ପରଶମଣି
ପରଶମଣି
ଜଣେ ଗରୀବ ଲୋକ ଥିଲେ. ତାଙ୍କ ନାମ ମାଧବ. ସେ ବହୁତ ସଚୋଟ ଓ ଭଗବାନଙ୍କ ଠାରେ ତାଙ୍କର ପ୍ରଗାଢ଼ ଭକ୍ତି. ପୁଅଟି ଯେବେ ପଚାରେ ବାପା ତୁମେ ତ ଠାକୁରଙ୍କୁ ଏତେ ଭକ୍ତି କରି କହୁଛ ତୁମେ ଅପୂର୍ବ ଶାନ୍ତି ପାଉଛ ହେଲେ ଠାକୁର କାହିଁକି ଆମ ଦୁଃଖ ହରଣ କରୁନାହାଁନ୍ତି? ପୁଣି ବାଳକ ରାଜୁ ପ୍ରଶ୍ନ କରେ ବାପାଙ୍କୁ, ତୁମେ କୁହ ଠାକୁର ସର୍ବବ୍ୟାପୀ, ସର୍ବଜ୍ଞ ଓ ଭାଗ୍ୟବିଧାତା ତେବେ ମୋ ମାଆକୁ କାହିଁକି ନେଇଗଲେ ଠାକୁର? କାହିଁକି ଆମକୁ ଦୁଇ ଓଳି ଦୁଇମୁଠା ଖାଇବାକୁ ମିଳେନା? ପୁଣି କୋଉଠି ସେ ଠାକୁର କାହିଁ ତ କୋଉଠି ନାହାଁନ୍ତି. ତୁମେ କହିବା ଅନୁସାରେ ସେ ଯଦି ସର୍ବବିଦ୍ୟମାନ ତେବେ ଆମ ଦୁଃଖ ଶୁଣିପାରନ୍ତେ, ଦେଖିପାରନ୍ତେ ଓ ପ୍ରତିକାର କରିପାରନ୍ତେ. ପୁଅର କଥା ଶୁଣି ମାଧବ ଦୁଃଖ କରେ. ବାପା ମାଧବ କୁହେ ଠାକୁର ଯେତିକି ଦେଇଛନ୍ତି ସେତିକିରେ ସନ୍ତୁଷ୍ଟ ରହିବା କଥା. ଯାହା ହେଲେ ତ ମଜୁରୀ ମିଳିଯାଉଛି. ଦୁଇ ଓଳି ନହେଲା, ଓଳିଏ ତ ଭଲକରି ଖାଇ, ପିନ୍ଧି ରହିଛେ ପୁଅ. ହେଲେ ମୋ ମାଆ ଔଷଧ ଟୋପେ ନପାଇ ମରିଗଲା ବାପା.ସେତେବେଳେ ଠାକୁର ତୁମର କୋଉଠି ଥିଲେ? ବାପା ପୁଅକୁ ସକାଳ ସୂର୍ଯ୍ୟଙ୍କୁ ଦେଖାଇ ପଚାରନ୍ତି ଦେଖ ଠାକୁରଙ୍କୁ.ପୁଅ କହେ ଆଖି କଣ ହୋଇଯାଉଛି ବାପା. ସେଇ କଥା ପୁଅ, ଏ ସକାଳର କଅଁଳ ଖରାରେ ଅଳ୍ପ ମାତ୍ର କିରଣରେ ଆମ ଆଖି କଣ ହୋଇଯାଉଥିବା ବେଳେ ଆମେ ସେହି ଠାକୁରଙ୍କୁ କେମିତି ଦେଖିପାରିବା. ପୁଅ ବୁଝେ ନାହିଁ. ମନ ଊଣା କରେ.।
ଏସବୁ ଦେଖି ଶୁଣି ଠାକୁର ଦିନେ ଛଦ୍ମ ବେଶରେ ସେହି ବାପା ପୁଅଙ୍କ ଦ୍ୱାରରେ ଭିକାରୀ ବେଶରେ ପହଞ୍ଚି ଖାଇବାକୁ ମାଗିଲେ. ମାଧବ କହିଲେ ଏବେ କାମ ମିଳୁନି. ଦୁଇ ଦିନ ହେଲାଣି ଆମ ଘରେ କିଛି ଖାଇବାକୁ ନାହିଁ ଗୋସେଇଁ ତଥାପି ଅପେକ୍ଷା କରନ୍ତୁ ଆମ ଘରେ ଥିବା ଏକମାତ୍ର ପିତ୍ତଳ ଥାଳି ବିକ୍ରିକରି, ସେହି ପଇସାରେ ଆପଣଙ୍କ ପାଇଁ କିଛି ଖାଇବାକୁ ନେଇଆସୁଛି. ଭିକ୍ଷୁକ ବ୍ରାହ୍ମଣ କହିଲେ ଦେଖି ଦେଖି ସେ ଥାଳି ଆଣିଲ. ମାଧବ ଯେମିତି ସେ ଥାଳି ଆଣିଛନ୍ତି, ଦେଖିଲେ ସେଥିରେ କ୍ଷୀରି,ପୁରି ମିଠା, ଖଜା,ଗଜା ଆଦି ଖୁବ ସ୍ୱାଦିଷ୍ଟ ଭୋଜନରେ ପରିପୂର୍ଣ୍ଣ . ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି ମାଧବ. ବ୍ରାହ୍ମଣ ସେଠୁ ଅଦୃଶ୍ୟ. ଏହା ପରେ ଦେଖାଗଲା ତାଙ୍କ ଘରେ ଅନେକ ସୁନା ରୁପା ଟଙ୍କା ପଇସା.।
ପୁଅ ରାଜୁ ଏସବୁ ଦେଖି କହୁଥିଲା ହେଲେ ମୋ ମାଆକୁ ତ ଫେରେଇ ଦେଲେ ନାହିଁ ଠାକୁର. ଦେଖୁ ଦେଖୁ ବହୁ ଭଲଘରର ସୁନ୍ଦରୀ ଝିଅ ମାନଙ୍କର ବିବାହ ପ୍ରସ୍ତାବ ଆସିଥିଲା ମାଧବଙ୍କୁ ବିବାହ କରିବାକୁ କାରଣ ମାଧବ ଏବେ ଶିଳ୍ପପତି ମାଧବ ରାୟଗୁରୁ. ବାଛି ବାଛି ଗୋଟେ ଝିଅକୁ ବିବାହ କଲେ ମାଧବ. ସେ ଥିଲେ ପିତୃ ମାତୃ ହୀନ ସାବତମାଆ ଦ୍ୱାରା ନିର୍ଯ୍ୟାତିତ ଝିଅ. ସେହି ଝିଅକୁ ବାହା ହେବା ପରେ ମାଧବଙ୍କ ପୁଅ ରାଜୁ ତା ନିଜ ମାଆକୁ ଫେରି ପାଇଥିଲା ଯେମିତି. ସାବତମାଆ ପାଖରେ ବଢିଥିବା ଝିଅ ଜାଣିଥିଲା କି ସାବତମାଆ ହେବା ପାଇଁ କି କି ସହାନୁଭୂତି ଓ ଶହନଶୀଳତା ଦରକାର,ତେଣୁ ରାଜୁକୁ ନିଜ ମାଆ ଠାରୁ ଅଧିକ ଭଲ ପାଉଥିଲା ନୂଆ ମାଆ. ରାଜୁ ଏବେ ପଢୁଥିଲା ସ୍କୁଲରେ. ଡାକୁଥିଲା ଠାକୁରେ ତୁମେ ସତରେ ମୋ ବାପା କହିବା ପରି ଦୟାସାଗର.ତୁମ ସ୍ପର୍ଶରେ ହସୁଛି ଆମ ସଂସାର.।
