Bijayalaxmi Das

Inspirational

4  

Bijayalaxmi Das

Inspirational

ପରିବର୍ତ୍ତନ

ପରିବର୍ତ୍ତନ

6 mins
259



ସୀମା ଝରକା ପାଖରେ ଠିଆହୋଇ ବାସନ ଧୋଉଥିଲେ । ହଠାତ୍ ପଡୋଶୀ ଘରୁ ପାଟିତୁଣ୍ଡ ଶୁଣି ଦ‌ଉଡିଗଲେ । କ'ଣ ହେଲା ଦେଖିଲାବେଳକୁ ଘରର ସାନପୁଅ ପବିତ୍ର ତାଙ୍କ ମା'ଙ୍କ ଲୁଗାପଟାଠୁ ଆରମ୍ଭ କରି ଯାବତୀୟ ଜିନିଷ ସବୁ ବାହାରକୁ ଫୋପାଡି ଦେଇ କହିଲା---

--- ଯା, ଏ ଘରୁ ବାହାରି ଯା । ଯୁଆଡ଼େ ଯାଉଛୁ ଯା । ଆଉ ଏ ଘର ଦୁଆର ମୁହଁ ମାଡିବୁନି । 

ବାହାର ସିମେଣ୍ଟ ପିଣ୍ଡାରେ ନିଜ ଜିନିଷ ସବୁ ଗୋଟାଇ ଗାଟେଇ ଠୁଳ କରୁ କରୁ ମାଉସୀଙ୍କ ଆଖିରୁ ଧାର ଧାର ହୋଇ ଲୁହ ସବୁ ବୋହି ଚାଲିଥିଲେ । କାନ୍ଦି କାନ୍ଦି କହୁଥାନ୍ତି--- ମୁଁ କୁଆଡ଼େ ଯିବିରେ ପବି...

ଏ ଦୃଶ୍ୟ ଦେଖି ଟିକିଏ ବି ବିଚଳିତ ହୋଇ ନଥିଲେ ଅସୀମା । ବରଂ ଭାବୁଥିଲେ ଏତେ ଦିନ ପରେ ଭଗବାନ୍ ବୋଧହୁଏ ନ୍ୟାୟ କରିଛନ୍ତି ମୀରା ଅପାଙ୍କ ସାଙ୍ଗରେ । ତଥାପି ସେ ମୀରା ଅପାଙ୍କ ପାଖକୁ ଫୋନ କରି ଜଣାଇ ଦେବେ ବୋଲି ଭାବି ଫୋନ୍ ଆଣିବାକୁ ଗଲେ । ଫୋନରେ ସବୁ ଜଣାଇ ଦେଇ ଶୀଘ୍ର ପହଞ୍ଚିବାକୁ କହିଲେ ଅସୀମା । 

ଅଧଘଣ୍ଟାଏ କୁଆଡେ ହୋଇନି ମୀରା ଅପା ପହଞ୍ଚିଗଲେ । ଅଟୋରୁ ଓହ୍ଲାଇ ମାଉସୀଙ୍କୁ କୁଣ୍ଢାଇ ପକାଇ ବୋଧଦେଲେ, ମା' ଯେପରି ତା'ଛୁଆକୁ ସ୍ନେହରେ କୋଳାଇ ନିଏ ସେହିପରି । ଭାବୁ ଭାବୁ ଆଚମ୍ବିତ ହେଇଯାଇଥିଲେ ଅସୀମା... କେତେ ଭଲପାଇବା ଆଉ ବଡ ହୃଦୟର ଅଧିକାରୀ ମୀରା ଅପା !!! 

ଅତୀତର ସେଇ ଦୃଶ୍ୟ ଜଳଜଳ କରି ଆଖି ସାମ୍ନାରେ ଭାସି ଆସୁଥିଲା ଅସୀମାଙ୍କର । ମୀରା ଅପା...ଏ ଘରର ବଡବୋହୁ, ଯାହାକୁ ମାଉସୀ ଅତ୍ୟନ୍ତ ହୃଦୟ ବିଦାରକ କଥା ସବୁ କହି ଖୁଣ୍ଟା ଦେଉଥିଲେ । ଆଖିରେ ସବୁ ଦେଖିଛନ୍ତି ଅସୀମା । ତାଙ୍କ ଖାଇବା ପିଇବା ଉପରେ ଏକ ପ୍ରକାର କଟକଣା ଲଗାଇ ଦିଅନ୍ତି । କିନ୍ତୁ ମୀରା ଅପା ଥିଲେ ପୂରା ଓଲଟା । ସବୁ ସହି ଯାଉଥିଲେ ମୀରା ଅପା ନିର୍ବିକାର ଭାବେ । ରାତି ଚାରିଟାରୁ ଉଠି ଲୋଟଣୀ ପାରା ଭଳି ଖଟି ଖଟି ହାଲିଆ ହୋଇ ଗଲେ ବି ମାଉସୀ ମୀରା ଅପାଙ୍କ ଉପରେ ଟିକେ ବି ସନ୍ତୁଷ୍ଟ ହେଉନଥିଲେ । 

ଚାରିଟା ରାତିରୁ ଗାଧୁଆଘରେ ପାଣି ଶବ୍ଦ ଶୁଣି ପଡ଼ିଶା ଘର ମାଉସୀ କହନ୍ତି, "କେମିତି ଘରର ଝିଅ ସେ ଦେଖ । ବୋହୁ ପାଇଛନ୍ତି ତ ପବି ବୋଉ ! ସେଥିରେ ପୁଣି ଆହୁରି ଖୁଣା, ବାହୁନା ବୋହୁକୁ । ଏମିତି କାମ ପାଇଟି କରୁଥିବ ଯେ, କାମସାରି ଖାଇବାକୁ ବସୁବସୁ ଦିନ ତିନିଟା ହୋଇଯାଏ ମୀରାର । ପାଟିକୁ ଗୁଣ୍ଡାଏ ନେଇଥିବ କି ନାହିଁ ଖାଇବାରୁ ଉଠାଇ ଦେବେ ଆଉ କ'ଣ କାମର ବାହାନା ଦେଖାଇ । ରଙ୍ଗ ସାବନା ବୋଲି ସମସ୍ତଙ୍କ ଆଗରେ କହି ଅପମାନ ଖାଲି ଦିଅନ୍ତି ସିନା ଗୁଣର ପ୍ରଶଂସା କରିବାର ନାହିଁ । "

ମାଉସୀଙ୍କ ଦେହ ଖରାପ ହେଲେ ତାଙ୍କ ଗୋଡହାତ ସବୁ ଆଉଁସି ଦେଇ କ'ଣ ଖାଇଲେ ପାଟିକୁ ରୁଚିବ ମନଜାଣି ସବୁ କିଛି କରି ପାଖେ ପାଖେ ବସି ଖୁଆଇ ଦିଅନ୍ତି ମୀରା ଅପା । ମେଡିସିନ୍ ପୁଣି କେଉଁଟା କେତେବେଳେ ଦିଆହେବ ମୀରା ଅପା ଜଗିକି ଦିଅନ୍ତି । ସ୍ନେହ କରୁଣାର ମୂର୍ତ୍ତି ଆଉ ମମତାର ଗନ୍ତାଘର ଅଟନ୍ତି ମୀରା ଅପା । ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର । ଗୋଟେ ସୁନ୍ଦର ହୃଦୟ ସବୁବେଳେ ଆଘାତ ପ୍ରାପ୍ତ ହୁଏ କାହିଁକି ???

ଏଇ ଦୁଇବର୍ଷ ତଳେ ମାଉସୀଙ୍କ ସାନପୁଅ ପବିତ୍ରର ବାହାଘର ହେଲା । ସାନବୋହୁ ରିନିର ବାପଘରୁ ଜିନିଷ ସବୁ ଯେଉଁଦିନ ଆସିଲା ମାଉସୀ ସେଦିନ ମୀରା ଅପାଙ୍କ ରୁମରୁ ତାଙ୍କ ଜିନିଷ ସବୁ ବାହାରକୁ ବାହାର କରିଦେଇ କହିଲେ---

---- ଏ ଜିନିଷ ସବୁ ଫୋପାଡ । ମୋ ସାନବୋହୁର ଜିନିଷ ସବୁ ଏ ଘରେ ରହିବ । 

ଜିନିଷ ସବୁ ସେମିତି ବାହାରେ ପଡ଼ିଥାଏ । ଆଖିରୁ ଲୁହ ସବୁ ନିଃଶବ୍ଦରେ ବୋହି ଚାଲିଥାନ୍ତି ମୀରା ଅପାଙ୍କର । ମାଉସୀଙ୍କ ପାଟିକୁ ଡରି କେହି କିଛି କହିଲେନି । ଚୁପ୍ ରହି ବାହାଘର କାମ ଆଉ ଯାହା ବାକିଥିଲା କରି ଚାଲିଥିଲେ ମୀରା ଅପା । ତା' ପରଦିନ ମୀରା ଅପା ଏକ କୋହଭରା ହୃଦୟକୁ ନେଇ ଭାଇଙ୍କ ସହ ଏ ଘର ଛାଡ଼ି ଚାଲି ଯାଇଥିଲେ ଆଉ ଭଡ଼ାଘରେ ରହୁଥିଲେ । କ'ଣ ନ କରିଛନ୍ତି ମୀରା ଅପା ଏ ଘର ପାଇଁ । ମ‌ଉସା ଜାଗା ଖଣ୍ଡେ ରଖିଥିଲେ । ଘର କରିବା ପୂର୍ବରୁ ଆରପାରିକୁ ଚାଲିଗଲେ । ଘର ଖଣ୍ଡେ ନ ଥିଲା ବୋଲି ଭାଇ ଏ ଘର କରିଥିଲେ ସମସ୍ତେ ମିଳିମିଶି ରହିବାପାଇଁ । ମାଉସୀ କିନ୍ତୁ ମୋ ଘର ମୋ ଦୁଆର କହି ଡିଣ୍ଡିମ ପିଟିହୁଅନ୍ତି । ମା' ବୋଲି ଭାଇ ଆଉ ଅପା କିଛି ବି କହିପାରନ୍ତି ନାହିଁ । ମଣିଷ କେତେ ନାଚାର ଆଉ ବିବଶ ହୋଇଯାଏ ଏଇ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ନା !! ସମ୍ପର୍କଟାକୁ ଖାଲି ଯୋଡ଼ି କରି ରଖିବାର ପ୍ରୟାସ କରି ଚାଲିଛନ୍ତି ମୀରା ଅପା । 

ଅନ୍ଧ ଭାବରେ ମାଉସୀ ନିଜ ସାନପୁଅ ପବିତ୍ରକୁ ଭଲ ପାଉଥିଲେ । ପବିତ୍ର ସକାଶେ ନିଷ୍ଠୁର ହୋଇ ମୀରାଅପାଙ୍କ ତ୍ୟାଗ, ଭଲ ପାଇବାକୁ ମାଉସୀ ଗୋଡ଼ରେ ଆଡ଼େଇ ଦେଇଥିଲେ । କେତେ ନିଃସ୍ୱାର୍ଥପର ଭାବେ ପୂରା ପରିବାରକୁ ବାନ୍ଧିକି ରଖିଥିଲେ ମୀରା ଅପା । ବାହା ହୋଇ ଆସିବା ପରେ ପବିତ୍ରର ଟିକିନିଖି କାମ ଏଇ ମୀରା ଅପା ହିଁ କରୁଥିଲେ । କ'ଣ ଟିକେ ଭଲମନ୍ଦ ଜିନିଷ ଘରକୁ ଆସିଲେ ନିଜେ ନଖାଇ ଲୁଚାଇ କରି ରଖିଥିବେ ପବିତ୍ର ପାଇଁ । ନିଜେ ଦେଖିଛନ୍ତି ସେ ପବିତ୍ରର ବାହାଘର ଠିକ୍ ହେଇ ପାରୁନଥିଲା ବୋଲି କେତେ ଠାକୁରଙ୍କ ପାଖରେ ପୂଜା ଅର୍ଚ୍ଚନା, ଯାଚଜ୍ଞା କରିଥିଲେ ମୀରା ଅପା । ଭାଉଜ ତ ନୁହେଁ ପୂରା ମା' ଥିଲେ ସେ ଏ ଘରର । 

ଆଜିର ଘଟଣା ପାଇଁ ଅସୀମା ଟିକେ ବି ଦୁଃଖୀ ନଥିଲେ । ବରଂ ଭାବୁଥିଲେ, ଭଗବାନଙ୍କ ଘର ଅନ୍ଧାର ନଥାଏ । ଆଲୋକର ପ୍ରକାଶ ହେବାକୁ ଟିକେ ଡେରି ହୁଏ କେବଳ !! ହଠାତ୍ ମୀରା ଅପାଙ୍କ ପାଟି ଶବ୍ଦରେ ତାଙ୍କ ଧ୍ୟାନ ଭଗ୍ନ ହେଲା । 

ମାଉସୀଙ୍କ ଜିନିଷ ସବୁ ସିମେଣ୍ଟ ବେଞ୍ଚ ଉପରେ ଥୋଇଦେଇ ଡାକ ଛାଡ଼ିଲେ ଦିଅରଙ୍କୁ---

--- ପବିତ୍ର ! କାହାକୁ ତମେ ବାହାର କରିଛ ଘରୁ ?? ଯେଉଁ ମା' ତମକୁ ଜନ୍ମ ଦେଇ ଏ ଦୁନିଆ ଆଗରେ ଠିଆ କରେଇଲା, ଆଲୁଅ ଦେଖାଇଲା ସେଇ ମା'ଙ୍କୁ ?? ଏ ଘର ବୋଉଙ୍କର । ବୋଉଙ୍କ ଘରେ ତମେ ରହିଛ, ନା ତମ ଘରେ ବୋଉ ରହିଛନ୍ତି ?? କାହାପାଇଁ ଆଜି ଏତେ ଥାଟବାଟ୍ ତମର ?? ଏତକ କହି ମୀରା ଅପା ମାଉସୀଙ୍କୁ ନେଇ ସିମେଣ୍ଟ ବେଞ୍ଚ ଉପରେ ବସାଇଦେଲେ । 

ବାହାରକୁ ଆସି ହଠାତ୍ ମୀରା ଅପାଙ୍କୁ ଦେଖି ପାଟି ଖନି ମାରିଲା ଭଳି ହୋଇଗଲା ପବିତ୍ରଙ୍କର । ସେ ଜାଣିଛନ୍ତି ଭାଉଜ ବୋଉକୁ କେତେ ଭଲ ପାଆନ୍ତି ବୋଲି । ନିଜେ ନଖାଇ ତିଳତିଳ କରି ଜଳି ବୋଉର ସେବା ସୁଶ୍ରୁଷା କରୁଥାନ୍ତି ଭାଉଜ । କ'ଣ କହିବେ କିଛି ଭାବି ପାରିଲାନି ପବିତ୍ର । କିଛି ସମୟ ଚୁପ୍ ହୋଇ ଠିଆ ହୋଇ କହିଲା--

--- ତମେ ତ ଜାଣିଛ ଭାଉଜ, ବୋଉର ପ୍ରକୃତି । ସକାଳୁ ଆଜି ଖାଲି ବକର ବକର୍ ହେଉଛି । ରିନିକୁ ଆଜି ଖାଲି ଶୋଧି ଚାଲିଛି । କ'ଣ କରିବ ମଣିଷ । ରାଗ ଲାଗୁଥିଲା, ତେଣୁ ଫୋପାଡି ଦେଲି ତା' ଜିନିଷ ପତ୍ର । 

ମୀରା ଅପା କହିଲେ---

--- ବୋଉ ! ଚାଲନ୍ତୁ ମୋ ସାଙ୍ଗରେ । ଆଜିଠୁ ସେଇଠି ଆମ ପାଖରେ ରହିବେ । ସେଇ ଘର ବି ଆପଣଙ୍କର । 

ମାଉସୀ ଆଖି ପୋଛି ପକେଇ କହିଲେ-- ଯେଉଁ ପୁଅକୁ ବେଶୀ ଭଲ ପାଉଥିଲି ସେ ଆଜି ମୋତେ ହତାଦର କଲା । ଏ ଘରକୁ ଛାଡ଼ି ମୁଁ କ'ଣ କେଉଁଠି ଶାନ୍ତିରେ ରହିପାରିବି ?? ଖୁସିରେ ସିନା ଦୁଇ ଚାରି ଦିନ ବୁଲିବାକୁ ଯିବି ତୋ ପାଖକୁ । ଏଇଠି ତ ଆତ୍ମା ମୋର । ବାରି ବଗିଚାରେ ଘେରାଏ ବୁଲି ଆସିଲେ ମୋ ପେଟ ପୁରିଯାଏ । ଏଇଠି ମୁଁ ଶାନ୍ତିରେ ମରିପାରିବି । ତୋ ପ୍ରତି କେତେ ଅନ୍ୟାୟ କରିଛି ଲୋ'... କହି କହି ପୁଣି ଆଖିରୁ ଲୁହ ସବୁ ପୋଛି ପକାଇଲେ । ଏଇଠି ସ୍ୱର୍ଗ, ଏଇଠି ନର୍କ । ତାକୁ ନ ଭୋଗିଲେ ଯମ କ'ଣ ମୋତେ ନେବ !!! ତୁ ପୁଅକୁ କହି ଜିନିଷ ସବୁ ଧରି ମୋ ପାଖକୁ ଚାଲିଆ । ମାଉସୀଙ୍କର ଏପରି ପରିବର୍ତ୍ତନ ଦେଖି ଅସୀମା ବହୁତ ଖୁସି ହେଉଥିଲେ । 

କେତେ ସୁନ୍ଦର କଥାଟିଏ ମୀରା ଅପା କୁହନ୍ତି... ସେ ଭୁଲ କଲେ ବୋଲି କ'ଣ ଆମେ ସେଇ ଭୁଲ କରିବା । ତାହେଲେ ସଂସାରରୁ କ୍ଷମା ଆଉ ଭଲପାଇବା ଶବ୍ଦ ଗୁଡିକ ନିଶ୍ଚିହ୍ନ ହୋଇଯିବେ । 

ସାନ ବୋହୁ ରିନି ଆସି ଦୁଆର ମୁହଁରେ ଠିଆ ହୋଇଥାଏ । ତା'ର ବା କ'ଣ ଭୁଲ । ନିଜେ ମାଉସୀ ତ ମୀରା ଅପାଙ୍କ ଭଳି ଲକ୍ଷ୍ମୀ ପ୍ରତିମା ଭଳି ବୋହୁକୁ ହତାଦର କରି ତଡ଼ି ଦେଇଥିଲେ !!! ଆଜି ଯେତେବେଳେ ନିଜ ଉପରକୁ ସେଇ ଆଘାତଟା ଆସି ମାଡ଼ ହେଲା ହୃଦୟଙ୍ଗମ ହେଲା ମାଉସୀଙ୍କର କ'ଣ ଭୁଲ କରିଛନ୍ତି ବୋଲି । 

ମୀରା ଅପାଙ୍କ ନିକଟକୁ ଆସି ତାଙ୍କ ସାନ ଯା' ରିନି ଦହି ସର୍ବତ ଆଣି ସମସ୍ତଙ୍କୁ ପିଇବାକୁ ଦେଲା । ମୀରା ଅପାଙ୍କୁ ଡାକି ଘର ଭିତରକୁ ନେଲା । କହିଲା--

--- ଅପା ! ଘର ଭିତରକୁ ଆସ । ଫୋନ୍ କରିଦେଲେ ସନ୍ଧ୍ୟା ବେଳକୁ ଭାଇ ଅଫିସରୁ ଆସିଲେ ଘରକୁ ନେଇଯିବେ । ମୀରା ଅପାଙ୍କ ମୁହଁରେ ଚେନାଏ ହସ ଖେଳିଗଲା । ମାଉସୀଙ୍କୁ ନେଇ ସେ ଘର ଭିତରକୁ ପଶିଲା ବେଳକୁ ଅସୀମା ତାଙ୍କୁ ହସିହସି ହାତ ହଲାଉଥିଲେ । 

ସେଦିନ ରାତିରେ ମୀରା ଅପା ଭାଇଙ୍କ ସାଙ୍ଗରେ ଘରକୁ ଫେରିଗଲେ । ଆଠ ଦିନ ପରେ ଗୋଟେ ରବିବାର ଦିନ ଦଶଟା ବେଳକୁ ଏକ ମିନି ଟ୍ରକ ମାଉସୀଙ୍କ ଦୁଆର ମୁହଁରେ ଠିଆ ହେଲା । ତା' ପଛେ ପଛେ କାରରୁ ଓହ୍ଲାଇ ଥିଲେ ମୀରା ଅପା ଓ ଭାଇ । ମାଉସୀ ଘରୁ ବାହାରି କାନ୍ଦି କାନ୍ଦି ମୀରା ଅପାଙ୍କୁ କୁଣ୍ଢାଇ ପକାଇଲେ । ବଡ଼ ଭାଇ ହସିହସି ଘର ଭିତରକୁ ପଶିଲା ବେଳକୁ ରିନି ସମସ୍ତଙ୍କୁ ଚା' ଆଣି ଦେଉଥିଲା । ପବିତ୍ର ଲୋକଙ୍କ ସାଙ୍ଗରେ ମିଶି ଜିନିଷ ସବୁ ଘର ଭିତରକୁ ନେଇଗଲା । 

ଅସୀମା ଭାବୁଥିଲେ-- ମୀରା ଅପାଙ୍କ ପୁଅ ବାହାରେ ରହୁଥିବାରୁ ତାଙ୍କୁ କେତେ ଏକଲା ଲାଗୁଛି ବୋଲି ଫୋନରେ କହନ୍ତି । ଯା'ହେଉ ତାଙ୍କ ଏକଲା ପଣ ଦୁଃଖର ଅବସାନ ହେବା ସାଙ୍ଗେସାଙ୍ଗେ ଘର ବି ଆଜି ପୂରିଲା ପୂରିଲା ଲାଗିଲା । ଏତେ ହସଖୁସିର ଘରଟିକୁ ଦେଖି ଖୁସିର ଲୁହ ଦୁଇ ଧାର ଗଡ଼ିଗଲା ଅସୀମାଙ୍କ ଆଖିରୁ । 

          



Rate this content
Log in

Similar oriya story from Inspirational