STORYMIRROR

puspanjali das

Inspirational

4  

puspanjali das

Inspirational

ପଶ୍ଚାତାପ

ପଶ୍ଚାତାପ

4 mins
246


     ଫୁଲ...ଫୁଲ...ଆରେ କ'ଣ ହେଲା? ଫୁଲ ର ହାତ କୁ ଜୋର ରେ ହଲାଇ ଦେଇଥିଲେ ଅରୁପ୍। ନିଦ ମଳ ମଳ ଆଖିରେ ଉଠି ପଡି, ଛୋଟ ପିଲାଟିଏ ପରି ଅରୁପ୍ ଙ୍କୁ ଜାବୁଡି ଧରି ଫୁଲ ଗୋଟା ସୁଧା ଥରୁଥିଲା! ଶୀତ ଦିନ ଟାରେ ବି କପାଳ ରେ ଝାଳ ବିନ୍ଦୁ ବିନ୍ଦୁ ପୁରା ବାରି ହୋଇ ପଡ଼ୁଥିଲା!ଶଙ୍କାକୁଳ ମୁହଁ ଟି ତା'ର ଯେମିତି ବାକ୍ ଶୁନ୍ୟ ହୋଇଯାଇଥିଲା! ଅରୁପ୍ ଙ୍କ ବାହୁବନ୍ଧନ ଭିତରେ କିଛି କ୍ଷଣ ରହିଲା ପରେ,ସାମାନ୍ୟ ପ୍ରକୃତିସ୍ଥ ହୋଇ,ତାଙ୍କ ହାତରୁ ପାଣି ଗିଲାସକ ଏକା ନିଶ୍ୱାସ ରେ ଢକ ଢକ କରି ପିଇ ଦେଇଥିଲା। ମୁହଁ ଖୋଲି କିଛି ନ କହିଲେ ମଧ୍ୟ , ଅରୁପ୍ ତା'ର ମନୋଭାବ କୁ ଅନୁମାନ କରି କିଛି ସମୟ ପୁରା ଚୁପ ରହି ଯାଇଥିଲେ। ତା'ପରେ ଧୀରେ କରି ପଚାରି ଦେଇଥିଲେ-କ'ଣ ଖରାପ ସ୍ୱପ୍ନ ଟିଏ ଦେଖିଲ କି?? ଟିକିଏ ଭଲ ଲାଗିଲା? ଯଦି ଚାହୁଁଛ , ମତେ କହିପାର..

         ଫୁଲ ର ମୁହଁ ରୁ ସତେ ଯେମିତି ଶବ୍ଦ ଗୁଡିକ ରୁଷି ଯାଇଥିଲେ,ବହୁତ କଷ୍ଟରେ କେବଳ ଏତିକି କହି ପାରିଥିଲା- ଆଜି ର ତାରିଖ ଟା ମନେ ଅଛି ତୁମର?ସ୍ୱରୂପ ର ବିବାହ ବାର୍ଷିକ ! ଥକ୍କା ହୋଇ ରହିଯାଇଥିଲେ ଅରୁପ୍!ଟିକିଏ ସମୟ ରହିଯାଇ,କହିପକାଇଥିଲେ-ଆରେ ନାଁ,ମୋର ତ ଜମା ମନେ ନ ଥିଲା!ସେସବୁ ତ ତୁମେ ମନେ ରଖିକି ମତେ ମନେପକାଇଦିଅ!ତା'କଥା ତମର ଏତେ ସକାଳୁ କାହିଁକି ମନେ ପଡିଗଲା ? ତା'ଛଡା,ମୁଁ ତ ତାକୁ ଜମା ମନେ ନ ପକାଇବାକୁ ବହୁତ ଚେଷ୍ଟା କରୁଛି ବୋଲି ତମେ ଭଲକରି ଜାଣିଛ!ଏଥର ଫୁଲ ର ମୁହଁ ରୁ ଅସ୍ପଷ୍ଟ ହୋଇ ବାହାରି ଆସିଥିଲା-ତା'କଥା ତ ମୁଁ ଜମା ଭାବିନଥିଲି!ଗତ ଦୁଇ ବର୍ଷ ହେବ ସିଏ ବି ତ ଥରୁଟିଏ ମୋ ସପନ ରେ ଆସିନି!ଆରପାରିକୁ ଗଲା ଦିନୁ ଯେମିତି ମୋ ଉପରେ ଅଭିମାନ କରିଲା ଭଳି ରହିଛି ଯେ,ଯେତେ ମନେ ପକାଇଲେ ବି ଟିକିଏ ବି ତାକୁ ସପନ ରେ ଦେଖିପାରୁ ନି!!ଦୁଇ ବର୍ଷ ପରେ ହଠାତ ତାରି ବିବାହ ବାର୍ଷିକ ରେ ସପନ ରେ ଯେମିତି ବହୁତକିଛି କହିବାକୁ ଚେଷ୍ଟା କରୁଥିଲା!ଦିଅର ହେଲେ ବି ପୁଅ ଭଳିଆ ତାଙ୍କୁ ବଢ଼େଇଥିଲି,କେତେ ଅଳି ଅର୍ଦଳି ସହିଥିଲି,କେମିତି ମୁଁ ତାଙ୍କର ସେଇ ଅକୁହା କଥା କୁ ବୁଝିପାରିଲିନି । ଦୋଷୀ ଟିଏ ଭଳିଆ ଭୁଲ ମାଗିଚାଲିଥିଲେ । ମୁଁ ଯେତେ ବୁଝାଇଲେ ବି, ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିବା ବେଳ ର ଜିଦ୍ଦି ଭଳିଆ, ଜିଦ୍ଦି କରିଚାଲିଥିଲେ!କେମିତି ତାଙ୍କ ବୁଝାଇବି ଯେ, ତାଙ୍କୁ କ୍ଷମା କରିଦେଇଛି ବୋଲି, ଜାଣିପାରୁନଥିଲି!ମୁହଁ ଟାକୁ ଫୁଲେଇକି ବସି ରହିଥିଲେ, କିଛି କହିବାକୁ ଯାଉଥିଲା ବେଳକୁ , ତୁମେ ଆସିକି ମୋ ନିଦ ଭାଙ୍ଗିଦେଲ !

        ଅରୁପ୍ ଙ୍କ ର ଏଥର ଭାବନା ର ଖିଅ ଟା ଲମ୍ବି ଯାଇଥିଲା ଅଢ଼େଇବର୍ଷ ତଳ କୁ-ଯୋଉଦିନ ନିଜ ଶରୀର ର ଅସୁସ୍ଥତା କୁ ନେଇ,ଅସହାୟ ହୋଇଯାଇ ସାନଭାଇ ଟିର ସାହାଯ୍ୟ ଚାହିଁଥିଲେ,ଯାହାକୁ ଦିନେ ସେ ପୁଅ ଭଳିଆ ପାଠ ପଢ଼ାଇ ମଣିଷ କରିଥିଲେ, ଯଦିଓ ଅରୁପ୍ କି ଫୁଲ ର କାହାପାଖରୁ କିଛି ପାଇବା ର ଆଶା କେବେ ନ ଥିଲା,ତଥାପି କିଙ୍ଗକର୍ତ୍ତବ୍ୟମୁଢ ହୋଇ,ଶେଷ ରେ ସାନଭାଇ ର ସାହାଯ୍ୟ ନେବାକୁ ମୁହଁ ଖୋଲିଥିଲେ।ନିଜ ଶରୀର ର ଅସୁସ୍ଥତା ଏତେ ବଢିଯାଇଥିଲା ଯେ ଚାକିରୀ ଖଣ୍ଡ କୁ ସ୍ୱଇଛା ରେ ଛାଡିବାକୁ ବାଧ୍ୟ ହୋଇଥିଲେ,ଆଉ ଏକପ୍ରକାର ନିଃସ୍ୱ ହୋଇଯାଇଥିଲେ!ତା'ସାଙ୍ଗକୁ ପିଲଗୁଡିକ କେହି ରୋଜଗାରକ୍ଷମ ନ ହୋଇପାରିଥିବାରୁ, ନିଜର ଅସହାୟତା ରେ ଭାଙ୍ଗି ପଡୁଥିଲେ।

   ଡାକ୍ତର ଙ୍କ ପରାମର୍ଶ ରେ ନିଜର ଲଙ୍ଗ୍ ସ ସର୍ଜରି କରାଇବା ପାଇଁ ସୁଦୂର ଦିଲ୍ଲୀ ସହର କୁ ଯିବାକୁ ବାଧ୍ୟ ହୋଇଥିଲେ।ଯଦିଓ ଅର୍ଥ ଟା ବାଧକ ସାଜିଥିଲା,ହେଲେ ଫୁଲ ଓ ପିଲାମାନଙ୍କ ମୁହଁ କୁ ଚାହିଁ,ବହୁ କଷ୍ଟ ରେ ରାଜି ହୋଇଥିଲେ,ଯୋଉଥି ପାଇଁ ସାନଭାଇ ପାଖରେ ପ୍ରଥମ ଥର ପାଇଁ ହାତ ପାତି ଥିଲେ,ଆଉ ନିରାଶ ହୋଇ କେବଳ ଆତ୍ମ ଗ୍ଲାନି ରେ ଛଟପଟ ହୋଇଥିଲେ!ଫୁଲ କିନ୍ତୁ ହାରିଯାଇନଥିଲା!ସବୁପ୍ରକାର ଚେଷ୍ଟା କରି,ନିଜ ଭାଇ , ଭଉଣୀ, ଯାହାକୁ ଦିନେ ସେ ତା'ଅସୁବିଧା ଜଣାଇ ନ ଥିଲା, ସେମାନଙ୍କ ସାହାଯ୍ୟ ନେଇ ଅରୁପ୍ ଙ୍କ ର ଅପରେସନ କରାଇ ,ସତେ ଯେମିତି ନୂଆ ଜନମ ଟିଏ ଦେଇଥିଲା!ହେଲେ,ସ୍ୱରୂପ ଙ୍କ ଠାରୁ ଏମିତି ନିରାଶ ହେବା ର ଦୁଃଖ ଟି ଯେମିତି ଛାତି ଭିତରେ ତା'ର ଗାର ଟିଏ ହୋଇ ରହିଯାଇଥିଲା ।

       ବିଧି ର ବିଧାନ କିନ୍ତୁ ଅତ୍ୟନ୍ତ କଷ୍ଟକର ଥିଲା,ଅରୁପ୍ ଙ୍କ ଅପରେସନ ପୂର୍ବ ଦିନ ହିଁ,ସ୍ୱରୂପ ଙ୍କୁ ଫୁଲ ର ଅଭିମାନ ଓ କ୍ଷୋଭ ପୂର୍ଣ୍ଣ ମୁହଁ ଟି କୁ ଦେଖିବାକୁ ନ ରଖି,ହାର୍ଟ ଆଟାକ୍ ରେ,ସବୁଦିନ ପାଇଁ ଆରପାରି କୁ ନେଇ ଯାଇଥିଲା! ଆଉ ମର୍ମାହତ ଅବସ୍ଥାରେ ଛାଡି ଯାଇଥିଲା ଅରୁପ୍ ଓ ଫୁଲ ଙ୍କୁ!ସ୍ୱରୂପ ର ଅନ୍ତ୍ୟେଷ୍ଟି କ୍ରିୟା କର୍ମରୁ ମଧ୍ୟ ବଞ୍ଚିତ ହୋଇ,ଏକ ପ୍ରକାର ପାଗଳ ଭଳି ଚୁପ ହୋଇଯାଇ ଥିଲେ ଅରୁପ୍,ହୁଏତ ଶରୀର ର ଦୁର୍ବଳତା ସାଙ୍ଗରେ ଏତେବଡ଼ ମାନ ସିକ ଆଘାତ କୁ ସହିପାରିନଥିଲେ!

       ଫୁଲ ତର ତର ହୋଇ ଉଠି ଯାଉ ଯାଉ ,କହିପକାଇଥିଲା-ଆଜି ଏତେ ବେଳ ଯାଏ ବସିଗଲିଣି, ସବୁ କାମ ମୋର ଡେରି ହୋଇଯିବ, ହେଲେ କଣ କରିବି,ମୋ ଗୋଡ଼ହାତ ତ ଚଳୁନି! ଏତେ ହାଲିଆ କାହିଁକି ଲାଗୁଛି,ଜାଣିପାରୁନି!ସ୍ୱରୂପ ଙ୍କ ମୁହଁ ଟା ଖାଲି ଆଖି ଆଗରେ ନାଚି ଯାଉଛି!କିଛି ଭଲ ଲାଗୁନି!କ'ଣ ପାଇଁ ଏତେ ଭୁଲ ମାଗୁଥିଲେ,ଟିକେ କହିଥାନ୍ତେ ଭଲା!!ଏମିତି ଭାବୁ ଭାବୁ,ଦିନ ଦଶଟା କେତେବେଳେ ବାଜିଯାଇଥିଲା ,ଫୁଲ ଜାଣିପାରିନଥିଲା। ହଠାତ ବାହାରେ କୋରିଅର ଵାଲା ର ଡାକ ଶୁଣି,ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। "ଇମେଲ, ହ୍ଵାଟ୍ସଆପ ଯୁଗ ରେ କୋରିଅର ରେ ଚିଠି ।

          ଥର ଥର ହାତରେ, ଫୁଲ ଚିଠି ଟି ଖୋଲି ପଢ଼ିବସିଲା-ସମ୍ମାନଷ୍ପଦ ଅପା,


      ଆମକୁ କ୍ଷମା କରିଦେବେ ବୋଲି ଆଶା କରି ,ଚିଠି ଟି ଲେଖୁଛି ! ଫୋନ ରେ କହିବାକୁ କି ହ୍ଵାଟ୍ସଆପ ରେ ଲେଖିବାକୁ ସାହସ କରିପାରିଲିନି। ଆପଣଙ୍କ ଦିଅର, ଯାହାକୁ ଆପଣ ଓ ଭାଇ ପୁଅ ଭଳିଆ ସ୍ନେହ ଦେଇ ବଡ଼ କରିଥିଲେ, ସିଏ ତ ନାହାନ୍ତି ଆପଣଙ୍କ ପାଖରେ ଭୁଲ ମାଗିବାକୁ, ହେଲେ ମତେ ଯିବାପୁର୍ବ ରୁ କହିଯାଇଥିଲେ, ତୁମ ଦୁହିଁଙ୍କୁ ତାଙ୍କ ତରଫ ରୁ କ୍ଷମା ମାଗି ନେବାକୁ!ଯେତେବେଳେ ଭାଇ ଯୋଉ ସାହାଯ୍ୟ ପାଇଁ ଆମ ପାଖରେ ହାତ ପାତିଥିଲେ। ଯାହା ତାଙ୍କ ଜୀବନ ରକ୍ଷା ପାଇଁ ନିହାତି ଆବଶ୍ୟକ ଥିଲା, ହେଲେ ଆମେ ହତଭାଗା ଦୁହେଁ ସେଇ ଅର୍ଥ କୁ ନିଜ ଝିଅ ଟିର ଭବିଷ୍ୟତ ପାଇଁ ସେହି ଘଡିସନ୍ଧି ବେଳେ ରଖିଦେଇଥିଲୁ। ହେଲେ,କ'ଣ ହେଲା ଅପା?ଝିଅ ମୋର ସବୁଦିନ ପାଇଁ ଅନାଥ ହୋଇଗଲା!ଆମେ ଚାହିଁଥିଲେ,ସେତେବେଳେ ଭାଇଙ୍କ ଜୀବନ ରକ୍ଷା ପାଇଁ ସେ ଅର୍ଥ ବିନିଯୋଗ କରିପାରିଥାନ୍ତୁ,ଭାଇ ଙ୍କୁ କି ଆପଣ ଙ୍କୁ ଏତେ କଷ୍ଟ ର ସମ୍ମୁଖୀନ ହେବାକୁ ପଡିନଥାନ୍ତା । ଆମ ସ୍ୱାର୍ଥପରତା, ଆମକୁ ହି ସର୍ଵସ୍ୱାନ୍ତ କରିଦେଲା।

          ଭାଇ ଯେତେବେଳେ,ନିଜକୁ ଦୋଷୀ ବୋଲି କହୁଥିଲେ,ସତେ ଯେମିତି ତାଙ୍କ ସାନଭାଇ ତାଙ୍କ ଜୀବନ ରଖି ଦେଇ ,ତାଙ୍କରି ଭାଗ୍ୟ କୁ ଆଦରି ନେଇ ଆରପାରିକୁ ଚାଲିଗଲା,ସେତେବେଳେ ମୋ ଛାତି ଭିତର ଟା କୋରି ହୋଇ ଯାଉଥିଲା ଅପା ! ଦୁଇ ବର୍ଷ କାଳ ନିଜ ଭିତରେ ଲଢେଇ କରି କରି ଥକ୍କି ପଡିଲି,ଆଉ ନିଜ କୁ ଅଟକାଇ ପାରିଲିନି। ଆମକୁ କ୍ଷମା କରିଦେଲେ,ହୁଏତ ତାଙ୍କ ଆତ୍ମା କୁ ଟିକିଏ ଶାନ୍ତି ମିଳିଯିବ,ଆଉ ମୁଁ ମୋ ବିବେକ ର ଦଂଶନ ରୁ ମୁକୁଳି ଯିବି। ଇତି,


                    ଆପଣଙ୍କ ହତଭାଗୀ 

                      -କୁନି–


     ଚିଠି ଟିର ଶେଷ ଦୁଇ ଧାଡି ଫୁଲ ର ଲୁହରେ କେମିତି ଅଷ୍ପଷ୍ଟ ହୋଇ ଯାଇଥିଲା। ହାତରେ ଚିଠି ଟିକୁ ଧରି ସତେ ଯେମିତି ସ୍ୱରୂପଙ୍କ ଅକୁହା କଥା ଗୁଡିକ ଶୁଣି ପାରୁଥିଲା ଆଉ ତାଙ୍କ ହୃଦୟ ର ବେଦନା କୁ ଅନୁଭବ କରିପାରୁଥିଲା । ଆଖିରୁ ତା'ର ଲୁହ ଧାର ଧାର ହୋଇ ଗଡି ଚାଲିଥିଲା..।



                     



       


Rate this content
Log in

Similar oriya story from Inspirational