ପ୍ରକୃତ ଶିକ୍ଷା
ପ୍ରକୃତ ଶିକ୍ଷା
ସାବାସ ପଞ୍ଚମା, ଆଜି ଠାରୁ ତୋତେ ଆମେ ଆଉ ସୁରିଆ ଡ଼ାକିବୁ ନାହିଁ ତୁ ଆମ ଗାଁର ଟେକ ରଖିଲୁ କେଡ଼େ ବଡ଼ ବାବୁ ତୋ' ପାଠକୁ ସରି ହେଲେ ନାହିଁ। ସମ-ସ୍ୱରେ ସଭି ଗ୍ରାମ ପଞ୍ଚାୟତ ବାସୀ ଧନ୍ଯ ଧନ୍ଯ କହି ଉଠିଲେ। ସୁରର ଆଖିରେ ଖୁସିର ଆଶ୍ରୁ। ତା' ଜୀବନେ ଏ ଦିନଟି ଥିଲା ଖୁବ୍ ସ୍ୱତନ୍ତ୍ର।
ସହରଠାରୁ ଦୂର ଏକ ଘଞ୍ଚ ସବୁଜିମା ଚିରି ଲମ୍ବି ଯାଇଥିବା କଚା ସଡ଼କ ମଧ୍ୟ ଦେଇ ଗଲେ ପଡ଼େ ଏକ ଅଖ୍ୟାତ ପଲ୍ଲୀ "ଗୋଡ଼ପୋଛା" , ଏ ନାମକରଣଟା ଅବଶ୍ଯ କିପରି ହେଲା' ତାହା ଗାଁର ବୟୋଜ୍ୟେଷ୍ଠ ବି ଜାଣନ୍ତି ନାହିଁ। ବାହାରୁ ଆସୁଥିବା ଲୋକେ ଥଟ୍ଟାମଜା କରିବା ସ୍ୱାଭାବିକ। ଅବହେଳିତ ଗାଁ ର ସମସ୍ତ ଅଧିବାସୀ ସ୍ୱଚ୍ଛଳତା ଓ ଶିକ୍ଷା ଠାରୁ ବହୁଦୂର। ନାମକୁ ମାତ୍ର ଏକ ବହୁ ପୁରାତନ ପ୍ରାଇମେରୀ ସ୍କୁଲଟିଏ ଯେଉଁଠି ଶିକ୍ଷକଙ୍କ ମାଧ୍ଯମରେ ଚାଲୁଥିଲା ଗତ କିଛିବର୍ଷରୁ ବନ୍ଦ । ବ୍ରିଟିଶ ଅମଳରୁ ଗଢ଼ାଯାଇଥିବା ସ୍କୁଲର ବଖରା ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ତା'କୁ ଜଙ୍ଗଲୀ ଗଛଲଟାମାନ ବେଢ଼ି ବସିଛି । ଗାଁ ଖଣ୍ଡିକକୁ ବିଜୁଳି ଆଜି ବି ସ୍ୱପ୍ନ। ସ୍ୱାଧୀନତାର ସ୍ପର୍ଶ ଯେପରି ଗାଆଁଟି ଦେଖି ପାରିନଥିଲା! ଲୋକସଂଖ୍ୟା ବହୁତ କମ। ଘର କହିଲେ ମାଟିର ତିଆରି କିଛି ଛାଳଛପର ଗୁଡ଼ିଏ। ଦିନ ବେଳା ଚଳଚଞ୍ଚଳ ଗାଁ ସୂର୍ଯ୍ଯ ନଇଁଲେ ନିଛାଟିଆ। ଚାଷବାସ ହିଁ ମୁଖ୍ଯ ଜୀବିକା।
କିଛି ବର୍ଷରୁ ସେଇ ଗାଁ'ର ଆବଡ଼ ଖାବଡ ସଡ଼କ ଦେଇ କିଛି ସହରବାସୀଙ୍କ ଗାଡ଼ିରେ ଯା'ଆସ ।ବହୁ ପୁରାତନ କାଳର ଝାଡ଼ଝାଡ଼େଶ୍ୱରୀ ମନ୍ଦିରଟି ଗତ କିଛି ବର୍ଷରୁ ପର୍ଯ୍ଯଟନ ସ୍ଥଳୀଟିଏ ପାଲଟିଛି। ଦୂରଦୂରାନ୍ତରୁ ଛୁଟିଆସୁଥିବା ପର୍ଯ୍ଯଟକ ସେ ବାଟ ଦେଇ ଗଲେ ବହୁ ହୀନସ୍ତା ଭୋଗନ୍ତି, ଅନ୍ଯବାଟଟିଏ ସେଠାକୁ ଯିବାକୁ ଯଦିଓ ଅଛି କିନ୍ତୁ ପାଖବାଟ ଜାଣି କେହିକେହି ଗାଁ ରାସ୍ତା ଦେଇ ଅତିକ୍ରମ କରନ୍ତି। ମଳି ମୁଣ୍ଡିଆ ଜୀବନ ହେଲେ ବି ସେମାନେ ଏହା ଦେଖି ଦୁଃଖ କରନ୍ତି। ଏମାନେ ଅବା କରିପାରିବେ କ'ଣ ।
ବାପ ମରିଯିବା ପରେ ଗାଁର "ପଞ୍ଚମା" ଘରକୁ ଲେଉଟିଛି, ଅବଶ୍ଯ ଏଇ ନାଆଁଟା ଇସ୍କୁଲ ମାଷ୍ଟର ଦେଇଥିଲେ, ପ୍ରକୃତ ନାମଟି ଚଗଲା । ପଞ୍ଚମ କକ୍ଷ ଉତ୍ତିର୍ଣ୍ଣ ହୋଇଥିବାରୁ ତାହାର ଗାଁରେ ବହୁତ ଖାତିର। ନାମକୁ ଗାଆଁଟି ଭିତରେ କେହି ଶିକ୍ଷିତ, ଅଧିକତର ମଣିଷ ଦ୍ୱିତୀୟ ଶ୍ରେଣୀରୁ ପାଠପଢ଼ା ଛାଡ଼ିଛନ୍ତି, ବୋପାଜେଜେ କହୁଥିଲେ କାମକର; ଏ ପାଠୁଆ ହେଲେ ' କାମ କରିବାକୁ ଲାଜ ପଶିବ ଭୋକିଲା ମରିବ! ଯାହା ଆମ ଚଗଲା କରିଥିଲା ପାଠ ଅଧିକ ଟିକେ ପଢ଼ି ଗାଆଁ ଛାଡ଼ି ସହରକୁ ୪/୫ ବରଷରୁ ଯାଇଥିଲା ଆସିଛି ଖଣ୍ଡିଆ ଭୂତ ପରି, ଯେ କେହି ଦେଖିଥିଲା ଡ଼ରିଯାଇଥିଲା।
ଆରେ' ଚଗଲା ; ତୋର ଦେହ କ'ଣ ପାଇଁ ଏମିତି ଦିଶୁଛି ସତେ ମଶାଣିରୁ ଉଠି ଆସିଛୁ । ଚଗଲା' ବି ବେପାରୁଆ ଉତ୍ତର ଦେଇଛି:- "ଭାବିଥିଲି ପାଠପଢ଼ି ତୀର ମାରିବି ସହରରେ ଖାଇବାକୁ ଢଙ୍ଗରେ ମିଳିଲା ନାହିଁ। ଗାଆଁକୁ ଆସିବାକୁ ଖରାପ ଲାଗୁଥିଲା ବୋପା' ତ ଚାଲିଗଲା,ମାଆ ପାଖରେ ରହି ପିଲାଦିନରୁ ଶିଖିଥିବା ଚାଷକାମଟାକୁ କରିବି। ଏଇଠି ଦେହ ପା' ଟାକୁ ସଜାଡ଼ି ନେବି ଦେଖିବୁ।" ଟୋକାଟାର ପ୍ରଖର ବୁଦ୍ଧି।
ସହରରେ ଗୋଟିଏ ଗ୍ଯାରେଜରେ ଗାଡ଼ି ସଜାଡ଼ି ସେ ଚଳୁଥିଲା। ମାଲିକ ବହୁତ ବାଡ଼ାଏ କିନ୍ତୁ କାମ ତିକ ଆୟତ୍ତ କରିନେଇ ପାରିଥିଲା ।ଗାଁର ପୁରୁଖା ଲୋକଙ୍କ କଥାରେ ସେ ନିଜ ଚାଳ ଘର କାନ୍ଥରେ ଲେଖିରଖିଛି :- " ଏଠାରେ ମୋଟରଯାନ ମରାମତି କରାଯାଏ।" ତା' ହାତରେ ଯାଦୁ ଅଛି ବୋଲି ସହରରେ ସମସ୍ତେ କହୁଥିଲେ କିନ୍ତୁ ମାଲିକର କର୍କଶ ସ୍ୱଭାବ ତାକୁ ଭଲ ଲାଗୁନଥିଲା ଗାଆଁରେ ହୁଏତ ଶିଖିଥିବା କଳାରୁ କିଛି ଉପାର୍ଜନ ହୋଇଯିବ ବୋଲି ତାର ଛୋଟ ଆଶାଟିଏ ଥିଲା। ହେଲେ ସେମିତି କିଛି ମନମୁତାବକ କାମ ଯୁଟିଲା ନାହିଁ। ସେଠାକୁ ଅବା ମୋଟରକାର ସଜାଡ଼ିବାକୁ କିଏ ଆସିବ ।
ଚଗଲା ଏବେ ଚାଷ କରିବାରେ ଖୁବ ମନ ଢ଼ାଳିଛି ମା' ସାହାଯ୍ଯ କରେ, ଫସଲ ବି ଭଲ ହୁଏ। ସହରରୁ ବେପାରୀମାନେ ଗାଡ଼ିରେ ଆସି ନିୟମିତ କିଣି ନେଇଥାନ୍ତି। ଟଙ୍କାପଇସାରେ ଆଜିକାଲି ତାକୁ ଆଉ ଅନଟନ ନ ଥିଲା।
ଗଲା ଦୁଇଦିନରୁ ତୁହାକୁତୁହା ଝଡ଼ ବର୍ଷା, ଘଞ୍ଚ ସବୁଜିମା ଭିତର ଦେଇ ଯାଇଥିବା କଚା ସଡ଼କଟି କାଦୁଅ ଜଡ଼ସଡ଼ । ହାତଗଣତି ଲେକେ ନିଜନିଜ ଚାଳିଆ ଭିତରୁ ପ୍ରାୟ ବାହାରୁ ନ ଥିଲେ। ସେଇ ଭୀଷଣ ବର୍ଷାରେ ଗାଁ'ର କଚାରାସ୍ତାରେ ଅଟକି ଯାଇଥାଏ ଏକ ଆଭିଜାତ୍ୟ ପରିବାରର ସ୍କର୍ପିଓ ଗାଡ଼ିଟିଏ। ଭିତରେ ଚାରୋଟି ପ୍ରାଣୀ। ଚାରିଆଡ଼େ ପାଣି। ଗାଡ଼ି ଆଉ ଷ୍ଟାର୍ଟ ହେଉନଥିଲା। ଅସ୍ତବ୍ୟସ୍ତ ହେଇଥିଲା ସମସ୍ତ ପରିବାରଟି। ଏ ଦୁର୍ଗମ ଅଞ୍ଚଳରେ ଗାଡ଼ିକୁ ସଜାଡିବା ଲୋକ ମିଳିବା କଷ୍ଟକର ବୋଲି ଧରି ନେଇଥିଲେ। ଆଖପାଖରୁ କୌଣସି ସହାୟତାର ଆଶା ନ ଥିଲା। ଭିତରେ ଥିଲେ ଜଣେ ବିଶିଷ୍ଟ ଶିଳ୍ପପତି ଡଃ ଦେବୀପ୍ରସନ୍ନ ଛୋଟରାୟ। ସହରରେ ତାଙ୍କର ବହୁ କାଟତି, ଆଜି ନିରୁପାୟ।
ପ୍ରତିକୂଳ ପରିସ୍ଥିତିରେ ବିଚଳିତ ହେବା ଦେଖାଯାଇଛି, ମୋବାଇଲ ଫୋନ ଲାଗୁନଥାଏ, ବର୍ଷା ଥମିବାର ନ ଥିଲା। କାଁ ଭାଁ ପାଖ ଦେଇ ଯାଉଥିବା ଫୁଙ୍ଗୁଳା ଲୋକମାନେ ଖାଲି ଜୁକୁଜୁକୁ ନିରେଖି ନିଜ ବାଟ କାଟୁଥିଲେ। ଗାଡ଼ିର ଝରକା ଗୁଡ଼ିକ ସାମାନ୍ୟ ଓହ୍ଲାଇ ବାହାରକୁ ଦେଖୁଥାନ୍ତି। ହଠାତ୍ ଦିଓଟି ଛୋଟ ପିଲା ତାଳପତ୍ର ବରଡ଼ାକୁ ମୁଣ୍ଡାଇ ଯାଉଯାଉ ଅଟକି ଗଲେ ଓ ଗାଡ଼ିକୁ ଚାହିଁଲେ!
ଛୋଟ ଝିଅଟି କହିଲା; କନ ଗାଡ଼ି ଖଲାପ ହେଇଯାଇଛି! ଛୁଲ କକାକୁ ଦାକି ଦେବି.....!.... ଛ'ଜାଲି ଦେବେ। ଦେହରେ ଜାମାପଟା ଅତି ମଳିନ, ହେଲେ ବି ମନଟି ତା'ର ପ୍ରଜାପତି ସମାନ ଦିଶୁଥାଏ, କୁନିକୁନି ପାଦରେ ଦୁହେଁ ଡେଇଁଡ଼େଇଁ ସେଠାରୁ ନିମିଷକେ ଉଭାନ ହୋଇଗଲେ।
ଛୋଟରାୟ ବାବୁ ବିସ୍ମିତ ହେବା ସହ ମନ ଭିତରେ କ୍ଷୀଣ ଆଶା ଭରିଥିଲେ। ଅନ୍ଯମନସ୍କତା ଭିତରେ କେତେବେଳେ ହଁ ଭରିସାରିଥିଲେ।
ଏହା ଭିତରେ ଅଧଘଣ୍ଟା ବିତି ଯାଇଛି। ଉଦବେଗ ବଢ଼ିଛି। ଭିତରେ ଝିଅ କହିଛି:- ଡ଼ାଡ଼ ; କେତେବେଳେ ମେକାନିକ ଆସିବ...? ସତେ ଯେପରି ଏ ପ୍ରଶ୍ନର ଉତ୍ତର ଦେବାକୁ ସେ ଆଜି ଅକ୍ଷମ। ଆକାଶରେ ଘନଘନ ବିଜୁଳି ଓ ଘଡଘଡି।
ଜାଣେନା...., ଶିଳ୍ପପତି ନିରାଶାଜନକ ଉତ୍ତର ରଖିଛନ୍ତି।
ଗାଡ଼ି ଭିତରେ ମୋବାଇଲ ଫୋନରୁ ଗେମ ଖେଳି ପୁଅଝିଅ ସମୟ ବିତାଉଥାନ୍ତି। ମିସେସ୍ ଛୋଟରାୟ ଇଂରାଜିରେ ଗରଗର ହେଉଥିଲେ। ମ୍ଯାଗାଜିନର ପୃଷ୍ଠା ଗୁଡ଼ିକ ଲେଉଟାଉ କହି ବସିଲେ:- ଡ୍ରାଇଭରଟାକୁ ନେଇ ଆସିଥିଲେ ସବୁ ମ୍ଯାନେଜ କରିପାରିଥାନ୍ତା...ଇତ୍ଯାଦି..ଇତ୍ଯାଦି !! ଗାଡ଼ି ଭିତରେ ସକାଳୁ ସଞ୍ଜ ହେବାକୁ ଯାଉଥାଏ।
ଶ୍ଯାମଳ ବର୍ଣ୍ଣର ଏକ ଯୁବକଟିଏ ହଠାତ୍ ସାମ୍ନାରେ ଆସି ଛିଡ଼ାହେଲା। ବର୍ଷାରେ ସମ୍ପୂର୍ଣ୍ଣ ଓଦା। ହାତରେ ଏକ ଜରି ବ୍ଯାଗ। ସାର୍ ; ଗାଡ଼ି ମୁଁ ଠିକ କରିଦେଇପାରିବି।
ସମ୍ପୂର୍ଣ୍ଣ ପରିିବାର ଆଶ୍ଚର୍ଯ୍ଯ। କ୍ଷୀଣ ସ୍ୱାସ୍ଥ୍ୟ, ଲଜ୍ଜା ଢାଙ୍କିବାକୁ ଗାମୁଛା ଖଣ୍ଡିଏ ଯାହା ପିନ୍ଧିଥାଏ। ଚାଷୀ ଭଳି ଦିଶୁଥିଲା।
ଶିଳ୍ପପତି ପଚାରିଲେ ଆଗରୁ ଗାଡ଼ିକାମ କରିଅଛ କି ?
ସୁରିଆ:- ସାର, ସହରରେ ଥିଲାବେଳେ ଶିଖିଛି।
ଶିଳ୍ପପତି:- ଆଛା; ଦେଖ ।
ସୁରିଆ :- ଗାଡ଼ି ଚାବିକାଠି ନେଇ ଷ୍ଟାର୍ଟ କରିବାକୁ ଚେଷ୍ଟା କରି ଶବ୍ଦକୁ ଠଉରାଇଲା, ଗୋଟାଏ ନୁହେଁ ଦିଇଟା ଅସୁବିଧା ରହିଛି ବୋଲି କହିଲା। ଏ କଥା ଶୁଣି ସେ ହତବାକ୍ ରହିଗଲେ ।
ଶିଳ୍ପପତି:- ହଁ, କିଛିଦିନରୁ ସମସ୍ୟା କରୁଅଛି। ଗାଡ଼ି ବହୁଥର ଗ୍ଯାରେଜ୍ ଯାଇଛି, ହେଲେ କମ୍ପାନୀ ମେକାନିକ୍ ଧରି ପାରୁନାହିଁ!
ସୁରିଆ:- ମୁଁ କରିଦେବି, ଆପଣ ଗାଡ଼ିରେ ବସିଥାନ୍ତୁ।
ଓଦା ଜଡ଼ସଡ଼ରେ ସୁରିଆ ଗାଡ଼ିର ସାମ୍ନା ଖୋଲି କିଛି ଖୋଲାଖେଲି କରି ପୁନଃ ଲଗାଇଲା, ପରେ ଗାଡ଼ି ତଳେ ବାକି କାମତିକ କିଛି ଶେଷକରି ବାହାରକୁ ଆସିଲା। ଦେହସାରା କାଦୁଅ ହୋଇଯାଇଥାଏ। ମୁହଁରେ ଅପୂର୍ବ ଖୁସି।
ସୁରିଆ:- ସାର, ଏଥର ଗାଡ଼ି ଷ୍ଟାର୍ଟ କରନ୍ତୁ ହୋଇଗଲା, ଆଗକୁ ଏ କାମଲାଗି ଆଉ କମ୍ପାନୀ ୱାର୍କସପ୍ କୁ ଯିବାକୁ ହେବନି।
ଶିଳ୍ପପତି:- ଗାଡ଼ିକୁ ଷ୍ଟାର୍ଟ କରିଲେ ଯେପରି ନୂଆ ଜୀବନ ପାଇଯାଇଥିଲା ପୂର୍ବ ସାଉଁଣ୍ଡ ବି ଏବେ ନାହିଁ। ବହୁତ ଆଶ୍ଚର୍ଯ୍ଯ ହେଲେ ଗାଆଁ ପିଲାଟାର ଏତେ ବୁଦ୍ଧି !!! ଚକିତ ହୋଇଯାଇଥିଲେ ଭଲଭଲ ଟେକ୍ନିସିଆନ୍ ଫେଲ ମାରିଥିଲେ।
ପାଟିରେ ପ୍ରଂଶସା କରିବାର ଶବ୍ଦ ପ୍ରାୟ ନ ଥିଲା ପୁରା ପରିବାର ଝୁମି ଉଠିଥିଲା। ଶିଳ୍ପପତି କହିଲେ; ୱେଲ୍ ଡନ୍ ବୟ, ବଟ୍... ତୁମେ ସହର ଛାଡ଼ି ଏଠି କାହିଁକି ରହିଛ! ତୁମେ ମୋ ସଙ୍ଗେ ଚାଲ ମୁଁ ତୁମକୁ ବଢ଼ିଆ ଜବ୍ କରାଇଦେବି । ଏକ ଭିଜିଟିଂ କାର୍ଡ଼ ସହ ନିଜ ପର୍ସ ଭିତରୁ ଦୁଇହଜାର ଟଙ୍କା ହାତକୁ ବଢ଼ାଇ ଦେଲେ।
ସୁରିଆ ସଙ୍କୋଚ କଲା ଏବଂ ଉତ୍ତର ଦେଲା :- ସାର୍; ମୋତେ ଶହେ ଟଙ୍କା ବହୁତ ଏତେ ଟଙ୍କା କଣ କରିବି ? ମୋ ପ୍ରାପ୍ଯ ଯେତିକି ସେତିକି ଯଥେଷ୍ଟ।
ଖୁବ ସାଧାସିଧା ସରଳ ଯୁବକଟିକୁ ନିସ୍ୱାର୍ଥପର ଭାବକୁ ଖୁବ ପାଖରୁ ଭେଟିଥିଲେ।
ଶିଳ୍ପପତିଙ୍କ ଆଖି ଛଳଛଳ ହୋଇ ଉଠିଲା। ସହର କେବଳ ଟଙ୍କାର ଭାଷା ବୁଝେ କିନ୍ତୁ ସେ ଆଜି କିଛି ଅଲଗା ଦେଖୁଥାନ୍ତି! କୌଣସି ମଳିମୁଣ୍ଡିଆ ମଣିଷଙ୍କୁ ପସନ୍ଦ କରୁନଥିବା ଶିଳ୍ପପତି ଦେବୀପ୍ରସନ୍ନ ବାବୁ ଗାଡ଼ି ବାହାରକୁ ଆସି ସୁରିଆକୁ କୁଣ୍ଢାଇପକାଇଲେ ! ପୁରା ପରିବାର ସ୍ତମ୍ଭୀଭୂତ। କାରଣ ସେମାନେ ଜାଣିଥିଲେ।
ବଡ଼ବଡ଼ ପୁଞ୍ଜିପତିମାନଙ୍କୁ କେବଳ କରାଗ୍ରତ କରୁଥିବା ମଣିଷ ଆଜି ସାମାନ୍ୟ ଗାଆଁ ଲୋକଟିକୁ କୋଳାଇ ଧରିଥିଲା। ସୁରିଆ ସହ ଶିଳ୍ପପତି ଜଣକ ଓଦା ଜଡ଼ସଡ଼। ଏଥିପ୍ରତି ତିଳେ ହେଁ ଅନୁଶୋଚନା ମନରେ ଦେଖା ଯାଉନଥିଲା।
ସେଇଠି ଛିଡ଼ହୋଇ ଶ୍ରୀଯୁକ୍ତ ଦେବୀପ୍ରସନ୍ନ ବାବୁ ପ୍ରଶ୍ନ କରିଛନ୍ତି; ତେବେ ତୁମେ ଏଠାରେ ଗୋଟିଏ ଗ୍ଯାରେଜ୍ ତିଆରି କାହିଁକି କରୁନାହିଁ, ବୋର୍ଡ ଟିଏ ମାରିଦେଲେ ଅନେକ କାମ ବି ପାଇପାରନ୍ତ। ଆଉ ଲୋକେ ଉପକୃତ ହୋଇପାରନ୍ତେ।
ସୁରିଆ:- ଛିଡ଼ା ହୋଇଥିବା ସ୍ଥାନରୁ ଅନ୍ୟ ପଟକୁ ଆଙ୍ଗୁଳିରେ ସେଠାରେ ଲେଖି ରଖିଥିବା ଜଣାଇଅଛି।
ଶିଳ୍ପପତି ଓ ତାଙ୍କ ପରିବାର ହତବାକ୍ । ସେମାନେ ଓଡିଆ ହୋଇ ମଧ୍ୟ ଓଡ଼ିଆ ପଢ଼ି ଜାଣି ନ ଥିବାରୁ ଲଜ୍ଜାବୋଧ କରିଛନ୍ତି ଓ ଦୁଃଖିତ ମଧ୍ଯ।
ଦେବୀପ୍ରସନ୍ନ ବାବୁ ତତ୍କ୍ଷଣାତ୍ କହିଅଛନ୍ତି ଆମ ଶିକ୍ଷା ଲାଭର ମୂଲ୍ଯ ଆଜି ତୁମ ଆଗରେ ଫିକା ପଡ଼ିଗଲା । ପିଲାଦିନେ ଆମ ଗୁରୁଜନ ଠିକ କହୁଥିଲେ ବିଦେଶୀ ପାଠ ପଢ କିନ୍ତୁ ତାହା ସହ ନିଜ ମାତୃଭୂମି ଭାଷା ଆଗ। ସତରେ ତୁମେ ଧନ୍ଯ। ହୋଇପାରେ ମୁଁ ଉଚ୍ଚ ଶିକ୍ଷିତ କିନ୍ତୁ ବାସ୍ତବରେ ତୁମେ ଏ ମାଟିର ମହକ। ମୋତେ ଓ ମୋ ପରିବାରକୁ ଉଚିତ ଶିକ୍ଷା ଟିଏ ଦେଲ।
ଆଜି ଠାରୁ ମୋ' ପରିବାର ଏ ଗାଆଁକୁ ପୋଷ୍ଯ ସନ୍ତାନ ଭଳି ଦେଖାଶୁଣା କରିବ । ପ୍ରତିଟି ଆବଶ୍ଯକତା ପୁରଣ କରାଇବ। ସେତେବେଳକୁ କିଛି ଗାଆଁ ବାସୀ ଉପସ୍ଥିତ ହୋଇ ସାରିଥାନ୍ତି। ସଭିଙ୍କ ଆଖିରେ ଖୁସିର ଫୁଆରା।
କିଛି ଦିନ ଭିତରେ ସମଗ୍ର ଗାଆଁରେ ଅନେକ କିଛି ପରିବର୍ତ୍ତନ ଆସିପାରିଛି, ଆଉ ଆଜି ସଭାରେ ସେ ସବୁ କଥାକୁ ମନ ପକାଇ ନିଜ ବାପାଙ୍କୁ ଧନ୍ଯବାଦ ଦେଇଛି ଓ ତା' ମା ପୁଅର ମଥାରେ ଖୁସିର ଚୁମ୍ବନଟିଏ ପାରି ଦେଇଛି। ସମଗ୍ର ଗାଁ ବାସୀ କର ତାଳି ଦେଇ ତାକୁ ଅଭିବାଦନ ଜଣାଇଛି।
