ପ୍ରଥମେ ତୁମେ
ପ୍ରଥମେ ତୁମେ
ସକାଳର ଚାହା ବି ତାକୁ ଅପେକ୍ଷା ନକରି ଥଣ୍ଡା ହୋଇଯାଏ । ବିନୟଙ୍କ ପାଇଁ ସକାଳ ଆଠଟା ସୁଦ୍ଧା ଖାଇବା ପ୍ରସ୍ତୁତ କରିବାକୁ ପଡେ । ଝିଅ ଲୁନି ପାଇଁ ବି ଟିଫିନ୍ ପ୍ରସ୍ତୁତ କରି ତାକୁ ସ୍କୁଲ ଅଟୋରେ ବସେଇ ବାକୁ ପଡେ । ଶାଶୁ ଶ୍ୱଶୁର ଙ୍କୁ ମୋଡା ଘସା ଆଉ ତା ଜଳଖିଆ ଏସବୁ ଅଛି । ପୁଣି ବିନୟ ଅଫିସ୍ ଗଲା ପରେ ରୋଷେଇ ବାସ ଝିନଝଟ ଲାଗିରହେ । ସେ ସକାଳ ଖାଇବା ଖାଉ ଖାଉ କେତେବେଳେ ଏଗାର ତ କେତେବେଳେ ବାର ।
ଆଉ କେତେବେଳେ ସକାଳ ଖାଇବାକୁ ଏକାଥରେ ଖରାବେଳ ଖାଇବା କରିଦିଏ ପୁଷ୍ପା ।
ସେଦିନ ବିନୟ ଖୁବ୍ ଶୀଘ୍ର ଅଫିସରୁ ଫେରି ଆସିଥାନ୍ତି । ପୁଷ୍ପା ରାତି ଖାଇବା ଟେବୁଲ ଉପରେ ସଜାଡୁ ଥାଏ । ସମସ୍ତଙ୍କ ପାଇଁ ବାଢ଼ି ଦେଇ ନିଜ ପାଇଁ ପଛ ପଛ ହେଉଥାଏ । ବିନୟ ପୁଷ୍ପାକୁ ଧରି ଆଣି ଟେବୁଲ୍ ଉପରେ ବସେଇ ଦେଇ କହିଲେ " ତମେ ଆଜି ଆମ ସହ ଖାଇବ "
ପୁଷ୍ପାକୁ କଥାଟା ଟିକେ ଅସହଜ ଲାଗୁଥାଏ । ଏ କଣ କରୁଛନ୍ତି ବିନୟ, ବାପା ବୋଉଙ୍କ ସାମ୍ନାରେ ! ସେ ସେଠାରୁ ଉଠି ଯାଉ ଯାଉ କହିଲେ, ଖାଇବା ଥଣ୍ଡା ହେଉଛି ପରା, ଇଏ କି ପିଲାଳିଆମୀ ?
ବିନୟ ପୁଷ୍ପା ହାତ ଧରି ଅଟକାଇ ଦେଲେ " ତୁମେ ସବୁଦିନେ ଆମ ପଛରେ ଥଣ୍ଡା ଖାଇବା ଖାଉଛ, ଆମେ ସମସ୍ତେ ଏକା ସାଙ୍ଗେ ଗରମ ଖାଇବା ଖାଇଲେ କଣ ହେବନି ?
ଶାଶୁ ଶ୍ୱଶୁର ବି ପୁଅ କଥାରେ ଖୁସି ହେଲେ ବହୁତ ।
ବିନୟଙ୍କ ଏତିକି କଥାରେ ପୁଷ୍ପାଙ୍କ ଛାତି ଓଦା ହୋଇଗଲା ଏକଦମ୍ ।
- " ଠିକ୍ ଅଛି ମୁଁ ତମମାନଙ୍କ ସହ ଖାଇବି । ଦିଅ ମୁଁ ଖାଇବା ବାଢ଼ି ଦିଏ ଆଗ "
ବିନୟ କହିଲେ " ନାଇଁ ତମେ ବାଢନି ମୋତେ ଦିଅ ଆଜି ମୁଁ ବାଢ଼ି ଦେଉଛି "
ବିନୟ ଖାଇବା ବାଢିଲେ ସମସ୍ତଙ୍କ ଥାଳିରେ । ତାପରେ ପୁଷ୍ପା ଚାହିଁଲା ଶାଶୁ ଶ୍ୱଶୁରଙ୍କ ଆଡେ । ସେ ପ୍ରଥମେ ପାଟିକୁ ନେଲେ ତାପରେ ସେ ଖାଇବ ।
ବିନୟ ରୁଟି ଖଣ୍ଡେ ଛିଡେଇ ଭଜା ସେଥିରେ ଗୁଡେ଼ଇ ଦେଇ ପୁଷ୍ପାର ପାଟିରେ ଦେଉ ଦେଉ କହିଲେ " ସ୍ୟାଡେ ଚାହଁନି, ଏଥର ଏ ଘରେ ଖାଇବା ପ୍ରଥମେ ତୁମେ ଖାଇବ "
ପୁଷ୍ପାର ଆଖିରେ ଲୁହ ଲହଡ଼ି ଭାଙ୍ଗୁଥାଏ ସେତେବେଳେ । ଶାଶୁ ଶ୍ୱଶୁର ସାମ୍ନାରେ ଅଛନ୍ତି, ନହେଲେ ବିନୟଙ୍କ ଏତିକି କଥାରେ ସେ ତାଙ୍କୁ କୁଣ୍ଢେଇ ଧରି ଛୋଟ ପିଲାଙ୍କ ପରି ଭୋ ଭୋ ହୋଇ କାନ୍ଦି ପକେଇଥାନ୍ତେ ।