ପ୍ରଶଂସା
ପ୍ରଶଂସା
ସହିବା ର ଗୋଟେ ସୀମା ଥାଏ ।ସୀମା ଟପିଗଲେ ବିସ୍ଫୋରଣ ହୁଏ । କେତେବେଳେ ତୁଣ୍ଡରୁ ବହାରିଆସେ ଆଗ୍ନେୟଗିରି ର ଲାର୍ଭା ପରି ତ କେତେବେଳେ ଆଖିରୁ ଉତ୍ସକୂପ ରୂପରେ ।କେବେ କ୍ରୋଧରେ ତ କେବେ ଅଭିମାନ ରେ ।କେବେ ଶବ୍ଦରେ ଶ୍ରୁତି କଟୁ ପବନରେ ମିଶେ କାନରେ ପଶେ ତ କେବେ ନୀରବ ଲୁହ ହୋଇ ନ ବୁଝିବା ର ଅନୁଶୋଚନା ଅଭିମାନ ନେଇ ।
ସେଦିନ ସେମିତି କିଛି ଘଟିଲା । ସବୁବେଳେ ଚବର ଚବର ହୋଇ ଖୁଣ ବଖାଣୁଥିବା ସୂର୍ଯ୍ୟକାନ୍ତ ବାବୁ ଚୁପଚାପ ହୋଇଗଲେ । ପ୍ରତିରୋଧ ନ ଥିଲା । ପ୍ରତିବାଦର ଆଶା ଅପେକ୍ଷାରେ ସୂର୍ଯ୍ୟକାନ୍ତ ।ଖାଇବା ପାଖରୁ ଉଠିଗଲେ ସ୍ୱପ୍ନା କିଛି ନ କହି ।ତାପରେ ଗୋଟିଏ ଭୁଲକୁ ବାରମ୍ବାର କହିବା କଣ ଦରକାର । ଗାଳି ଆଉ ଅପମାନ । ବାପଘର ଠାରୁ ଚଉଦ ପୁରୁଷ ଉଦ୍ଧାର । କେତେ ବା ଶୁଣିବେ ?
ଏଇ ଗଲା ଦୁଇଦିନ ହେବ ଏଇ ରୋଷେଇ କଥାକୁ ନେଇ ଝଡ଼ ଉଠିଥିଲା । ସ୍ୱପ୍ନା ପରିଶେଷରେ ନିଜ କଥା କହିଥିଲେ ସୂର୍ଯ୍ୟଙ୍କୁ ।
ମୁଁ ଯାହା କଲେ ବି ତୁମ ଆଖିକୁ ଦିଶିବ ନାହିଁ ।ଆଉ କଣ କଲେ ତୁମେ ଖୁସି ହେବ ଯେ । ଯେତେବେଳେ ଦେଖିବ ଖାଲି ଗଜର ଗଜର ।ମୁଁ ବି ଜଣେ ମଣିଷ । ସ୍ନେହ ଖୋଜେ ।ଭଲ ପାଇବା ଖୋଜେ । ଗୋଟେ ଦିନରେ ତୁମେ ପରିବର୍ତ୍ତନ ଖୋଜ ସବୁ ଭୁଲର ଶହେରୁ ଶହେ । ଚେଷ୍ଟା ତ କରୁଛି । ତୁମେ ବୁଝ ନ ଜମା ।
ହଠାତ ଉଠି ଚାଲିଗଲେ ସୂର୍ଯ୍ୟ ।କାନକୁ ନେଲେ ନି ବୋଧେ ।
ବାହାଘର ପରେ ତ ଠିକ ଠାକ ଚାଲିଲା । ହେଲେ ଏବେ ପରିବର୍ତ୍ତନ କାହିଁକି ? ବୁଝି ପାରୁ ନ ଥିଲେ ସ୍ୱପ୍ନା । ଖିଅ ଖୋଜିବାକୁ ଚାହୁଁଥିଲେ ବି ପାଇ ନ ଥିଲେ ।
ଧୂଆ ଧୁଇ ସାରି ବିଛଣାକୁ ଗଲେଣି ସ୍ୱପ୍ନା ।ସୂର୍ଯ୍ୟ ଦେଖୁଥିଲେ ଲୁହ ଭିଜାଇ ଦେଉଛି ତକିଆକୁ । କିଛି କହିଲେ ଝଡ଼ ଆଗକୁ ବଢିବ । ଅଭିମାନରେ ବି ଅଶାନ୍ତ ହେବ ପରିବେଶ । ଲକ୍ଷ୍ୟ ପୂରଣ ହେବ ନି ।
ସକାଳ ହେଲା ନିଜ କାମରେ ଲାଗିଗଲେଣି ସ୍ୱପ୍ନା । ସୂର୍ଯ୍ୟ ଆଶ୍ଚର୍ଯ୍ୟ ।ସତରେ କି ସହିବା ଆଉ ଧର୍ଯ୍ୟର ଶକ୍ତି ! ନାରୀ ଟିଏ ନ ସହିଲେ ପରିବାର ଯେ ଉଜୁଡି ଯିବ । ଅସହିଷ୍ଣୁ ହେଲେ ପରିବାର ଅଶାନ୍ତ । ଦାୟିତ୍ୱ ନ ନିଭେଇଲେ ଅସଜଡ଼ା ଅବ୍ୟସ୍ଥିତ ହେଇ ଯାଏ ।
ଶାଶୂ ଶ୍ୱଶୁରଙ୍କୁ ଚା ଜଳଖିଆ ,ପୁଅକୁ ଉଠାଇ ନିତ୍ୟ କର୍ମ ସମାପନ କରାଇ ସାରିଲେଣି ସେ ।
--ବାହାର ଚାଲ ଯିବା ।
--କେଉଁଠି କୁ ?ମୁଁ ଯିବିନି ।
--ଚାଲ ଯିବା । ବାହାର ।
ହଠାତ ପରିବର୍ତ୍ତନ ସବୁବେଳେ ସନ୍ଦେହଜନକ।ଆଜି କିଛି ଅଘଟଣ ଆଶାରେ ସ୍ୱପ୍ନା । ପଚାରିବାର ଦୁଃସାହସ କରିବାର ସାହସ ଜୁଟାଇ ପାରି ନାହାନ୍ତି ।ଦ୍ଵନ୍ଦରେ ସେ ।
ଗାଡି ବାହାରୁଥିଲା ।ପଛପାଖ ସିଟରେ ବସୁଥିଲେ ସ୍ୱପ୍ନା । ଆଗକୁ ଆସ ଡାକରେ ଆଗକୁ ଆସୁଥିଲେ । ଗାଡି ଲାଗିଲା ଟିଭି ଷ୍ଟୁଡିଓ ପାଖରେ । ନମସ୍କାର କରୁଥିଲେ ମହେଶ ,ପ୍ରତିମା ।
ସ୍ୱପ୍ନା ବୁଝିଗଲେ ସେ କହୁଥିବା ରୋଷେଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ । ଆଜି ସେଠିକୁ ଆଣିଛନ୍ତି ସୂର୍ଯ୍ୟ ।ଗୁମସୁମ ସୂର୍ଯ୍ୟ । ଯାଅ । ତୁମେ ହସିଦେଲେ ମୁଁ ଯିବି ।ତୁମେ ଯାଅ । ମୁଁ ଅଛି ତୁମ ସାଥିରେ ।
ରୋଷେଇ ପ୍ରତିଯୋଗିତା ଚାଲିଲା । ଫଳା ଫଳ ବାହାରିବା ଆଶାରେ । ଉତ୍କଣ୍ଠା ବଢି ବଢି ଚାଲିଛି । ସ୍ୱପ୍ନା ଅପେକ୍ଷା ସୂର୍ଯ୍ୟକାନ୍ତ ଅତି ଉତ୍କଣ୍ଠିତ ।
ପ୍ରଥମ ବିଜୟିନୀ ଶ୍ରୀମତୀ ସ୍ୱପ୍ନା ମିଶ୍ର ଘୋଷଣରେ ଧାରେ ହସ ଆଉ ଧାରେ ଲୁହ । ଧାରେ ହସ ରେସୂର୍ଯ୍ୟକାନ୍ତ । ଧାରେ ଲୁହରେ ସ୍ୱପ୍ନା ।
ସ୍ୱପ୍ନା ଠିକ ବୁଝିପାରୁଥିଲେ କାହିଁକି ଏ ତିନି ମାସ ଏମିତି ବଦଳିଯାଇଥିଲେ ସୂର୍ଯ୍ୟ । ଏ ଟା ଲୁଣିଆ,ଏଟା ରାଗ । ଏଟା ତେଲ ବେଶୀ । ଏଟା ଢଙ୍କା ହୋଇନି । ଏଟା ମସଲା ବେଶୀ । ଏଟା ରଙ୍ଗ ହେଲା ଅଧିକ ।ଗୋଟେ ପ୍ରକାର ତରକାରୀ ଲଗାତାର।ଆଉ କିଛି ତରକାରୀ ଶିଖିଛ ନା ନାହିଁ ?କେଉଁଟି ରେ ବାହୁନି ନାହାନ୍ତି ସେ ?
--ଏ ସଫଳତାର ଶ୍ରେୟ କାହାକୁ ଦେବେ?
--ପ୍ରଥମେ ମୋ ସ୍ୱାମୀଙ୍କୁ ,ତାପରେ ବାପା ମା ପରିବାର ବର୍ଗଙ୍କୁ ।
--ଗୋଟେ ଭଲ ଗୁଣ ପତ୍ନୀଙ୍କର ?
--ସେ ବହୁତ ବହୁତ ଭଲ । ଶିଖିବା ର ମନବୃତ୍ତି ତାର ଅଧିକ ।ସହିବା , ଭଲ ପାଇବାର ଗୁଣରେ ସେ ପ୍ରଥମ ମୋ ଠାରୁ ।
--କେବେ ଗାଳି ଦେଇଛନ୍ତି ?
--ହଁ ।
--ଗାଳିରେ କଣ କରନ୍ତି ?
--ଚୁପ ଚାପ ।
--ଗାଳିରେ ଆପଣ ଚୁପଚାପ ?
--ହଁ ।ସେ ମୋ ଭଲ ପାଇଁ ଗାଳି ଦେଉଥିବେ ।ମୁଁ ଠିକ ହୋଇଗଲେ ଗଲା । ଦାମ୍ପତ୍ୟ ରେ ମତାନ୍ତର ମନାନ୍ତର ରହିବ ।
ରାଗି ଶୋଇଲେ ଶିଖିବା ସରିଯିବ । ଭଲ ମଣିଷ ହେବା ଶେଷ ହୋଇଯିବ ।
--ଆଜି ପତ୍ନୀଙ୍କୁ କଣ କହିବେ ?
-ନା କଣ କହିବି ।ସେ ବହୁତ ବହୁତ ଭଲ ।
ପ୍ରଶଂସା କରୁ ନଥିବା ଲୋକଟା ପ୍ରଶଂସା ଯୋଗାଡ଼ କରି ଦେଇଥିଲେ ଅନ୍ୟଙ୍କ ଠାରୁ ।
ପୁରସ୍କାର ପାଇ ଫେରିଲେ ଘରକୁ ।ଘରେ ଶାଶୁ ସ୍ୱାମୀଙ୍କୁ କହୁଥିଲେ -ଆରେ ମୋ ବୋହୂକୁ ଏବେ ଆଉ ଗାଳି ଦେବୁନି ରେ।ଦେଖିଲୁ ମୁଁ କହୁଥିଲି ସେ ଭଲ ରୋଷେଇ କରେ ତୁ ଜମା ମାନୁ ନ ଥିଲୁ । କେତେ ପ୍ରଶଂସା କରୁଛନ୍ତି ସମସ୍ତେ ।
-ତୋ ବୋହୂ ଭଲ ରୋଷେଇ କଲାଣି ଏବେ ରୋଷେଇ ପାଇଁ କେବଳ ପ୍ରଶଂସା ।
- ଘରେ ଡ୍ରେସ ବଦଳାଉ ଥିଲେ ସୂର୍ଯ୍ୟ ।
ଆଜି କିଛି କହିବନି ?
-ନା, ।
ଆଜି" ବୁଝି ପାରିଲି ନାହିଁ "ପାଇଁ ପ୍ରଶ୍ନ କରିବ ନାହିଁକି ?
ଏତିକି କଥାରେ ସ୍ୱପ୍ନାଙ୍କ ଆଖି ଛଳ ଛଳ ହୋଇଗଲା ।
-ମୋ ସ୍ୱାମୀଙ୍କ ଠାରୁ ଭଲ ସ୍ୱାମୀ ଆଉ କାହାର ନ ଥାଇ ପାରେ !!
ଲାଇଟ ବନ୍ଦ ହେଲା ଆଉ ଏକନୂଆ ସକାଳର ଅପେକ୍ଷାରେ ।