ପ୍ରଗତିର ଅନ୍ତରାଳେ
ପ୍ରଗତିର ଅନ୍ତରାଳେ
ସେଦିନ ଟ୍ରେନରେ ଭେଟ ହେଲେ ସୋନାଲି ମ୍ୟାଡ଼ାମ । ଆମେ ସମସ୍ତେ ଭୁବନେଶ୍ୱରରେ ହେଉଥିବା ଗୋଟିଏ ରାଲିରେ ଯୋଗ ଦେବାକୁ ଯାଉ ଥିଲୁ । ଆମ ବଗିରେ ସମସ୍ତ ସାର ଆଉ ମାଡାମ ଆମ ବ୍ଲକର ହିଁ ଥିଲେ କେଵଳ ସୋନାଲି ମାଡାମଙ୍କୁ ଛାଡି କରି । ତେଣୁ ସମସ୍ତେ ନିଜ ନିଜ ଭିତରେ ଗପିବାରେ ମସଗୁଲ ଥିଲା ବେଳେ ସୋନାଲି ମାଡାମ ଭାରି ଚୁପଚାପ ବସିଥିଲେ । ମୁଁ ଟିକିଏ ତାଙ୍କ ପାଖକୁ ଉଠି ଗଲି ସିଟ ବଦଳ କରି । ଅଳ୍ପ ସମୟ ଭିତରେ ଆମେ ମନ ଖୋଲା ଗପ ଆରମ୍ଭ କରି ଦେଲୁ । ମାଡାମ ଖୁବ କମ ବୟସର ଦେଖା ଯାଉଥିଲେ ମଧ୍ୟ ଆମ ଆଗରୁ ତାଙ୍କର ପୋଷ୍ଟିଙ୍ଗ । କଥାରେ କଥାରେ ତାଙ୍କ ଶାଶୁ ଘର କଥା ପଡିଗଲାରୁ ସେ କହି ଉଠିଲେ, ମୋ ସ୍ୱାମୀ ଭାରି ଭଲ । ଆପଣ ବିଶ୍ୱାସ କରିବେନି, ମୋତେ ମୋ ଯା ", ଦେଢ଼ଶୁର, ଶାଶୁ ସମସ୍ତେ ଖୁବ ଭଲ ପାଆନ୍ତି । ମୁଁ ପୂର୍ବଜନ୍ମରେ କିଛି ଭଲ କାମ କରି ଥିଲି ଯେ ମୋତେ ଏ ପରି ଘର ଓ ପରିବାର ମିଳିଛି । ଆମ ବାବୁ ତ ମୋତେ ଦଣ୍ଡେ ନ ଦେଖିଲେ ତାଙ୍କ ବୁଦ୍ଧି ଅନ୍ଧାର । ଆଜି ମୋତେ ରାଲିକୁ ଯିବାକୁ ମନା କରୁଥିଲେ । କହୁଥିଲେ ଯାଅନି, ତୁମ ଦେହ ଖରାପ ହେଇଯିବ ଖରା ରେ ବୁଲି ବୁଲି । ମୁଁ କିନ୍ତୁ କେତେ ବୁଝେଇବାରୁ କହିଲେ ତମର ଯଦି ଇଚ୍ଛା କରୁଛ ଯାଅ । କହିବ ଯଦି ମୁଁ କାରରେ ଛାଡି ଦେଇ ଆସିବି । ଆମ ବାବୁ ଭାରି ଭଲ ଲୋକ । ମୁଁ ମନେ ମନେ ଖୁସି ହେଲି ଯାହା ହେଉ ଭାରତ ବର୍ଷର ଅଗଣିତ ନିଷ୍ପେସିତ। ମହିଳା ମାନଙ୍କ ଭିତରେ ୟେ ଜଣେ ଭାଗ୍ୟବତୀ ଓ ସୁଖୀ ମହିଳା ।
ୟା ଭିତରେ ଆମ ଗ୍ରୁପରେ ଅନ୍ତାକ୍ଷରୀ ଆରମ୍ଭ ହେଇ ପାଳି ଆମ ଯାଏ ଆସିଗଲା ଓ ପ୍ରଥମେ ସୋନାଲି ମାଡାମଙ୍କ ପାଳି ଆସିବାରୁ ସେ ଗାଇଲେ ଜଗନ୍ନାଥଙ୍କର ଜଣାଣ ଟିଏ । କହିଲେ ଆପଣ ମାନେ ବିଶ୍ୱାସ କରିବେନି କିଛି ମୁହୂର୍ତ୍ତ ପାଇଁ ଆମ ବଗିଟା ପୂରା ସ୍ତବ୍ଧ ହେଇଗଲା । କି ସୁନ୍ଦର ସ୍ୱର, ଲୟ, ତାଲ ! ସତେ ଅବା ସ୍ୱୟଂ ଜଗନ୍ନାଥ ନୀଳାଚଳ ଧାମରୁ ଆସି ଆମ ବଗିରେ
ହାଜର !ସେ ସ୍ୱର ଓ ତା 'ର ମଧୁରତ। ମୁଁ ଆଜି ପର୍ଯ୍ୟନ୍ତ ଆଉ କାହା ସ୍ୱର ରୁ ପାଇଛି କି ନାହିଁ କହିପାରିବିନି । ତାଙ୍କ ଗାଇବା ନ ସରିଛି କି ନାହିଁ ବଗିଟା ତାଳି ରେ ଫାଟି ପଡିଲା । ମୋ ଭାଗର ଗୀତ ଟା ବି ମାଡାମ ଆଉ ଗୋଟିଏ ଭଜନ ଗାଇ ଶେଷ କଲେ । କହିବା ବାହୁଲ୍ୟ ଆଜି କାଲି ଦୂରଦର୍ଶନରେ ହେଉଥିବା କିଛି ଭଜନ କାର୍ଯ୍ୟକ୍ରମରେ ଏ ସ୍ୱରର ଅଭାବ ହିଁ ଅଭାବ ରହିଛି । ମୋର ସନ୍ଦେହୀ ମନ ଆଉ ନିଜକୁ ସମ୍ଭାଳି ପାରିଲାନି । ମୁଁ ଜାଣିବାକୁ ଚାହିଁଲି କିପରି ଏ ସୁନ୍ଦର, ପୁଣି ନୂତନ ଧରଣର ସଂଗୀତ ସେ କେଉଁଠୁ ପାଇଲେ, ଏତେ ସୁନ୍ଦର କିପରି ଗାଉଛନ୍ତି ଇତ୍ୟାଦି । ମାଡାମ କହିଲେ ଦିନେ ସଂଗୀତ ମୋର ଜୀବନ ଥିଲା । ମୁଁ ରାଜ୍ୟ କଳା ଓ ସଂସ୍କୃତି ଏକାଡେମୀ ରୁ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଛି ଏଇ ସଂଗୀତରେ । ଆମ ସମୟ ରେ ଆମ ମହାବିଦ୍ୟାଳୟରେ I was the best choice of every listener.ମାତ୍ର ଶିକ୍ଷା ଲାଭ ସରିଲା ପରେ ଯେବେ ମୁଁ ଘରକୁ ଫେରିଲି ମୋତେ ବିଭିନ୍ନ ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ନିମନ୍ତ୍ରଣ ମାନ ଆସିଲା । ମାତ୍ର ମୋ ବାପା ରୋକ ଠୋକ ମନା କରିଦେଲେ । କହିଲେ ବିବାହ ପରେ ତୋ ଶାଶୁ ଘର ଯଦି ଅନୁମତି ଦେବେ
, ତେବେ ତୁ ଗାଇବାକୁ ଯିବୁ ମୋର ଆପତ୍ତି ନାହିଁ, କିନ୍ତୁ ଏବେ ନୁହେଁ । ଆଖିରୁ ସେଦିନ ଝରି ଥିଲା ଅସରନ୍ତି ଅଶ୍ରୁର ଧାର । ଦୁଇ ଦିନ ଉପବାସ ରେ ରହିଲା ପରେ ବି ମୋର ଇଛାକୁ ସମ୍ମାନ ଜଣାଇ ପଦେ ବି କେହି କହିବାର ସାହସ କଲେ ନାହିଁ ବାପାଙ୍କ ନିଷ୍ପତ୍ତି ବିରୋଧରେ ଯାଇ ।
ମାସକ ଭିତରେ ମୋର ବିବାହ ସାରିଦେଲେ । ବଡ଼ ଘର, ଭାରି ଭଲ ଲୋକ, ଏମିତି କେତେ କଣ ବର୍ଣ୍ଣନା କରାଯାଇ ଥିଲା ମୋ ଆଗରେ । ମୁଁ ବି ଆଖିରେ ଆଖିଏ ସ୍ବପ୍ନ ନେଇ ଆସିଲି, ଭାବିଲି ପିଲା ଭଲ ମାନେ ମୋତେ ନିଶ୍ଚୟ ବୁଝି ପାରିବ ଏବଂ ମୋ ବାପାଙ୍କ ପରି ନିଷ୍ଠୁର ନ ହୋଇ ମୋତେ ଆଗକୁ ବଢ଼ିବାର ସୁଯୋଗ ଦେବ । ବାହାଘର ମାସେ ଦୁଇ ମାସ ଖାଲି ରୀତି ନୀତି ପାଳନ କରୁ କରୁ ସରିଗଲା । ମୁଁ ମୋ ନିଜ ଆଡୁ ମୋ କ୍ୟାରିୟର ସମ୍ପର୍କରେ ସ୍ୱାମୀଙ୍କୁ କହିବାରୁ ସେ ପୂରାପୂରି ନୀରବ ରହିଲେ । ମୁଁ ମନେ ମନେ ଖୁସି ହେଲି 'ମୌନେ ସମ୍ମତି ଲକ୍ଷଣ ' ଭାବି । ତା 'ପରେ କହିଲେ ମାଆଙ୍କୁ ପଚାରି କହିବି । ଶାଶୁଙ୍କର କଡା ଜବାବ ଥିଲା, ବାହା ହେଇଗଲା ପରେ ଏଇ ଘର ହିଁ ତୁମର ସବୁକିଛି । ଆଗତ -ଭବିଷ୍ୟତ ଆଉ ଅଧିକ କିଛି ଆଶା ରଖ ନାହିଁ ।
ଘର ସମସ୍ତେ ଖୁସିରେ ରହିଲେ ତୁମେ ଖୁସି ହୁଅ । ହଠାତ ସେଦିନ ପାଦ ତଳୁ ମୋର ମାଟି ଖସି ଗଲା । କଣ ଭାବି ଥିଲି ଆଉ କଣ ହେଲା !ଶାଶୁଙ୍କର ତାଗିଦ ଏକ ଆଖି ଆଖି ନୁହେଁ, ଗୋଟିଏ ପିଲା , ପିଲା ନୁହେଁ । ତେଣୁ ଦୁଇ ଦୁଇଟା ପିଲାଙ୍କର ମା 'ହେଇ ସରିଲା ପରେ ସେଇ ମାନଙ୍କ କଥା ବୁଝୁ ବୁଝୁ ମୋ ଭିତରେ ମୁଁ କେତେବେଳେ ମରି ଯାଇଛି ମୁଁ ନିଜେ ବି ଜାଣେନି । ଆଜି ସାଙ୍ଗ ମେଳରେ କେମିତି ଗୀତଟିଏ ଗାଇ ଦେଲି, ନା ଅଛି ଅଭ୍ୟାସ, ନା ଅଛି ଆଉ ସେ ଦିନର ସେ ପରିଷ୍କାର ସ୍ୱର । ମୁଁ ପଚାରିଲି ତେବେ ତୁମେ ସେ ପରିବାରର ଏତେ ପ୍ରଶଂସା କାହିଁକି କରୁଛ? ମାଡାମ ସଙ୍ଗେ ସଙ୍ଗେ କହି ଉଠିଲେ ଅଭ୍ୟାସ । ଆଉ ଯଦି ମନର ଅଭିମାନକୁ ଅଭିଯୋଗର ଆକାର ଦେଇ ଦିଏ, ତେବେ ଉତ୍ତର ଆସେ, ଯାଉନ ଯାଅ । ଯେଉଁଠି ତୁମ କଳାର ଆଦର ହେବ, ତୁମ କ୍ୟାରିୟର ଯିଏ ତିଆରି କରିଦେବ, ଚାଲି ଯାଅ ତା ପାଖକୁ । ଏ ବୟସରେ ଦୁଇ ଦୁଇଟା ପିଲାଙ୍କ ମାଆ ହେଇ ସାରିବା ପରେ ଏ କଳଙ୍କିତ କଥା ଶୁଣିବାକୁ କିଏ ବା ପସନ୍ଦ କରିବ ! କା'ପାଖରେ ଆଉ ବେଳ ଅଛି !ତେଣୁ ମିଛ ପ୍ରଶଂସା କରିବାର ଛଳନାଟା ଏବେ ଅଭ୍ୟାସରେ ପରିଣତ ହେଇଯାଇଛି । ନିଜ ଭିତରର ଇଛା ମରି ସାରିବା ପରେ କେବଳ ଗୋଟିଏ ମାଆ ହିଁ ବଞ୍ଚିଛି । ସ୍ୱର ଈଶ୍ୱରଙ୍କ ସାନ୍ନିଧ୍ୟରେ ପହଂଚିବା ପାଇଁ ସର୍ବୋ ତ୍ତମ ମାଧ୍ୟମ, ଯାହା ଏ ଜନ୍ମରେ ମିଳିଲାନି । ନିଜ ପରିଚୟ ସୃଷ୍ଟି ତ ଦୂରର କଥା ସାଧନାର ସୁଯୋଗ ବି ପାଇଲି ନାହିଁ ।
ହତବାକ ହେଇ ଶୁଣୁ ଥିଲି । କି ଆଶ୍ଚର୍ଯ୍ୟ ! କାନ ଅଛି ତ ସୁନା ନାହଁ, ସୁନା ଅଛି ତ କାନ ନାହିଁ । କେଉଁଠି ଈଶ୍ୱରୀୟ ଗୁଣର ପ୍ରାଚୁର୍ଯ୍ୟ ଥାଇ ବି ସୁଯୋଗ ନାହିଁ ତ ଅନ୍ୟ କେଉଁଠି ଅପାର ସୁଯୋଗ ଥାଇ ମଧ୍ୟ ଗୁଣ ନାହଁ । ବିଶେଷ କରି ଭାରତୀୟ ନାରୀ ମାନେ ଯୁଗେ ଯୁଗେ ପରିବାରର ମାତ୍ର କେତେ ଜଣଙ୍କର ସୁବିଧା ପାଇଁ ନିଜର ଅନ୍ତର ନିହିତ ଗୁଣର ପରିପ୍ରକାଶ କରିବାର ସ୍ବର୍ଗୀୟ ସୁଖ ଲାଭରୁ ବଂଚିତ ହେଉଛନ୍ତି । ଯୁଗ ବଦଳୁଛି, ହେଲେ ଆଜି ବି ବଦଳୁନି କିଛି ପରିବାରରେ ନାରୀ ମାନଙ୍କର ବିକାଶର ସ୍ଥିତି ।