Satyabati Swain

Inspirational

4  

Satyabati Swain

Inspirational

ପୁଅ ବଡ଼ ହେଲା ପରେ

ପୁଅ ବଡ଼ ହେଲା ପରେ

4 mins
10



ଏମିତି କେମିତି ହେଲା!


ଏତେ ଯତ୍ନ,ସ୍ନେହପ୍ରେମ, ସେମାନଙ୍କ ରୁଚି,ଚାହିଁବା ପାଇବାକୁ  ସମ୍ମାନ ଦେଇ, ନିଜ ଜୀବନଟିକୁ ପୂର୍ଣ୍ଣାହୁତି କରି ଦେଲା ପରେ ବି ସାଇ ବିଗିଡି ଗଲା ! କଣ କଲେ ତାହେଲେ ପିଲା ଭଲ ମଣିଷ ହୁଅନ୍ତି !


       କାହିଁକି ପୁଅଟି ବିଗିଡ଼ି ଗଲା ? ଯେଉଁ ପୁଅ ଛୁଆ ବେଳେ ମୋ ଆଖିରେ ଟୋପେ ଲୁହ ସହି ପାରୁ ନଥିଲା,ଚା କରି ଦେଉଥିଲା, ତୁ ଚିନ୍ତା କରନା ଆମେ ବଡ଼ ହେଲୁଣୁ ମାଆ ,ମୋତେ ବୁଝାଉଥିଲା ।  ଜେଜେମାଆ ଖୁସିରେ ରହିବ ବୋଲି ତାଙ୍କ ସହ ଖେଳୁଥିଲା। ନାଚି ଗାଇ ଅଙ୍ଗଭଙ୍ଗୀ କରି ହସାଉଥିଲା। ସେଇ ଜେଜେମା ଏବେ କତରା ଲଗା। ତାଙ୍କୁ ଆଡ଼ ଆଖିରେ ଚାହୁଁନି ! କିଛି ତ ଘଟିଛି । ହୁଏତ ସେ ପ୍ରକାଶ କରି ପାରୁ ନାହିଁ। ଯାହା ତାକୁ ଏତେ ଚୁପ୍ ଚାପ୍ , ଗମ୍ଭୀର କରି ଦେଉଛି। ଟିନ୍ ଏଜ୍ ଟି ଖୁବ୍ ମସୃଣ,କୋମଳ । ଆତ୍ମାଭିମାନୀ ,ଟିକେ ଟିକେ କଥାରେ ରାଗିଯିବା, ଅଧୈର୍ଯ୍ୟ , ଜିଦିଆ ହେବା ଏ ବୟସର ଲକ୍ଷଣ।କିନ୍ତୁ କାହା ସହ କଥା ହେଉନି କି ଘରେ ରହୁନି ! ଚାଲି ଚଳନ ସବୁ ବଦଳି ଗଲାଣି ।


    କୁହନ୍ତି ଇଞ୍ଜିନିୟର ପିଲା ଗୁଡାକ କୁଆଡେ ଛତରା ,ବଦମାସ୍ । ଇଞ୍ଜିନିୟରିଙ୍ଗ୍ ପଢି ସେ ଆଉ ଏପରି ହେଉନି ତ ? ନା କାହାକୁ ଭଲ ପାଇ ଅସଫଳ ହେଉଛି ? ସମସ୍ୟା କଣ ଜାଣିଲେ ସିନା ସମାଧାନ କରି ହୁଅନ୍ତା।ହେ ପ୍ରଭୁ ସାଇକୁ ମୋର ସାହାଯ୍ୟ ହୁଅ। ମୋ ସ୍ୱପ୍ନ ,ଜୀବନ ଓ ନିଃଶ୍ବାସ କେବଳ ଦୁଇ ପିଲାଙ୍କ ଉପରେ ହିଁ  ଅଛି।ସବୁ ଛଡାଇ ନେଇଛ।  ଏତିକି ଅନ୍ତତଃ ମୋ ଭାଗରେ ଥାଉ। ଏତିକି ଖୁସି ତ ମୋତେ ମିଳିବା ଉଚିତ ।ନଚେତ୍ ପୁରା ଅନ୍ୟାୟ ହୋଇଯିବ।ଉଦବେଗରେ ଖୋଜୁଥାଏ ରାସ୍ତା।ସାଇ କାହିଁକି ଏମିତି ହେଉଛି ଜାଣିବା ନିହାତି ଦରକାର।ସିୟାକୁ ବି କିଛି କହୁନି । ପ୍ରତିଟି କଥା ଉଭୟେ ନିଜ ନିଜ ଭିତରେ ବାଣ୍ଟନ୍ତି । ତେବେ ବି ସିୟାକୁ କହୁନି କିଛି।


       ଦିନେ ରବିବାରିଆ। ସାଇ ଘରେ ଥାଏ। ତା ରୁମ୍ କୁ ଗଲି ।  ପଚାରିଲି ସାଇ !ଧନ  କଣ ହୋଇଛି ତୋର ? କାହିଁକି ତୁ ଏତେ ଚୁପଚାପ ? ତୋ ନୀରବତା ମୋ ଭିତରେ ଆଶଙ୍କାର ଝଡ଼ ସୃଷ୍ଟି କରୁଛି ।କଣ ହୋଇଛି ତୋ ମାଆକୁ କହିବୁ ନାହିଁ ? କହୁଥିଲୁ ପରା ମୁଁ ତୋ ବେଷ୍ଟ୍ ଫ୍ରେଣ୍ଡ୍। ଫ୍ରେଣ୍ଡ୍ ଆଗରେ କିଛି କଥା ଲୁଚାନ୍ତି ?


       ଓଃ କାହିଁକି ମୋ ମୁଣ୍ଡ ଖାଉଛୁ ? ତୁ ଗଲୁ। ଏମିତି ହେବୁ ତ ହଷ୍ଟେଲରେ ଯାଇ ରହିବି।


     ସାଇ ତୁ ଜାଣିଛୁ ତୋ ମାଆ କେତେ ଏକା। ତୁମ ଦୁହିଙ୍କ ମୁହଁ ଚାହିଁ ମୁଁ ବଞ୍ଚିଛି ବୋଲି କଣ କହିବାକୁ ପଡିବ ? ତୁ ତ ମୋର ସୁନା ପୁଅ । କାହିଁକି ତୋର ଏ ପରିବର୍ତ୍ତନ। ବୟସ ହେଲେ ସବୁ ପିଲାଙ୍କର ପରିବର୍ତ୍ତନ ହୁଏ । ତୋ ପରିବର୍ତ୍ତନ କିନ୍ତୁ ଅଲଗା କିଛି କହୁଛି । କଣ ହୋଇଛି ପୁଅ ?


       କଣ ହେବ କିଛି ନାହିଁ । ବଡ଼ ପିଲା ହେଲେଣି ଛୁଆଙ୍କ ପରି ହେଉଥିବି ନା କଣ ? ସତ କହିବାକୁ ଗଲେ ମାଆ ମୋତେ ଏ ଇଂଜିନିୟରିଂ ପାଠ ଭଲ ଲାଗୁନି ।


      ଭଲ ଲାଗୁନି ? ତୁ ତ କହିଲୁ ଇଞ୍ଜିନିୟରିଙ୍ଗ୍ ପଢ଼ିବୁ। ତୋତେ ତ ବାଧ୍ୟ କରା ହୋଇ ନ ଥିଲା।ଯଦି ଭଲ ନ ଲାଗୁଛି ଛାଡି ଦେଇ ତୋ ପସନ୍ଦର ପାଠ ପଢ଼। 


 ମୁଁ ଆଉ ପଢିବି ନାହିଁ ।


ଆଉ କଣ କରିବୁ ?


     ବିଜିନେସ୍ । ସିନ୍ଧୁ ଅଙ୍କଲଙ୍କ ପରି। ମୋର ପୁଳା ପୁଳା ଟଙ୍କା ଦରକାର। ତୋତେ ଆଉ କଷ୍ଟରେ ରଖିବାକୁ ଚାହୁଁ ନାହିଁ। କେତେ ଆଉ ତୁ ସହିବୁ ? ସିୟାର ମେଡ଼ିକାଲ , ମୋର ଇଂଜିନିୟରିଂ ,ଜେଜେମାର ମେଡ଼ିସିନ୍ ,ଖାଇବା ପିନ୍ଧିବା ଖର୍ଚ୍ଚ ଭାର କେମିତି ଉଠାଇବୁ?  ମୁଁ ସନ୍ଦେହ କରୁଥିଲି ତୋତେ।କୁଆଡେ ଡେରି ରାତି ଯାଏ ରହୁଛୁ। ମୋ ସାଙ୍ଗଙ୍କ ମାଆ ପରି ତୁ ଆଉ ଖରାପ କାମରେ ଲିପ୍ତ ରହି ରୋଜଗାର କରୁନୁ ତ ? ମୋତେ କ୍ଷମା କରିଦେବୁ ତୋ ପରି ମାଆକୁ ମୁଁ ସନ୍ଦେହ କଲି। ବଡ଼ ହୋଇ ଯାଇଛି ନା। 


       କିନ୍ତୁ ଯେତେବେଳେ ଜାଣିଲି ଆମ ଖର୍ଚ୍ଚ ଉଠାଇବା ପାଇଁ କଲେଜ ବାଦ୍  ତୁ ଦୁଇ ଦୁଇଟି କୋଚିଂ ସେଣ୍ଟରରେ ଦିନ ରାତି ଖଟୁଛୁ ତ ନିଜକୁ ଖୁବ୍ ଧିକ୍କାର କଲି। ନିଷ୍ପତ୍ତି ନେଲି ଆଉ ପଢିବି ନାହିଁ।ବିଜିନେସ୍ କରିବି। ଗୁଡ଼େ ରୋଜଗାର କରି ତୋତେ ଆଉ ଦିନରାତି ଗଧଙ୍କ ପରି ଖଟେଇବି ନାହିଁ । ବହୁତ ଚେଷ୍ଟା କଲିଣି କିଛି ରୋଜଗାର କରି ତୋ କାନ୍ଧକୁ ମଜଭୁତ କରିବାକୁ । କିନ୍ତୁ କେହି ମୋତେ କାମ ଦେବାକୁ ନାରାଜ।କହୁଛନ୍ତି ପିଲାଟା କି କାମ କରିବୁ ? ବେଳେବେଳେ ଭାବୁଛି ଚୋରି ଡକାୟତି କରିବି।


     ଉଚ୍ଚତା ଓ ଓଜନରେ ମୋତେ ଟପି ଯାଇଥିବା ସରଳ ସୁଧାର ସାଇକୁ ଜାବୁଡି ଧରି ଭୋ ଭୋ ହେଲି। କଣ କହୁଛୁ ସାଇ ! ମୁଁ ବଞ୍ଚିଥିବା ଯାଏ ଏତେ ସବୁ ଚିନ୍ତା କରିବାକୁ ତୋତେ ଅନୁମତି କିଏ ଦେଲା ? ମୁଁ ଅଛି ଧନ। ତୋ ମାଆ ଅଛି । ଅଜା ବି ଆମ ସହ ଅଛନ୍ତି । ତୋର ଏଇଟା ପାଠ ପଢି ଭବିଷ୍ୟତ ଗଢିବା ବେଳ। ତୁ କେବଳ ତୋ ପଢା ଉପରେ ଧ୍ୟାନ ଦେଇ ସଫଳତା ହାସଲ କର । ଆବଶ୍ୟକ ପଡ଼ିଲେ  ତୋ ମାଆ ନିଜକୁ ବିକି ଦେବ ପଛେ ତୁମ ଦୁହିଁଙ୍କର କିନ୍ତୁ କିଛି ବି ଅସୁବିଧା ହେବାକୁ ଦେବ ନାହିଁ। ଯେତେବେଳେ ପଢା ଶେଷ କରି ତୁମେ ଦୁହେଁ ନିଜ ଗୋଡ଼ରେ ଛିଡା ହେବ ସେଦିନ ମୋତେ ଆପେ ଆପେ ଖୁସି ଭଲ ପାଇବରେ ଧନ । 


ମାଆ !


ସାଇ ! ବାବା ତୁ ମୋରି ପାଇଁ ଭିତରେ ଭିତରେ ଏତେ କଷ୍ଟ ପାଉଛୁ ? ଅଥଚ ମୁଁ କେତେ କଣ ଭାବୁଛି ? ଦେଖେ ଧନ କୌଣସି ଚିନ୍ତା ନ କରି ତୁ କେବଳ ପଢି ନିଜ ସାମର୍ଥ୍ୟ ଦେଖା । ତୋ ପାଦ ଓ କାନ୍ଧକୁ ଦୃଢ଼,ଶକ୍ତ କର।ମୁଁ ଅଛି ବାବା । ତୁମର ଏ ଘରର ସବୁ ଚିନ୍ତା, ସମସ୍ୟା ମୋତେ ଦେଇ ଦିଅ। ଆଗକୁ ବଢ ସାଇ । କେବଳ ପଢି ନିଜକୁ ଗଢ଼। ଦେଖ୍ ସ୍ନେହରେ ନୁହେଁ ଆକଟ କରି କହୁଛି ତୁ ଏତେ ବଡ଼ ହୋଇନୁ ସଭିଙ୍କ ଚିନ୍ତା କରିବାକୁ। ହେଲା ? ମୋ ଧନଟା ର କେତେ ବୁଦ୍ଧି ହୋଇ ଯାଇଛି ! ଦେଖୁଛ ବାପା ସାଇ କଣ କହୁଛି ?


ପୁଅ ତୋର ବଡ଼ ହୋଇ ଯାଇଛି ରେ ମାଆ । ଭଲ ମନ୍ଦ ବିଚାର ଶକ୍ତି ହେଲାଣି ତାର ।


ବଡ଼ ! କେତେ ବଡ଼ ! ମାଆ ପାଖରେ ଛୁଆ କେବେ ବଡ଼ ହୁଅନ୍ତି !


ମାଆ ! ତୋ କାନ୍ଧରୁ କିଛି ଭାର ମୋତେ ଦେଇ ଦେ ମାଆ।


ସାଇ ! ସତରେ ତୁ ବଡ଼ ହୋଇ ଯାଇଛୁରେ ଧନ ।



Rate this content
Log in

Similar oriya story from Inspirational