ନଈ ଭଳି ବହିଯାଉଥିବା ବୋଉ କୁ ପିଲାଦିନୁ ଦେଖି ଯେତିକି ଆଶ୍ଚର୍ଯ୍ୟ ହୁଏ ସେତିକି ଶିଖେ ମୁଁ. ଛ ଛଟା ପିଲାଙ୍କୁ ଜନ୍ମଦେଇ ମଣିଷ କରିବା କି କଷ୍ଟ ସତରେ, ବାପା ରୋଜଗାର କରନ୍ତି ସତ, ହେଲେ ଘର ର ଯାବତୀୟ ମଇଳା କୁ ସ୍ରୋତ ପରି ବାହିନେଇ ନଈ ରୂପକ ବୋଉ ମୋର ସଭିଙ୍କ ମନ ରେ ଖୁସି ଭରିଦେଉଥାଏ, କେମିତି ବୁଝିପାରେ ସମସ୍ତଙ୍କ ମନ କଥା, କାହାକୁ ପଖାଳ ସାଙ୍ଗକୁ ପୋଡ଼ାପୋଡ଼ି ସହ ବଡ଼ିଭଜା ତ କାହାକୁ ଛେନା କ୍ଷୀର ରୁଟି ତ କାହାକୁ ଚୂନ ଚୂନ ଆଳୁଭଜା ସହ ଅଣ୍ଡାଭଜା ଓ ପଖାଳ, ପୁଣି କିଏ ଘୋଡିହେବ ଚାଦର, ତ କିଏ କମଳ ତ କିଏ ରେଜେଇ ପୁଣି କିଏ କନ୍ଥା, ବୋଉ ମୋର ସକାଳୁ ସଞ୍ଜ ଯାଏ କୁଳୁ କୁଳୁ ବହୁଥାଏ ନଈ ଟିଏ ପରି, ନା ଥାଏ ପ୍ରତିବାଦ ନା ଥାଏ ବିରକ୍ତି !
ସେଥିରେ ପୁଣି ଚଢେଇ ପେଟ ଚିହ୍ନେ. ଅତିଥି ଅଭ୍ୟାଗତ ସେବା ରେ ଲାଗିଥାଏ ନଈ ର ନାମ ଗଙ୍ଗା ପରି, ଆମେ ପାଠ ପଢୁ ବୋଉ ଜଗି ବସେ ନଶୋଇ ନଈ ସରସ୍ବତୀଙ୍କ ପରି.ଦୀନ ଦୁଃଖି କେହି ଫେରିଯାନ୍ତି ନାହିଁ ଆମଘରୁ. କଥାରେ ଥାଏ ଅମୃତ.ଶିଖାଏ ନଈ କାବେରୀ ପରି.କେହି ମାଗୁଛି ତ ସାମର୍ଥ୍ୟ ଭିତରେ କିଛି ଦିଅ, ନଦେବାର କରନିକହେ. ମିଠା କଥାରେ ହୃଦୟ କିଣି ନିଅ ଅନ୍ୟର. ସତେ ଯେମିତି ତା ଉପଦେଶ ନଈ ର କୁଳୁ କୁଳୁ ଶବ୍ଦ ପରି ଭାରି ମନମୁଗ୍ଧକର ଆଉ ମାନିଗଲେ ଜୀବନ ଟା ନଈ କୁଳିଆ ସୁଲୁ ସୁଲୁ ବାଆ ପରି ମନେହୁଏ.ସତରେ ମୋ ବୋଉ ପରି କିଏ ହେବ!ଦୁଇକୂଳ ର ହିତ. ହିତ ର ଉଦାହରଣ ଦେବା ବି ମୋ ଭାଷା ହୋଇ ରହିଲାନି ଯେବେ ବାପା ତାକୁ ଛାଡି ଆଗ ଚାଲିଗଲେ ଆଉ କୁଳୁକୁଳୁ ବହୁଥିବା ନଇଟା ହଠାତ ନିଥର ପାଲଟିଗଲା ସତେ ଯେମିତି ମଲାନଈ.
ସେଦିନ ଗୋଟେ ବନ୍ଧୁ ମିଳନ ଆସର ରେ ଏମିତି ସବୁ କଥାଭିତରେ ଆମ ସମାଜରେ ନାରୀ, ତୁଳନା ରେ ପୁରୁଷ ଟିଏ, ଆଗ ଚାଲି ଯାଏ କାହିଁକି ର ଉତ୍ତରରେ କିଏ କହୁଥିଲା ଦୁହେଁ ସାତ ଜନ୍ମ ର ସାଙ୍ଗ ତ ମନ ଭରୁନଥିଲା ଏକଥାରେ. ପୁରୁଷ ବା ସ୍ୱାମୀ ଚାଲିଯିବାର ଢେର ସାରା ବର୍ଷ ଯାଏଁ ସ୍ତ୍ରୀ ଟି ତ ବଞ୍ଚିରହେ! ତ ଯଦି ପର ଜନ୍ମ ର ସାଥି ସ୍ୱାମୀ କଣ ସେତେଦିନ ଅଶରୀରୀ ହୋଇ ରହିଥାନ୍ତି ନା କଣ !ଏମିତି ଅନେକ ଅଛିଣ୍ଡା ପ୍ରଶ୍ନ ର ଉତ୍ତର ଭିତରେ ହଠାତ କେହି ଜଣେ କହିଲେ ଆରେ ନାରୀ ହୃଦୟ ଦୁଃଖ କଷ୍ଟ ଯନ୍ତ୍ରଣା ଭିତରେ ପଥର ହେଇଯାଇଥାଏ ତ ସେ ଦୁଃଖ ସହି ସହି ସଂସାର ରେ ନଈ ଭଳି ସେସବୁ ବାହି ଆଗକୁ ବହି ଚାଲେ ପରା.ଆଭାଙ୍କ ପାଟିରୁ ବାହାରି ପଡିଲା ଇଉରେକା ଇଉରେକା
ସତରେ ସେଦିନ ଦେଖିଲା ବେଳକୁ ବୋଉ ନାତୁଣୀ ର ଝିଅ କୁ ଗୋଡ଼ ଲମ୍ବେଇ ତେଲ ହଳଦୀ ଲଗେଇଦେଉଛି. ପୁଣି ଆଉଗୋଟିଏ ନାତୁଣୀ ର କଣ ହେବାକୁଥିବାରୁ ସାତମାସିଆ ପିଠା ପାଇଁ ଆରିଷା ପିଠା ଯୋଜନା ରେ ଅଛି. ମୋ ଆଖିରୁ ଗଡି ପଡିଲା ଦୁଇ ବୁନ୍ଦା ଅଶ୍ରୁ ସେଦିନ କଥା ଭାବି. ଏବେ ବୋଉ ଓ ବାପାଙ୍କ ବେକରୁ ମଉଳା ଫୁଲ କାଢି ସଦ୍ୟ ମାଳା ପିନ୍ଧାଯାଉଥିଲା ତ ନାରୀର ନଈ ଭଳି ଜୀବନ ଭିତରେ ମୁଁ ମୋ ବୋଉ କୁ କୁଣ୍ଢାଇ ମନ ଇଛା କାନ୍ଦିବାକୁ ଚାହିଁ ପାରୁନଥିଲି. ମନ ଖରାପ ବେଳେ ବୋଉ ଶୁନ୍ୟ ମନ ଶୁନ୍ୟ ଆଖିରେ ମୋ ମୁଁହ ପୋଛୁ ଥିଲା ତା ମମତ୍ୱ ପୂର୍ଣ୍ଣ ପଣତରେ ସେଦିନ. କୁଆଡେ ହଜିଗଲା ସେସବୁ ଦିନ!
ଆଉ ସେହି ବୋଉ କୁ ପାଇବି କାହିଁ! ଆଉ ବାପାଙ୍କୁ ପାଇବି କାହିଁ!ଭାବୁ ଭାବୁ ଆଭା ହଜି ଯାଇଥିଲେ ଅତୀତ ବହିର ଆଉ ଗୋଟିଏ ଫର୍ଦ ରେ. ସେଦିନ ଖାତା ଦେଖା ସାରି ସବୁଦିନ ପରି ବୋଉ ପାଖେ ପହଞ୍ଚିଗଲା ପରେ ବୋଉ ଆଭାଙ୍କୁ ଦେଖି ଧଡ଼ପଡ଼ ହୋଇ ଉଠିଲେ କୋଉଠି କଣ ଅଛି ଝିଅକୁ ଦେବେ ବୋଲି ଘର ସାରା ସାଉଁଟି ମଟର ଧୋଇ ପ୍ରେସର କାଢି ବସେଇଲା ବେଳକୁ ଆଭା କହିଲେ ଶୀତରେ ହଇରାଣ ହୁଅନା ବୋଉ. ତୁ ନେ ଏ ଜଳଖିଆ ରଖେ ମୁଁ ଯାଉଛି ବସରେ ଚାଲିଯିବି ଘରକୁ. ସିଏ ହଇରାଣ ହେବେ. ରୁଟି କରିବି ତାଙ୍କ ପାଇଁ. ବୋଉ ଆଭାଙ୍କ ହାତରୁ ଜଳଖିଆ ପୁଡିଆ ଧରି ଶୁନ୍ୟ ଦୃଷ୍ଟି ତୋଳି ଚାହିଁଥିଲା କେବଳ. ଆଉ ଆଭା ଫେରିପଡ଼ୁ ପଡ଼ୁ ଶୂନ୍ୟରୁ ଶୁନ୍ୟ ହୋଇ ମହାଅଶୁନ୍ୟ ରେ ବୋଉ ତାଙ୍କର କେତେ ନିଃସଙ୍ଗ ହୋଇଯାଇଥିବ ସେଦିନ ଆଜି ଭାବିଲା ବେଳକୁ ହୃଦୟ ଫାଟିଗଲା ପରି ଲାଗେ. ବୋଉ କହେ ଛଅ ଛଅଟା ପିଲା ଙ୍କୁ ଜନ୍ମ କରି ପାଠ ଶାଠ ପଢ଼େଇ ବଡ଼ କରି ହାତ କୁ ଦୁଇହାତ କଲି ଯେ ଶେଷ ବେଳକୁ କେହି ଟିକେ ଆସୁନାଁହାନ୍ତି. ତୁମେ ସବୁ ତ ଗୋଟେ କି ଦିଟା ପିଲା ର ମାଆ ହୋଇଛ କେମିତି କଟେଇବ ଜୀବନ କେଜାଣି! ବାପା ନଥିବା ଘରେ ବୋଉ ଏକୁଟିଆ ରହେ. ପୁଅ ଝିଅ ମାନେ ତାଙ୍କ ପାଖକୁ ଡାକିଲେ କହେ ସେ ବେଳ ଆସୁ ଯିବି କିନ୍ତୁ କେହି ନା କେହି ତା ପାଖେ ଥାଆନ୍ତୁ ବୋଲି ଭାବୁଥିଲେ ବି ବାଧ୍ୟ କରେନି. ତୁ ଆସୁନୁ ଖାଲି ଘରଟାକୁ ଜାବୁଡି ଧରି ଘର ଘର ହେଉଛୁ କହି ପିଲାଏ ଅର୍ଥାତ ଆଭାଙ୍କ ଭାଇ ଭଉଣୀ ଆଉ ଆସୁନଥିବା ବେଳେ ବୋଉ କହେ ଜୀବନଟା କଣ ସମୟ ଆସୁ ବୁଝିବ. ବାପା ଚାଲିଯିବା ପରେ ବୋଉ ସତରେ ସେ ଏକୁଟିଆ ଘରଟାକୁ କାହିଁକି ଛାଡ଼ି ଯାଏନି ବୋଲି ପଚାରିଲେ ଆଭାଙ୍କୁ ଭିଡ଼ିନେଇ ବୋଉ ଦେଖାଇ ଦିଏ କୋଉଠି ଉଈ ଲାଗିଛି ଝରକାରେ ତ କୋଉଠି ପିମ୍ପୁଡି ଗାତ କରି ଚଟାଣ ରୁ ସିମେଣ୍ଟ ଛାଡେଇଲେଣି. ଏସବୁ କଥା ଶୁଣି ଓ ଆଲୋଚନା କରି ଘରେ ପ୍ଲେଟ ପଡିଲେ ମଧ୍ୟ ବୋଉ ଦେଖାଉଥାଏ ଅଳନ୍ଧୁ ଆଉ ଝିଟିପିଟି. ପୁଣି ଛାତ ଉପରୁ ନୀଳଚକ୍ର ବାନା ଦେଖାଇ କହୁଥାଏ ଏଇଠୁ ଦର୍ଶନ ମିଳିଯାଉଛି କାଳିଆଙ୍କର. ତୁମମାନଙ୍କ ପାଖକୁ ଗଲେ ଏ ସୁବିଧା ମାନେ ଏହି ପତିତପାବନବାନା ଦର୍ଶନ କୋଉଠୁ ପାଇବି ଆଉ!ଚୁପ ହୋଇଯାଆନ୍ତି ସମସ୍ତେ ଆଭାଙ୍କ ସହିତ. ବାପା ଥିଲା ବେଳେ ମୋ ଝିଅ ଆସିଲା ରେ କହି ଉଠି ଆସନ୍ତି ଲେଖାପଢାରୁ. ପୁରୀ ସହରରେ କେତେ କଷ୍ଟରେ କରିଥିବା ଘର ଓ ବଡଦାଣ୍ଡ ରେ ଛେନାଖଇ ଓ ରାବିଡି ଖାଉଥିବା ବାପା ଝିଅ ଆଭା ଆଣିଥିବା ଗାଁ ପିତା ଶାଗ ପକଡି ଖାଉଥିଲା ବେଳେ କହନ୍ତି ବୋଉକୁ ଦେଖିଲ ମୋ ଝିଅ କେମିତି କରିଛି!ବୋଉ ଯେବେ କହେ ମୁଁ ତୁମକୁ କରିକି ଦେଉନି କି!ସେଇଥି ପାଇଁ ତ ଘର ଛାଡ଼ି ଯାଉନି ପିଲାଙ୍କ ପାଖକୁ. ବାଛୁଛି ଲିମ୍ବ କଢ଼, ଉଁଚୁଛି ସଜନା ଡ଼ାଳ ପୁଣି କରୁଛି ପିଠଉ ଦିଆ କଖାରୁ ଫୁଲ ବରା ସାଙ୍ଗକୁ ପଣସ କଠା ଭଜା. ବୋଉ ଏକଥା କହେ ବୋଲି ବାପା ହସନ୍ତି ଓ କହନ୍ତି ହେଲେ ମୋ ଝିଅ ହାତ ସ୍ୱାଦ କିନ୍ତୁ ନିଆରା. ତେବେ ଯାଉନ ଝିଅ ପାଖକୁ. ଯାଆନ୍ତି ଯେ ସେ ତ ପିଲାଦିଟା ଙ୍କ ସହ ସ୍କୁଲ କଥା ବୁଝୁ ବୁଝୁ ନାକେଦମ! ବାପା ସିନା ଆସି କାହାକୁ ହଇରାଣ କରନ୍ତିନି କିନ୍ତୁ ବୋଉ ଭାତ ନବାଢିଲେ ସେ ଖାଆନ୍ତି ନାହିଁ ଶାନ୍ତିରେ ବୋଲି ଆଭା ଜାଣନ୍ତି. ଆଉ ବୋଉକୁ ଏକୁଟିଆ କରି ଚାଲିଗଲା ପରେ ବୋଉ ଭିତର ଶୂନ୍ୟତାକୁ ପରିପୂର୍ଣ୍ଣତା ଦେଇପାରୁନଥିଲେ ପିଲା ଛଅଟା କିନ୍ତୁ ଦେଉଥିଲା ଘର ଓ ଘରେ ଥିବା ସବୁ ସ୍ମୃତି ନହେଲେ ବୋଉ ଆସୁନଥିଲା କାହିଁକି ଘର ଛାଡ଼ି କାହା ପାଖକୁ!
ଆଉଥରେ ବୋର୍ଡ ଖାତା ଦେଖା ସାରି ବୋଉ ପାଖରେ ପହଁଞ୍ଚି ଗଲେ ଆଭା. ବୋଉ ଶୂନ୍ୟରେ ଚାହିଁଲେ ଆଭାକୁ. ବୋଉ ମାଜୁଥିଲା ବାପାଙ୍କ ପାନ ପିକଦାନୀଟାକୁ ଚକ ଚକ କରି ପୁଣି ଝାଡୁଥିଲା ବାପାଙ୍କ ବହି ଭର୍ତ୍ତି କାଚ ଆଲମିରା ଟାକୁ. କହୁଥିଲା ଦେଖୁନୁ ଝିଅ କେତେ ଅଳନ୍ଧୁ ହେଲାଣି ଏସବୁ. ମୁଁ ଆଜି ରହିବି ବୋଉ. ବୋଉ ର ନିସ୍ତେଜ ଦେହରେ ଜୀବନ ପଶିଲା. ଅବିଶ୍ୱାସ ଆଖି ମେଲି କହିଲା ରୁଟି କରିଦେବି ଜୋଇଁ ଙ୍କ ପାଇଁ ନେଇକି ଯିବୁ କି ଝିଅ! ନାଇଁ ଲୋ ବୋଉ ରହିବି ତୋ ପାଖେ ଆଜି. ତଥାପି ବୋଉ କହୁଥିଲା ଜୋଇଁ ରୁଟି ଖାଇବାକୁ ହଇରାଣ ହେବେନି ଝିଅ. ହୁଅନ୍ତୁ କି କିଣି ଖାଆନ୍ତୁ ମୁଁ ରହିବି. ସେଦିନ ରାତିରେ ବୋଉ କେତେ କଥା କରୁଥିଲା ଆଭାଙ୍କ ପାଇଁ. ବଳେଇ ବଳେଇ ଖୁଆଉ ଖୁଆଉ କହୁଥିଲା ଆସୁଥିବୁ ଝିଅ. ଏ ଘର ଦ୍ୱାର ତୋ ଭାଇ ଭଉଣୀ ଙ୍କୁ ଦେଖୁଥିବୁ. ମୁଁ ଆକାଶରେ ରହି ତତେ ଓ ଜୋଇଁ ଙ୍କ ସହ ତୋ ପିଲାଙ୍କୁ ଅମୃତ ଦୃଷ୍ଟିରେ ଚାହିଁଥିବି. ଏବେ ସତକୁ ସତ ବୋଉ ଆକାଶକୁ ଚାଲିଗଲା ପରେ ସେ ଘରେ ପାଦ ଦେବାକୁ କାହିଁକି ଇଛା ହୁଏନି ଆଭାଙ୍କର କେଜାଣି! ଘରର ରୂପରେଖ ବଦଳି ସ୍ମୃତି ଲିଭି ଲିଭି ଆସିଲେ ବି ମନ ତଳେ ସେସବୁ ସାଇତା ହୋଇ ଅଛି ଥିଲା ଥିବ ସମସ୍ତଙ୍କ ଭଳି ଆଭାଙ୍କର ସତ ହେଲେ ଦୀର୍ଘନିଶ୍ଵାସଟିଏ ବାହାରି ଆସି ଭାରି କଷ୍ଟ ହୁଏ ଯନ୍ତ୍ରଣାରେ ଛାତି. ଏବେ ଅସୁସ୍ଥ ଆଭା ଙ୍କୁ ଡକ୍ଟର କୁହନ୍ତି ରୋଗ କିଛି ନାହିଁ ଖାଲି ମାନସିକ.