ପ୍ରକୃୃୃୃୃୃୃୃୃୃତି ଓ କାଶତଣ୍ଡି
ପ୍ରକୃୃୃୃୃୃୃୃୃୃତି ଓ କାଶତଣ୍ଡି
ପ୍ରକୃତି ଚଳଚଞ୍ଚଳା କିଶୋରୀ ଅନୁଢ଼ାଟିଏ | ଚାଲିରେ ଚହଲିଯାଏ ପବନର ବେଗ | ହସି ହସି ଲୋଟି ପଡ଼େ | ଆଉ ତାହାରି ହସରେ ହସି ହସି ବେଦମ୍ ହୋଇଯାଆନ୍ତି କାଶି | ଖୁବ୍ ନିବିଡ଼ ସେମାନଙ୍କର ସଂପର୍କର ମହାସେତୁ | ପ୍ରକୃତି ଚାଲିଥିଲା ଯେ ଚାଲିଥିଲା | ଚାଲିରେ ବିରାମ ନାହିଁ | ପତର ଦେହରୁ ଥପ୍ ଥପ୍ ମୁକ୍ତା ଗୁଡ଼ାକ ଖସି ପଡ଼ୁଥାନ୍ତି | ଚଢ଼େଇମାନେ ଦୂରରୁ ଦୂରକୁ ଉଡ଼ିଯାଉଥାନ୍ତି | ପରମାନଙ୍କରୁ ଝରିପଡ଼ୁଥାଏ ଅବ୍ୟକ୍ତ ପ୍ରେମର ରସ | ସାରା ଆକାଶରୁ ମାଟି ଯାଏ ରସସିକ୍ତ ହେଉଥାଏ ଘାସ ଆଉ ମନ | ମନର ଆବେଗକୁ ବୁଝି ପାରୁଥାଏ କାଶି | ଦୁହେଁ ଏବେ ଖୁବ୍ ପାଖାପାଖି | ଆକାଶର ମେଘଖଣ୍ଡ ଗୁଡ଼ାକ ପାଗଳ ହୋଇଗଲେଣି | ନିଜ ଭିତରେ ଗଣ୍ଡଗୋଳ କରି ଚାଲିଯାଉଥାନ୍ତି | ଖାଲି ରହିଯାଇଥାନ୍ତି ଧଳା ମେଘ ଖଣ୍ଡଗୁଡ଼ା | ପ୍ରକୃତି ଆହୁରି ସୁନ୍ଦରୀ ଦେଖାଯାଉଥାନ୍ତି | ତା ଚାରିପାଖର ପରିବେଶ ସୌନ୍ଦର୍ଯ୍ୟରେ ଭାଙ୍ଗି ପଡ଼ୁଥାଏ | କାଶି ଆଉ ପ୍ରକୃତି ସମାନ୍ତରାଳ ଭାବରେ ଯାଉଥାନ୍ତି | କଥାରେ କଥାରେ ଝରି ପଡ଼ୁଥାଏ ହସର ଫୁଆରା | ହଠାତ୍ କ'ଣ ହେଲା କେଜାଣି କାଶି ଝୁଣ୍ଟି ପଡ଼ିଲା | ଦେଖୁ ଦେଖୁ କାଶି ଅଥୟ ହୋଇପଡ଼ିଲା | ପ୍ରକୃତି କାଶିକୁ ହାତରେ ଉଠେଇ ଧରିଲେ | କିନ୍ତୁ ସେତେବେଳେ ଆଉ କାଶିର ଜୀବନ ନଥିଲା | କାନ୍ଦି କାନ୍ଦି ଲୋଟି ପଡ଼ିଲା ପ୍ରକୃତି | ସବୁ ଯେମିତି ସ୍ଥିର ହୋଇଗଲା | କାଶିକୁ କୋଳରେ ଧରି ପ୍ରକୃତି ଶୋଇଗଲା ଯେ ଶୋଇଗଲା | ଆଉ କେବେ ଉଠିଲା ନାହିଁ | ଠିକ୍ ସେତିକିବେଳେ ଆକାଶର ଧଳା ମେଘଖଣ୍ଡଗୁଡ଼ିକ ଦୂରକୁ ଯାଇ ବ୍ରହ୍ମାଙ୍କୁ ଖବର ଦେଲେ | ବ୍ରହ୍ମାଙ୍କର ସୃଷ୍ଟିରେ ଏ କି ଅରିଷ୍ଟ ! ବ୍ରହ୍ମା ବି ବିବ୍ରତ ହୋଇପଡ଼ିଲେ | ତାଙ୍କରି କର ସ୍ପର୍ଶରେ ପ୍ରକୃତି ବଦଳିଗଲା ମର୍ତ୍ତ୍ୟ ବୈକୁଣ୍ଠ ପ୍ରକୃତି ହୋଇ | ସୁନିର୍ମଳ ଜଳରାଶି ବହିଗଲା | ମର୍ତ୍ତ୍ୟ ପ୍ରକୃତି ଅପରୂପ ଶୋଭାରେ ଭରପୁର ହୋଇଉଠିଲା | ବ୍ରହ୍ମା ପୁଣି କାଶି ମୁଣ୍ଡରେ ହାତ ବୁଲାଇଦେଲେ | କାଶି ଆଉ କାଶି ହୋଇ ଉଠିଲେ ନାହିଁ | କାଶି ପ୍ରକୃତି କୋଳରେ କାଶତଣ୍ଡୀ ଫୁଲ ହୋଇ ଧବଳ ବର୍ଣ୍ଣ ଧାରଣ କରି ହସିଉଠିଲା | ସେ ସମୟ ଥିଲା ଶରତ ଋତୁ | ପ୍ରତିବର୍ଷ ଶରତ ସମୟ ଆସିଲେ ପ୍ରକୃତି ଓ କାଶତଣ୍ଡୀ ହସି ଉଠନ୍ତି | ମାଆ ଦୁର୍ଗାଙ୍କର ଆଗମନ ହୁଏ | କାଶି ତ ଆଉ କାହାର ହୋଇ ପାରିଲା ନାହିଁ | ସେହି କାଶି କାଶତଣ୍ଡୀ କେବଳ ମାଆ ଦୁର୍ଗାଙ୍କର ପୂଜାରେ ଲାଗିହେଲା | କାଶତଣ୍ଡୀ ପ୍ରକୃତିର ଶୋଭା ବର୍ଦ୍ଧନ କରି ମାଆଙ୍କର ସେବାରେ ନିଜକୁ ସମର୍ପଣ କରିଦେଲା | ନିଜ ଜୀବନର ସାର୍ଥକତା କାଶତଣ୍ଡୀ ଖୋଜୁଥିଲା ଶରତ ପ୍ରକୃତିରେ |
