Minakshi Samal

Inspirational

3  

Minakshi Samal

Inspirational

*** ପୁନଶ୍ଚ ରଙ୍ଗ***

*** ପୁନଶ୍ଚ ରଙ୍ଗ***

3 mins
179



ଶାଢୀ ଦୋକାନରେ ଭାରି ଭିଡ ଥିଲା ସେଦିନ । ସବୁ କାଉଣ୍ଟରର ସେଲ୍ସମ୍ୟାନମାନେ ଗରାଖମାନଙ୍କୁ ନୂଆ ଆସିଥିବା ଶାଢୀ ସବୁ ଦେଖାଇ ଧ୍ୟାନ ଆକର୍ଷଣ କରୁଥାନ୍ତି । ଏତେ ଭିଡକୁ ଆଡେଇ ଯାଉଯାଉ ହଠାତ କଣମୁଣ୍ଡରେ ଥିବା ଫାଙ୍କା ଗୋଟିଏ କାଉଣ୍ଟରରେ ପହଞ୍ଚିଗଲେ ସୁମନା । ତାଙ୍କ ସାଙ୍ଗରେ ଥିଲେ ଶାଶୁ,ନଣନ୍ଦ ଓ,ସାନ ଯା' ଅଦିତି ଓ ଅଦିତିର ଦୁଇଟି ଝିଅ । 


ସମସ୍ତଙ୍କ ପସନ୍ଦର କପଡା ଥାକମାନଙ୍କରୁ କାଢି ଦେଖାଉଥାଏ ସେଇ କାଉଣ୍ଟରରେ ଥିବା ଯୁବକଟି । ହଠାତ୍ କମଳା ରଙ୍ଗର ଫୁଲପକା ଶାଢୀଟି ଦେଖି ଅଦିତିର ହାତ ସେଇଆଡକୁ ଚାଲିଗଲା । ସୁମନାକୁ ଦେଖାଇ କହିଲା ଯେ ଶାଢୀଟି ତାର ପସନ୍ଦ ହୋଇଛି । ଆଖି କିନ୍ତୁ ଦେଖିନେଲା ଶାଶୁଙ୍କ ମୁହଁମୋଡା । ଖୁସିରେ ପ୍ରସାରିତ ହାତ ଦୁଇଟି ଶାଢୀଠାରୁ ଅଲଗା ହୋଇ ବୁମେରାଂ ପରି ତାରି ପାଖକୁ ଫେରିଆସିଲେ । 


ସମସ୍ତଙ୍କ ଲୁଗାପଟା କିଣା ସରିଲା । ଲୁଗା ଦୋକାନରୁ ବାହାରି ପାଖରେ ଥିବା ଲସି ଦୋକାନରେ ସମସ୍ତେ ଲସି ପିଇଲେ । ଆବଶ୍ୟକ ଛୋଟଛୋଟ ଘରକରଣା ସାମଗ୍ରୀ ସବୁ କିଣି ଘର ଅଭିମୁଖେ ଚାଲିଲେ ସମସ୍ତେ । 


ତାଙ୍କ ଘରର ପ୍ରଥା ଅନୁସାରେ ଦୋଳପୂର୍ଣ୍ଣିମାରେ ସମସ୍ତେ ନୂଆଲୁଗା ପିନ୍ଧନ୍ତି । ରାଧାଗୋବିନ୍ଦ ବିମାନରେ ଆସି ତାଙ୍କରି ଦୁଆରୁ ଭୋଗ ଖାଆନ୍ତି । ଅବିର ଖେଳି ସାରିବା ପରେ ଦୋଳବେଦୀରେ ରାଧାଗୋବିନ୍ଦ ଝୁଲିବା ସମୟରେ ସାହିର ସମସ୍ତଙ୍କ ପାଇଁ ପଂକ୍ତିଭୋଜନର ଆୟୋଜନ କରିବା ସୁମନାର ଶ୍ୱଶୁରଙ୍କ ଦାୟିତ୍ୱ । ପରିବାରର ସମସ୍ତ ସଦସ୍ୟ ନିଷ୍ଠାପର ଭାବେ ମଜି ଯାଆନ୍ତି ଏଇ କାମରେ । ଗ୍ରାମବାସୀମାନେ ମିଳିମିଶି ଫଗୁ ଖେଳି ସାରି ପାଖ ପଦ୍ମ ପୋଖରୀର କାଚକେନ୍ଦୁ ପରି ପାଣିରେ ଧୁଆଧୋଇ ହୋଇ ପଙ୍ଗତରେ ବସି ଯାଆନ୍ତି । ସୁମନାର ଶ୍ୱଶୁରଙ୍କ ଏଇ ବଦାନ୍ୟତାର ଗ୍ରାମବାସୀମାନେ ଭୁରିଭୁରି ପ୍ରଶଂସା କରନ୍ତି । 


ଗାଁ ଦାଣ୍ଡ ପରିଷ୍କାର କରି ପାଣି ଛିଞ୍ଚାଯାଇଥାଏ । ଛାମୁଣ୍ଡିଆ ତଳେ ଅଳ୍ପ ସମୟ ପରେ ଖଲି ପତ୍ର ପଡିବ ଓ ପଙ୍ଗତରେ ବସିବେ ଉପସ୍ଥିତ ଥିବା ଗ୍ରାମବାସୀବୃନ୍ଦ । ସୁମନାର ବିବାହିତା ନଣନ୍ଦମାନେ ସପରିବାରେ ପହଞ୍ଚିଲେ । ଘର ଖୁସିବାସିରେ ଫାଟି ପଡୁଥାଏ । ସାନ ପିଲାମାନେ ଏକାଠି ହୋଇ ଖେଳକୁଦରେ ବ୍ୟସ୍ତ ଥାନ୍ତି । ସେମାନଙ୍କ ଆପ୍ୟାୟନରେ ବ୍ୟସ୍ତ ଥିଲା ସୁମନା । ହେଲେ ଏତେ ସମୟ ହେଲା ଅଦିତିର ଦେଖାନଥିଲା । ସେ ତ ଏଭଳି ଅସ୍ୱାଭାବିକ ବ୍ୟବହାର କେବେ ଦେଖାଇନି । ପରିବାର ପରିଜନଙ୍କୁ ଯଥାମାନ୍ୟ ଦେବା ତଥା ଅତିଥି ସତ୍କାର ପୂର୍ଣ୍ଣପ୍ରାଣରେ କରିବା ଝିଅ ସେ । ଘଣ୍ଟାଏ ବିତିଗଲାଣି । ଅଥଚ ନଣନ୍ଦ ନଣନ୍ଦେଇ ଓ ଭଣଜା ଭାଣିଜୀଙ୍କୁ ଦେଖା କରିବାକୁ ଏପର୍ଯ୍ୟନ୍ତ ବି ନିଜ ରୁମରୁ ବାହାରକୁ ଆସିନି ସେ । 


ଉତ୍କଣ୍ଠିତ ସମସ୍ତେ କାରଣ ଜାଣିବାକୁ ଦୌଡିଗଲେ ତା ରୁମ ପାଖକୁ । ଭିତରୁ ବନ୍ଦ ଥିଲା କୋଠରୀ ତାର । ଦରଜାରେ ମୃଦୁ କରାଘାତ କରି ନାଁ ଧରି ଡାକିଲେ ବଡ ନଣନ୍ଦ ଲାଲିମା । ଭିତରୁ କିଛି ଉତ୍ତର ଆସିଲାନି । ଏଥର ଦରଜାକୁ ଅପେକ୍ଷାକୃତ ଜୋରରେ ବାଡେଇବାକୁ ଲାଗିଲେ ଭୀତତ୍ରସ୍ତ ପରିବାର ଲୋକେ । 


ପ୍ରାୟ ପନ୍ଦର ମିନିଟ ଅତିକ୍ରାନ୍ତ ହୋଇସାରିଥାଏ । ଏଭିତରେ ଅଦିତିର ଦୁଇଝିଅ ସୁହାନୀ ଓ ସୁଇଟି କାନ୍ଦି କାନ୍ଦି ଅଥୟ ହୋଇ ସାରିଥାନ୍ତି । ମମ୍ମି,ମମ୍ମି ଡାକିଡାକି ଥକି ଯାଇଥାନ୍ତି ପାଞ୍ଚ ଓ ଆଠ ବର୍ଷର ଝିଅ ଦୁଇଟି । ତାଙ୍କୁ ବୋଧ କରୁଥାନ୍ତି ଅଦିତିର ସାନ ନଣନ୍ଦ ନିଳିମା । କବାଟର ଛିଟିକିଣୀ ଖୋଲିବା ଶବ୍ଦ ଶୁଭିଲା । ସ୍ୱାମୀ ସୌରଭଙ୍କ ଫୁଲମାଳ ଦିଆ ଫଟୋଟିକୁ ଛାତିରେ ଚାପି ବାହାରକୁ ବାହାରିଲା ଅଦିତି । କାନ୍ଦି କାନ୍ଦି ଆଖିଦୁଇଟି ଅସ୍ୱାଭାବିକ ଭାବେ ଫୁଲି ଯାଇଥାଏ । କରୁଣ ରସର ଫୁଆରା ସତେଯେମିତି ଅଦିତିର ଚତୁଃପାର୍ଶ୍ୱରେ । ଦୁଇ ହାତ ପ୍ରସାରଣ କରି ଅଦିତିକୁ ବୁକୁରେ ଜଡାଇଧରିଲେ ସୁମନା । ସାନ ଯା' ତ ନୁହେଁ, ଅଦିତି ତାଙ୍କର ସାନଭଉଣୀ ଠାରୁ ମଧ୍ୟ ପ୍ରିୟ । ଖିରନୀର ସମ୍ପର୍କ ଦୁହିଁଙ୍କର । ଡୋକଲାମ୍ ଠାରେ ଦେଶପାଇଁ ବଳିଦାନ ଦେଇ ଶହୀଦ ହୋଇଥିଲେ ଦିଅର ସୌରଭ । ସେଇଦିନଠୁଁ ଜାଣ ଅଦିତିର ଜୀବନ ନାଟିକା ବିନା ଶ୍ୱାସରେ ଚାଲିଛି । ସୁମନା ନିଜର ଅମାପ ସ୍ନେହ,ଶ୍ରଦ୍ଧା ସିଞ୍ଚି ଚାଲିଛି ଶୁଖିଯାଉଥିବା ଅଦିତିର ଜୀବନ ବୃକ୍ଷରେ । ଦୁଇଟି କଅଁଳ ନିଷ୍ପାପ କନ୍ୟା, ସୌରଭଙ୍କ ଅମାନତ ସୁହାନୀ ଓ ସୁଇଟିଙ୍କ ମନରେ ଦୁଃଖର ତିଳେମାତ୍ର ଲେଶ ନଦେଖାଯିବାର ପୂର୍ଣ୍ଣ ପ୍ରୟାସ ଜାରି ରଖିଛନ୍ତି ସୁମନା । 


ଝାଉଁଳି ପଡିଥିବା ଲତା ସମ ଅଦିତିକୁ ବୋଧ ଦେଇ, କମଳା ରଙ୍ଗର ଫୁଲପକା ଅଦିତି ପସନ୍ଦ କରିଥିବା ଶାଢୀଟିକୁ ପିନ୍ଧାଇ ସମସ୍ତଙ୍କ ସହିତ ନେଇଆସିଲେ ସୁମନା ପଙ୍ଗତରେ ବସାଇବାକୁ । ନିଜ ହାତରେ ଖୁଆଇ ଦେଉଥିଲେ ସାନ ଯା'କୁ । ମନଟା କିନ୍ତୁ ଘାଣ୍ଟି ହେଉଥିଲା ସୁମନାଙ୍କର,ଆଖି ଖୋଜି ଚାଲୁଥିଲା କିଛି । ନିଜକୁ ବୋଧ ଦେଉଥିଲେ ସେ......କିଛିଦିନ ସମୟ ମତେ ଦେ ଅଦିତି । ତୋ ଜୀବନରେ ପୁଣି ଥରେ ରଙ୍ଗ ଭରିଦେବାର ସବୁ ପ୍ରକାର ଉଦ୍ୟମ ମୁଁ କରିବି । ଜୀବନର ଏଇ ଦୀର୍ଘ ପଥ କେମିତି ଏକୁଟିଆ ଚାଲିବୁ ଭଉଣୀ?ଆମେ ସମସ୍ତେ ତୋ ସାଙ୍ଗରେ ଥିଲେମଧ୍ୟ ସୌରଭଙ୍କ ସ୍ଥାନ ସ୍ୱତନ୍ତ୍ର । ସେ ସ୍ଥାନଟି ଅଧିକାର କରିବାର ସୌଭାଗ୍ୟ ସୌରଭଙ୍କ ଗୁଣଧାରୀଙ୍କୁ ମିଳିପାରିବ । ସେଥିପାଇଁ ମୁଁ ପଣ କରୁଛି ,ତାଙ୍କପରି ଜଣେ ବ୍ୟକ୍ତିତ୍ୱଙ୍କୁ ମୁଁ ବାଛି ଆଣିବି ତୋ ପାଇଁ, ତୋ ସୀମନ୍ତରେ ଖୁସିର ରଙ୍ଗ ଭରିଦେବା ପାଇଁ, ତୋ ଜୀବନର ଶୂନ୍ୟତାକୁ ପୂର୍ଣ୍ଣତାରେ ପରିଣତ କରିବା ପାଇଁ । 


ତାଙ୍କ ହୃଦୟରେ ପ୍ରତିଧ୍ୱନିତ ହେଉଥିଲା......ତୋର ସ୍ୱପ୍ନ ସାକାର ହେବ ହେବ, ନିଶ୍ଚୟ ହେବ ସୁମନା । 



Rate this content
Log in

Similar oriya story from Inspirational