Susama Mishra

Romance Tragedy

3.1  

Susama Mishra

Romance Tragedy

ପୁନଶ୍ଚ ସକାଳ

ପୁନଶ୍ଚ ସକାଳ

11 mins
452


ସଞ୍ଜୟ କିଛି ବୁଝିପାରେନି । ନା ଆକାଶକୁ ମୁହଁ କରି ବସିପାରେ ଏକା ଏକା; ନା ପୃଥିବୀରେ ଦେଖିପାରେ ନିଜ ଛାଇ । ଏଠି ତ ସବୁ ନିସ୍ତରଙ୍ଗ । ସବୁଦିଗରେ ତା କୋହର ପ୍ରତିଧ୍ବନି । ଫୁଲରେ ବାସ୍ନା ନାହିଁ, ପ୍ରଜାପତିର ଡେଣା ନାହିଁ । କାହାକୁ କହିବ ସେ ନିଜକଥା ? ସୁଜାତା ପାଖରେ ସେ ଯଦି ଖୋଲି ଦିଅନ୍ତା ଆପଣାର ବିଜନତା । ଦୁଃଖ ବହିଆସେ ଦୀର୍ଘଶ୍ଵାସ ହୋଇ ଦିନ ହୁଏ ରାତି, ରାତି ପାଲଟିଯାଏ ସକାଳ ଅଥଚ ଦୃଶ୍ୟ ଥାଏ ଏକାପରି । ଦୀର୍ଘ ସମୟ ବିତିଗଲା ସୁଜାତାକୁ ଅପେକ୍ଷା କରି କରି । ଋତୁରାଜ କେତେବେଳେ ଆସି ପହଞ୍ଚିଗଲା , ଆମ୍ବଗଛରେ ବଉଳ ଧରିଲା , ସେ କିଛି ଜାଣିପାରିଲାନି । ଜାଣିବ କେମିତି ? ସୁଜାତା ନାହିଁ ଯେ ଜହ୍ନରାତିରେ ଦେଖାଇଦେବ ତାରକସି ବଉଳର ଫୁଲ ।


         ସଞ୍ଜୟ କ’ଣ ସତରେ ଜହ୍ନ ଦେଖେ ନା ଫୁଲ ଦେଖେ । ତା ଚାହାଣି ସୁଜାତାର ନୀଳ ଆଖିରେ ବନ୍ଦୀ ହୋଇଯାଏ ।


         ପ୍ରାଇଭେଟ୍ କମ୍ପାନୀର ଜଣେ ବିଜନେସ୍ ଏକଜିକ୍ୟୁଟିଭ ଭାବରେ ଯୋଗଦେଇ ସେ ଗୋଟେ ରୁଟିନବନ୍ଧା ସମୟର ଅନୁଗମନ କରୁଥିଲା । ସବୁବେଳେ ମନେପଡୁଥିଲା ଦୂର ଗାଁ । ଗାଁରେ ଥିବା ଝାଟିମାଟି ଘର ଓ ଘରପିଣ୍ଡାରେ ଏକେଲା ବସିଥିବା ବୁଢା’ ବାପା । ବାପାଙ୍କ ଚେହେରା ସହିତ ବୋଉର ମୁହଁଟି ତାକୁ ଚମକାଇଦିଏ । ସତେ ଯେମିତି ଏଇଠି ଠିଆ ହୋଇଛି ସେ ତା’ରି କଅଁଳ ପଣତରେ ସଞ୍ଜୟ ପରି ଗୋଟିଏ ବୋଲି ଗେହ୍ଲା ପୁଅକୁ ଆଉଁସି ଦେବ ; ବାପରେ ଧନରେ କହି ପାଖରେ ବସିବ । ସଞ୍ଜୟର ଆଖିପତା ତଳେ ବିନ୍ଦୁ ବିନ୍ଦୁ ଲୁହ ଜମିଆସେ । ଛାତି ଭିତରଟା ଖୁନ୍ଦି ହୋଇଯାଏ ଅବୁଝା ଦୁଃଖରେ । ଏ ଦୁଃଖ ପୁରୁଣା ଦିନର ; ଯେବେ ସେ ନୂଆ କରି ଆସିଥିଲା ସହରକୁ ବଡ଼ କଲେଜରେ ପାଠ ପଢିବାର ଅଭୀପ୍ସା ନେଇ । ବୋଉର ଇଚ୍ଛା- ପୁଅ ଭଲ ପଢିବ, କ’ଣ ଗୋଟେ ବଡ଼ ଚାକିରି କରି କୁଳଉଜ୍ଵଳ କରିବ ; କିନ୍ତୁ ତା ଆଖିରୁ ସେ ଦୂର ହୁଅନ୍ତାନି , ଏଇଠି ତାରି ପାଖରେ ଛାଇ ପରି ରହନ୍ତା । ସେଇଥିପାଇଁ ତ ସଞ୍ଜୟକୁ ବିଦାୟ ଦେଲାବେଳେ ବୋଉ ତାର କାନ୍ଦିଥିଲା ସେତିକି ପୁଅ ଯିବ ଶତ୍ରୁ ସାଙ୍ଗରେ ଲଢିବାପାଇଁ । ଏମିତି ବିତିଗଲା ଦିନ । ପୁଅ ଆସେ, ଯାଏ । ବାହାରକୁ ଦମ୍ଭ ଦେଖାଇ ସେ ଠିଆହୁଏ । ପୁଅକୁ ଅଜାଡି ଦିଏ ଥାକ ଥାକ ଉପଦେଶ । ବିଦେଶ ଜାଗାରେ ସେ କେମିତି ଚଳିବ ; କେମିତି କୋଉ ସୁନ୍ଦରୀ ଝିଅର ପାଲରେ ପଡ଼ିବନି ।


         ବୋଉ ଜାଣିବା ପାଇଁ ରହିଲାନି ସୁଜାତା ନାମରେ ଝିଅଟେ ତାକୁ କିପରି କିମିଆ କଲାଣି । ବୋଉକୁ ଯେତେ ରାଣ ଦେଇ କହିଥିଲେ ବି ସେ ବିଶ୍ବାସ କରି ନଥାନ୍ତା ଯେ ନିଜେ ସଞ୍ଜୟ ନିଜ ପକ୍ଷରୁ ଗୋଟେ ସୁନ୍ଦରୀକୁ ନୀରବତାର ନୂଆ ଭାଷା ଶିଖାଇବାରେ ମନପ୍ରାଣ ନିଗାଡି ଦେଲାଣି ।


         ସଞ୍ଜୟ ସେଥର ଗାଁକୁ ଯାଇଥାଏ । ମନକଥାଟା ବୋଉ ଆଗରେ କହିଦେବ ; କିନ୍ତୁ ବୋଉ କ’ଣ ଶୁଣିବା ପାଇଁ ଅପେକ୍ଷା କଲା ? ସବୁ ଶେଷ ହୋଇଗଲା । ବୋଉର ନିଶ୍ଚଳ ମୁହଁଟାରେ ମୁଠାଏ ନିଆଁ ପକାଇ ଏକମୁହାଁ ସେ ଧାଇଁଆସିଲା ଯେଉଁଠି ଗୋଟେ କୋଳ ନାହିଁ ସେ ଥକା ମାରିବ । ବାପା ଉଦାସ ହୋଇଗଲେ । ସଞ୍ଜୟକୁ ନିଷ୍ପଲକ ନୟନରେ ସାନ୍ତ୍ଵନା ଦେଲେ । ବୋଉର ମାଳପିନ୍ଧା ପ୍ରତିଛବିଠାରୁ ସେ ବିଦାୟ ମାଗିଲା ବାପାଙ୍କୁ ପ୍ରଣାମ କରି ; ଫେରି ଆସିଲା ସହର । ସୁଜାତା ସବୁ ଶୁଣିଲା- ଯେମିତି କିଛି ଶୁଣିନି ; ସେମିତି ଉଠି ସଞ୍ଜୟକୁ ଭୁଲାଇ ଦେବାର ଉପକ୍ରମ କଲା ।


         ଭାରି ବେପରୁଆ ଝିଅଟେ ସୁଜାତା । ଟିକେ ଟିକେ କଥାରେ ଲୁହ ଝରାଏନି । କେହି ଭୟ ଦେଲେ ହାରିଯାଏନି । ନାରୀ ସ୍ଵାଧୀନତା ଉପରେ ପ୍ରଚଣ୍ଡ ଅଭିମାନ ତାର । ଦୃଷ୍ଟିଭଙ୍ଗୀ ବେଶ ବ୍ୟାପକ । ତଥାକଥିତ ଆଧୁନିକତାରେ ବିଶ୍ବାସ ଥିବା ଏଇ ଝିଅଟା ଯାହା ଚାହେଁ, ହାସଲ କରିନିଏ । ସଞ୍ଜୟ ବୀନା ସୁଜାତାର ମାନେ ନାହିଁ । ଭଲପାଇବାର ରୂଦ୍ଧ ବେଦନାଟି ବିରହ । ବିଚ୍ଛେଦର ଅବସାନ ଯେଉଁଠି, ସେଠି ଯେକୌଣସି ଚାକିରି ବି ତାର କାମ୍ୟ । କ୍ଲରିକାଲ ପାଇଁ ସେ ଆପ୍ଲାଇ କଳା । ଇଣ୍ଟରଭ୍ୟୁର ଫଳାଫଳ ବାହାରିଲା ଦିନ ଧାଇଁଗଲା ସଞ୍ଜୟକୁ ମିଠା ଖୋଇବ । ଅବାକ ସଞ୍ଜୟର ମୁହଁରେ ଭାଷା ନାହିଁ । ଏତେ ବଡ ଶିଳ୍ପପତିଙ୍କ ଝିଅ ପ୍ରାଇଭେଟ କମ୍ପାନୀରେ ଏଇ ସାମାନ୍ୟ ପଦବୀରେ ରହିବ ! ସୁଜାତା ଉତ୍ତର ଦେଲା, ସେ ଆସିଛି ନିଜ କ୍ୟାରିଅର ଖାତିରରେ ନୁହେଁ , ଜୀବନ ଆରମ୍ଭ କରିବାର ବାସ୍ତବପଣରେ । ଏଣିକି ସେ ଲିଭାଇଦେଇଚି ନିଜ ଠିକଣା । ବାପମା’ଙ୍କ ନିର୍ବାଚିତ ଅଚିହ୍ନା ପୁରୁଷକୁ ବରଣ କରିବା ପରି ବୋକୀ ଝିଅ ସେ ନୁହେଁ । ତା ଗତି ରୋଧିବା ପାଇଁ ଶକ୍ତି ନାହିଁ କାହାର । ସଞ୍ଜୟର ସାନ୍ନିଧ୍ୟ ପାଇଁ ଚାକିରି ଗୋଟେ ମାଧ୍ୟମ । ଏଇ ଶୁଭ ମୁହୂର୍ତ୍ତରେ ସୁଜାତାର ଜିଦ ସଞ୍ଜୟ ସହିତ ସେ କରିବ ରେଜିଷ୍ଟ୍ରି ମ୍ୟାରେଜ । ଥରେ ଖାଲି କାଗଜପତ୍ରରେ ନାଁ ସାଙ୍ଗରେ ନାଁଟିଏ ଯୋଡ଼ିହୋଇଗଲେ ବାପା ଅଭିନନ୍ଦନ ଜଣାଇବେ ତା ଚଏସକୁ । ମା ପାଛୋଟି ନେବେ ଝିଅ-ଜୋଇଁଙ୍କୁ । ସୁଜାତାର ପ୍ରଗଳ୍ଭାତରେ ସଞ୍ଜୟ ମୂକ ପାଲଟିଗଲା , ବାପାଙ୍କ ଆଗରେ କହିବାର ସାହସ ଣ ପାଇ ସେ ମନକଥା ଲେଖି ବାପାଙ୍କୁ ଜଣାଇଦେଇଥିଲା । ବାପାଙ୍କ ଉତ୍ତର ଥିଲା ନାସ୍ତିବାଚକ । ନିଜେ ଦୁଇଥର ଗାଁକୁ ଯାଇ ଖୁବ ସନ୍ତର୍ପଣରେ କିଛିଟା ତର୍କ ସହିତ ସେ କହିଥିଲା ସୁଜାତାର ପ୍ରସ୍ତାବ । ବାପା ଅସନ୍ତୁଷ୍ଟ ହେଲେ । ନିଜ ଜାତିର ନୁହେଁ , ପାଖ ଗାଁର ନୁହେଁ , ମଧ୍ୟସ୍ଥିଙ୍କ ସହାୟତା ନାହିଁ ; ପୁଣି ଝିଅଟାର ଏକା ବୟସ । ଏପରି କ୍ଷେତ୍ରରେ ସୁଜାତା ତାଙ୍କ ପୁଅ ପାଇଁ ଯୋଗ୍ୟ ନୁହେଁ, କସ୍ମିନ କାଲେ ନୁହେଁ- ଏ ଥିଲା ବାପାଙ୍କର ଶେଷ ସିଦ୍ଧାନ୍ତ । ସଞ୍ଜୟ ବାପାଙ୍କୁ ବେଖାତିର କରି ସୁଜାତାକୁ ସ୍ଵାଗତ କଲା । ସବୁ ଦିଗ ତାକୁ ସୁନ୍ଦର ଦିଶିଲା ସୁଜାତା ପରି । ବୋଉକୁ ମନେପକାଇବା ପାଇଁ ଅବକାଶ ପାଇଲାନି; ବାପାଙ୍କୁ ଦେଖିଆସିବା ପାଇଁ ମନ ଡାକିଲାନି । ବାହାଘର ପରେ ଅବଶ୍ୟ ସେ ଘରକୁ ଯାଇଛି, ସୁଜାତାକୁ ସାଙ୍ଗରେ ନେବାପାଇଁ ଥରେ ଅଧେ କହିଛି ମଧ୍ୟ; କିନ୍ତୁ ସୁଜାତା କହେ ଗାଁର ମାଟି ମାଡ଼ିବା ତା ପରି ଝିଅ ପକ୍ଷରେ ଭାବନାର ବହିର୍ଭୁତ, ପୁଣି ସଞ୍ଜୟର ଗାଉଁଲି ବାପାଙ୍କ ଆଗରେ ସେ ମୁହଁ ନୁଆଁଇ ମୋଟେ ଠିଆ ହୋଇ ପାରିବନି ।


ସତରେ ବି, ସୁଜାତା ଦେଖିଲା ପରି, ଗାଁରେ କ’ଣ ଅଛି ? ବାପା ଆଜିକାଲି କେମିତି ଗୋଟେ ଲାଗନ୍ତି । ସଞ୍ଜୟକୁ ବି ଭଲଲାଗେନି । ବାପାଙ୍କର ମଇଳା କୋଚଟ ଫତେଇରୁ ବିଚିକିଟିଆ ଗନ୍ଧ ବାହାରେ । ଘର ସାରା ଅସନା । ଏପାଖ କବାଟରେ ଉଇର ଘର; ସେ ପାଖ ଝରକାରେ ବିରୁଡ଼ିର ବସା । ବାଡି ଖଞ୍ଜାରେ ଚେମେଣିର ଆତଯାତ । ବାପାଙ୍କର ଖାଇବା ଢଙ୍ଗ ଦେଖିଲେ ଭାରି ଅଡୁଆ ଲାଗେ । କୋଉ କାଳର କଳା କିଟିକିଟି ଟୋଲାଡେକଚିରେ ଚାଉଳ ସାଙ୍ଗରେ ସିଝିବ ଆଳୁ । ସଞ୍ଜୟ ଆସିଗଲେ ପଡିଶାଘର ଦେଠେଇ ଗିନେ ଡାଲି ଦିଅନ୍ତି । ତାକୁ ଖାଇବାକୁ ଇଚ୍ଛା ହୁଏନି । ବାପାଙ୍କୁ କଥା ପଦେ କହିଆସେନି । କହିବାକୁ ଆରମ୍ଭ କଲେ ଏକାନ୍ତ ବ୍ୟଥାର ବିବରଣୀ ଥାଏ; ସବୁ ସେଇ ସୁଜାତାକୁ ନେଇ । ସଞ୍ଜୟ କିଛି ଜବାବ ଦିଏନି । ଅସଙ୍ଗତ କଥାଗୁଡେ କହୁ କହୁ ସେ ମଝିଘର ସିନ୍ଦୁକ ଖୋଲି ମାନ୍ଧାତା ଅମଳର କନ୍ଥା ଦୁଇଟା ଓ ତେଲଚିକିଟା ତକିଆ କାଢି ତା ପାଇଁ ତଳେ ଶେଯଟେ ପକେଇଦିଅନ୍ତି । ସଞ୍ଜୟକୁ ନିଦ ହୁଏନି । ରାତିସାରା ସୁଜାତା ମନେପଡେ । ସକାଳୁ ଉଠି ବାପା ମାଛ ପାଇଁ ଧାଇଁଲାବେଳେ ସେ ବାହାରିପଡ଼େ ଗାଡି ଧରିବାକୁ । ସୁଜାତା ପାଖରେ ପହଞ୍ଚିଗଲେ ଖୁସି-ଖୁସି ଭାବଟେ ତା ଭିତରେ ଲହଡି ଭାଙ୍ଗେ ।

         ସବୁ ଠିକ ଥିଲା , କେଉଁଠି କିଛି ଅସଜଡା ନାହିଁ । ଅଥଚ କ’ଣ ଏମିତି ହୋଇଗଲା ସୁଜାତା ଏଣିକି ସଞ୍ଜୟର ମୁହଁ ଚାହିଁବନି ।

         ସୁଜାତା ମା’ ହେବ । ସଞ୍ଜୟ ପାଇଁ ଖୁସି ହେବାର ଦିନ । କିନ୍ତୁ ସୁଜାତା ଅଡିବସୁଛି ଏତେ ଶୀଘ୍ର ତାର ଜଞ୍ଜାଳ ଲୋଡ଼ା ନାହିଁ । ସେ ଅନ୍ତତଃ ସଞ୍ଜୟର ହାତ ଧରି ସାରା ଭାରତଟା ଘୂରିବ- ହିମାଳୟଠୁ କୁମାରିକା ଯାଏଁ । ବାହାଘରତ ଏଇମାତ୍ର ଗୋଟେ ବର୍ଷ କୁଆଡ଼େ ସେ ଯାଇନି; ରୋମାନ୍ସର କାଣିଚାଏ ଭୋଗ କରିନି । ମା’ ହବାର ଦିନକୁ ସେ ନିଜେ ଡାକିଆଣିବ ନିଜର ପରିକଳ୍ପିତ ପାରିବାରିକ ଯୋଜନା ଅନୁସାରେ । ସେଇଥିପାଇଁ ତ ସଞ୍ଜୟର ଅନୁରୋଧ ତାକୁ ଗଧ ପିଲାଟିର ଅଙ୍କ କଷା ପରି ଲାଗିଲା । ସଞ୍ଜୟର ମନା ମାନିବାକୁ ସେ ସତତ ନାରାଜ । ସେ ନିଜର ଜଣେ ବାନ୍ଧବୀ ସହିତ ହସ୍ପିଟାଲ ଗଲା; ତାପରେ ଘରକୁ ଫେରି ଆସିଲା । ଟିକେ ବୋଲି ଶଙ୍କା ନାହିଁ, ଦୁଃଖ ନାହିଁ, ସତେ ଅବା ଗଡ଼ ଜିଣିଲା । ସଞ୍ଜୟ ତାକୁ କଥା କହିଲାନି । ତା ମୁହଁ ବି ଦେଖିଲାନି ।


         ବୈଠକଘର ସୋଫାରେ ରାତିଟା ବିତାଇଦେଲା । ସୁଜାତାକୁ ଯାହା ମନେହେଲା, କିଛି ଗୋଟେ ନ ଘଟିଲା ପରି; ତାହା ଥିଲା ସଞ୍ଜୟ ପାଇଁ ସୀମାତୀତ ଅଘଟଣ । କିଏ ଆଗ କଥା କହିବ ? ସଞ୍ଜୟ କ୍ରୋଧର ଅନଳ ସାଜିଲା- ବେଳେ ସୁଜାତା ସେଥିରେ ଢାଳିଦେଲା ଯୁକ୍ତିର ବାରୁଦ । ସୁଜାତାର ଅନୁଭବରେ ସଞ୍ଜୟ ନିପଟ ବୋକା, ନିର୍ବୁଦ୍ଧିଆ, ତା ପାଖରେ ଦୂରଦୃଷ୍ଟିର ଘୋର ଅଭାବ । ଦୁଇ ପକ୍ଷର ବାଗଯୁଦ୍ଧ ପ୍ରଳୟର ରୂପ ନେଲା ଯେବେ ସଞ୍ଜୟର ମାର୍ଜ୍ଜିତ ସ୍ଵର ଉଚ୍ଚାରି ଦେଲା, ତମେ ମୋଟେ ନାରୀ ନୁହଁ; ରାକ୍ଷସୀ ।

         ସୁଜାତା ତତକ୍ଷଣାତ ନିଜର ଅଟାଚି ସଜାଡି ଦେଲା । ଦାଣ୍ଡ ଦରଜା ଖୋଲି ପବନ ବେଗରେ ଘରୁ ବାହାରିଗଲା । ଥରେ ବି ସଞ୍ଜୟ ଧାଇଁଗଲାନି ପଛେ ପଛେ ; ବାହୁ ଧରି ଭିତରକୁ ଘୋଷାରି ନେଲାନି ।

         ସମଶକ୍ତିସମ୍ପନ୍ନ ଦୁଇଟା ମଣିଷ ନିଜସ୍ଵ ଧାରଣା ନେଇ ନିଜ ନିଜ ଭିତରେ ଅଟକିଗଲେ ।


         ନିତିଦିନ ପରି ଦୁଇଜଣ ସେଇ ଏକା କମ୍ପାନୀରେ ପହଞ୍ଚିଗଲେଣି । ଗୋଟିଏ ରାସ୍ତା- ଏକାଠି ଚାଲି ଚାଲି ନୁହେଁ, ଦୁଇଜଣ ଆସିଥିଲେ ଦୁଇଟି ଅଲଗା ବାଟରେ । ବାରମ୍ବାର ଦେଖାହେଲା; କେହି କାହାକୁ କିଛି କହିଲେନି । ସୁଜାତା ଦରଖାସ୍ତ କଲା ତା ନିଜ ପାଇଁ ସ୍ଵତନ୍ତ୍ର କ୍ଵାଟର । ସଞ୍ଜୟ ଜାଣିଲା ପଛେ, ମନା କଲାନି । ସଞ୍ଜୟ ମୁହଁରେ ଦାଢି ମେଞ୍ଚେ ରଖିଲା; ସୁଜାତା ଅତିଷ୍ଠ ହେଲାନି ।


         ଏହି ଦୁଇଟି ପ୍ରାଣୀଙ୍କର ଦୋସ୍ତି କଟିଗଲା ପରେ କମ୍ପାନୀର ଅନ୍ୟ ଲୋକମାନଙ୍କ ଭିତରେ ସହସା ଘନିଷ୍ଠତା ବଢିଗଲା । ତିଳକୁ ତାଳ କରି ପ୍ରଚାର ହେଲା । କିଏ କହିଲା, ସୁଯତାର ଗୁପ୍ତ ପ୍ରେମିକ ବରାବର ଆସୁଛି । କିଏ କହିଲା, ସଞ୍ଜୟ ଛାଡପତ୍ର ଦେଲାଣି ଏମିତିକା ତାର ଦ୍ଵିତୀୟ ବିବାହର ନିମନ୍ତ୍ରଣପତ୍ର ବି ଛପାସରିଲାଣି ।


         ସଞ୍ଜୟ ଭାରି ଏକା ହୋଇଗଲା; ବୋଉକୁ ସେ ସ୍ଵପ୍ନ ଦେଖିଲା । ସ୍ଵପ୍ନରେ ବୋଉ ସୁଜାତାର କଥା ଠାରେ ବି ପଚାରିଲାନି; କିନ୍ତୁ ପଚାରିଲା, ବାପାଙ୍କର ଦେହପା ସୁଖଦୁଃଖର କେତେ କ’ଣ ପ୍ରଶ୍ନ । ସ୍ଵପ୍ନର ରାତି ପାହିଗଲା ପରେ ସଞ୍ଜୟ ବାପାଙ୍କୁ ମାନେ ପକାଇ ନିଃସ୍ଵ ମଣିଷଟେ ହୋଇଗଲା । ବାପାଙ୍କୁ ସେ ସ୍ନେହବୋଳା କଥା ପଦେ କହିଲାନି ? ବୋଉର ମୃତ୍ୟୁ ପରେ ବାପାଙ୍କର ଦୁଃଖ ବୁଝିଲା ଭଳି ସାମର୍ଥ୍ୟ ତାର ଅଛି; କିନ୍ତୁ ସେ ବାପାଙ୍କ ପାଇଁ ବିମୁଖ ଅଧମ ପୁଅଟିଏ ହେବାର ମନ୍ତ୍ର କେଉଁଠୁ ଶିଖିଲା ? ନିଶ୍ଚୟ ସୁଜାତାଠାରୁ । ହୃଦୟଶୂନ୍ୟ ପାଷାଣି ସୁଜାତା ଉପରେ ଏ ଦୋଷ ଲଦିଦେବାର ଅଧିକାର ପ୍ରତି ତାର ଘୃଣା ଆସିଲା । ଏକେ ତ ବାପାଙ୍କର ଆଭିଜାତ୍ୟ ନାହିଁ, ପୁନଶ୍ଚ ସୁଜାତାକୁ ସ୍ଵୀକାର ନ କରି ବାପା ଗହିର୍ତ ଅପରାଧ କରିଛନ୍ତି । ଏପରି ଏକ ଭୁଲ ଧାରଣାର ଅଧୀନସ୍ଥ ହୋଇଥିବାରୁ ନିଜକୁ ସେ ଧିକ୍କାର କଲା । ପ୍ରକୃତପକ୍ଷରେ ଅପରାଧୀ ତ ସେ ନିଜେ; ଯିଏ ସୁଜାତାକୁ ଆପଣାର କରିଛି । ଅବହେଳିତ ବାପାଙ୍କ ପାଇଁ ସନ୍ତୁଳିତ ପ୍ରାଣ କାନ୍ଦିଲାବେଳେ ତା ନାଁରେ ଗାଁରୁ ଆସିଛି ଜରୁରୀ ଚିଠି- ବାପା ରୋଗଶଜ୍ୟାରୁ ଉଠିବା ପାଇଁ ଅକ୍ଷମ । ବୋହୁକୁ ଦେଖିବା ତାଙ୍କ ଅବଶିଷ୍ଟ ଜୀବନର ଅନ୍ତିମ ଇଚ୍ଛା ।


         ସଞ୍ଜୟର ମନ ଏମିତି ଗଭୀର କ୍ଷତରେ ରକ୍ତାକ୍ତ ସୁଜାତାକୁ ଦେଖାଇହେବନି । ଯିବ ସେ ? ଠିଆହେବ ସୁଯତାର ନିଷିଦ୍ଧ ଦୁଆରବନ୍ଧରେ ; ଡାକି ନେବ ନିଜ ସାଙ୍ଗରେ ବାପାଙ୍କ ପାଖକୁ ।

         ଯିଏ ଯାଏ, ସେ ଆସେନ । ଆସିବାର ଥିଲେ ସୁଜାତା ଆସିସାରନ୍ତାଣି । ସମ୍ପର୍କ କ’ଣ ଯେ ତା ସାଙ୍ଗେ ? ସଞ୍ଜୟ ଅଫିସ ଗଲାନି । ଗାଁକୁ ଯିବାକୁ ବାହାରିଲା । ଏକା ଗଲେ ବାପାଙ୍କ ଅପେକ୍ଷାକୁ ସେ କି ଉତ୍ତର ଦେବ ? ପାଞ୍ଚଦିନ ବିତିଗଲା ସେ ଘରୁ ପଦାକୁ ଗଲାନି ।

         ସୁଜାତା କେତେ ବା ସମ୍ଭାଳନ୍ତା । ସଞ୍ଜୟର ଅନୁପସ୍ଥିତିରେ ସେ ପ୍ରମାଦ ଗଣିଲା । ଛାତି ଭିତରଟା ଅହେତୁକ ଭୟରେ କମ୍ପିତ ହେଲା ।


         ସବୁଦିନ ଦେଖାହେବାରେ ସୁଜାତା ଉପକୃତ ହେଉଥିଲା ଅନ୍ତତଃ ଏତିକି ନିଶ୍ଚିନ୍ତ ରହୁଥିଲା ସଞ୍ଜୟର ଦେହ ଭଲ ଅଛି । ରବିବାର ଦିନ ବି କମ୍ପାନୀର କାମ ବାହାନରେ ସଞ୍ଜୟ ଆସେ । କାମ କଣ ଥାଇ ସୁଜାତା କ’ଣ ସେଦିନ ଆସେନି ? ଛୁଟି ଦିନର ନିର୍ଜ୍ଜନତାରେ ସୁଜାତା ଅପେକ୍ଷା କରେ କାଳେ ସଞ୍ଜୟ ପଦେ କହିଦେବ । ଦିନ ଥିଲା ତାଙ୍କ ଭିତରେ କେତେ ଥର ଝଗଡା ଲାଗେ ଯେକୌଣସି ବିଷୟବସ୍ତୁ ଉପରେ ରାଜନୀତିଠାରୁ ଘରକରଣାଯାଏଁ । ସବୁଥର ସଞ୍ଜୟ ପ୍ରକୃତରେ ଜିତିଲେବି ସୁଜାତା ଥମ ହୋଇଯାଏ । ତା’ପରେ ସଞ୍ଜୟ ହାରିଯିବାର ଅଭିନୟ କରେ; ତାକୁ ମନାଏ କେତେ ନୂଆ ନୂଆ ସୁନ୍ଦର ଶୈଳୀରେ । କାନ୍ଦ ସପକ୍ଷରେ ନଥିବା ସୁଜାତାର ଆଖିତଳେ କେତେ ଅସରା ଲୁହର ବର୍ଷା ହୋଇଗଲାଣି, ସେ ହିସାବ ବୁଝିବା ପାଇଁ ଯିଏ ଆସିଲେନି, ତାଙ୍କୁ କେମିତି ବା ସେ ବୁଝାଇ ପାରିବ ?


         ସୁଜାତା ଆଉ ଚୁପ ହୋଇ ବସିପାରିଲାନି । ସଞ୍ଜୟର ଖବର ନେବା ପାଇଁ ଜୁନିୟର ଏକ୍ଜିକ୍ୟୁଟିଭ ଦାସ ସାହେବଙ୍କ ପାଖକୁ ଗଲା । ଭଦ୍ରବ୍ୟକ୍ତି ସମବେଦନାର ସହିତ ସବୁ ଗପିଗଲେ- ସୁଜାତା ବିହୁନେ ସଞ୍ଜୟର ପର୍ଯ୍ୟାପ୍ତ ଦୁଃଖଠାରୁ ଗାଁରୁ ଆସିଥିବା ଚିଠିପର୍ଯ୍ୟନ୍ତ । ଅଜଣା ଗୋଟେ ମୋହ ତାକୁ ଗ୍ରାସ କଲା । ସାତପର ଗାଁଟା ହଠାତ ତାକୁ ଅତି ନିଜର ଲାଗିଲା । ତା ଭିତରେ ପୁଣି ଏତେ ସମ୍ମାନ ଓ ଶ୍ରଦ୍ଧାର ଭିଡ଼ ସେଇ ଅଦେଖା ବୁଢା ମଣିଷଙ୍କ ପାଇଁ ! ‘ବାପା, ବାପା’ ବୋଇ ନୀରବ ସ୍ଵରଟେ ଖେଳିଗଲା । ଫେରି ଆସୁ ଆସୁ ସେ ଭାବିଲା ବହୁତ ପଛଦିନର କଥା । ଘର ଛାଡିଦେଇ ଆସିଥିଲା ସେ ଘରଲୋକଙ୍କର ଅସମ୍ମତିରେ । କେତେବଡ଼ ଆଶା ବାନ୍ଧିଥିଲା, ବାପା ମା ତା’ର ନିଶ୍ଚୟ ତାକୁ ଡାକିନେବେ । ଯାହା ହେଲେ ବି ଘରର ଆଲିଅଳୀ ଗେଲ୍ଲୀ ଝିଅ ସେ, ତାକୁ କିଏ ଭୁଲିଯିବ । ହେଲେ କି ଆଶ୍ଚର୍ଯ୍ୟ; କେହି ତାକୁ ମନେ ରଖିଲେନି, ଡାକିଆସିଲେନି । ନିଜ ଇଚ୍ଛାରେ ବାହା ହୋଇ ବାପାଙ୍କ ମୁହଁରେ ଚୂନକାଳି ବୋଳି ଦେଇ ଆସିଛି ଯେତେବେଳେ, ସେ ମଲା କି ଗଲା ଇଏ ପଚାରନ୍ତା । ଏମିତିକି ସଞ୍ଜୟଠାରୁ ସେ ଅଲଗା ରହୁଛି, ସେ ଖବର ବି ବାପଘରକୁ ମାଲୁମ ଥିଲା; ଅଥଚ ଗାଁରେ ବାସକରୁଥିବା ବାପା ଯାହାଙ୍କ ପିତୃତ୍ଵକୁ ଅବମାନନା କରି ସେ ସଞ୍ଜୟର ପତ୍ନୀ ହେଲା, ଥରେ ବି ଗାଉଁଲି, ଗରିବ ଏକେଲା ବାପାଙ୍କ ଆଡ଼େ ଆଡ଼ଆଖିରେ ବି ଚାହିଁଲାନି ସେ ଆଜି ତାକୁଇ ଲୋଡୁଛନ୍ତି । ଶେଷ ନିଃଶ୍ଵାସ ନେବା ଆଗରୁ ନିଜ ବୋହୁକୁ ଆଖି ପୂରାଇ ଦେଖିବାର ଆଶା ଧରିଛନ୍ତି । ସୁଜାତା ନିଶ୍ଚୟ ଯିବ; ଯାଇ ବାପାଙ୍କର ଚରଣ ଧୂଳି ନେବ । ବାପାଙ୍କ ଶିଥିଳ ଗୋଡ଼ହାତରେ ହାତ ବୁଲାଇ ଦେଇ ଡାଳିମ୍ବରସ ପିଆଇଦେବ । ନିୟମିତ ସେବାଯତ୍ନ କରି ବାପାଙ୍କର ଦଦରା ଆୟୁଷକୁ ଆଉ ଟିକେ ଲମ୍ବାଇ ନେବ । ନିଜ ଭାବନାରେ ସେ ଏତେ ଦୂର ସ୍ଥିର ହୋଇଗଲା ତା ପାଇଁ ଅଭିମାନ ଏଥର ଅହଂକାର ନୁହେଁ, ଆତ୍ମସମର୍ପଣରେ ପରିଣତ ହୋଇଗଲା । ଘରଣୀ, ଜନନୀ, କୁଳବଧୂ ସବୁ ଭୂମିକାରେ ନିଜକୁ ଜଡାଇନେବାର ଆନନ୍ଦ ତାକୁ ବିମୋହିତ କଲା । ସଞ୍ଜୟକୁ ସେ ଯାଇ କହିଦେବ ତାର ରୂପାନ୍ତରିତ ମନର କଥା । ନିଜ ଭୁଲର ଶାସ୍ତି ମାଗି ଲୁହରେ ଧୋଇଦେବ ସଞ୍ଜୟର ରିକ୍ତ ହୃଦୟ ?


         କଲିଙ୍ଗବେଲର ଶବ୍ଦ ଦୁଃଖୀ ସଞ୍ଜୟକୁ ବିରକ୍ତ କଲା । କିଏ ଆସିଥିବ ? ଖଟ ସାରା ଖେଳେଇଦେଇଛି ସୁଜାତାର ଚିଠି ଫୋଟ ଓ ତାର ଦୁଇ-ଚାରିଖଣ୍ଡ ଛାଡିଯାଇଥିବା ଲୁଗାପଟା । ବହିପେଟିରୁ କାଢିଛି ପୋକଧରା କାଚଫ୍ରେମ ଯାହା ଭିତରେ ବାପା-ବୋଉଙ୍କ ମଝିରେ ସେ ଠିଆହୋଇଛି । କେତେ ସାନ ପିଲାଟେ । ସାନ ପିଲାଟା ବଡ ହୋଇଯାଇଛି- ବହୁତ ବଡ । ବଡଲୋକୀର ଶେଷ ସିଂହାସନରେ ଚଢିଯାଇ ସେ ଓହ୍ଲାଇପାରୁନି । ବୋଉ ନାହିଁ କାଖ କରି ଓହ୍ଲାଇଦେବ; ବାପା ଆସିବେନି ନାଲି ଆଖି ଦେଖାଇ ଆକଟ କରିବେ । ଆଉ ଗୋଟେ ଫୋଟ ଷ୍ଟାଣ୍ଡ ଟି.ଭି. ଉପରୁ ନେଇ କୋଳରେ ଧରିଛି- ସୁଜାତା ସହିତ ସଞ୍ଜୟ । କେତେ ପ୍ରିୟ ଏଇ ନିର୍ଜୀବ ପଜିଟିଭ । ପ୍ରିୟତମା ତାର ହସୁଛି, ହେଲେ ସେ ହସ କ’ଣ ସଞ୍ଚରିଆସୁଛି ସଞ୍ଜୟର ଓଠକୁ । ସେ ଏଥର ଉଠିଲା । ବାରମ୍ବାର କିଏ ଗୋଟେ ଡାକିଲାଣି । ଦାସ ସାହେବ ଆସିଥିବେ । ଉପାଏ ପଡି ପଚାରିବସିବେ ବାପାଙ୍କ କଥା; ଅଯାଚିତ ପରାମର୍ଶ ବି ଦେବେ । ନହେଲେ ଆସିଥିବେ ବସଙ୍କ ଦମ୍ପତି । ଶ୍ରୀମତୀ ନିଜ ଭଉଣୀର ପ୍ରଶଂସା ଗାଇବେ; ଶ୍ରୀମାନ ବୁଲେଇ ବଙ୍କେଇ ନାନା କଥା କହିବେ- ଯାହାକୁ ସେ ବୁଝିବ ମାତ୍ର ଗୋଟିଏ ବାକ୍ୟରେ, ଅର୍ଥାତ ‘କାର୍ଯ୍ୟରେ ବିଳମ୍ବ କାହିଁକି ?’ ଅନିଚ୍ଛାରେ ସେ ଉଠିଲା, ଯନ୍ତ୍ରଚାଳିତ ପରି କବାଟ ଖୋଲିଦେଲା । କି ଆଶ୍ଚର୍ଯ୍ୟ ମୁହୂର୍ତ୍ତ ସଞ୍ଜୟର ସମ୍ମୁଖରେ । କ’ଣ ସେ ଦେଖୁଛି ? ବାହାରେ ଠିଆହୋଇଛି ସ୍ଵୟଂ ସୁଜାତା । ଗଲାବେଳେ ସାଙ୍ଗରେ ନେଇଥିବା ଆଟାଚିଟା ଧରିଛି ହାତରେ । ସଞ୍ଜୟ ତା ହାତରୁ ଆଟାଚିଟା ଧରିନେଲାନି; ଡାକିଲାନି ତାକୁ ଆସ ବୋଲି; କହିଦେଲାନି ‘ତମ ସହିତ ମୋର ସମ୍ପର୍କ ନାହିଁ ।‘ ‘ସୁଜାତା ଫେରିଆସନ୍ତା କି’ ସବୁବେଳେ ଭାବୁଥିଲେ ବି ସତକୁ ସତ ସେ ଫେରିଆସିବା ଦେଖି ସଞ୍ଜୟ ମୋଟେ ଖୁସି ହେଲାନି । ବାପାଙ୍କ ବ୍ୟତୀତ ତାର କେହି ନିଜର ନାହିଁ । ବାପାଙ୍କ ଶୁଖିଲା ମୁହଁଟା ମନେପଡିବାକ୍ଷଣି ସେ ମନେ ମନେ କହିଲା, “ବାପା ତମ ବୋହୂ ମୋ ସ୍ତ୍ରୀ ନୁହେଁ” ଆଉ ମୋ ସ୍ତ୍ରୀ ତମ ବୋହୂ ନୁହେଁ । ଏ ଝିଅଟା କେତେ ଉଦ୍ଧତ ଉଗ୍ର ଆଧୁନିକା । ତା ସାଙ୍ଗରେ ବାହାଘର ପାଇଁ ତମେ ମତ ଣ ଦେଇ ଭଲ କରିଥିଲ; ହେଲେ ତା’କୁ ଦେଖିବା ପାଇଁ ମନ ବଳାଇ ତମେ ଏତେ ବଡ ଭୁଲଟେ କାହିଁକି କରିଦେଲ ?”

         ସଞ୍ଜୟକୁ ଭୀଷଣ ରାଗ ଲାଗୁଥିଲା । ସୁଜାତା କ’ଣ ତା ସହିତ ଏକାଠି ରହିବା ପାଇଁ ମନସ୍ଥ କରିଛି । ଅସମ୍ଭବ; ନିଶ୍ଚୟ ତାର ଅନ୍ୟ ଉଦ୍ଦେଶ୍ୟ ଥିବ । ସୁଜାତା ଆଉ ଠିଆ ହୋଇ ରହିଲାନି । ନୀରବ ସଞ୍ଜୟର ସ୍ନେହ-ସମ୍ଭାଷଣକୁ ଅଳ୍ପଟିକେ ଅପେକ୍ଷା ରଖିଥିଲେବି ସ ନିଜେ ଏରୁଣ୍ଡିବନ୍ଧ ଡେଇଁ ଭିତରକୁ ଆସିଲା । ସଞ୍ଜୟର ଆଖିରେ ଆଖି ରଖିବାକୁ ଚେଷ୍ଟା କରି ନିଷ୍ଫଳ ହେଲା । ଲୁହର ଭାରରେ ଆଖିପତା ତାର ଅବନତ । କହିବ କହିବ ହୋଇ କିଛି କହିପାରିଲା ନାହିଁ । ବାକ୍ୟ ତାର ଅବରୁଦ୍ଧ । ନୀରବତା ହାଣିଦେଇ ସଞ୍ଜୟ ଗର୍ଜ୍ଜିଉଠିଲା, “ବିନା ଆମନ୍ତ୍ରଣରେ ତମ ପରି ଝିଅଟେ ଫେରି ଆସିବା ସମସ୍ତ ସମ୍ଭାବନାର ବାହାରେ । କୁହ, ତୁମର ଉଦ୍ଦେଶ୍ୟ କ’ଣ ? ଯାହା ତମର କହିବାର ଅଛି, ଘର ଭିତରେ ପାଦ ରଖି ନୁହେଁ ଘର ବାହାରେ ଠିଆ ହୋଇ କହିପାର । କୋଉ ନାଟକ ଆଉ ବାକି ରହିଗଲା ମୋ ସାଙ୍ଗରେ ଖେଳିବା ପାଇଁ ।“

         ସୁଜାତା ଯେମିତି ନିରୀହ ଛେଳିଛୁଆଟା- ସିଂହ ଆଗରେ ପଡ଼ିଯାଇଛି- ଖାଇଗଲେ ବି ଖାଇଦେବ ଚିନ୍ତା ନାହିଁ, ପ୍ରତିକ୍ରିୟା ନାହିଁ ।

         ସଞ୍ଜୟକୁ ଛଳନା କେବେ ଭଲଲାଗେନି । ସେ ଜାଣେ ସୁଜାତାର ରୂପ ଏମିତି ନୁହେଁ । ତାର ଶାଣିତ ସ୍ଵର ସହିତ ସଞ୍ଜୟର ବେଶ ଚିହ୍ନା ଅଛି ।

         ଆସୁ ଆସୁ ଆଟାଚିଟା କାନ୍ଥ କଡରେ ସେ ଥୋଇଦେଇଥିଲା । ଏଥର ଧରିଲା । ସଞ୍ଜୟ ଭବିଲା, ‘ନା, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ସେ ଆସିଥିଲା ଅଚାନକ; ଚାଲିଯିବ ସେମିତି ।‘ ତଥାପି ତାର ଦୁର୍ବଳ ମନଟି ଚୁପଚାପ କହିଲା, “ମୋ ରାଣ, ମୋ ସୁଜାତା । ଆଖିରେ ଆଖି ରଖି କଥା ଦିଅ, ଆଉ କେବେ ମତେ ଛାଡି ଯିବନି ।“ ସୁଜାତା ଆଟାଚିରୁ ଧଳା ଲଫାଫା ଖଣ୍ଡେ କାଢିବା ଦେଖି ସଞ୍ଜୟର କାନମୂଳ ତାତିଗଲା । ସୁଜାତା ଗାଲରେ ଶକ୍ତ ଚାପୁଡାଟେ ଦିଅନ୍ତା କି ? ଚିରଦିନ ପାଇଁ ବିଚ୍ଛେଦ ମାଗୁଥିବା ହୀନ ଝିଅଟାକୁ ମନେ ମନେ ସେ ପୁଣି କହୁଥିଲା, ‘ଆଉ କେବେ ମତେ ଛାଡିଯିବନି ‘ । ଗଳା ଫଟାଇ ସଞ୍ଜୟ ଚିତ୍କାର କଳା, “ହୁଁ, ନନସେନ୍ସ । ଡାକରେ ଛାଡପତ୍ର ଫର୍ମଟା ପଠାଇଦେଇଥିଲେ ବି ମୁଁ ସାଙ୍ଗେ ସାଙ୍ଗେ ଖୁସିରେ ସମ୍ମତି ଦେଇଥାନ୍ତି ।“ ସୁଜାତା ଆଖି ଟେକିଲା, ବାଁ ହାତରେ ଲୁହଧୁଆ ମୁହଁଟା ପୋଛି ଦେଇ ଡାହାଣ ହାତରେ ବଢାଇଦେଲା ଲଫାପାଟି ।

         ରାଗ- ତମତମ ସଞ୍ଜୟ ଲଫାପା ଟାଣିନେଲା । ଜୋରରେ ଚିରିଦେବାଲାଗି ବିଶି ଆଙ୍ଗୁଠିକୁ ଛୁରା ଭଳି ବୁଲାଇବା ପାଇଁ ଉଦ୍ୟତ ହେଲା; କିନ୍ତୁ ଲଫାପାଟି ବନ୍ଦ ହୋଇନି । ଲମ୍ବା କାଗଜର ଛାଡପତ୍ର ବଦଳରେ ସେ ଦେଖିବା ତା ନିଜ ଗାଁ ପାଇଁ ଆସନ୍ତା ଗାଡିର ସାନ ସାନ ଦୁଇଟା ଟିକେଟ । ପାଣିଫୋଟକା ପରି ମିଳାଇଗଲା ସଞ୍ଜୟର ଅଭିମାନ । ସୁଜାତାକୁ କୋଉ ମୁହଁରେ ସେ କଥା କହିବ ? ଆନନ୍ଦର ଦୁଇ ଧାର ଲୁହ ଗଡିଆସିଲା; ତାର ଦାଢି ବଲ ବଲ ମୁହଁରେ ଲେସି ହୋଇଗଲା ।

         କିଛି ନ ହେଲାପରି ସୁଜାତା ସାଙ୍ଗେ ସାଙ୍ଗେ ପୋଖତ ଘରଣୀଟେ ସାଜି ସଞ୍ଜୟର ସାର୍ଟ ପ୍ୟାଣ୍ଟ ଭାଙ୍ଗି ଆଟାଚିରେ ରଖୁଥିଲା ।

         ସଞ୍ଜୟ ଭାବୁଥିଲା, ଏଥର ଯାଇ ସୁଜାତା ପାଖରେ ଆଣ୍ଠେଇ ପଡି ମାଫି ମାଗିବ । ସେ କିନ୍ତୁ ଅବସର ପାଇଲାନି । ସେଭିଙ୍ଗ ସେଟ ଆଣି ଲାଜ ଲାଜ ଭଙ୍ଗୀରେ ଠିଆ ହୋଇ ଦାଢିଗୋଛାକ କାଟିଦେବା ପାଇଁ ସୁଜାତା ସଞ୍ଜୟକୁ ମଧୁର ଇଙ୍ଗିତ ଦେଲାଣି ।


Rate this content
Log in

More oriya story from Susama Mishra

Similar oriya story from Romance