ପ୍ରତାରଣାର ଅନ୍ୟନାମ ପ୍ରେମ
ପ୍ରତାରଣାର ଅନ୍ୟନାମ ପ୍ରେମ
ଏଇ ତମ ସହର ତଳି ଅଞ୍ଚଳର ଏକ ଭଙ୍ଗା କୁଡିଆରେ ଶୋଇ ଅସହାୟତାର ଦୀର୍ଘଶ୍ୱାସ ଛାଡି, ତୁମ କଥା ମୁ ଖୁବ୍ ଚିନ୍ତାକରେ। ବିରାଟ ଏକ ଧୂସର ପଡିଆର ମଧ୍ୟସ୍ଥଳରେ ନିଜର ଅସହାୟ ଅବସ୍ଥିତି ଜାହିର କରୁଥିବା ମୋ ଭଙ୍ଗା କୁଡିଆଟି ଧୂ ଧୂ ମରୁଭୂମି ଭିତରେ ସନ୍ତୁଳି ହେଉଥିବା ଗୋଟାଏ କ୍ଷୁଦ୍ର ନାଗଫେଣୀ ବୁଦା କିମ୍ବା ଏ ବିରାଟ ଦୁନିଆର ଏକଲା ସାହାହୀନ ମଣିଷଟିଏ ଭଳି।
ସତରେ ସନ୍ଧ୍ୟା, ଏତେ ବଡ ଦୁନିଆରେ ମୁଁ ନିହାତି ସାହାହୀନ, ଘୃଣ୍ୟ ଏକଲା ମଣିଷଟିଏ। ଏ ଦୁନିଆରେ ମୋର ବୋଲି କେହି ନାହିଁ। ଅଛି କେବଳ ମୋ ଭଙ୍ଗା କୁଡିଆ, ଛିଣ୍ଡା ହାତ, ଛିଣ୍ଡା ପାଦ, ଗୋଟାଏ ବିକୃତ, ବିକଳାଙ୍ଗ ଜୀବନ। ଏମାନେ କେବଳ ମୋତେ ଜଳାନ୍ତି ସିନା, ସାନ୍ତ୍ୱନା ଦେଇ ପାରନ୍ତିନି।
ସମୟ ମୋ ଭଙ୍ଗା କୁଡିଆ ସାମ୍ନାରେ ଖୁବ୍ ଜୋରରେ ଧାଏଁ। ମୋର ଦୁଇଟା ବଡବଡ ବିଭତ୍ସ ଚକ୍ଷୁ ଖୋଲି ମୁଁ ସମୟକୁ ପଢିବାକୁ ଚେଷ୍ଟା କରେ। ମନେ ପଡନ୍ତି ମୋ ମନର ଅନ୍ଧକାର ଗର୍ଭରୁ ଗୁଡାଏ ବିସ୍ମୃତ ସ୍ମୃତି। ମନେ ପଡ ତୁମେ, ଖୁବ୍ ମନେ ପଡ। ଆଉ ମଧ୍ୟ ମନେ ପଡନ୍ତି ଶୁଭଶ୍ରୀ, ରାଜଶ୍ରୀ ଏବଂ ସୈାମ୍ୟାଶ୍ରୀ। ଯେଉଁମାନେ ନାଲି ପଲାଶ ସାଜି ମୋତେ ପ୍ରଲୁବ୍ଧ କଲେ ସିନା ସୁରଭୀ ବାଣ୍ଟି ପାରିଲେନି। ସେମାନେ ମୋତେ ପ୍ରେମ କରିବାର ଅଭିନୟ କଲେ, ପ୍ରତାରଣା କଲେ। ମୋତେ କଣ୍ଢେଇ ସଜାଇ ବେଶ୍ ଖେଳିଲେ। ଆଉ ମୁ ନିର୍ବୋଧ, ଅଜ୍ଞାନ ତାଙ୍କ ହସ୍ତର କ୍ରୀଡନକ ସାଜି ପ୍ରେମ ଯୁଦ୍ଧରେ ଅତି ଅସହାୟ ଭାବରେ ହାରିଗଲି।
ସେମାନଙ୍କ ପ୍ରତାରଣା ପାଇ ମୁଁ ସେମାନଙ୍କୁ ଘୃଣା ନ କରି ବରଂ ଦୟା କରେ। ମୁଁ ଦୟାକରେ ରାଜଶ୍ରୀ କୁ, ଯିଏ ଉଗ୍ର ଦୈହିକ କାମନା ନେଇ ମୋତେ ପ୍ରେମ କରିଥିଲା। କୌଣସି ପ୍ରକାରେ ସଂଗ୍ରହ କରିଥିବା ମୋ ନିର୍ଜୀବ ଫଟୋଗ୍ରାଫ୍ କୁ ଧୂପ, ଦୀପ ଦେଇ ପୂଜା କରୁଥିଲା, ପ୍ରଣତି ବାଢୁଥିଲା। ମନ୍ତ୍ର ଭଳି ଉଚ୍ଚାରଣ କରୁଥିଲା- "ମୁଁ ତୁମକୁ ଭଲ ପାଏ ପ୍ରିୟ। ତୁମ ପାଦତଳେ ସମର୍ପି ଦେଇଛି ମୁଁ ନିଜକୁ। ତୁମ ବିନା ମୁଁ ବଞ୍ଚିପାରିବିନି।"
ତା'ର ଏଇ କେଇ ପଦ କଥା ରାଜଶ୍ରୀର ଘନିଷ୍ଠ ବାନ୍ଧବୀ ମୁହଁରୁ ଶୁଣିବା ପରେ ମୁଁ ଉଚ୍ଚକିତ, ପୁଲକିତ ହେଲି । ଆଶ୍ଚର୍ଯ୍ୟ ହେଲି, ତା' ସହିତ ମୋ ପ୍ରଥମ ସାକ୍ଷାତରେ ନିହାତି ଅପ୍ରତ୍ୟାଶିତ ଆଉ ଅଚାନକ ହିନ୍ଦୀ ଚଳଚ୍ଚିତ୍ର ଜଗତର ନାୟିକାଙ୍କ ଭଳି, ସେ ମୋ ଗ୍ରୀବାରେ ଓହଳି ପଡି, ଚାପା ଚାପା କଣ୍ଠରେ କିଛି ଗୁଡାଏ ଅବୋଧ୍ୟ ଶବ୍ଦ ଉଚ୍ଚାରଣ କଲା । ମୁଁ ନୀରବ, ନିଷ୍କ୍ରିୟ ହେଲି । ସେ ନିହାତି ଅସହାୟ ଭାବରେ ମୋ ଛାତିରେ ମୁହଁ ଗୁଞ୍ଜି ଅନେକ କିଛି ଚାହିଁଲା । ଦରଦୀ ମଣିଷଟିଏ ସାଜି ମୁଁ ତାକୁ ମୋ ଛାତିରେ ଆଉଜାଇ, ତା' ପିଠି ଥାପୁଡାଇଲି, ହେଲେ ତା' ଇଚ୍ଛା ପୂରଣ କରି ପାରିଲିନି ।
ସେ ମୋ ଛାତିକୁ ତା'ର ସବୁଦିନର ନିର୍ଭୟ ଆଶ୍ରୟ ସ୍ଥଳ ଭାବେ ଗ୍ରହଣ କରିପାରିଲା ନାହିଁ । ମୁଁ ମଧ୍ୟ ତାକୁ ବାନ୍ଧି ରଖିବାକୁ ଚେଷ୍ଟା କଲି ନାହିଁ। ନିଜକୁ ଏମିତି ଶସ୍ତାରେ ସମର୍ପି ଦେଉଥିବା ମଣିଷ ସହିତ ସଂସାର ବାନ୍ଧିବାକୁ ମୁଁ ପସନ୍ଦ କଲି ନାହିଁ। ସେ ମଧ୍ୟ ସଂସାର ବନ୍ଧନରେ ବନ୍ଦୀ ହେବା ଅପେକ୍ଷା ଅଭିସାରିକାଟିଏ ସାଜି ଦେହର କ୍ଷୁଧା ମେଣ୍ଟାଇବାକୁ ଅଧିକ ପସନ୍ଦ କରିଥିଲା। ପ୍ରେମିକା ନାମରେ ସହଜ ପ୍ରେମ ସମ୍ପର୍କକୁ ଦେହଜ କରି କଳୁଷିତ କରିବାର ହୀନ ଇଚ୍ଛା ମୋର ନାହିଁ ବୋଲି, ମୁଁ ଏକ ନଂପୁସକ , ଅସମର୍ଥ ମଣିଷ ବୋଲି ମୋ ନାମର ଅପବାଦ ରଟି, ମୋଠାରୁ ସବୁଦିନ ପାଇଁ ଦୂରେଇ ଗଲା ରାଜଶ୍ରୀ।
ଶୁଭଶ୍ରୀକୁ ମୋ ନିକଟରେ ସବୁଦିନ ପାଇଁ ପାଇବାର ସୁଖଦ ସ୍ବପ୍ନ ଦେଖିଥିଲି ସେଦିନ , ଯେଉଁଦିନ ବିବାହ ପ୍ରସ୍ତାବ ଧରି ତା ବାପା ମୋ ଦ୍ବାରସ୍ଥ ହୋଇଥିଲେ। ସୁନ୍ଦରୀ ଶୁଭଶ୍ରୀର ସୁନ୍ଦର ରୂପରେ ଆତ୍ମବିଭୋର ମୁଁ, ତା'ଠାରୁ ଅନେକ କିଛି ପ୍ରାପ୍ତିର ଆଶାପୋଷଣ କରିଥିଲି କିନ୍ତୁ ମୋର ଆଶା, ଆକାଂକ୍ଷା, ସୁଖସ୍ଵପ୍ନ ସବୁ ରାତ୍ରିର ଦୁଃସ୍ବପ୍ନ ଭଳି ହଜିଗଲେ, ମଉଳି ଗଲେ ଦୂର କରି ଚାଲିଗଲେ। ବିବାହ ବନ୍ଧନରେ ବାନ୍ଧି ହୋଇ, ସଂସାର ଜଞ୍ଜାଳରେ ଛନ୍ଦି ହେବାକୁ ଚାହୁଁ ନଥିବା ଶୁଭଶ୍ରୀ କେଜାଣି କାହିଁକି ଅପପ୍ରଚାର କରିଗଲା- "ମୁଁ ଗୋଟାଏ ମଦ୍ୟପ, ଚରିତ୍ରହୀନ, ଗଣିକାର ନଗ୍ନ ଉନ୍ମୁକ୍ତ ବକ୍ଷ ମୋର ନିତ୍ୟ ରାସସ୍ଥଳ।" ଶୁଭଶ୍ରୀକୁ ମୁଁ ଚିହ୍ନିବା ପୂର୍ବରୁ ସେ ଗାଇଲା ମୋର ନିନ୍ଦା । ମୋର ନିରୀହ ପୌରୁଷ ଅନେକ ଆଘାତ ପାଇଲା । ମୁଁ ଆଶ୍ଚର୍ଯ୍ୟ ହେଲି- ଏଇ କ'ଣ ନାରୀର ସ୍ୱରୂପ ? ବିଶ୍ୱାସ କର ସନ୍ଧ୍ୟା: ତା' ପରଠୁ ମୁଁ ନାରୀ କୁ ଭୟ କରିବା ଆରମ୍ଭ କଲି । ମୋର ଧାରଣା ହେଲା ବିନା କାରଣରେ କିମ୍ବା ଅଭିଳାଷ ପୂର୍ଣ୍ଣ ନହେଲେ, ନାରୀ ସାଜେ ଜୀବନ୍ତ ଆଗ୍ନେୟଗିରି,ଖୁବ୍ ଭୟଙ୍କର ଆଉ ଖୁବ୍ ଉଚ୍ଛୃଙ୍ଖଳ।
ମୁଁ କିନ୍ତୁ ନିହାତି ଶାନ୍ତ ଆଉ ନିରୀହ ମନେ କରିଥିଲି ସୈାମ୍ୟାଶ୍ରୀକୁ। ତା' ସହିତ ମୋର ପରିଚୟ ଖଣ୍ଡଗିରି ମେଳାରୁ। ପ୍ରବଳ ଜନଗହଳିର ଠେଲାପେଲା ଭିତରେ ମୋ ସହିତ ତା'ର ଭେଟ। ଚକାଚକ୍ୟ ସଭ୍ୟତାରେ ଉବୁଟୁବୁ ସେ, ନଗ୍ନତା ପ୍ରତି ଅହେତୁକ ସ୍ପୃହା ତା'ର। ଗାନ୍ଧୀଙ୍କ ଆଣ୍ଠୁ ଲୁଚୁ ନଥିବା ଧୋତି ଫେସନ୍ କୁ ବେଶ୍ ଭଲ ପାଉଥିଲା ସେ। ମୁଁ ତା'କୁ ଏ ସବୁରୁ ବାରଣ କରିଲି ସତ କିନ୍ତୁ ଦୁନିଆ ଦାଣ୍ଡରେ ସାଜିଲି ଗାଉଁଲି, ମଫସଲି, ମୂର୍ଖ, ଅପାଣ୍ଡୁକ।
ସେ ମୋତେ ଗ୍ରହଣ କରି ପାରିଲାନି, ଆଉ ଖାପ ଖୁଆଇ ପାରିଲା ନାହିଁ ମୋ ସରଳତା ସହ। ଏକ ଘୃଣ୍ୟ କୁତ୍ସିତ, କୁରୂପ ମୁଁ ନିଜକୁ ସାମାଜିକ ସ୍ରୋତରେ ସାମିଲ କରି ପାରିଲି ନାହିଁ। ଆତ୍ମୀୟ ସ୍ଵଜନଙ୍କ ଠାରୁ ସହାନୁଭୂତି ବଦଳରେ ନାକଟେକା ଦେଖି ବା ହା ହୁତାଶରେ ବଞ୍ଚିବାକୁ ହେଲେ, ତୁମର କଦାଚିତ୍ ଦର୍ଶନ ମୋତେ ଶାନ୍ତ୍ବନା ଦେବ, ଆଶ୍ୱସ୍ତ କରିବ ଆଶା କରି, ତୁମେ ବାସ କରୁଥିବା ଏହି ସହରରେ ଭଙ୍ଗା କୁଡିଆ ଖଣ୍ଡେ କରି ଆଶ୍ରୟ ନେଲି। ଗ୍ରୀଷ୍ମ, ବର୍ଷା, ଶୀତର ସମସ୍ତ ଅତ୍ୟାଚାର ସହି ଗଣ୍ଡିଏ ମାଗି ବଞ୍ଚି ରହିଥିଲି ଖାସ୍ ତୁମରି ଭରସାରେ। ତୁମର ସାମୟିକ ଦର୍ଶନରେ ସନ୍ତୋଷ ଲାଭ ପାଇଁ।
କିନ୍ତୁ ମୁଁ ହତଭାଗା ପାଇଲି କ'ଣ ? କେବଳ ଲାଞ୍ଛନା, ଘୃଣା, ଅପବାଦ।
ସେଦିନ ରାସ୍ତା କଡ଼ରେ ବସି ଚାଲି ଯାଉଥିବା ଲୋକଙ୍କୁ ହାତ ପତାଇ ମୁଁ କିଛି ମାଗୁଥିବା ବେଳେ, ତୁମ ଲମ୍ବା କଳା ଗାଡ଼ିଟା କାହିଁକି କେଜାଣି ମୋ ନିକଟରେ ଅଟକିଲା। ତୁମେ ମୋତେ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ଥିବା ବେଳେ, ଅତିଶୟ ଆନନ୍ଦରେ ମୁଁ ତୁମ ନିକଟକୁ ଉଠି ଯାଇଥିଲି। ତୁମେ ମୋତେ ଚିହ୍ନି ପାରି ମେଞ୍ଚାଏ ଘୃଣାର ଝଲକ ସଦୃଶ ନାକଚିପି, ଟେଳାଏ ଛେପ ପକାଇ ଗାଡ଼ିର କାଚ ଟେକିଦେଲ। ନାରୀ ନିଜର ପ୍ରେମିକର ହୀନ ଅବସ୍ଥାକୁ ସହ୍ୟ ନ କରି ଏମିତି ଘୃଣା କରିଥାଏ ସିନା ? ଆନନ୍ଦରେ ଫୁଲି ଉଠିଥିବା ମନ ମୋର ଦବିଗଲା। ମୁଁ ନିଜକୁ ଘୃଣ୍ୟ, ନ୍ୟୁନ, ଅମଣିଷ ଟାଏ ଚିନ୍ତାକରି ଲୁହ ଢଳ ଢଳ ଆଖିରେ ଦୂରରେ ଲୁଚି ଯାଉଥିବା ତୁମ ଗାଡ଼ିକୁ ଚାହିଁ ରହିଲି ଅତ୍ୟନ୍ତ ଦୁଃଖରେ। ଏକ ପରାଜିତ ସୈନିକର ଦୁଃଖ ଓ ଆତ୍ମଗ୍ଲାନିରେ ଅସହାୟ ଶିଶୁଟେ ଭଳି ଅନେକ କାନ୍ଦିଲି। ମୋର ବଡ ବଡ ବିଭତ୍ସ ଚକ୍ଷୁ କୋଣରୁ ଝରି ଆସୁଥିବା ଅମାନିଆ ଅଶ୍ରୁକୁ ରୋକିବାର ଚେଷ୍ଟା ମୋର ବିଫଳ ହେଲା। ଏକ ଘୃଣ୍ୟ, ଦୀନହୀନ ଜୀବନ ନେଇ ବଞ୍ଚିବା ଅପେକ୍ଷା, ମରିଯିବା ଭଲ ବୋଲି ମୁଁ ସ୍ଥିର କରିଲି। ମଧ୍ୟରାତ୍ର ଗର୍ଜୁ ଥାଏ। ଘଣ୍ଟାରେ ଘଣ୍ଟା କଣ୍ଟା ଉପରେ ଲୀନ ହେଇଯାଇ ଥାଏ ମିନିଟ୍ କଣ୍ଟା। ବୁଲି ବୁଲି ଟିକ୍ ଟିକ୍ ଶବ୍ଦରେ ଅଟହାସ୍ୟ କରୁଥାଏ ମିନିଟ୍ କଣ୍ଟା। ହାତରେ ଧରିଥିବା କଲମ ମୁନକୁ କାଠ ଟେବୁଲ୍ ଉପରେ ଚାପି ଭାଙ୍ଗିଦେଲି। ଲାଇଟ୍ ଅଫ୍ କରି, ସମସ୍ତଙ୍କ ଠାରୁ ବିଦାୟ ନେବାକୁ ରଙ୍ଗମଞ୍ଚର ସାଇକ୍ଲୋମା ଆଡ଼କୁ ମୁହାଁଇଲି।

