Lipsa Panda

Inspirational

1.0  

Lipsa Panda

Inspirational

ପରୀକ୍ଷା ଫଳ ଓ ବାସ୍ତବତା

ପରୀକ୍ଷା ଫଳ ଓ ବାସ୍ତବତା

3 mins
7.5K


ପରୀକ୍ଷା ପରେ ଆସେ ରେଜଲ୍ଟ ବାହାରିବା ଘଡ଼ି। ପ୍ରତିଦିନ କିଛି ନା କିଛି ପରୀକ୍ଷା ଫଳ ପ୍ରକାଶ ପାଇବା ସହ ଶୁଣିବାକୁ ମିଳେ ପରୀକ୍ଷାରେ କମ୍ ନମ୍ବର ରଖିଥିବା ପିଲାମାନଙ୍କ ଉପରେ ପଡୁଥିବା କିଛି ସାଂଘାତିକ ପ୍ରଭାବ ଜନିତ ଖବର ସବୁ । କୋଉଠି ନିରାଶ ବାପା ମାଆଙ୍କର କାଣ୍ଡ କାରନାମା ତ କୋଉଠି ଛୁଆଙ୍କର ହତାଶ ହୋଇ ନେଉଥିବା ଭୟଙ୍କର ପଦକ୍ଷେପ ସବୁର ନଜିର୍ ଦେଖିବାକୁ ମିଳେ। ଏ ସମ୍ବନ୍ଧରେ ମୋର ମଧ୍ୟ ଏକ ତିକ୍ତ ଅଭିଜ୍ଞତା ରହିଛି ।

ମାମୁଁଘର ଗାଁରେ ରହି ଦଶମ ଶ୍ରେଣୀ ଯାଏଁ ପଢ଼ିଛି। ପାଖ ଆଖ ଗାଁ ସବୁ ଅପେକ୍ଷା ଆମ ଗାଁ ସ୍କୁଲଟି ଥିଲା ନାଁ କରା। କାରଣ ଥିଲା ଆମ ସମୟରେ ସ୍କୁଲରେ ଥିବା ଶିକ୍ଷକ ମାନଙ୍କର ଶିକ୍ଷାଦାନ ଶୈଳୀ। ସବୁ ଶିକ୍ଷକ ନିଜ ନିଜ ବିଷୟରେ ଥିଲେ ପାରଦର୍ଶୀ। ଏଣୁ ଆମ ଗାଁର ରେଜଲ୍ଟ ପ୍ରାୟତଃ ନିକଟବର୍ତ୍ତୀ ସମସ୍ତ ଗାଁ ଠାରୁ ଭଲ ଥାଏ।

ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ବେଳେ ସର୍ବାଧିକ ମାର୍କ ରଖି ସୁଦ୍ଧା “ଝିଅ ପିଲା” ହେତୁ ଓ ଘର ଲୋକଙ୍କ ଉଦାସୀନତା ହେତୁ ‘ତିନି’ ରୋଲ୍ ନମ୍ବରରେ ସନ୍ତୁଷ୍ଟ ହୋଇ ସାଂଘାତିକ ଭାବେ ଆହତ ଥିବା ମନଟା କିନ୍ତୁ ହାଇସ୍କୁଲ୍ କୁ ଆସିବା ପରେ ପ୍ରିୟ ଶିକ୍ଷକ ମାନଙ୍କ ସ୍ନେହ ଶ୍ରଦ୍ଧା ଓ ନିରପେକ୍ଷତା ହେତୁ ସଜାଡ଼ି ହେଇ ଆସିଥାଏ।

ଗାଁ ରେ ଭଲ ଛାତ୍ରୀ ହିସାବରେ ସମସ୍ତଙ୍କର ଆଶା ଥିଲା ଯେ ମୁଁ ନିଶ୍ଚୟ ସେବେ ଯାଏଁ ର ଆମ ଗାଁର ସର୍ବୋଚ୍ଚ ମାର୍କର ରେକର୍ଡ଼ ଭାଙ୍ଗିବି ଓ ନିହାତି ଭଲ ମାର୍କ ରଖି ଗାଁ ସ୍କୁଲ ର ନାଁ ରଖିବି ଜିଲ୍ଲାରେ।

କିନ୍ତୁ ସମସ୍ତଙ୍କୁ ନିରାଶ କରି ସେ ଯାଏଁ ରେକର୍ଡ଼ ଥିବା ସର୍ବୋଚ୍ଚ ମାର୍କ ରୁ ଏକ ନମ୍ବର କମ୍ ଆଣିଲି ଦଶମ ବୋର୍ଡ଼ ପରୀକ୍ଷାରେ। ନିଜ ମନ ଯାହା ଭାଙ୍ଗିଲା ଭାଙ୍ଗିଲା, ମୋ ଉପରେ ଏତେ ଆଶା, ବିଶ୍ବାସ ରଖିଥିବା ନିଜର ଲୋକ ମାନଙ୍କୁ ନିରାଶ କରି ଦେବାର ଦୁଃଖରେ ଭାଙ୍ଗି ପଡ଼ିଲି ସମ୍ପୂର୍ଣ୍ଣ ଭାବେ। “ଯୋଉ ମାର୍କ ଆଣିଛୁ, ସେଥିରେ କୁକୁର ବି ମୁତିବନି” ଏମିତି ଆକ୍ଷେପ ସୁଦ୍ଧା ଘରୁ ଶୁଣି ହଜମ କରିବାକୁ ପଡ଼ିଲା। କାହିଁକି କମିଲା, କଣ ଅସୁବିଧା ହେଲା ଇତ୍ୟାଦିର ଯୁକ୍ତି କାହା ଆଗରେ ନ ରଖି, ନିଜ କଷ୍ଟକୁ ଛାତି ଭିତରେ କବର ଦେଇ, ମନକୁ ଦୃଢ଼ କରି ଆଗକୁ ବଢ଼ିଲି। କଲେଜ ପଢ଼ା ପାଇଁ ଗାଁ ଛାଡ଼ିଲି।

ପ୍ରାୟ ପାଞ୍ଚ ବର୍ଷ ପରେ ଗାଁ କୁ ଯାଇଥାଏ। ମୋ ସାଙ୍ଗ ଘରକୁ ଯିବାବେଳେ ଦେଖାହେଲେ ମୋ ସାହିତ୍ୟ ଓ ଇତିହାସର ଶିକ୍ଷକ, ଯାହାଙ୍କ ପଢ଼ା ଶୈଳୀ ଓ ଶବ୍ଦ ସଂଯୋଜନା ମୋ ମନରେ ଓଡ଼ିଆ ଭାଷା ପାଇଁ ଆଗ୍ରହ ଜନ୍ମେଇ ଥିଲା ମୋ ଆଦ୍ୟ କୈଶୋରରେ। ସେ ନିଜ ସାହିର ଅନ୍ୟ କିଛି ମାନ୍ୟ ଗଣ୍ଯ ବ୍ୟକ୍ତିଙ୍କ ସହ ବସିଥାନ୍ତି ଦାଣ୍ଡ ପିଣ୍ଡାରେ। ନିତାନ୍ତ ଲାଜକୁଳୀ ସ୍ଵଭାବ ହେତୁ ଓ ଶିକ୍ଷକ ମାନଙ୍କ ପ୍ରତି ଥିବା ସମ୍ଭ୍ରମବୋଧ ହେତୁ ଚୁପ୍ ଚାପ୍ ସାର୍ ଙ୍କୁ ଓ ଅନ୍ୟ ମାନଙ୍କୁ ମୁଣ୍ଡିଆ ମାରି ଫେରିବାକୁ ଉଦ୍ୟତ ହେଲାବେଳେ ସାର୍ ମତେ ଅଟକେଇ ମୋ ଭଲ ମନ୍ଦ ପଚାରିଲେ। ଅନ୍ୟ ମାନଙ୍କୁ ମୋ ପରିଚୟ ଦବାକୁ ଯାଇ କହିଲେ “ଇଏ ହେଉଛି ମୋର ଏବେ ଯାଏଁ ପଢ଼େଇ ଥିବା ଭଲ ଛାତ୍ର ଛାତ୍ରୀ ଙ୍କ ଭିତରୁ ଜଣେ।” ସେଠି ବସିଥିବା ଅନ୍ୟ ଜଣେ ବ୍ୟକ୍ତି ସଙ୍ଗେ ସଙ୍ଗେ ମତେ ପଚାରିଲେ “ଦଶମରେ ତୋର ମାର୍କ କେତେ ଥିଲା?” ମୋ ଠୁ ଉତ୍ତର ଶୁଣିବା ମାତ୍ରେ କହିଲେ “ମୋ ନାତିର ତ ଏତିକି ମାର୍କ ଥିଲା।” କହିବା ବାହୁଲ୍ୟ ତାଙ୍କ ନାତି ମୋ ଠାରୁ ଦଶ କି ପନ୍ଦର ଅଧିକ ମାର୍କ ରଖିଥାଏ।

ତାଙ୍କୁ ସେତିକିରେ ଅଟକେଇ ମୋ ସାର୍ କହି ଉଠିଲେ “ଗୋଟେ ଛୁଆର ଜ୍ଞାନର କଳନା ତାର ମାର୍କ ଦେଖି କରାଯିବା ଅନୁଚିତ୍। ପରୀକ୍ଷାର ମାର୍କ, ସେ ସମୟରେ ଛୁଆର ଶାରୀରିକ, ମାନସିକ ଅବସ୍ଥା, ଖାତା ଦେଖାଳିର ଶାରୀରିକ, ମାନସିକ ଅବସ୍ଥା ତଥା ଜ୍ଞାନ ଉପରେ ନିର୍ଭର କରେ। ଆହୁରି ଅନେକ ପାରିପାର୍ଶ୍ବିକ ଅବସ୍ଥା ମଧ୍ୟ ଦାୟୀ। କ୍ରମବର୍ଦ୍ଧିଷ୍ଣୁ ମାର୍କ ବ୍ୟବସ୍ଥା ହେତୁ ତଥା ଅବଜେକ୍ଟିଭ୍ ମାର୍କିଂ ବ୍ୟବସ୍ଥା ହେତୁ ପାଞ୍ଚ ବର୍ଷ ତଳର ମାର୍କ ସହ ଏବେକାର ମାର୍କ ର ତୁଳନା କରାଯିବା ଅନୁଚିତ୍। ପୁଣି ଛୁଆଟିଏକୁ ମିଳିଥିବା ସୁବିଧା ସୁଯୋଗ ମଧ୍ୟ ଏ କ୍ଷେତ୍ରରେ ବହୁତ ଜରୁରୀ ନା! ବର୍ଷ ସାରା ପଢ଼େଇ ଥିବା ଶିକ୍ଷକ ଟିଏ ହିଁ ଠିକ୍ ରାୟ ଦେଇ ପାରିବ ତା ଛାତ୍ର ଛାତ୍ରୀଙ୍କ ଜ୍ଞାନ ଉପରେ।

ତାଙ୍କର ସେଇ କଥା ଦୁଇ ପଦ ଶୁଣି ମୋ ଛାତି ତଳେ ଏତେ ଦିନ ଧରି ରୁନ୍ଧି ହେଇ ରହିଥିବା ଦୁଃଖ ଯନ୍ତ୍ରଣା ସବୁ ଲୁହ ହେଇ ଆଖି ବାଟେ ଝରି ଆସିଲା। ଏତେ ଦିନ ଧରି ସବୁ ଶିକ୍ଷକଙ୍କୁ ନିରାଶ କରିଥିବାରୁ, ସେମାନଙ୍କୁ ସାମ୍ନା କରିବାର ସତ୍ ସାହସ ହରେଇ, ଚୋରଙ୍କ ପରି ମୁହଁ ଲୁଚୋଉ ଥିବା ମୁଁ, ମୋ ଶିକ୍ଷକଙ୍କ ମୁହଁରୁ ଏମିତି ଶୁଣିବି ବୋଲି ସ୍ଵପ୍ନରେ ସୁଦ୍ଧା ଭାବି ପାରି ନଥିଲି। ସେ ଦିନ ବୁଝି ପାରିଲି ଗୁରୁଙ୍କୁ କାହିଁକି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ବୋଲି କୁହଯାଏ।

ଗୋଟେ ନୂଆ ଉତ୍ସାହ, ମନୋବଳ ଓ ଏକ ନୂଆ ଦୃଷ୍ଟିକୋଣ ନେଇ ଫେରିଲି ସେଦିନ ଗାଁ ରୁ। ଆଉ କ୍ଲାସ୍ ରୁମ୍ ବାହାରେ ଜୀବନ ସମ୍ବନ୍ଧିତ ଯୋଉ ଗୁଢ଼ ଶିକ୍ଷାଟି ମୋ ସାର୍ ଙ୍କ ଠୁ ପାଇଲି, ମୋ ଝିଅ ପାଖରେ ତାକୁ ନିଶ୍ଚିତ ରୂପେ ଯେ କାର୍ଯ୍ୟକାରି କରିବି, ସେ ଲାଗି ମୁଁ ଦୃଢ଼ ପ୍ରତିଜ୍ଞ।


Rate this content
Log in

Similar oriya story from Inspirational