Aravinda Das

Inspirational

3  

Aravinda Das

Inspirational

ପୁନଶ୍ଚ ବସନ୍ତ

ପୁନଶ୍ଚ ବସନ୍ତ

3 mins
14K


"ଦଙ୍ଗା ପରେ, ଆଉ ଏକାଠି ହୋଇ ସମସ୍ତେ ହୋଲି ଖେଳୁନାହାନ୍ତି।"

ଖୁଡ଼ୀଙ୍କ ମୁହଁରୁ କଥାଟା ଶୁଣି,ଏତେ ବର୍ଷ ପରେ ବାପଘର ଗାଁ'କୁ ଆସିଥିବା ରିମାର ମନ ଦୁଃଖରେ ଭରିଗଲା।

ବାହାସାହା ହୋଇ ଆମେରିକାରେ ରହିଲା ପରେ, ପ୍ରତିବର୍ଷ ଇଣ୍ଡିଆ ଆସିପାରେନା ରିମା।କାରଣ ସ୍ୱାମୀ ପ୍ରତୀକଙ୍କ ପରିବାର ,ଅର୍ଥାତ୍ ଶାଶୁ,ଶଶୁର,ଦେଢଶୁର,ନଣନ୍ଦ ସମସ୍ତେ ବହୁତ ଦିନରୁ ଆମେରିକାରେ ସେଟେଲ୍ଡ଼।

ତାଛଡା ବାପା,ବୋଉ ବି ବାଙ୍ଗାଲୋରରେ ଭାଇ,ଭାଉଜଙ୍କ ପାଖରେ ।ତେଣୁ ଓଡିଶା ଆସିବା କମିଯାଇଥିଲା।

  ଯୋଗକୁ ପ୍ରତୀକଙ୍କ ଗୋଟେ ସେମିନାର ହୋଲି ସମୟରେ ଓଡ଼ିଶାରେ ଥିଲା ବୋଲି,ସାଙ୍ଗରେ ରିମା ଆସିଥିଲା ଓ ଦୁଇଦିନ ପାଇଁ ବାପଘର ଗାଁକୁ ଆସିଥିଲା।

   "କିନ୍ତୁ କାହିଁକି"?ରିମା ପ୍ରଶ୍ନ କଲା।

ପାନ ଚୋବାଇ ଖୁଡି କହିଲେ,"ଚର୍ଚ୍ଚ ଓ ମିସିନାରୀ ସ୍କୁଲ୍ ରେ ପରା ନିଆଁ ଲଗାଇଦେଇଥିଲା କିଏ ବଦମାସ।ସେଇଠୁ ତ ଦଙ୍ଗା,ହଣା କଟା।କହନା ମା, ସେ ସମୟ କଥା।ଆଜି ଯାଏଁ ମନରୁ ଯାଇନି ସେ ଦୃଶ୍ୟ।"

   " ଆମ ସ୍କୁଲ ଆଉ ତିଆରି ହୋଇନି ? ଫାଦର ମୋଜେସ ? ଗାଁଚର୍ଚ୍ଚ ର ଫାଦର କେଉଁଠି ?ଚର୍ଚ୍ଚ ଓ ଆମ ମିସିନାରୀ ସ୍କୁଲ୍ ରେ ଆଉ ହୋଲି ଖେଳ ହେଉନି ?"

   ଦାଣ୍ଡ ବାରଣ୍ଡାରେ ବସିଥିବା କକେଇ କହିଲେ, " ପୁଣିଥରେ ସବୁ ନୂଆ ତିଆରି ହୋଇଗଲାଣି।ହେଲେ ମନ'ର ଦାଗ କଣ ଏତେ ସହଜରେ ଯାଉଛି?ଫାଦର ମୋଜେସ ଆଉ ହୋଲି ଖେଳୁନି। ଆମ ଲୋକ ମିଳାମିଶା ପାଇଁ ଚେଷ୍ଟା କରିଥିଲେ, ହେଲେ ତାଙ୍କ ଖ୍ରୀଷ୍ଟିଆନ ଲୋକମାନେ ରାଜିହେଲେନି।ତେଣୁ ମେଳଣ ପଡିଆକୁ ବି ସେମାନେ ଆସୁନାହାନ୍ତି କି ରଙ୍ଗ ବି ଖେଳୁନାହାନ୍ତି ସେମାନେ।ଫାଦର ମୋଜେସ ର ପୁଅକୁ ପରା ବାଡାବାଡ଼ି କରିଥିଲେ କିଛି ଗୁଣ୍ଡା।ସେଥିପାଇଁ ରାଗ,ରୁଷା।"

    ରିମା ର ମାନେପଡୁଥିଲା ସ୍କୁଲ, କଲେଜ ବେଳ କଥା।କେତେ ଖୁସିରେ ସମସ୍ତେ ଏକାଠି ହୋଲି ଖେଳୁଥିଲେ।ମୁନସି ମେଳଣ ରେ ଦୁଇ ସମ୍ପ୍ରଦାୟ ମିଶିକରି ସବୁକାମ କରୁଥିଲେ।

ରିମା ଭାବୁଥିଲା,ଓଃ,ଏ ଦଙ୍ଗା,ସାମ୍ପ୍ରଦାୟିକ ହିଂସା କେତେ ବିଷାକ୍ତ କରିଦେଉଛି ପରିବେଶକୁ ?ଅଲଗା କରିଦେଉଛି ଲୋକଙ୍କୁ ?

ରଙ୍ଗ ପିଚକାରୀ,ଅବିର ଧରି ଦୌଡ଼ୁଥିଲା ସେ ଗାଁ ଦାଣ୍ଡରେ।ସ୍କୁଲରେ ରିମା ଅତି ପ୍ରିୟ ଥିଲା ଫାଦରଙ୍କର।ତାକୁ ଡରି ହୋଲି ଦିନ ଫାଦର ଲୁଚୁଥିଲେ ଚର୍ଚ୍ଚ ଭିତରେ।କିନ୍ତୁ ରିମା ଛାଡୁନଥିଲା।ତାଙ୍କ ଧଳା ପୋଷାକରେ ବି ଅବିର ପକାଇ କ୍ଷମା ମାଗି କହୁଥିଲା, " ମୁଁ ଦୋଷ କରିଛି।ହେଲେ ପ୍ରଭୁ ଯୀଶୁ ତ ଦୋଷୀଙ୍କୁ କ୍ଷମା କରିବାକୁ କହିଛନ୍ତି। ତେଣୁ ଆପଣ ମୋତେ କ୍ଷମା କରିଦିଅନ୍ତୁ ଫାଦର।"

    ଫିକ୍ କରି ହସିଦେଉଥିଲେ ମୋଜେସ।ସେ ଜାଣିଥିଲେ ଏ ଜିଦିବାଲି ଝିଅ ତାଙ୍କୁ ପ୍ରତିବର୍ଷ ରଙ୍ଗ ନଲଗାଇ ଛାଡ଼ିବନି।ରିମାକୁ ନିଜ ଝିଅ ପରି ଭଲ ପାଉଥିଲେ ମୋଜେସ।ତାଙ୍କ ଘର ସହ ଫାଦରଙ୍କ ବହୁତ ନିବିଡ଼ ସମ୍ପର୍କ ଥିଲା।

ହେଲେ ଆଜି ! ସବୁ ସ୍ବପ୍ନ।ଧର୍ମ ର ପାଚେରୀ ଆଜି ମୁଣ୍ଡ ଟେକିଥିଲା ଗାଁ ଦାଣ୍ଡରେ। ଦୀର୍ଘ ନିଶ୍ବାସଟେ ବାହାରି ଆସିଲା ରିମା ଛାତିରୁ।

     ହୋଲି ଦିନ ସକାଳୁ ରିମା କାହାକୁ କିଛି ନକହି ସକାଳୁ ଯାଇ ପହଁଚିଲା ସ୍କୁଲ ହତା ରେ ଥିବା ପ୍ରିନ୍ସପାଲଙ୍କ ଘରେ, ଅର୍ଥାତ୍ ମୋଜେସଙ୍କ ଘରେ।ଅନେକ ବଦଳି ଯାଇଛି ସ୍କୁଲର ରୁପ।ନୂଆ କୋଠା ଟା ସୁନ୍ଦର ଦିଶୁଥିଲା।ବାଁ ପଟେ ଚର୍ଚ୍ଚ।ଆଜି ରବିବାର।ପ୍ରାର୍ଥନା ସାରି ଲୋକ ସବୁ ଚର୍ଚ୍ଚ ବାହାରକୁ ଆସୁଥିଲେ ଧୀରେ ଧୀରେ।ହୋଲି ବୋଲି ଆଜି ବୋଧେ ସଣ୍ଡେମାସ୍ ଜଲଦି କରା ଯାଇଛି।

ପିଲାବେଳେ ରିମା ବି ଆସି କ୍ୟାଣ୍ଡେଲ ଜାଳୁଥିଲା, ମଦର ମେରୀଙ୍କ ମୂର୍ତ୍ତି ପାଖରେ।ଆମେରିକାରେ ବି ସେ ,ଯାଏ ଚର୍ଚ୍ଚ କୁ।କିଛି ସମୟ ନିରୋଳାରେ ବସିବାକୁ।ରିମାକୁ ଲାଗେ ଭଗବାନ ସବୁଠି ଅଛନ୍ତି।ମୋଜେସ ବାହାରକୁ ଆସୁଥିଲେ।

 ରିମା ପହଞ୍ଚିଲା ମୋଜେସଙ୍କ ପାଖରେ।ଦୋ ଦୋ ଚିହ୍ନା ହେଲେ ଫାଦର।

  "ମୁଁ ରିମା। ଭୁଲି ଗଲେଣି ବୋଧେ।"

 "ମାଇଁ ଚାଇଲ୍ଡ଼।ଏତେ ଦିନ ପରେ ଏ ବୁଢ଼ା ବାପା କଥା ମନେ ପଡ଼ିଲା ? ପିଲାମାନେ କାହାନ୍ତି ? ସବୁ ଭଲ ତ ?"

  ସଂକ୍ଷେପରେ ସବୁ ଗପିଦେଲା ରିମା। ଭ୍ୟାନିଟି ବ୍ୟାଗରୁ ପଚାଶ ହଜାର ଟଙ୍କାର ଚେକ୍ ବାହାର କରି ମୋଜେସଙ୍କ ହାତକୁ ବଢ଼ାଇ ଦେଇ କହିଲା, " ଏଇ ଛୋଟ ଉପହାର ଆପଣଙ୍କ ଝିଅ ତରଫରୁ, ସ୍କୁଲ ଓ ଅର୍ଫାନେଜ ପାଇଁ।"

 "ଗଡ଼ ବ୍ଲେସ୍ ମାଇଁ ଚାଇଲ୍ଡ଼।"ଖୁସିରେ ଗଦ ଗଦ ହୋଇ କହିଲେ ଫାଦର।

 ହାଠାତ୍ ରିମା ଯାହା କଲା, ତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ।ଫାଦର ମଧ୍ୟ।ସମସ୍ତେ ସ୍ତମ୍ବୀଭୂତ।

ନିଜ ବ୍ୟାଗରୁ ଅବିର କାଢି ଛୋଟ ପିଲାଙ୍କ ଭଳି ଫାଦର ଙ୍କୁ ରଙ୍ଗ ବୋଳୁଥିଲା ରିମା।

 "ଆଜି ବି ଦୋଷୀକୁ କ୍ଷମା କରିବେନି ଫାଦର। ଝିଅ ଦୋଷକୁ କଣ ବାପା ମାଫ୍ କରିପାରିବ ? ପୁଣି ଥରେ ଏ ଗାଁ ରେ କଣ ଆମେ ସମସ୍ତେ ମିଶି ହୋଲି ଖେଳି ପାରିବାନି।ଆପଣ ତ ସମସ୍ତଙ୍କୁ କ୍ଷମା କରିଦିଅନ୍ତି ଫାଦର।"

   ମୋଜେସଙ୍କ ମୁହଁର ଭାଷା ଓ ରଙ୍ଗ ବଦଳି ଯାଉଥିଲା। ରିମାର ଢଳ ଢଳ ଆଖି ଭିତରେ ସେଇ ଛୋଟ ନିଷ୍ପାପ,ସ୍ନେହ ଛଳଛଳ ଝିଅଟାକୁ ଯେମିତି ପୁଣିଥରେ ଆବିଷ୍କାର କରୁଥିଲେ ଫାଦର।ଯିଏ ତାଙ୍କ ସହ ଜବରଦସ୍ତି ହୋଲି ଖେଳୁଥିଲା।

  ତାଙ୍କ ପାଦତଳେ ବସିଥିବା ରିମା'ର ମୁଣ୍ଡରେ ସ୍ନେହରେ ହାତ ବୁଲାଇଦେଇ ,ତାକୁ ଠିଆ କରାଇଲେ ଫାଦର।ମୁଣ୍ଡ ପୋତି ଦୋଷୀଭଳି ଠିଆ ହୋଇଥିଲା ରିମା।ତା ହାତରୁ ଅବିର ନେଇ, ମୋଜେସ ବୋଳିଦେଲେ ।" ଦୁଷ୍ଟ ଝିଅ। ହାପି ହୋଲି "କହି ରିମାକୁ କୁଣ୍ଢାଇପକାଇଲେ ମୋଜେସ।

    ପରିବେଶ ସହଜ ହୋଇଯାଇଥିଲା। ସ୍ନିଗ୍ଧ ବାତାବରଣରେ ଖେଳୁଥିଲା ବସନ୍ତର ବାର୍ତ୍ତା। ରଙ୍ଗୀନ ପ୍ରଜାପତି ଟିଏ ଭଳି ରିମା ବିଞ୍ଚୁଥିଲା ଅବିର।  ମୃଦୁ ମଳୟର ସ୍ପର୍ଶରେ ବ୍ୟାପିଯାଉଥିଲା ଅବିର ରଙ୍ଗ।ଧର୍ମାନ୍ଧତାର ଆବିଳତା ହୋଲିର ରଙ୍ଗରେ ଯେମିତି ଲୁଚିଯାଉଥିଲା।

😊(ଅରବିନ୍ଦ ଦାସ)


Rate this content
Log in

Similar oriya story from Inspirational