଭାରି ଖୁସି ଓ ଗର୍ବ ଅନୁଭବ କରୁଥାଏ ନରେନ୍ଦ୍ର । " କିରେ , କଣ ଏତେ ଭାବୁଛୁ ?ଚାଲ, ଆଜି ମୋ ସଂଗରେ ମୋ ଘରକୁ । କେତେ ଦିନ ପରେ ତୋ ସାଂଗରେ ଦେଖା । କେତେ କଥା ଅଛି ତୋ ସାଂଗରେ । " କିନ୍ତୁ, ଆଜି ଏଇ ଅଫିସରୁ ଯିବା ଠିକ୍ ହେବନି । ଆଉ କେବେ ମୁଁ ଯିବି ।" କିନ୍ତୁ ସୁରେଶ୍ଵର ନଛୋଡବନ୍ଧା ।

କହିଲା " ଆରେ, ଏଠି ଅଫିସରେ ସିନା ତୁ ମୋ ଅଧସ୍ତନ କର୍ମଚାରୀ । ବାହାରେ ତ ତୁ ମୋର ସେଇ ସାଂଗ ନରି । " ସୁରେଶ୍ଵର ନରେନ୍ଦ୍ର କଥା ନ ଶୁଣି ତାକୁ ତା ଘରକୁ ନେଇଗଲା । ସେଇ ରାତିରେ ସୁର ତା ପାଖରେ ନରେନ୍ଦ୍ରକୁରଖିପାରିଲା ଜୋର୍ କରି । ଦୁଇ ବନ୍ଧୁ ସାରା ରାତି ସେଇ ସେ ପୁରୁଣା ଦିନର ସ୍ମୃତିକୁ ରୋମନ୍ଥନ କରିଥିଲେ । ହଜି ଯାଇଥିଲେ ସେଇ ସ୍କୁଲ ଜୀବନର ପୁରୁଣା ସମୟ ଭିତରେ । ସେଇ ଖୁସି , ସେଇ ଆନନ୍ଦକୁ ଦୁଇ ସାଂଗ ସାଉଁଟି ଆଣିବାକୁ ଚେଷ୍ଟା କରୁଥାନ୍ତି । ସତରେ ବିତି ଯାଇଥିବା ମୂହୁର୍ତ୍ତ କେତେ ସୁନ୍ଦର, ମନଛୁଆଁ ହୋଇଥାଏ । ତାକୁ ଭୁଲିବାକୁ ଚାହିଁଲେ ବି ଭୁଲି ହୁଏନା । ବୋଧହୁଏ ଜୀବନ ଅଧ୍ଯାୟର ସ୍କୁଲରେ ବିତାଇ ଥିବା ସମୟ, କୈଶୋରର ସେଇ ଚପଳତା ଜୀବନରେ ଏକ ବିଶେଷ ଛାପ ଛାଡିଦେଇ ଯାଏ । ବେଳେ ବେଳେ ସେଇ ସ୍କୁଲର, କଳାପଟା, ଶିକ୍ଷକ ,ବେଞ୍ଚ, ଆଉ ସାଂଗ ମାନଙ୍କ ସହ ମସ୍ତି ଉଙ୍କି ମାରି ବର୍ତ୍ତମାନର କ୍ଲାନ୍ତ, ଶ୍ରାନ୍ତ ଜୀବନରେ ସତେଜତା ଭରିଦିଏ । ଏକ ନୂତନ ପ୍ରେରଣା , ଏକ ନୂତନ ଶକ୍ତି ଯୋଗାଇ ସ୍ମୃତିର ଝରକା ଦେଇ ସତେ ଯେମିତି ବହି ଆସେ ପୁରୁଣା ଦିନର ମିଠା ମିଠା ମହକ ।


Rate this content
Log in

Similar oriya story from Inspirational