STORYMIRROR

Bijayalaxmi Das

Inspirational

4  

Bijayalaxmi Das

Inspirational

ପ୍ରତିଶୃତି...

ପ୍ରତିଶୃତି...

5 mins
205

କଟକରେ ତାଙ୍କର ରହିବା ପ୍ରାୟ ଦଶ ବର୍ଷ ହେଲା। ଏଇଠି ସାଇପଡିଶା ପରସ୍ପରକୁ ସହଯୋଗ କରନ୍ତି ବୋଲି ମିନି ଦୁଇ ଦୁଇଟା ଛୁଆଙ୍କ ଦାୟିତ୍ଵକୁ ଖୁବ୍ ସୁନ୍ଦର ଭାବରେ ତୁଲାଇ ପାରନ୍ତି। ନୂଆ ଜାଗା ଗଲେ କେମିତି ଚଳିବ ବୋଲି ଚିନ୍ତା ହୋଇଗଲାଣି ଅବିନାଶଙ୍କର। ମିନି କହିଲେ ," ଯେତେବେଳେ ଗୋଟେ ନୂଆ ଜାଗା ଟ୍ରାନ୍ସଫର୍ ହୁଏ ସେଠାକାର ଲୋକ ତ ସହଯୋଗ କରନ୍ତି। ତେଣୁ କିଛି ଅସୁବିଧା ହୁଏନି। ବ୍ୟସ୍ତ ହୁଅନି। ସବୁ ଠିକ୍ ହୋଇଯିବ।"

ସାନଭାଇ ପୁରୀରେ ରୁ‌ହେ। ଜଗନ୍ନାଥଙ୍କ ଧାମର ଲୋଭ ଯୋଗୁଁ ବୋଉ ସେଇଠି ରୁହେ। ଟ୍ରାନ୍ସଫର୍ କଥା ଶୁଣି ସାନ ଭାଇକୁ କହିଲା--


----ପିଲା ଦୁଇଟାଙ୍କୁ ଧରି ଭାଉଜ କାହିଁକି ହ‌ଇରାଣ ହେବ ଯେ , ଖାଲିଟାରେ ତ ମୁଁ ଏଠି ବସିଛି। ସାଙ୍ଗରେ ମୁଁ ଯିବି। 


ମିନି ଶୁଣିକି ଖୁସିରେ କହିଲେ , "ହଁ ବୋଉ ଗଲେ ମୋତେ ନୂଆ ଜାଗାରେ ଚଳିବା ପାଇଁ ସହଜ ହେବ।"


ଅବିନାଶଙ୍କ ଚିନ୍ତା ଦୂର ହୋଇଗଲା।ବୋଉ ସାଙ୍ଗରେ ଥିଲେ ସେ ଚିନ୍ତାମୁକ୍ତ ହୋଇ କାମ କରିପାରିବେ ଅଫିସରେ। ସାନଭାଇ ଆସି ଜିନିଷ ପତ୍ର ବନ୍ଧାବନ୍ଧିରେ ସାହାଯ୍ୟ କଲା।ଗାଡ଼ିରେ ଜିନିଷ ପତ୍ର ସବୁ ପଠାଇ ଦେଇ ଅବିନାଶ ପଛରେ ପରିବାର ଲୋକଙ୍କୁ ସାଙ୍ଗରେ ନେଇ ଟାକ୍ସିରେ ଗଲେ।


ନୂଆ ଜାଗା , ପହଞ୍ଚିବା ବେଳକୁ ରାତି ୯ଟା ହେଇଗଲା। ନୂଆ ଜାଗା, ନୂଆ ଘର। ପହଞ୍ଚୁ ପହଞ୍ଚୁ ହାତ ଗୋଡ ଧୋଇ ଫ୍ରେସ୍ ହୋଇ ବସିଲା ବେଳକୁ ବୋଉ କହିଲା ମିନିକୁ ---


-- ଗ୍ୟାସ୍ ଚୁଲ୍ଲାଟା ବାହାର କରି କ୍ଷୀର ଫୁଟାଇଦେ। ନୂଆ ଜାଗାକୁ ଆସିଛେ। କ୍ଷୀର ଉତୁରେଇଦେଲେ ଶୁଭ ହୁଏ।


ବୋଉ ମୋର ଏମିତି। ଶୁଭ , ଅଶୁଭ କହି କହି କାମସବୁ କରାଇଦିଏ। ବାଟରୁ ପିଲାମାନଙ୍କ ପାଇଁ କ୍ଷୀର ଦୁଇ ପ୍ୟାକେଟ୍ ଆଣିଥିଲି। ସେଇଟା ଏଇନେ ସବୁ ଆଡ଼କୁ କାମ ଦେବ ବୋଲି ଭାବି ଆଶ୍ୱସ୍ତ ହେଲି। ମିନିଙ୍କୁ କହିଲି , ତମେ କ୍ଷୀର ଫୁଟାଉ ଫୁଟାଉ ମୁଁ ଯାଏଁ ରୁଟି , ତରକାରୀ ବାହାରୁ ନେଇଆସେ। ଆଜି ରେଷ୍ଟ ନେଇ ଯାଅ। କାଲିଠାରୁ କାମ ଆରମ୍ଭ କରିବ।


ଅବିନାଶ ରୁଟି, ତରକାରୀ ବାହାରୁ କିଣି ଆଣିଲେ। ସମସ୍ତେ ବହୁତ ହାଲିଆ ହୋଇ ଯାଇଥିଲେ।ତଳେ ପଟି ଖଣ୍ଡେ ଖଣ୍ଡେ ପକାଇ ଶୋଇ ପଡ଼ିଲେ।


ସକାଳୁ ଉଠି ମିନି ଲାଗିପଡିଲେ ତାଙ୍କ କାମରେ। ସକାଳ ଚା' ଜଳଖିଆ ସାରି ମଧ୍ୟାହ୍ନ ରୋଷେଇର ପ୍ରସ୍ତୁତିରେ ଲାଗି ପଡ଼ିଲେ। 


---ମିନି ! ମୋ ପାଇଁ ତରତର ହେବନି। ଧିରେଧିରେ କର। ମୁଁ ଅଫିସରୁ ଦ୍ୱିପହର ବେଳେ ଆସି ଖାଇନେବି।


ମିନି ଜାଣିଛନ୍ତି ଯେ ଅବିନାଶ ଏମିତି। ବୋଉ ଥିଲେ ସବୁ ଆଡଜଷ୍ଟ କରିନିଅନ୍ତି। ଜିନିଷପତ୍ର ସବୁ ଖେଳାମେଳା ହୋଇ ପଡ଼ିଛି। ତାକୁ ସଜାଇ ସୁଜାଇ ରଖିଲା ବେଳକୁ ଅନ୍ତତଃ ମାସେ ଦୁଇ ମାସ ଲାଗିଯିବ। ଆସିଲା ବେଳକୁ ଗ୍ରାଇଣ୍ଡର ବି ଖରାପ ହୋଇଗଲା। ମସଲା ତରକାରୀ ଟିକେ ନହେଲେ ବୋଉ ଓ ଅବିନାଶ ଜମା ଖାଇପାରନ୍ତିନି। କ'ଣ, କିପରି ଓ କେଉଁଆଡୁ ଆରମ୍ଭ କରିବେ ସେ ଜାଣି ପାରୁନଥିଲେ।


ବୋଉଙ୍କ ପାଖରେ ପିଲାଙ୍କୁ ବସାଇ ଦେଇ ସେ ରୋଷେଇ ଘରକୁ ପଶିଲେ। ଆସିଲା ବେଳକୁ ବାପା ଛୋଟ ମସଲା କୁଟା ହେମଦସ୍ତାଟେ ଦେଇଥିଲେ। କହିଲେ-- "ଏଥିରେ ଅଦା , ରସୁଣ ଛେଚା ଟିକେ କରିଦେଇ ପିଆଜ କାଟି ତରକାରୀ କରିଦେବୁ।"


ଏଇନେ ନୂଆ ଜାଗା ଆସିଛନ୍ତି ବୋଲି କେତେ କ'ଣ ଖର୍ଚ୍ଚ ହେବ। ହଠାତ୍ ସବୁ ଜିନିଷ କ'ଣ କିଣିହେବ !!! ଆଡଜଷ୍ଟ କରି ଚଳିବାକୁ ପଡେ। ସେଥିରେ ପୁଣି ଦୁଇ ପିଲାଙ୍କର ଆଡ଼ମିଶନ ହେବାର ଅଛି। ମଧ୍ୟବିତ୍ତ ପରିବାରର ଅକୁଳାଣ ପଣକୁ ପିଠିରେ ଲଦି ଆଗେଇବା ତ ଏକ ସାଧାରଣ କଥା !! ସେମିତି ଖିଟଖାଟ୍ ରେ ଚଳିଚଳି ଅଭ୍ୟସ୍ତ ହୋଇ ଗଲେଣି ସେ। ସେଇ ଦସ୍ତାଟି କାଢି ତରକାରୀ କଲେ । ତା'ପରେ ଜିନିଷପତ୍ର ସଜାଡ଼ିବାରେ ଲାଗିଗଲେ ସେ। 


ଦ୍ୱିପହର ବେଳେ ଅବିନାଶ ଖାଇବାକୁ ପହଁଚି ବୋଉ ଓ ପିଲାମାନଙ୍କୁ ଖାଇବାକୁ ଡ଼ାକିଲେ। ପିଲା ଦୁଇଜଣ ଖେଳି ଖେଳି ବୋଉଙ୍କ ପାଖରେ ଶୋଇ ଯାଇଥିଲେ। ଅବିନାଶଙ୍କ ଡାକ ଶୁଣି ସମସ୍ତେ ଆସି ଖାଇବାକୁ ବସିଲେ। ମିନି ଖୁଆଇ ଦେଲାବେଳେ ପିଲାମାନଙ୍କ ଦେହ ତାତିଛି ଦେଖି କହିଲେ--


--- ପିଲାମାନଙ୍କୁ ବୋଧହୁଏ ଜ୍ୱର ଆସିଲାଣି କି କ'ଣ, ହାତ ମାରିକି ଦେଖ।


ଅବିନାଶ ହାତମାରି କହିଲେ, "ଆରେ ! ହଁ , ଜ୍ୱର ଅଛି। ମୁଁ ଆସୁଛି ଡାକ୍ତରଙ୍କୁ ଦେଖାଇଦେବା। ଦେହ ଭଲ ହେଇଗଲା ପରେ ସ୍କୁଲରେ ଆଡ଼ମିଶନ କରିଦେବା।"


ସନ୍ଧ୍ୟା ବେଳକୁ ଅବିନାଶ ଦେହ ଦେଖାଇବାକୁ ଡାକ୍ତରଙ୍କ ପାଖକୁ ନେଇକରି ଗଲେ ଓ ମେଡିସିନ୍ କିଣି ଆସିଲେ।ମିନିଙ୍କୁ କହିଲେ , "ମେଡିସିନ ଠିକ୍ ଟାଇମରେ ପିଲାଙ୍କୁ ଦେବ। କିଛି ନାହିଁ , ଏମିତି ନୂଆ ଜାଗା ଆସିଛେ ବୋଲି ଦେହ ଖରାପ ହୋଇଛି। ଭଲ ହୋଇଯିବ।"


ଦୁଇ ଦିନ ହୋଇଗଲାଣି। ପିଲାଙ୍କୁ ଟିକେ ଭଲ ଲାଗିଲାଣି।ମିନିଙ୍କର ଚିନ୍ତା କମିଲା। ଆସୁ ଆସୁ ଏତେ କାମ ସାଙ୍ଗରେ ଛୁଆଙ୍କ ଦେହ ଖରାପ... ଭଲରେ ଖାଇପାରିନାହାନ୍ତି ଗଣ୍ଡେ କି ଶୋଇ ବି ପାରିନାହାଁନ୍ତି। ମା' ଠିକ୍ କହୁଥିଲେ... ଶାଶୁ ଘର ଗଲେ ଜାଣିବୁ। ଦ୍ୱିପହର ସମୟରେ ରୋଷେଇ ମା' କରୁଥିବା ବେଳେ ସେ ଅଚିନ୍ତା ନିଦ ଶୋଇପଡ଼େ। କ'ଣ ବା ଚିନ୍ତା ଥିଲା ତାଙ୍କର !!! ଭାବନା ସରିନାହିଁ... ପିଲାମାନଙ୍କର ପାଟିତୁଣ୍ଡ ଶୁଣି ଧାଇଁଲେ ରୋଷେଇ ଘରୁ। ଗୋଟିଏ କଣ୍ଢେଇକୁ ନେଇ ମାଡ଼ଗୋଳ। 


ବୋଉ କହିଲେ-- ଦୁଇଟା ଛୁଆଙ୍କ ପାଇଁ ଦୁଇଟା ଖେଳନା ନ ଆଣି ଗୋଟିଏ କାହିଁକି ଆଣିଥିଲ ଯେ ?? ସେ କ'ଣ ଜାଣନ୍ତି କି , ଅବିନାଶଙ୍କୁ ମାର୍କେଟରେ ଆଉ ଗୋଟେ କଣ୍ଢେଇ କିଣିବାକୁ ମିନି କହିଥିଲେ ବୋଲି। ସେଇ ଗୋଟିଏ କଣ୍ଢେଇ କିଣି କୁଆଡେ ନ ଅନାଇ ଆଗକୁ ଆଗକୁ ମାଡି ଚାଲିଲେ ଯେ ଆଉ ପଛକୁ ଫେରି ଅନାଇଲେନି। ଦୁଇ ଜଣ ପିଲାଙ୍କୁ ସେଇଠି ବୁଝାଇ ସେ ଘରକୁ ଫେରିଥିଲେ।


ମିନି ବୁଝାଇଲେ ପିଲାଙ୍କୁ--- ଦେଖ , ତୁମେ ଦୁଇଜଣ ଯାକ ଶୀଘ୍ର ଶୀଘ୍ର ଖାଇ ଶୋଇ ପଡ଼, ନୂଆ ଜାଗାକୁ ଆସିଛେ ନା... ନୂଆ ନୂଆ ଖେଳନା ସବୁ ମାର୍କେଟ ଯାଇ କିଣିକି ଆଣିବା। ଏମିତି କେତେ ଯେ ମିଛ କଥା କହି ସେ ପିଲାଙ୍କୁ ବୁଝାନ୍ତି ତା'ର ଠିକଣା ନଥାଏ। ମନେ ପଡୁଛି ପିଲାଦିନର ସେଇ ଗୀତ..."ସତ କହିବାକୁ କିଆଁ ଡରିବି , ସତ କହିପଛେ ମଲେ ମରିବି।" ଏଇଠି କିନ୍ତୁ ସେ ହାରିଯାଆନ୍ତି। ମିଛ ପ୍ରତିଶୃତି ସବୁ ପିଲାଙ୍କୁ ଶୁଣାଇ ବୋଧ କରାନ୍ତି। 


ଧ୍ୟାନ ଭଗ୍ନ ହେଲା ମିନିଙ୍କର ଯେତେବେଳେ ଅବିନାଶ ଆସି ଖାଇବାକୁ ବାଢ ବୋଲି କହିଲେ। ବୋଉ ଓ ଅବିନାଶଙ୍କ ପାଇଁ ବାଢ଼ିଦେଇ ପାଖରେ ବସି ପିଲା ଦୁହିଁଙ୍କର ମାଡ଼ଗୋଳ ବିଷୟରେ କହିଲେ। ଅବିନାଶ କହିଲେ---


--- ଅଫିସରେ ଏଇନେ ବହୁତ କାମ। କାଲି ପିଲାଙ୍କର ସ୍କୁଲରେ ଆଡ଼ମିଶନ କରିବାକୁ ପଡ଼ିବ। ସୁବିଧା ଦେଖି ଯିବା।


ଏମିତି କ'ଣ ନା କ'ଣ କ‌ହି କଥାକୁ ଟାଳିଦିଅନ୍ତି ଅବିନାଶ। ମିନି କେତେ ମିଛ ବାହାନା ଦେଖାଇବେ ପିଲାଙ୍କୁ !! ପୁଣି ସେଇ ଏକା ଝଗଡ଼ା ସଂଧ୍ୟା ବେଳକୁ। ପାଖ ପଡେ଼ାଶୀ ସ୍ତ୍ରୀ ଲୋକ କେତେଜଣ ଆଜି ଆସିଥିଲେ। ମିଠା ଥିଲା ଘରେ।

ଖାଇବାକୁ ଦେଇ ଚାମଚ୍ ଖୋଜିଲା ବେଳକୁ ତିନିଟା ଚାମଚ୍ ଅଛି। ଯୋଗକୁ ଆଉ ୨ଜଣଙ୍କର ଡାଇବିଟିସ୍ ଅଛି ବୋଲି ଆଜି ବଞ୍ଚିଗଲେ ସେ !!! ମନ ଭିତରେ ଅଭାବ ପଣଟିକୁ ଅଠା ମାରି ଓଠରେ ସ୍ମିତ ହସ ଖେଳାଇ କହିଲେ ,"ହଁ... ହଁ , ମିଠା ତ ଡାଇବିଟିସର ଶତ୍ରୁ। ଜଗିବା କଥା।" ଜିନିଷ ପ୍ୟାକ୍ କଲାବେଳେ ଅବିନାଶ ବଡ଼ ଜୋରରେ କହିଲେ-- ଏ ଚେପାମେପା ଚାମଚ୍ ସବୁ ନିଅନି। ଗଲେ ସବୁ ନୂଆ କିଣିଦେବି। ମିନି ସେଇଥିରୁ ବାଛି କରି ତିନୋଟି ଚାମଚ୍ ଲୁଚେଇକି ପେଟି ଭିତରେ ପକାଇ ଦେଇଥିଲେ , ସିଏ ବି ଟିକେ ଟିକେ କଳଙ୍କି ଲାଗିଯାଇଥିଲା।


ଅବିନାଶଙ୍କୁ ରାତିରେ ପିଲାଙ୍କ ଖେଳନା ଓ ଛୋଟମୋଟ ଜିନିଷ କିଛି ମାର୍କେଟ ଯାଇ ଆଣିବାକୁ କହିଲେ ମିନି। ପଡୋଶୀ ସବୁ ସନ୍ଧ୍ୟାବେଳେ ଆସିଥିଲେ , ଆଉ ଚାମଚ୍ ଅଧିକ ନଥିଲା ବୋଲି କହିବାରୁ ଅବିନାଶ ଛୁଆଙ୍କୁ ଚକୋଲେଟ ଦେଇ ଭୁଲାଇବା ଭଳି କହିଲେ ,"ଏଇନେ ନୂଆ ଜାଗାକୁ ଆସିଛେ । ଟୁକୁରାଟୁକୁରି ଖର୍ଚ୍ଚ କଲେ ପ‌ଇସା କ'ଣ ପାଇବ ??" 


ମିନି ବୁଝି ପାରୁଥିଲେ ମଧ୍ୟବିତ୍ତ ପରିବାରରେ ଅଭାବର ପାହାଡ଼ ତଳେ ଚାପିହୋଇ ଏମିତି ଖର୍ଚ୍ଚ ଗୁଡିକୁ ଅଣଦେଖା କରିବାକୁ ପଡ଼େ। ଯନ୍ତ୍ରଣା ସବୁକୁ ଚାପି ମିନି କହିଲେ---


--- ଆସିଲା ବେଳକୁ ବାପା ପିଲାଙ୍କ ଡ୍ରେସ୍ ପାଇଁ ଟଙ୍କା ଦେଇଥିଲେ। ଘରକୁ ଜିନିଷ ନହେଲେ ନାଇଁ , ମୁଁ ଚଳାଇ ନେବି। କିନ୍ତୁ ପିଲାମାନଙ୍କୁ ଆଉ ବୁଝାଇ ହେଉନି। ସବୁଦିନ ମାଡ଼ଗୋଳ ହେଉଛନ୍ତି। ଅବିନାଶ ରାଜି ହୋଇଗଲେ ଆଉ କହିଲେ ,"ଆଛା , ମୁଁ ଅଫିସ୍ ରୁ କାଲି ଶୀଘ୍ର ଚାଲି ଆସିବି।ଆମେ ମାର୍କେଟ ଯିବା।" ମନକୁ ବୁଝାଇ ପରମ ଶାନ୍ତିରେ ଶୋଇଗଲେ ମିନି। 


ସକାଳୁ ଉଠି ମିନି ଦେଖିଲେ-- ବୋଉ କାହିଁକି ଶେଯ ଛାଡ଼ିନାହାନ୍ତି। ସବୁବେଳେ ତ ଉଠିଲା ବେଳକୁ ଗାଧୁଆଘରେ ପଶିଯାଇଥାନ୍ତି। ଆଜି କିପରି ଉଠିନାହାନ୍ତି ଭାବି ଅବିନାଶଙ୍କୁ ଡାକିଲେ-- ଶୁଣୁଛ ! ବୋଉ କାହିଁକି ଉଠିନାହାନ୍ତି ଗଲ ଟିକେ ଉଠାଇ ଦେବ। ଅବିନାଶ ଉଠାଇବାକୁ ଯା‌ଇ କହିଲେ---


--- ମିନି ! ବୋଉ ଦେହରେ ତାତି ଖ‌ଇ ଫୁଟୁଛି। ଆଜି ଛୁଟି ନେଇ ତାକୁ ଆଗ ଡାକ୍ତରଙ୍କୁ ଦେଖାଇବାକୁ ପଡ଼ିବ। ମୋତେ ଟିକେ ଚା' ଦେଲ , ମୁଁ ପିଇ ସାରି ତାକୁ ଡାକ୍ତରଙ୍କ ପାଖକୁ ନେଇଯାଏ।


ଚା' ପିଇ ସାରି ଅବିନାଶ ବୋଉଙ୍କୁ ନେଇ ଡାକ୍ତର ଦେଖାଇ ଆଣିଲେ। ମିନିଙ୍କୁ ବୋଉର ଠିକରେ ଯତ୍ନ ନେବାକୁ କହି ଚିରାଚରିତ ଭାବେ ତାଙ୍କ କାମରେ ଲାଗିଗଲେ ସେ। ଏପରି ଦେହ ଖରାପରେ ବୋଉଙ୍କୁ ଛାଡି ମିନି କ'ଣ ପିଲାମାନଙ୍କ ପାଇଁ ମାର୍କେଟ ଯିବାକଥା କହିବେ... ଚୁପଚାପ୍ ହୋଇ ର‌ହିଲେ।


ସକାଳୁ ଅଫିସ୍ ଯିବା ପୂର୍ବରୁ ଅବିନାଶ କହିଲେ-- ମିନି ! ବୋଉର ଗୁଡେ ଟେଷ୍ଟ ହେବାକୁ ଅଛି। ପ‌ଇସା କିଛି ନାହିଁ। ତମ ପାଖରେ କ'ଣ ପ‌ଇସା କିଛି... ଆଉ ମିନିଙ୍କର କିଛି ବୁଝିବାକୁ ବାକି ରହିଲାନି। ଥରେ ପିଲାଙ୍କ ମୁହଁକୁ ଓ ଆଉ ଥରେ ଅବିନାଶଙ୍କ ମୁହଁକୁ ଅନାଇ ମିନି ଗଡରେଜ୍ ଆଡେ ଚାଲିଗଲେ। ହୃଦୟରେ ଏକ ଶକ୍ତ କଣ୍ଟା ବାଡ଼େଇବାକୁ ଆଉ ଡେରି କଲେନି। ବାପା ଦେଇଥିବା ଟଙ୍କା ବିଡାଟା ଅବିନାଶଙ୍କ ହାତକୁ ବଢାଇ ଦେଲେ ସେ। ଆଉ ଏକ ମିଥ୍ୟା ପ୍ରତିଶୃତି ବିଷୟରେ ଭାବୁଥିଲେ ମିନି ଉପରକୁ ଅନାଇ !!!!

               







Rate this content
Log in

Similar oriya story from Inspirational