ବାଟ ହାଟ ନାଟ
ବାଟ ହାଟ ନାଟ
ହାଟରେ ଭିଡ଼ ଆମେ ସମସ୍ତେ ଦେଖିଛେ. ପନି ପରିବା, ଶାଗ ସବଜି ସହ ଫଳ ମୂଳ ପାଇଁ ବିଶେଷତଃ ହାଟ ପ୍ରସିଦ୍ଧି ଲାଭ କରିଥିଲା ବେଳେ ଏବେ ଏବେ ଗୋରୁଗାଈ ଓ ଛେଳିମେଣ୍ଢା ସାଙ୍ଗକୁ ଯାବତୀୟ ଗୃହ ଉପକରଣ ମଧ୍ୟ ମିଳୁଛି. ହରି ରିକ୍ସା ଵାଲା ମଧ୍ୟ ଆଜି ମାଲିକ ର କିଛି ପରିବା ନେଇକି ହାଟ କୁ ଆସିଥିଲା ରିକ୍ସାରେ. ଭାବିଥିଲା ଆଜି ଦୁଇ ପଇସା ଅଧିକା ରୋଜଗାର ହେଲେ ଘରକୁ ଯିବା ପୂର୍ବରୁ ରମା ପାଇଁ ଖଣ୍ଡେ କସ୍ତା ଶାଢ଼ୀ ଓ ଅଣ୍ଟା ଧରା ପାଇଁ ଔଷଧ ନେଇଯିବ. ସେଦିନ ଠୁ ବିଚାରୀ କଷ୍ଟ ପାଉଛି କିନ୍ତୁ କଣ କରିବ ହରି ଚାଉଳ, ପରିବା, ଡାଲି ତେଲ କୁ ପଇସା ନିଅଣ୍ଟ. ସେଇ ସୋରିଷ ତେଲ ରେ ରସୁଣ ଫୁଟେଇ ଟିକେ ନିଜେ ମାଲିସ ହେବ କଣ ତୁମେ ଏତେ ପରିଶ୍ରମ କରୁଛ କହି ତା ଗୋଡ଼ରେ ଲଗେଇ ମାଲିସ କରିସାରିଲା ପରେ ଖାଲି ଗିନାଟାକୁ ପୋଛୁଥାଏ ପାପୁଲିରେ ଘଷି ଘଷି ନିଜ ପାଇଁ ଯେ କୋଉ ଥାଏ ତେଲ ତଥାପି ସେଇଥିରେ ସକାଳୁ ଉଠି ବାବୁଘର କୁ ଚାଲିଯାଏ ପାଇଟି କରିବାକୁ. ନାହିଁ କଲେ କହେ ବାବୁଘରୁ ସକାଳ ଜଳଖିଆ ମିଳିଯାଉଛି. ତାଙ୍କ କୁକୁର କ୍ଷୀର ପକେଇ ବାସି ରୁଟି ଦେଲେ ମୁଁହଁ ବୁଲେଇ ଦିଏ ତେଣୁ ବଳକା ବାସି ରୁଟି ସବୁ ମତେ ଦେଇଦିଅନ୍ତି ମାଆ. ସକାଳୁ ସକାଳୁ ଜାତି ଜାତି ଜଳଖିଆ କରୁଥାନ୍ତି ମାଆ. ମତେ ଦିଅନ୍ତି. ଭାରି ସୁଆଦ କିନ୍ତୁ ଘରକୁ ଆଣିବାକୁ କହିନପାରି ତୁମ ମୁଁହଁ ମନେପଡେ. ବାସି ରୁଟି ସବୁ ତୁମ ଭାଗ ରେ ପଡେ.କଣ କରିବି ସେହି ସୁସ୍ୱାଦୁ ଜଳଖିଆ ଖାଇ ମୋ ଅଣ୍ଟା ଧରା ହେଲେ ଭଲ ହୋଇଯାଆନ୍ତା!ରମା ମୁହଁ କୁ ଚାହିଁ ଶୁଖିଲା ହସ ହସିଦେଇ ହରି କହେ ଆଜି ଯେମିତି ହେଲେ ଔଷଧ ଆଣିବି ତୋ ପାଇଁ. ରମା କହେ ହଉ ଗରମ ପାଣି ସେକ ତ ଦେଇ ଦେଇ ଅଣ୍ଟାରେ ଶାଢ଼ୀ ନଶୁଖି ପାରି ଚିରିଗଲାଣି. ହରି କହେ ବ୍ୟସ୍ତ ହୁଅନା ତୋ ପାଇଁ ଶାଢ଼ୀ ସାଙ୍ଗକୁ ଔଷଧ ନେଇଆସିବି.
କହି ଦିଏ ସିନା ମନକୁ ବୋଧ ଦେଇ ହେଲେ ଭଡ଼ା କୋଉ ମିଳୁଛି ଯେ. ଶୀତ ଦିନରେ ମଧ୍ୟ ଝାଳ ଗମଗମ ବାହାରିଯାଏ ଦେହରୁ ତଥାପି ବାବୁଟାକୁ ଠିକଣା ଜାଗାରେ ପହଞ୍ଚାଇବାକୁ ଯାଇ ଏ ଗଳି ରୁ ସେ ଗଳି ଏତେ ବୁଲେଇଲା ରିକ୍ସାରେ କିନ୍ତୁ ଭଡ଼ା ପଇସା ଦେଲାବେଳକୁ ବାବୁ କହୁଛି କଣ କରିବି ମଉସା ଆଉ ପାଖରେ ପଇସା ନାହିଁ. ଫେରିବାକୁ ଵି ଆଜି ଭୟ ଲାଗିଲାଣି କହି କୋଡିଏ ଟଙ୍କା ଦେଲା ଯେ ସେତେବେଳକୁ ହରିର ହଂସା ଉଡିଯାଉଥିଲା. ପାଖରେ ଆଖୁରସ ଦୋକାନରୁ ଗୋଟେ ଗ୍ଲାସ ପିଇବାକୁ ମନ କରି ମଧ୍ୟ ପାରୁନଥିଲା ହରି. ବାବୁ ଟା କହୁଥିବା କଥା ତା କାନରେ ପ୍ରତିଧ୍ବନିତ ହେଉଥିଲା ଯେ ଏହି ଆଖୁ ରସ ଗ୍ଲାସ ଟେ ପିଇବାକୁ ଵି ପଇସା ଅଣ୍ଟିବ କି ନାହିଁ. ହରି ହାତଯୋଡ଼ିଲା ଶ୍ରୀହାରୀ ଙ୍କୁ ପ୍ରଭୁ ମତେ ଯେତେ କଷ୍ଟ ଦେଉଛ ଦିଅ ହେଲେ ଏ ଧୋବଧାଉଳିଆ ବାବୁ ପରି ଦେଖାଯାଉଥିବା ଲୋକ ମାନଙ୍କୁ ଗରୀବ କରନି ଶ୍ରୀହରୀ ନହେଲେ ଆମ ରିକ୍ସା ରେ ବସି ପଇସା କିଏ ଦେବ!ଏତିକି ବେଳେ ହରି ଦେଖିଲା ଦୁଇ କି ଚାରିଜଣ ଯୁବକ ଖୋଜି ଖୋଜି ବୁଲାକୁକୁର ଙ୍କୁ ଫାଶ ପକାଇ ଧରି ରିକ୍ସା ଖୋଜୁଛନ୍ତି. ତାକୁ ଡାକି ପଇସା ଲୋଭ ଦେଖାଇ ନିଛାଟିଆ ଜାଗାକୁ ନେଇ ପିଟି ପିଟି ମାରିବେ ବସିଛନ୍ତି. ନାହିଁ କଲା ହରି. ଅଟୋ ଡାକି ସେମାନେ ଚାଲିଗଲା ପରେ ହରି ଭାବୁଥିଲା ଜନମ ଦେଲ କୁକୁର କରି ଯେ ସେହି ନାମ ରେ ଲୋକେ ଲୋକଙ୍କୁ ଗାଳି ଦେବାକୁ ପଛାନ୍ତି ନାହିଁ. ପୁଣି ତାଙ୍କ ପାଇଁ ଖାଦ୍ୟ କି ଆଶ୍ରୟ ନଥିଲା ବେଳେ ଏବେ ବୁଲାକୁକୁର ଧରା ଅଭିଯାନ ରେ ସାମିଲି ହୋଇ ବେକାରିଆ ଯୁବକ ମାନଙ୍କୁ ରୋଜଗାର ନାମରେ କଂସେଇ ହେବାକୁ ପଡୁଛି. କି ନ୍ୟାୟ କେଜାଣି ପ୍ରଭୁ ତୁମର!
ହାଟ କୁ ପରିବା ନେଇ ଯିବୁ ପଚାରୁଛି ମାଲିକ. ଅଟୋ ମିଳୁନି ଚାଲ ଯାହା କହିବୁ ଦେବି କହିବାରୁ ପରିବା ଲୋଡ଼ କଲା ହରି ରିକ୍ସାରେ ଆଉ ଗଡ଼ିଲା ହାଟ ଅଭିମୁଖେ. ଏକାଥରେ ପଚାଶ ଟଙ୍କା ବହୁତ କମ ଥର ରୋଜଗାର କରିଛି ସେ. ଆଜି ଆଉ ଏମିତି ଦୁଇ ଚାରିଟା ରୋଜଗାର ହେଲେ ରମା ପାଇଁ କସ୍ତା ଶାଢ଼ୀ ଓ ଔଷଧ ଟିକେ ସାଙ୍ଗକୁ ତେଲ ଲୁଣର ସଂସାର ପାଇଁ ଯାହା ଯେମିତି ନେଇ ଘରକୁ ଯାଆନ୍ତା. କେତେ ଦିଅଁ ଦେବତା କରି ପୁଅ ପାଇଥିଲା ଯେ କୁଆଡେ ଦାଦନ ଖଟିବାକୁ ଗଲା ଯେ ଟଙ୍କା ପଇସା କଥା ଛାଡ଼ ଚିଠି ଖଣ୍ଡେ ଵି ନାହିଁ. ଯେତେ ମନକୁ ଟାଣ କଲେ ଵି ପୁଅ ଚିନ୍ତାରେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କର ଅଣ୍ଟା ଭାଙ୍ଗିଗଲାଣି. ରମା ଉଠିପାରୁନି ଆଉ ସେ କଣ କମ କଷ୍ଟ ରେ ରିକ୍ସା ଚଲାଏ ନା କଣ. ତାରି ପୁଅ ବୟସର ଦୁଇ ଜଣ ହାଟରୁ ମାଡିବସି ଧରିଥିବା ବୁଲାକୁକୁରଙ୍କୁ ଧରି ତା ରିକ୍ସାରେ ଯିବାକୁ ଉଦ୍ୟତ. ଅଖା ଭିତରେ କୁଁ କୁଁ ହେଉଥିବା ଓ ଛାଟିପିଟି ଶବ୍ଦ କରୁଥିବା କୁକୁର ସବୁ ଆଜି ହରିକୁ ତା ପୁଅ ଦାଦନ ଅଖାରେ ବନ୍ଧା ହେଲା ପରି ଲାଗୁଥିଲା. ଦୁଇଶହ ଟଙ୍କା ଦେବୁ ଚାଲ ଚାଲ ରିକ୍ସାଵାଲା କହି ସିଟ ରେ ବସିପଡ଼ି ଯୁବକ ଦୁହେଁ କହୁଥିଲେ ଉଠାଅ ମଉସା ଅଖା. ହରି ଚାହିଁଲା ଅଖା ଭିତରେ ଅଦୃଶ୍ୟ ଜୀବନ୍ତ କୁକୁର କେତୋଟିଙ୍କୁ. ଆଉ ଭୁଲିଗଲା ରମା ପାଇଁ ଶାଢ଼ୀ କି ଔଷଧ ନେବା କଥା ବରଂ ପୁଅ ମୁଁହଁ ଦିଶୁଥିଲା ଅଖା ଭିତରେ. କୁକୁର ମାନଙ୍କ କୁଁ କୁଁ ତାକୁ ଯେମିତି ତା ପୁଅ କହୁଥିଲା ବାପା ଥିବା ପୁଅ ସଭାରେ ହାରେନା ପରା ବାପା. ଆଉ ତୁମେ ଥାଉ ଥାଉ ସଂସାର ରେ ମୁଁ ଦାଦନ ଅଖାରେ ଛଟପଟ ହେଉଛି ବାପା. ହରି କହିଲା ଓଲ୍ହେଇ ଯାଅ ବାବୁ. ମୁଁ ଆଗୁଆ ଅନ୍ୟଠୁ ଭଡ଼ା ରଖିଛି. ଆରେ ତିନିଶହ ଦେବୁ ଚାଲ. ତିନିଶହ ଶୁଣି ଆଖି ଖୋସି ହୋଇଯାଉଥିଲେ ଵି ହରି ହାରିନଯାଇ ନାହିଁ ନାହିଁ ବାବୁ ଓଲ୍ହାଅ କହିଥିଲା.
ସବୁଦିନ ପରି ଶୁନ୍ୟ ହାତରେ ହରି ଘରକୁ ଫେରି ଦେଖିଲା ପୁଅ ଆସିଛି ଫେରି. ମାଆ ପାଇଁ ଆଣିଛି ସୁନ୍ଦର ଗୋଟେ ବ୍ୟାଗ.ରମା ପୁଣି କହୁଥିଲା ଦେଖିଲଣି ପୁଅ ତୁମ ପାଇଁ ଚପଲ ଆଣିଛି. ହରି ଆଖିକୁ କିନ୍ତୁ ପୁଅର ଆଁ କରି ଫଟା ଗୋଡ଼ ଦୁଇଟା ଦେଖାଯାଉଥିଲା ତ ପୁଅକୁ କୁଣ୍ଢେଇ ହରି କହୁଥିଲା ତୋର ଆଉ କୁଆଡେ ଯିବାର ନାହିଁ. ମୁଁ ତୋ ବାପା ଅଛି. ମୋ କାନ୍ଧ ସଙ୍ଗେ ତୋ କାନ୍ଧ ମିଶିଲେ ଆମେ ସିନ୍ଧୁ ଡେଇଁଯିବା ପୁଅ. ହଁ ବାପା ମତେ ଗୋଟେ କାମ ମିଳିଛି ଯେ କିନ୍ତୁ ସେ କାମ କରିପାରିବିନି ବାପା. ଜୀବନ୍ତ କୁକୁର ଧରି ମାରି ପଇସା ଆଣିବାଠୁ ଆମ ରିକ୍ସା ବହୁତ ଭଲ ବୋଲି ଉଭୟ ବାପା ଓ ପୁଅ ପାଟିରୁ ଶୁଣି ରମା କହୁଥିଲା ଦୁହିଁଙ୍କ ତୁଣ୍ଡ ଏକା ହେଲାଣି ଆଜି କେହି କୁଣିଆ ଆସିବେ.ବାବୁଘର ମାଆ ପହଁଞ୍ଚି କହୁଥିଲେ ପୁଅ କୁ ପାଇ ଭୁଲିଯିବୁନି ରମା. ଏଇ ନେ ନୂଆ ଶାଢ଼ୀ ଓ ଦୁଇଶହ ଟଙ୍କା. ଔଷଧ କିଣି ଖାଇ ଶୀଘ୍ର ଆସିବୁ ଘରକୁ ମତେ ଟିକେ ସାହାଯ୍ୟ କରିବୁ ଘର କାମରେ ରମା, ମୁଁ କଣ ତୋ ବଡ଼ଭଉଣୀ ନୁଁହଁ. ହଁ ମାଆ ଯିବି କହି ରମା ରୋଷେଇ ଘର ଆଡକୁ ଯାଉଥିଲା. ଆଜି ସେ ବାପା ଓ ପୁଅଙ୍କୁ ଭଲ ରୋଷେଇ କରି ଖାଇବାକୁ ଦେବ.ହରି ଆଖିକୁ କିନ୍ତୁ ହାଟରେ ବୁଲାକୁକୁର ଧରା ଯୁବକ ସହିତ ସେ ଅଖା ବନ୍ଧା ଭିତରୁ କିଛି ଦେଖାଯାଉଥିଲା. ଏଥର ତା ପୁଅ ପରିବର୍ତ୍ତେ ସେ କୁକୁର ମୁଁହଁ ସବୁ ତା ନିଜର ଥିଲା.
