Dr Rashmita Panigrahi

Tragedy

3  

Dr Rashmita Panigrahi

Tragedy

ସୁଇସାଇଡ

ସୁଇସାଇଡ

4 mins
112


   ବିଚିତ୍ରପୁର ଥାନା ଭିତରକୁ ଦ୍ରୁତ ଗତିରେ ପଶି ଆସିଛନ୍ତି ନବ ବିବାହିତl ବଧୂ ଜଣକ l ବସନରୁ ତାଙ୍କର ଛୁଟି ଆସେ ସୁଗନ୍ଧିତ ଅତରର ବାସ୍ନା l ସାଙ୍ଗରେ ଅଛନ୍ତି ଜଣେ ସୌମ୍ୟଦର୍ଶୀ ଯୁବକ l କନେଷ୍ଟବଳର କୌଣସି ପ୍ରଶ୍ନକୁ କର୍ଣ୍ଣପାତ ନ କରି ସିଧା ଇନଚାର୍ଜଙ୍କ ଚେୟାର ପାଖରେ ହଜାର l ବିଚରା କନେଷ୍ଟବଳଟି ଛାନିଆ ହେଇ ଦୌଡ଼ିଛି ପଛରେ l ବିସ୍ମୟରେ ଥାନା ଇନ ଚାର୍ଜ ନିଜ ଆସନରୁ ଉଠି ପଡିଛନ୍ତି l ଘଟଣା କଣ ବୁଝିବା ଆଗରୁ ନବ ବଧୂ ଜଣକ ଚିତ୍କାର କରି ଉଠିଛନ୍ତି, "ସାର ଆମକୁ ବଞ୍ଚlନ୍ତୁ l ଏମାନେ ଆମକୁ ମାରିଦେବେ l" "କାହିଁକି ଏତେ ଡ଼ରୁଛ, ପୁଣି କାହାକୁ ? କଣ ହେଇଛି କୁହ, ଡରିବାର କିଛି କାରଣ ନାହିଁ, ଆମେ ତୁମର ସୁରକ୍ଷା କରିବୁ l"-ଏମିତି ଆଶ୍ୱାସନା ଦେଇ ତାକୁ ବସିବାକୁ କହିଲେ l

   ପାଣି ଗ୍ଲାସଟା ବଢ଼ାଇ ଦେଇ କଣ ହେଇଛି ଗୋଟି ଗୋଟି କରି କହିବାକୁ କହିଲେ l ସବୁତକ ପାଣି ଢକ ଢକ କରି ପିଇ ଗଲା ନବବଧୂଟି l ପାଖରେ ଛିଡା ହେଇଥିବା ଯୁବକ ଜଣକ ହାତ ଯୋଡି କହିଲେ ଆଜ୍ଞା ମୁଁ ଆଲୋକ ରାୟ, ଇଂଜିନିୟରିଂ ଫାଇନାଲ ଇଅର କରୁଛି, ଘର ଜେମାଦେଇ ପୁର l ୟେ ମୋନାଲିସା ମିଶ୍ର, ମୋ କ୍ଲାସମେଟ l ଉଇ ଲଭ୍ ଇଚ୍ ଅଦର୍ l ଆମେ ପରସ୍ପରକୁ ଜୀବନସାଥି ରୂପେ ବାଛିଚୁ l କିନ୍ତୁ ପରିବାରକୁ ରାଜି କରେଇ ପାରିନୁ l ମୋନାଲିସାଙ୍କ ପରିବାର ତାଙ୍କର ଅନିଚ୍ଛା ସତ୍ତ୍ୱେ, ଅନ୍ୟ ଜଣଙ୍କ ସହ ତାଙ୍କର ବିବାହ ସାରି ଦେଇଛନ୍ତି l ଆଜି ସେଇ ବିବାହର ରିସେପସନ l ମୋନାଲିସାଙ୍କୁ ସେମାନେ ନଜର ବନ୍ଦୀ କରି ରଖିଛନ୍ତି l ରିସେପସନର ଗହଳି ଭିତରେ ବାଥରୁମ କହି ସେ ଖସି ଆସିବାକୁ ସମର୍ଥ ହେଇଛନ୍ତି l ଅତିଥିମାନଙ୍କ ଗାଡିର ଗହଳି ଭିତରେ ଥାଇ, ପାଚେରୀ ପାଖରୁ ମୁଁ ତାଙ୍କୁ ଉଦ୍ଧାର କରି ଏଠିକି ନେଇ ଆସିଛି l ଏବେ ଆମେ ନିଜକୁ ଆଇନ ହାତରେ ସମର୍ପଣ କରୁଛୁ, ଦୟାକରି ଆମକୁ ବଞ୍ଚlନ୍ତୁ l ମୋନାଲିସାଙ୍କ ଇଚ୍ଛା ବିରୁଦ୍ଧରେ ହେଇଥିବା ଏ ବିବାହରୁ ତାଙ୍କୁ ମୁକ୍ତ କରାଇ ଆମକୁ ବିବାହ ସୂତ୍ରରେ ଆବଦ୍ଧ ହେବାକୁ ସାହାଯ୍ୟ କରନ୍ତୁ l 

    ମୋନାଲିସା ଚାହିଁଥିଲେ ତାଙ୍କ ବଡ ଭଉଣୀ ଭଳି ଫ୍ୟାନରେ ଝୁଲି ସୁଇସାଇଡ କରିବେ ବୋଲି l ବହୁ କଷ୍ଟରେ ମୁଁ ତାଙ୍କୁ ଆଶ୍ୱାସନା ଦେଇଛି l ଥାନା ଇନ ଚାର୍ଜ ଏଥର  

ନିଜକୁ ରୋକି ପାରିଲେନି l 'ବଡ଼ ଭଉଣୀଙ୍କ ଭଳି ' କଣ ? ଜାଣିବାକୁ ନବବଧୂଙ୍କୁ ନାନା ପ୍ରଶ୍ନରେ ପୋତି ପକାଇଲେ l 

     ମୋନାଲିସା ଭୋ ଭୋ କରି କାନ୍ଦି ଉଠିଲେ l ସେତେବେଳେ ସେ ନବମ ଶ୍ରେଣୀରେ ପଢୁଥାନ୍ତି, ତାଙ୍କ ଅପା ଯୁକ୍ତତିନି ବିଜ୍ଞାନର ପ୍ରଥମ ବର୍ଷର ଛାତ୍ରୀ l ଭାରି ମେଧାବୀ, ସମସ୍ତଙ୍କର ପ୍ରିୟ l ବନ୍ଧୁ ବାନ୍ଧବ ସମସ୍ତେ ତା'ର ବୁଦ୍ଧିମତ୍ତlକୁ ପ୍ରଶଂସା କରୁ ଥାଆନ୍ତି l କିନ୍ତୁ ବିଧିର ବିଚିତ୍ର ବିଡମ୍ବନା l ଆମ ପରିବାରକୁ ପଶି ଆସନ୍ତି ମନୀଷ ମହାକୁଡ଼, ମେଡିକାଲ ଛାତ୍ର l ଆମ ପଡିଶା ଘରେ ସେ ରହୁଥିଲେ l ସେଇଟା ତାଙ୍କ ମାଉସୀ ଘର l ଅପାର ବୁଦ୍ଧିମତ୍ତlର ସେ ଜଣେ ପ୍ରଖର ପ୍ରଶଂସକ l କେବେ କେବେ ଆମ ଘରକୁ ଆସିଲେ ମୋର ଓ ମୋ ଅପାର ପାଠ ପଢା ଦେଖୁଥିଲେ l କେମିତି ପଢିଲେ ଭଲ ମାର୍କ ଆସିବ ଅପାକୁ କହିଦେଉ ଥିଲେ l କେଜାଣି କେଉଁ ଦୂର୍ବଳ ମୁହୂର୍ତ୍ତରେ ସେ ଅପାର ମନକୁ କିଣି ନେଲେ l ସେମାନେ ଅଲକ୍ଷ୍ୟରେ ପରସ୍ପରକୁ ଭେଟିବା ଆରମ୍ଭ କଲେ l ଏକଥା ବାପାଙ୍କ ନଜରରେ ପଡିଗଲା l ସଙ୍ଗେ ସଙ୍ଗେ ଅପାର କଲେଜ ଯିବା ବନ୍ଦ କରି ଦିଆଗଲା l ମନୀଷ ଭାଇଙ୍କୁ ସେ ଘରୁ ବିଦା କରି ଦିଆଗଲା l ଅପା ସେ ଅପମାନ ସହି ପାରିଲାନି l ମାଡଗାଳି ବି ଖାଇଲା l ଶେଷରେ ତା' ଶୋଇବା ଘର ଫ୍ୟାନରେ ଦଉଡି ଦେଇ ଦେଲା ବେକରେ l ରାତି ପlହିଲା, ତା' କବାଟ ଖୋଲିଲାନି l କବାଟ ଭାଙ୍ଗିଲା ବେଳକୁ ଆଉ କିଛି ନ ଥିଲା l

  ଏତେ ବି ଛୋଟ ନ ଥିଲି, ସବୁ ବୁଝି ପାରୁଥିଲି l ଭୋ ଭୋ କରି କାନ୍ଦି ଉଠିଲି l କିଏ ମୋତେ ଗଣିତ ବୁଝାଇବ ? କିଏ ମୋତେ ଭାଷଣ ଲେଖି ଦେବ ? କିଏ ମୋତେ ନୂଆ ଡ୍ରେସ ଆଗ ପିନ୍ଧିବାକୁ ଦେବ ? କିଏ ମୋର ସବୁକଥା ଆଗେ ଶୁଣିବ ? ଯେତେ ବାହୁନିଲେ ବି ମୋ ଅପା ଆଉ ଉଠିଲା ନାହିଁ l 

    ସେଦିନ ମା'ବାପାଙ୍କ ପ୍ରତି ମୋ ମନରେ ଶ୍ରଦ୍ଧା, ଭକ୍ତି କମିବା ଆରମ୍ଭ କଲା l କେଜାଣି କାହିଁକି ସେହି ଦିନ ଠୁ ମୁଁ ନିଜକୁ ଭାରି ଏକୁଟିଆ ଅନୁଭବ କରେ l ମା' ବାପାଙ୍କ ଆଲୋଚନା କେବେ କେବେ ମୋ କାନରେ ପଡେ l ମା' ମୋର କାନ୍ଦୁ ଥାଆନ୍ତି, ବାପା କୁହନ୍ତି ଯାଇଛି ଭଲ ହେଇଛି, କଳଙ୍କିନୀଟାଏ ଜନ୍ମ କରିଥିଲୁ, ନୀଚ ଜାତିରେ ପ୍ରେମ ଲୀଳା କରିବ ଭାବିଥିଲା l ମଲା ଯେ ବଂଶରେ କଳଙ୍କ ଲଗେଇ ଦେଇ ଗଲା l ତାକୁ ଝୁରିବ ଯଦି, ମୋ ଘରୁ ବାହାରି ଯାଅ l 

  କ୍ଷଣିକ ପାଇଁ ମୁଁ ସ୍ତବ୍ଧ ହେଇଯାଏ l ସତରେ କଣ ୟେ ଅପାର ଜନ୍ମଦାତା ! ଜେଜେ ମା କୁହନ୍ତି ଶାସ୍ତ୍ର "ପତି ଚୟନ "ର ଅଧିକାର କନ୍ୟାକୁ ଦେଇଛି l କନ୍ୟା ଜଣେ ଚାହିଁଲେ ନିଜ ପସନ୍ଦର ପତି ନିଜେ ବରଣ କରି ପାରିବ l ଏଥିରେ କଳଙ୍କର ପ୍ରଶ୍ନ ଉଠୁଛି କେଉଁଠୁ ? 

  ଭାବିଥିଲି ଜୀବନରେ କେହି ପୁଅ ପିଲାଙ୍କ ମୁହଁ ଚାହିଁବିନି ବୋଲି l କିନ୍ତୁ ଈଶ୍ବରଙ୍କ ଇଚ୍ଛା ସେୟା ନୁହଁ l ଆଲୋକ ମୋର କ୍ଲାସ ମେଟ l ମୋର ବହୁତ ଯତ୍ନ ନିଅନ୍ତି, ମୋତେ ବୁଝନ୍ତି l ଯେତିକି ମଣିଷ ଚିହ୍ନିଛି, ସେଇ ଅନୁସାରେ ସେ ସେତେ ଖରାପ ନୁହନ୍ତି l ମୋ ଖୁସିରେ ସେ ଖୁସି ହୁଅନ୍ତି, ମୋ ଦୁଃଖରେ ତାଙ୍କ ଆଖିରୁ ଲୁହ ଝରେ, ବଞ୍ଚିବା ପାଇଁ ଆଉ କଣ ଦରକାର l ହେଲେ ବାପାଙ୍କୁ ବୁଝାଇ ପାରିଲିନି l 

  ନlନା ଅପଶବ୍ଦରେ ମୋ କାନ ଫାଟି ଗଲା l ତଥାପି ଚେଷ୍ଟା କାଲି l ଶେଷରେ ବାପା ନିଜେ ମା'ଙ୍କୁ କହିଲେ, "କହି ଦିଅ ତା'ର ଟୋକା ଦରକାର ମୁଁ ଆଣି ଦେବି " କିନ୍ତୁ ତା' ଇଚ୍ଛାରେ ନୁହଁ l କାନରେ ହାତ ଦେଲି l ମାତ୍ର ତିନି ଦିନରେ ଜବରଦସ୍ତ ମୋର ବାହାଘର କରି ଦିଆଗଲା l ହୁଏତ ସେମାନେ କିଛି କ୍ଷଣରେ ଏଇ ଥାନାରେ ବି ପହଞ୍ଚି ଯାଇ ପାରନ୍ତି, ଆମ ଦୁଇ ଜଣଙ୍କର କିଛି ବି କ୍ଷତି କରି ପାରନ୍ତି l ଆମକୁ ସାହାଯ୍ୟ କରନ୍ତୁ l ଏ ଅନିଚ୍ଛା କୃତ ବିବାହରୁ ବଞ୍ଚlନ୍ତୁ l ଅନ୍ୟଥା ଅପା ପରି ମୁଁ ବି ସୁଇ ସାଇଡ..... l



Rate this content
Log in

Similar oriya story from Tragedy