ପରିଚୟ
ପରିଚୟ


ବୈଶାଖର ଟାଣ ଖରା । ଦେହ ହାତ ଜଳିଗଲା ଭଳି ମନେ ହେଉଛି। ମୌସୁମୀ କେବେ ଆସିବ, ତାର କିଛି ଠିକ୍ ଠିକଣା ନାହିଁ। କାଳବୈଶାଖୀଟା ବି କେବଳ ଘଡଘଡି ଶବ୍ଦ କରି ଧୋକା ଦେଇ ଚାଲିଗଲା। ଅନେକ ସମୟ ହେଲା ବିଦ୍ୟୁତ୍ କାଟ୍ ହୋଇଛି। ବିରକ୍ତ ହୋଇ ପ୍ରଦୀପ୍ ବାଥ୍ ରୁମ୍ ରେ ପଶିଗଲା। ସାଓ୍ବାର୍ ଖୋଲି ଗାଧୋଇଲା, ହେଲେ ଏ କଣ? ଟ୍ୟାଙ୍କି ପାଣି ନା ଉଷ୍ଣ ପ୍ରସବଣର ପାଣି । ପାଞ୍ଚ ମିନିଟ ଭିତରେ ଗାଧୁଆ ସାରି ପୁଣି ତା ରୁମକୁ ଫେରିଆସିଲା । ଏ ଖରାବେଳଟା କେମିତି କଟିବ ? ଟିଭି ଦେଖନ୍ତା, ହେଲେ କରେଣ୍ଟ ନାହିଁ। ମୋବାଇଲ୍ ରେ ଗେମ୍ ଖେଳନ୍ତା, ହେଲେ ଚାର୍ଜ ନାହିଁ । କଣ କରିବ ଭାବୁ ଭାବୁ ମନେ ପଡିଗଲା ବାପାଙ୍କ ଲାଇବ୍ରେରୀ କଥା । ଖଣ୍ଡିଏ ବହି ଆଣି ପଢିବ ବୋଲି ଲାଇବ୍ରେରୀର ଚାବି ଖୋଜିଲା, ହେଲେ ପାଇଲାନି। ଅନୋନ୍ୟୋପାୟ ହୋଇ ତାଲା ଭାଙ୍ଗି ପଶିଗଲା ଲାଇବ୍ରେରୀ ଭିତରକୁ ।
ବାପା ଗଲା ଦିନଠୁ ଲାଇବ୍ରେରୀରେ କେହି ପଶିନାହାନ୍ତି । ବାପା ତାର ବହି ପଢିବାକୁ ଭାରି ଭଲପାଆନ୍ତି। ଏପରିକି ଶଯ୍ୟାଶାୟୀ ଥିବାବେଳେ ମଧ୍ୟ ସେ ବହି ପଢୁଥିଲେ । ବାପାଙ୍କ କଥା ଭାବି ଭାବି ପ୍ରଦୀପ୍ ତିନି ନମ୍ବର ଥାକରୁ ବହିଟିଏ ବାହାର କଲା । ବହିଟିର ପ୍ରଥମ ପୃଷ୍ଠା ଓଲଟୁ ଓଲଟୁ ବାପାଙ୍କ ନିଜସ୍ବ ହସ୍ତାକ୍ଷରରେ ଲେଖା ଅଛି " ରୋଜିର ଶେଷ ଉପହାର!" ଆଉ ତା ପାଖରେ ଲଭ୍ ସିମ୍ବଲ୍ ଟିଏ ବି ଅଛି । ଲେଖାଟିକୁ ଦେଖି ପ୍ରଦୀପର ମୁଣ୍ଡ କିଛି କାମ ଦେଲାନି । ତାର ମାଆଙ୍କ ନାମ ତ ରୋଜି ନୁହଁ । ତେବେ ଏ ରୋଜି କିଏ? ପ୍ରଦୀପ୍ ଭାବିନେଲା ଏ ରୋଜି ନିଶ୍ଚେ ବାପାଙ୍କ ପ୍ରେମିକା । କଥାଟିକୁ ଏତିକିରେ ଛାଡି ଦେଇଥିଲେ ଚଳନ୍ତା । କିନ୍ତୁ ପ୍ରଦୀପ୍ ଛାଡିପାରିଲାନି କାରଣ ସେ ଆଧୁନିକ ଯୁଗର ପିଲା ହେଲେ ବି ଏ ଯାଏଁ ପ୍ରେମର ପାଠ ପଢିନି ।
ଗୋଟି ଗୋଟି କରି ଅନେକ ବହି ଘାଣ୍ଟି ପକାଇଲା ପ୍ରଦୀପ, ହେଲେ ରୋଜିର ପରିଚୟ ପାଇଲାନି । ଫେରି ଆସିଲା ବେଳକୁ ତାର ନଜର ପଡିଲା ବାପାଙ୍କ ଚୌକି ଉପରେ। ସେଠାରେ ପଡିରହିଛି ଏକ ପୁରୁଣା ଡାଏରୀ। ତାର ପ୍ରଥମ ପୃଷ୍ଠାରେ ଲେଖାଅଛି " ରୋଜିର ପ୍ରଥମ ଉପହାର" । ଦ୍ବିତୀୟ ପୃଷ୍ଠାରେ ବାପା ଲେଖିଛନ୍ତି -
" ଏ ଡାଏରୀଟି ମୋତେ ରୋଜି ଦେଇଛି । କେତେ ମନାକଲି ହେଲେ ଶୁଣିଲାନି, ପାଗିଳୀଟା। ଆଜି ତା କେସ୍ ର ଶେଷ ଶୁଣାଣି ଥିଲା। ମୁଁ ଥିଲି ତାର ଓକିଲ । ବିଚାରପତି ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କଲେ । ତା ପରେ ଆସନ୍ତା ୨୫ ତାରିଖକୁ ବିଚାର ପାଇଁ ଦିନ ଧାର୍ଯ୍ଯ କରାଗଲା।"
ପ୍ରଦୀପକୁ ଆଉ ଜାଣିବାକୁ ବାକି ରହିଲା ନାହିଁ ଯେ ରୋଜି ବାପାଙ୍କର ଜଣେ କ୍ଲାଇଣ୍ଟ୍ । ହେଲେ ବାପା ତାକୁ ଏତେ ଗୁରୁତ୍ବ ଦେଉଥିଲେ କାହିଁକି? ପୃଷ୍ଠା ପରେ ପୃଷ୍ଠା ଓଲଟି ଚାଲିଲା ପ୍ରଦୀପ୍ । ଜାନୁଆରୀ ୨୫ ତାରିଖ ପୃଷ୍ଠାରେ ଲେଖାଥିଲା-
" ରୋଜିକୁ ମୁଁ ନ୍ଯାୟ ପ୍ରଦାନ କରିବାକୁ ଅସମର୍ଥ ହେଲି । ପ୍ରମାଣ ଅଭାବରୁ ତିନି ଜଣଯାକ ବଳତ୍କାରୀ ନିର୍ଦ୍ଦୋଷରେ ଖଲାସ ହୋଇଗଲେ । କାଠଗଡା ଭିତରେ ଠିଆ ହୋଇ ରୋଜି କାଠ ପାଲଟି ଯାଇଥିଲା ।ତାର ଅସହାୟତା ଦେଖି ମୋ ଆଖିରେ ଲୁହ ଆସିଗଲା । କିନ୍ତୁ ରୋଜି କାନ୍ଦି ନଥିଲା।"
ଡାଏରୀର ପୃଷ୍ଠା ପରେ ପୃଷ୍ଠା ଓଲଟି ଚାଲିଲା ପ୍ରଦୀପ । ପୁଣି ଗୋଟିଏ ପୃଷ୍ଠା ତା ନଜରକୁ ବାନ୍ଧି ରଖିଲା । ଲେଖାଥିଲା-
" ମୁଁ ରୋଜିକୁ କେତେକରି ବୁଝେଇଲି ହାଇକୋର୍ଟରେ ଅପିଲ୍ କରିବାକୁ । କିନ୍ତୁ ସେ ମନା କଲା, କାହିଁକି ନା ସେ ତିନି ମାସର ଗର୍ଭବତୀ ଥିଲା। ପୁଣି କୁଆଁରୀ ମାଆ । ପେଟରେ ପେଟେ ପିଲା ନେଇ କେତେ ସେ ଦଉଡିବ । ତେଣୁ ମୁଁ ବି ଚୁପ୍ ରହିଲି । ସେ ଗାଆଁ ଛାଡି ସହରକୁ ଚାଲିଆସିଲା। ଗୋଟିଏ ବହି ଦୋକାନରେ ମୁଁ ତା ପାଇଁ ଚାକିରିର ବ୍ଯବସ୍ଥା ବି କରିଦେଲି ।"
ପୃଷ୍ଠା ପରେ ପୃଷ୍ଠା ଓଲଟି ଚାଲିଲା। ଅଗଷ୍ଟ ତେର ତାରିଖ। ଲେଖାଥିଲା-
" ମୁଁ ବହିକୁ ଭଲପାଏ ବୋଲି ରୋଜି ମୋତେ ଅନେକ ବହି ଗିଫ୍ଟ ଦେଇଛି । ଆଜି ବି ଗୋଟିଏ ବହି ଦେଲା । ରୋଜି ହସପିଟାଲରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇ ସବୁଦିନ ପାଇଁ ଆରପାରିକି ଚାଲିଗଲା। ଖାଲି ବହି ନୁହଁ ତା ସହ ତାର ଶେଷ ସନ୍ତକଟିକୁ ବି ମୋ ପାଖରେ ଛାଡିଦେଇଗଲା। ମୁଁ ଖୁସିର ସହ ଗ୍ରହଣ କଲି ତାର ସେ ସନ୍ତକଟିକୁ, କାହିଁକିନା ମୁଁ ଥିଲି ସନ୍ତାନହୀନ ।" ପ୍ରଦୀପ ଠପକିନା ଡାଏରୀଟିକୁ ବନ୍ଦ କରି ଏକ ନିଃଶ୍ବାସରେ ତା ରୁମ୍ କୁ ଦଉଡି ଆସିଲା। ତା ଦେହରୁ ଟପଟପ ଝାଳ ନିଗିଡି ଆସୁଥିଲା, ଯଦିଓ କରେଣ୍ଟ ଆସିଯାଇଥିଲା ଓ ମୁଣ୍ଡ ଉପରେ ସିଲିଂ ଫେନ୍ ଟି ଘାଇଁଘାଇଁ ହୋଇ ବୁଲୁଥିଲା। ରୋଜିର ପରିଚୟ ଖୋଜୁଖୋଜୁ ସେ ନିଜ ପରିଚୟ ପାଇଯାଇଥିଲା।