Soumya Shubhadarshinee

Inspirational

3  

Soumya Shubhadarshinee

Inspirational

ପରିବର୍ତ୍ତନ

ପରିବର୍ତ୍ତନ

8 mins
284


 


 ଜୀବନରେ ପରିବର୍ତ୍ତନ ଗୋଟେ ଚିରାଚରିତ ପ୍ରସଙ୍ଗ । କିନ୍ତୁ ମଣିଷ କାହିଁକି ପରିବର୍ତ୍ତିତ ହୁଏ ବୁଝିବା ସହଜ ନୁହେଁ ସବୁବେଳେ ।


***


-'' କି ଆଜି କାମ ନାହିଁ କି ? ବଡ଼ ବ୍ୟସ୍ତ ଥିଲ କାଲି ଆଉ ଭାରି ଭାଉ ଖାଉଥିଲ ନୁହେଁ ?''


-'' ହଁ ପା ।''


-'' ଆଛା ସେ କଲୋନୀ ଵାଲା କଷ୍ଟମର କଥା କ'ଣ ହେଲା ?''


-" ଆସିଛି କଷ୍ଟମର ପାଖକୁ । ପଇସା ଦେଉନି ପା' । ବଡ଼ ହଇରାଣ କରୁଚି ।''


-'' ପଇସା ଆଉ ବ୍ୟାଙ୍କ, କର ସେଇ କାମ।''


-'' ନା ' ତୁମେ ସବୁଠୁ ଜରୁରୀ କାମ ବିଶ୍ୱାସ କର , ବହୁତ ମନେ ପଡୁଛ ସତ। ''


-'' ବୁଝିଲ ଏମିତି ମିଠା କଥା କୁହ ତୁମ ଲୋନ ନେଇଥିବା ଲୋକକୁ । ପଟି ଯିବ ସେ ଆଉ ଦେଇଦେବ ତୁମ ଟଙ୍କା ।''


-'' ହା ହା ତୁମ କଥା ସବୁବେଳେ ଏମିତି ।''


  ଫୋନରେ କଥା ଲାଗୁଥିଲା ରୁବି , ଅନୁଜ ସହିତ । ତା' ବ୍ୟାଙ୍କରେ ନୂଆ ଜଏନ୍ କରିଛି ପିଲାଟା । ବେଶ ଉଦଯୋଗୀ ଆଉ ବେଶ କର୍ମଠ । ରୁବିର ଏମିତି କର୍ମଚାରୀ ଭାରି ପସନ୍ଦ। ପିଲାଟା ତା' ଠାରୁ ପାଞ୍ଚ ବର୍ଷ ସାନ ହେବ । ନୂଆ ପିଲାଙ୍କ କାମ ଜମା ପସନ୍ଦ ନୁହେଁ ରୁବିର । ସେଗୁଡା ଭାରି ଖାମ ଖିୟାଲୀ । ସବୁବେଳେ କାମରେ ଖଇଚା । କିନ୍ତୁ ଅନୁଜ ଟିକେ ବ୍ୟତିକ୍ରମ । ଆଗକୁ ବଢିବାର ଝୁଙ୍କ ଅଛି ତା' ଭିତରେ ଖୁବ୍ , ଆଉ ଶିଖିବାର ପ୍ରବୃତ୍ତି ମଧ୍ୟ ଚମତ୍କାର । ନୂଆ ଅଫିସରେ କିଏ ସବୁଠୁ ଭଲ ଏମ୍ପ୍ଲୟୀ ଖୋଜି ନେଇଥିଲା ସେ ମାସକ ଭିତରେ ଆଉ ଯୋଡିଥିଲା ବନ୍ଧୁତା ରୁବି ସହ ।

ବଢିଆ ଷ୍ଟାଇଲ୍ ରେ କହିଥିଲା ସେଦିନ ,  '' ଗୋଟେ ଭଲ ବନ୍ଧୁ ସହ ବନ୍ଧୁତା କରିବେ ?''


 ରୁବି ଟିକେ ଆଶ୍ଚର୍ଯ୍ୟ ହେଇ କହିଥିଲା , '' କିଏ ସେ ବନ୍ଧୁ ?''


- '' ଏଇ ଅନୁଜ ମିଶ୍ର ଆଉ କିଏ , ପିଲାଟା ଭଲ ଆପଣ ବନ୍ଧୁ କରି ଦେଖନ୍ତୁ ଥରେ। ''


 ଖିଲ ଖିଲ ହେଇ ହସିଥିଲା ରୁବି ଆଉ କହିଥିଲା , ଆଛା...ଅଫିସର ସମସ୍ତ କର୍ମଚାରୀଙ୍କ ସହ ବେଶ ସଫଳ ସମ୍ପର୍କ ଗଢ଼ିନେଇଥିଲା ଅନୁଜ ଏମିତି ଶବ୍ଦ ଚତୁରୀ ଭିତରେ । ତା' ଛଡା ପିଲାଟିର ପ୍ରକୃତି ମଧ୍ୟ ବହୁତ ଭଲ । ନିଜ କାମ କରିବା ସହ ଅନ୍ୟକୁ ମଧ୍ୟ ସାହାଯ୍ୟ କରିବାରେ ଦ୍ଵିଧା କରେନି ପିଲାଟା । ରୁବିକୁ ତ ଅନେକଥର ଧାର ନେଇଥିବା ଲୋକ ଗୁଡିକ ପାଖକୁ ନେଇକି ଯାଇଥିବ ସେ । 


 ବଢିଆ ବାଗରେ କୁହେ , '' ମୁଁ ଟିକେ ଗୁଣ୍ଡା ଭଳିଆ ଦିଶୁଛି ବୁଝିଲ ଏଇ କରଜିଆ ଗୁଡା ମୋ ଭାଷା ଠିକ ବୁଝିବେ । ତୁମକୁ ଦେଖିଲେ ଜମା ଦେବେନି । ଇଚ୍ଛା କରିବେ ତୁମେ ଏମିତି ଆସୁଥାଅ ଆଉ ସେମାନେ ଦେଖୁଥାନ୍ତୁ ।''


 ତା' କଥା ଶୁଣି ହସି ହସି ଗଡିଯାଏ ରୁବି । ଅବଶ୍ୟ ଠିକ କୁହେ ଅନୁଜ , ରୁବିକୁ ଦେଖିବାର ଇଚ୍ଛା ବଳବତୀ ହୁଏ ସଭିଙ୍କ ଭିତରେ । ସେ ସୁନ୍ଦରୀ ଆଉ ମିସ୍ ।


 ସେ ଏତେ ସୁନ୍ଦରୀ ଯେ କେହି ଗୋଟେ ତାକୁ ପସନ୍ଦ ଆସୁନାହାନ୍ତି , କି ସେ ମିସ୍ ରୁ ମିସେସ୍ ହେଇପାରୁନି । ଅନେକ ପିଲାଙ୍କୁ ସେ ନିଜେ ନାକଚ କରିସାରିଲେଣି । ସବୁଗୁଡା ଖାଲି ଡାହାଣା ଭଳିଆ ତା' ପଛରେ ପଡନ୍ତି , କିନ୍ତୁ ଟିକିଏବି ସୁଯୋଗ୍ୟ ଲାଗନ୍ତି ନାହିଁ । 


  ପ୍ରକୃତରେ ରୁବିର ଗୋଟେ ଏମିତି ମଣିଷ ଲୋଡ଼ା ଯାହା ପଛରେ ସେ ପଡିଯିବ , ସେ ମଣିଷ ରୋଜିକୁ ଟିକିଏବି ଖାତିର କରୁନଥିବା , ମାନେ ଭାଉ ଖାଉଥିବ ପ୍ରବଳ । ଏଇ ଗୁଣ ଅଛି ଅନୁଜ ଭିତରେ , ସେ ଭାରି ଭାଉଆ , ଏକଦମ ରୁବି ମନଲାଖି ।


 ରୁବିର ଇଚ୍ଛା ହୁଏ କହିବାକୁ , '' ବୁଝିଲୁ ତୋର କେହି ବଡ଼ ଭାଇ ଅଛିକି ଯେ ବାହା ହେଇନଥିବା ? ମୋତେ ସେଇ ଦରକାର । ''

  

 କିନ୍ତୁ ପଚାରି ହୁଏନି , ଇସ୍ କ'ଣ ଭାବିବ ପିଲାଟା ଧେତ୍ । କିନ୍ତୁ ଇଚ୍ଛାଟା ଖୁଜୁ ବୁଜୁ ହୁଏ । ଛାତି ଭିତରେ କୁଦା ମାରେ ସବୁବେଳେ । କାରଣ ରୁବିର ଆଖ ପାଖରେ ଦିଶିଯାଏ ଅନୁଜ ପ୍ରାୟ ସବୁଦିନ । ପ୍ରକୃତ ସମସ୍ୟା ହେଲା ଏଇ ସବୁଦିନ , ଅଫିସ ଆଉ ସେଇଠି ହଜାରେ କାମ ସହିତ ଅନୁଜ । 

  

 ଅବଶ୍ୟ ପିଲାଟା ବାହା ହେଇଛି ଆଉ ତା' ସ୍ତ୍ରୀ ମଧ୍ୟ ବହୁତ ସୁନ୍ଦରୀ ! ମାନେ ବହୁତ : ରୁବି ଠାରୁ ଅଧିକ । ଏକଦମ ଜୁହି ଚାୱାଲା କି ଆଉ । ପୁଣି ଚାକିରୀଆ , ମାନେ ପୂରା ଝକାସ୍ । ରୁବି ତେଣୁ ଦିଶେନି ଅନୁଜକୁ ବିଲକୁଲ ନୁହେଁ । ଯାହା କଥାବାର୍ତ୍ତା ସବୁ ତୁଚ୍ଛା ପ୍ରଫେସନଲ୍ । 

 

ଏମିତି ବୁଲେ ଜୀବନ ଅଳ୍ପ ପ୍ରେମ ଆଉ ବେଶି କାମ ଭିତରେ । ହେଲେ ରୁବିକୁ ଜମା ଜଣା ନଥାଏ ଅନୁଜ ମନ କଥା । ସେ ବଦଳୁଛି ଧୀରେ ଧୀରେ । 


****


-- ''ଚାଲ ଲସି ପିଇବା ଆଜି , ବହୁତ ଖରା ବୁଝିଲ ମ୍ୟାମ୍ । ''


--'' ନା' ବାବା ଜମା ନୁହେଁ , ଥଣ୍ଡା ହେଇଯିବ ମୋତେ ମୁଁ ବଡ଼ ଥଣ୍ଡା ରୋଗୀ ତୁମେ ଜାଣିନ । ''


--'' ହେ , ଛୋଟ ପିଲା ପରି କ'ଣ ହୁଅ ଯେ , ଥଣ୍ଡା ଧରୁ ଓଷଦ ଖାଇବ ଅସୁବିଧା କ'ଣ ?''


--'' ବୁଝିଲ ତୁମେ ପିଅ , ମୋତେ ମାଫ କର ।''


 ଏମିତି ଛୋଟ ମୋଟ ଆତ୍ମୀୟତା ଭିତରେ ବଦଳୁଛି ଅନୁଜର ଭାବନା । ସେଦିନ ସନ୍ଧ୍ୟାରେ ତ' ଆଶ୍ଚର୍ଯ୍ୟ କରିଦେଲା ଘରେ ପହଞ୍ଚି , ହାତରେ ଫୁଲ ତୋଡା ଆଉ କେକ୍ ବାପରେ । 

 

 ''   ବୁଝିଲ ଆଜି ମୋ ଜନ୍ମଦିନ ଆଉ ସୋନି ସହର ବାହାରେ । ଭାବିଲି ତୁମ ସହ ପାଳନ କରିବି , କ'ଣ ଚଳିବଟି ? "


  ସୋନି ଭଲ ସ୍ତ୍ରୀ କିନ୍ତୁ ବ୍ୟସ୍ତ ଏମିତି ସବୁବେଳେ । ତା' ଚାକିରୀ ସେମିତି ସିଏ ଆଉ କ'ଣ କରିବ । ହେଲେ ତା' ବୋଲି ଏମିତି ଆସିଯିବ ଅନୁଜ ରୁବି ଘରକୁ ରାତିରେ ? ଠିକ ନା' ଭୁଲ । ଅବଶ୍ୟ ଏସବୁ ମନର ବିକାର , ନହେଲେ ଆଉ ସବୁ ବହୁତ ବଢ଼ିଆ ବନ୍ଧୁତା ନିରୋଳା । 


  ସହରରେ ମଣିଷ ଏକା ହେଇଯାଏ ବୋଧେ ସେଥିପାଇଁ ଏମିତି ବନ୍ଧୁ ଖୋଜେ । ଘର କହିଲେ ଜମା ଦୁଇଟା ଲୋକ ରହିଲେ ଏମିତିହିଁ ହବ । ବାପା , ବୋଉ , ଭାଇ , ଭାଉଜ ଏମିତି ଗହଳି ଥିବା ଘର ଆଉ କାହିଁ ?

 ଗୋଟେ ଭାରି ସୀମିତ ପରିବାର ଏବେ ସ୍ୱାମୀ , ସ୍ତ୍ରୀ ଆଉ ଉଭୟ ଭୟଙ୍କର ଭାବେ କାମର ଚାପ ଭିତରେ । ତେଣୁ ଏମିତି ଅନୁଜ ମାନେ ରୁବି ମାନଙ୍କ ସହ ସମୟ ବିତେଇବାର ଦୃଷ୍ଟାନ୍ତ ଅଗଣିତ । ଏଥିରେ କିଛି ଗୋଟେ ବିଶେଷ ଘଟିବାର ନୁହେଁ । ଏତକ ରୁବିର ଭାବନା । ସେ ତେଣୁ ପୂରା ବତିଶ ଦାନ୍ତ ଦେଖେଇ ଡାକିନେଲା ଅନୁଜକୁ ଘରକୁ ଆଉ ବଡ଼ ଖୁସିରେ ପାଳନ କଲା ଭଲ ବନ୍ଧୁର ସୁଖୀ ଜନ୍ମଦିନ । ଆଉ ତା' ପରେ ଜମାଟୋରୁ ମଗେଇଲା ମଲାଇ କୋଫ୍ତା , ଚିଲ୍ଲୀ ଚିକେନ୍ , ଆଉ ବଟର ନାନ୍ । ଜମିଗଲା ପାର୍ଟି ମସ୍ତ ।


  ଏମିତି ଗୋଟେ ବଢିଆ ମୁହୂର୍ତ୍ତରେ ଦାର୍ଶନିକ ଭଳି ପ୍ରଶ୍ନ କଲା ଅନୁଜ , " ଆଛା , ତୁମେ ମୋର ବନ୍ଧୁ ନା' ଟିକେ ବେଶି ? ''


  ହସିଲା ରୁବି , '' ତୋ ଜନ୍ମ ଦିନ ଆଜି ବୁଝିଲୁ ତେଣୁ ମିଛ କହିବି ନାହିଁ । ସତ କଥା ହେଲା ତୋ ଭଳିଆ ପିଲାଟେ ମୋର ଭାରି 

ପସନ୍ଦ । କିନ୍ତୁ ତୁ ନୁହେଁ , ତୋ ଭଳିଆ ହେଲା , ବେଶି ଗୁଡ଼େ ଭାବନି । " 


 ଅନୁଜ ଅନେଇଲା ଗୋଟେ ଶୁନ୍ୟ ଦୃଷ୍ଟିରେ ଆଉ କହିଲା , '' ରାତି ବହୁତ ହେଲାଣି ମୁଁ ଆସୁଛି ।''


 ରୁବିକୁ ଟିକେ ବେଖାପ ଲାଗିଲା ସେ ଦୃଷ୍ଟି , ଭାବୁଥିଲା ସେ , କିଛି ଭୁଲ କହିଦେଲାକି ଆଉ !


***

  "ବହୁତ ବଢିଆ ସେଇ ପେଣ୍ଟିଂଟା ନୁହେଁ, ଗୋଟେ କଳା କାନ୍ଭାସ୍ ଉପରେ ସପ୍ତରଙ୍ଗର ଆବଷ୍ଟ୍ରାକ୍ଟ ଇଫେକ୍ଟ । ପ୍ରକୃତରେ କ'ଣ ଅଙ୍କା ହେଇଛି କିଛି ବୁଝା ପଡୁନି , ଯିଏ ଯାହା ଭାବିପାରିବ । ବହୁତ ବଢିଆ , ଠିକ ଆମ ଜୀବନ ଭଳି । ଆମ ସଂକ୍ରାନ୍ତରେ ବାହାର ମଣିଷ କିଛି ବି ଭାବିପାରେ । ଭାବୁଥିବା ଲୋକଟା ବିଲକୁଲ ଫ୍ରି , ଯାହା ମନ ହବ ସେଇଆ କହିବ । ଯେମିତି ମୋ ଅନୁଜ , ତୁମକୁ କୁହେ , ଭାରି ଆତ୍ମଗର୍ବୀ ବୋଲି ଜାଣିଛ ଅପା ! ତୁମକୁ ମଣିଷ ଭାବରେ ବିଲକୁଲ ପସନ୍ଦ କରେନି । ପ୍ରଥମେ ପ୍ରଥମେ ବେଶ ଭଲ କହୁଥିଲା । କିନ୍ତୁ ଧୀରେ ଧୀରେ କାହିଁକି କେଜାଣି ଖୁବ୍ ବିରକ୍ତ ହେଉଛି ? ମୋତେ କିନ୍ତୁ ତୁମେ ଭାରି କୁଲ୍ ଲାଗ ସତରେ ।''

 

  ସୋନି ସହ ରୁବି ବୁଲୁଛି ଆର୍ଟ ଗ୍ୟାଲେରୀ , ଗୋଟେ ଆନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀରେ । ସୋନିର ପସନ୍ଦ ଏଇଟା ବହୁତ , କିନ୍ତୁ ଅନୁଜ ଧାର ଧାରେନି ।ସେଥିପାଇଁ ରୁବିକୁ ମାଗିଛି ସୋନି ଟିକେ ସକ୍ଷତା । ଏକା ଏକା ଏସବୁ ସ୍ଥାନରେ ବୁଲିବାକୁ ଭଲ ଲାଗେନି । ଗୋଟେ ବନ୍ଧୁ ଦରକାର । ଇତ୍ୟବସରେ ସୋନି ରୁବିର ଭଲ ବାନ୍ଧବୀ ହେଇଗଲାଣି  । 


  ରୁବିକୁ ପେଣ୍ଟିଂର ଭାରି ସୌକ ଥିଲା , କହିଥିଲା ସେ ଅନୁଜକୁ । ତେଣୁ ମନାକରିବାର ନୁହେଁ । ସେ ଆସିଛି ଭାରି ଖୁସିରେ । କିନ୍ତୁ ଏତକ ଶୁଣି କେମିତି ଗୋଟେ ଅସହଜ ଲାଗିଲା ତାକୁ । ସେ କାହିଁକି ଗର୍ବୀ ହେବ , ସେତ କେବେ ସେମିତି ବ୍ୟବହାର ଦେଖେଇନି । କିନ୍ତୁ ସୋନି କହୁଛି ମାନେ ସତ ହେଇଥିବ । କିନ୍ତୁ ପେଣ୍ଟିଂଟା ସତରେ ଜୀବନର ଚମତ୍କାର ବିଶ୍ଳେଷଣ !


****

 ଅଫିସ୍ , ଟାର୍ଗେଟ୍ , ମିଟିଂ , ଭିଜିଟ୍ ଏଇ ଭିତରେ ଜୀବନ କେଡେ ବିକଳ ସତେ , ଭାବୁଥିଲା ରୁବି । ଏସବୁ ଭିତରେ କ'ଣ ଆଉ ସମୟ ଅଛି ତା' ପାଖରେ ବାହାଘର କରି ଘର ବସେଇବା ପାଇଁ । ସତରେ କେମିତି ମ୍ୟାନେଜ କରନ୍ତି କଳ୍ପନା ମ୍ୟାମ୍ , ସୋନି ଦି , ଆୟୁଷି ସବୁ ? ଖୁବ୍ ମୁସ୍କିଲ ! ତା' ମୁଣ୍ଡ ଘୁରି ବୁଲୁଛି ଅସମ୍ଭବ ଭାବେ । ମୁକ୍ତ ଜୀବନ ଜୀଇଁବାର ଆଦତ ହେଇଯାଇଥିବା ମଣିଷ ଶୃଙ୍ଖଳା ବଦ୍ଧ ହେବା ଦୁରୁହ ବ୍ୟାପାର !


  ବାହାଘର ପ୍ରସ୍ତାବ ଗୁଡ଼େ ଧରିଛି ହାତରେ ମମି । ସେ ଏଥର ନଛୋଡବନ୍ଧା , ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ । ବୟସ ନିର୍ଦ୍ଦିଷ୍ଟ ଗତିରେ ଗଡିଚାଲିଛି , ତା' ସହ ସରିଯାଉଛି ସମ୍ଭାବନା । ବାହାଘର ସାମାଜିକ ଆବଶ୍ୟକତା । ଏତକ ବୁଝିବା ଉଚିତ ରୁବି ।


 ରୁବି କିନ୍ତୁ ଭାବୁଛି ବାହାଘର ଆମ ଏକାନ୍ତ ନିଜସ୍ୱ ଏଠି ସମାଜ କେଉଁଠୁ ଆସିଲା ? ସେ କ'ଣ ଲୋକଙ୍କୁ ଖୁସି କରିବାକୁ , ସେମାନଙ୍କ ପାଟି ବନ୍ଦ କରିବାକୁ ବାହା ହେବ । ତାକୁ ଭଲ ଲାଗୁଥିବା ମଣିଷ ସହ ତା' ନିଜ ହିସାବରେ ଗଢିବାର ଅଛି ଘର ଗୋଟେ । ସେମିତି ମଣିଷଟେ ମିଳୁନି ବୋଲିତ ଏ ଡେରି । ହେଲେ ମମି ମଧ୍ୟ ନିଜ ହିସାବରେ ଠିକ , ଝିଅଟିଏ ପିତା ମାତାଙ୍କ ଦାୟୀତ୍ୱ , ହାତକୁ ଦୁଇହାତ କରିବା ତାଙ୍କର କର୍ତ୍ତବ୍ୟ । ରୁବି ଏଇ ବାହାଘର ପ୍ରସଙ୍ଗକୁ ନେଇ ଖୁବ୍ ବ୍ୟତିବ୍ୟସ୍ତ ହେଲା , ଆଉ ଏମିତି ଗୋଟେ ପରିବେଶ ଭିତରୁ ମୁକ୍ତି ପାଇଁ ଘରୁ ବାହାରିଗଲା । 


  ରବିବାର ଅଫିସ ତ ନାହିଁ , କୁଆଡେ ଯିବ ଏବେ । ମମିକୁ ଆଭଏଡ୍ କରିବା ପାଇଁ ସିନା ବହାରିଆସିଲା , ହେଲେ ଏବେ କୁଆଡେ ଯିବ । ହଠାତ୍ ଭାବିଲା ସୋନି ସହ ଘଡ଼ିଏ ସମୟ ବିତେଇବା ବେଶ ଭଲ ହେବ । ସେଦିନର ଆର୍ଟ ଗ୍ୟାଲେରୀ ପରେ ଆଉ ଭେଟ ହେଇନି । 


  ରୁବି କଲିଂ ବେଲ୍ ଚିପିଲା ସୋନିର ଫ୍ଲାଟର । ଦରଜା ଖୋଲି କିନ୍ତୁ ଆସିଲା ଅନୁଜ । ଓଃ ! ରୁବି ଜାଣିବାରେ ଅନୁଜ ନଥିଲା ସହରରେ । ଅଫିସର ଗୋଟେ ମିଟିଂ ପାଇଁ ଯାଇଥିଲା ହାଇଦ୍ରାବାଦ। ତେବେ ପ୍ରୋଗ୍ରାମ୍ କ୍ୟାନସେଲ୍ ହେଲା କେତେବେଳେ ଜଣା ନାହିଁ ତାକୁ ?


 ଅନୁଜକୁ ଦେଖି ଟିକେ ଅପ୍ରତିଭ ହେଲା ରୁବି , କିନ୍ତୁ ଯେବେ ଦେଖିଲା ସୋନି ନାହିଁ : ସେତେବେଳେ ଟିକେ ବେଶି ଅଡୁଆ ଲାଗିଲା ତାକୁ । ମନେ ପଡିଗଲା ସୋନିର କଥା , ଅନୁଜ ତାକୁ ଖୁବ୍ ଆତ୍ମଗର୍ବୀ ଭାବେ । ସେଦିନର ଘଟଣା ପରେ ସେ ସ୍ୱଚ୍ଛାକୃତ ଭାବେ ଅନୁଜଠୁ ନିଜକୁ ଦୂରେଇ ରଖିଛି । ଆଜି ଏମିତି ତା' ଘରେ ଏକାନ୍ତରେ , ହୁଏତ କିଛି ଭିନ୍ନ ଭାବିପାରେ ଅନୁଜ । ଅନୁଜ ମଧ୍ୟ ରୁବିକୁ ଏମିତି ଅଶା କରୁନଥିଲା ରବିବାର ଛୁଟିଦିନେ ତା' ଘରେ !


କ'ଣ କହିବ ରୁବିକୁ କିଛି ଭାବି ପାରିଲା ନାହିଁ । 


- '' ଆରେ ତୁମେ ଏମିତି ହଠାତ୍ ?''


- '' ନା ' ସୋନି ସହ ଟିକେ କଥା ହେବା ପାଇଁ ।"


-'' ସେ ନାହିଁ , ତାଙ୍କ ମାଉସୀ ଝିଅ ସହ ଯାଇଛି ଟିକେ ସପିଂ । 


- '' ଆଛା ମୁଁ ତେବେ ଆସୁଛି । "


-'' କାହିଁକି ମୋ ସହ କୌଣସି କଥା ନାହିଁ ତୁମର ରୁବି , ଖୁବ୍ ଦିନ ହେଲା ତୁମେ ଦୁରେଇ ରହୁଛ ମୋଠାରୁ । ଦେଖୁଛି ମୁଁ , କିନ୍ତୁ କାରଣ ବୁଝି ପାରୁନି ?"


-'' ନା' ଟିକେ ଏମିତି ବ୍ୟସ୍ତ ରହିଯାଇଛି ।''


-'' ମୁଁ ଛୋଟ ପିଲା ନୁହେଁ ରୁବି , ଯେ ମୋତେ ଭୁଲେଇ ଦେବ ।"


-'' ଆରେ ନା ' ତୁମେ ଖୁବ୍ ଭାବିନେଇଛ କିନ୍ତୁ ସତରେ ସେମିତି କିଛି ନାହିଁ। ''


- '' କହୁନ ଆଉ କେହି ମିଳିଯାଇଛି ତୁମକୁ ଏବେ ତେଣୁ ମୋ ପ୍ରତି ଏମିତି !"


 ଅନୁଜର କଥା ଶୁଣି ରୁବି ମୁହଁରେ ଗୋଟେ ଅଜବ ଘୃଣା ଭାବ ଉତୁରି ଆସିଲା । ସେ ନିଜ ବସିବା ଜାଗାରୁ ଉଠି ଯିବାକୁ ଉଦ୍ୟତ ହେଲା । କିନ୍ତୁ ଠିକ ସେଇ ମୁହୂର୍ତ୍ତରେ ଅନୁଜ ହଠାତ୍ ଧରି ନେଲା ରୁବିର ହାତ ଆଉ ଭରିନେଲା ତାକୁ ନିଜ ଆଶ୍ଲେଷରେ । ରୁବି ଏମିତି କିଛି କଳ୍ପନା କରିନଥିଲା । ସେ ଛାଟିପିଟି ହେଲା । ନିଜକୁ ମୁକ୍ତ କରିବା ପାଇଁ ଚେଷ୍ଟା କଲା । କିନ୍ତୁ ଅନୁଜ ଥିଲା ଖୁବ୍ ଶକ୍ତ । ରୁବିର ଚେଷ୍ଟା ବିଫଳ ହେଲା । ଅନୁଜ ଖୁବ୍ ଶକ୍ତ ସ୍ୱରରେ କହିଲା , '' ତୁମ ପ୍ରତି ମୋର ଅହେତୁକ ଆକର୍ଷଣ କ'ଣ କେବେ ବୁଝିନ ତୁମେ ? ଏମିତି ରୂପ ନେଇ , ସିଙ୍ଗଲ୍ ରହି , ଫ୍ରେଣ୍ଡଲି ହେଇ ତୁମେ କ'ଣ ଟିକିଏ ମଧ୍ୟ କ୍ଲୋଜ ହେବାକୁ ଚାହୁଁନ ମୋ ସହ ?''


  ଅନୁଜର କଥା ଗୁଡା ତରଳ ଲୁହା ଭଳି ତୀବ୍ର ଉତ୍ତାପ ଭରୁଥିଲା ରୁବି ଭିତରେ । କେମିତି ଏମିତି ଭାବିପାରୁଛି ଅନୁଜ ? ରୁବି ତାଠୁ ବୟସରେ ବଡ଼ ଆଉ ଅନୁଜ ନିଜେ ମ୍ୟାରେଡ଼ । ସେ ଆଉ ଅଧିକ କିଛି ଭାବିବା ପୂର୍ବରୁ ଅନୁଜ କିସ୍ କରିସାରିଥିଲା ତାକୁ , ଓଠ ତା'ର ଦାଗ ହେଇଗଲା ବୋଧେ କେମିତି ଗୋଟେ ଯନ୍ତ୍ରଣା ହେଉଥିଲା । ସେ ନିଜର ସମସ୍ତ ଶକ୍ତି ଲଗେଇ ଧ଼କ୍କା ଦେଲା ଅନୁଜକୁ ଆଉ ନିଜକୁ ମୁକୁଳେଇ ନେଲା । ଦ୍ରୁତ ଗତିରେ ବାହାରି ଆସୁଥିଲା ବେଳେ ଶୁଣିଲା ସେ ଅନୁଜର ସ୍ୱର , '' ସିଙ୍ଗଲ୍ ଝିଅଟେ ଜୀବନ୍ତ ମାରଣାସ୍ତ୍ର ଭଳି , ଭେରି ଲିଥାଲ୍ !''


 ରୁବି ମମି ସହ ମିଶି ଗୋଟେ ବାହାଘର ପ୍ରସ୍ତାଵ ସଂକ୍ରାନ୍ତରେ ଆଲୋଚନା କରୁଥିଲା ବେଶ ଆଗ୍ରହ ସହକାରେ । ମମି ବହୁତ ଖୁସି ଲାଗୁଥିଲେ ଝିଅର ପରିବର୍ତ୍ତନ ଦେଖି । 


   



Rate this content
Log in

Similar oriya story from Inspirational