Dr Rashmita Panigrahi

Tragedy Inspirational

4.0  

Dr Rashmita Panigrahi

Tragedy Inspirational

ଵ୍ଯାଡ ଟଚ୍

ଵ୍ଯାଡ ଟଚ୍

4 mins
125



   ଗାର୍ଲସ କମନରୁମ କଣ ଆଜି ଏତେ ଗହଳି ଲାଗୁଛି ! ପୂରା ଭର୍ତ୍ତି l ମୋନାଲିସା ବସିବା ପାଇଁ ଖୁବ କଷ୍ଟରେ ଜାଗା ଖଣ୍ଡେ ଯୋଗାଡ଼ କରିପାରିଲା l କିଛି ଗାର୍ଲସ ମୋବାଇଲରେ ଚାଟିଙ୍ଗରେ ବ୍ୟସ୍ତ, କିଛି ଗାର୍ଲସ ଗପିବାରେ, କିଛି ଗେମ ରେ ତ ଆଉ କିଛି ଅନ୍ୟର ଚାଲି ଚଳନକୁ, ପୋଷାକ ପତ୍ରକୁ ନେଇ ଚର୍ଚ୍ଚାରେ l ଏ ସବୁ ଭିତରେ ମୋନାଲିସା ଏତିକି ବୁଝିଲା, ଏମାନେ ବିଭିନ୍ନ କଲେଜରୁ ବଛା ହେଇ ଆସିଛନ୍ତି, କଣ ଗୋଟାଏ 'ଗୁଡ଼ ଟଚ ବ୍ୟାଡ ଟଚ ସମ୍ପର୍କିତ ଦୁଇ ଘଣ୍ଟିଆ ତାଲିମ ନେବେ ବୋଲି l କେହି କେହି ହାତରେ ମ୍ୟାଗଜିନ ଧରି କିଛି ଆର୍ଟିକଲ ଖୋଜୁଛନ୍ତି l ମୋନାଲିସାକୁ ଏ ସବୁ ର କିଛି ଫରକ ପଡୁନି, ସେ କିନ୍ତୁ ବସିଛି ସମୟ କେତେବେଳେ ତିନିଟା ତିରିଶ ହେବ ଆଉ ସେ କେମେଷ୍ଟ୍ରି ଟିୟୁସନଟା ନେଇ ମେସକୁ ଫେରିବ l ଏଇ ଗୁରୁବାର ଦିନଟା ତା'ର ଭାରି କଷ୍ଟ l ଗୁଡ଼ାଏ କ୍ଲାସ l ସରୁ ସରୁ ଦୁଇଟା ବାଜିଯାଏ l କଲେଜ ଠୁଁ ତା ମେସ ପାଖାପାଖି ତିନି କିଲୋମିଟର l ଦ୍ବିପହର ରେ ଅଟୋ ବି ମିଳେନି l ମିଳିଲେ ବି କିଛି ଲାଭ ନାହିଁ କାରଣ ଯାଇ ପହଁଚୁ ପହଁଚୁ ପୁଣି ବାହାରି ବାକୁ ପଡିବ l ପଇସା କୁ ପଇସା ଖର୍ଚ୍ଚ ଉପରେ ଅଟୋ ମିଳିବା ଲେଟ ହେଇଗଲେ କଥା ସରିଲା l ଟିୟୁସନରେ ପହଁଚି ଗାଳି ଖାଇବା ସାର ହୁଏ କିମ୍ବା ପାଠପଢା ଏତେ ଆଗେଇ ଯାଏ ଯେ ତାକୁ ଧରିବା କଷ୍ଟ କର ହେଇ ପଡେ l ତେଣୁ ସେ ଗୁରୁବାର ଦିନ ସକାଳ 6.30 ରୁ ବାହାରି ଆସେ, ସାତ ରୁ ଆଠ ଗୋଟିଏ ଟିୟୁସନ, ଆଠ ରୁ ନଅ କମନ ରୁମରେ ଅପେକ୍ଷା, ପୁଣି କ୍ଲାସ, କ୍ଲାସ ପରେ ପୁଣି ଅପେକ୍ଷା, ଏକାଥରେ ଟିୟୁସନ ସାରି ମେସରେ ପହଞ୍ଚେ ପାଖାପାଖି 5ଟା ହେଇଯାଏ l ମେସ ରେ ପହଁଚି ଶୁଖିଲା ଭାତ ଖାଇ ପାରେନି ବୋଲି ପାଣି ଢାଳି ବହୁ କଷ୍ଟରେ ଜୀବନ ବଞ୍ଚେଇବା ପାଇଁ ମୁଠାଏ ଖାଇ ନିଏ l ତାଙ୍କ ପରିବାର ଏତେ ବି ସ୍ୱଚ୍ଛଳ ନୁହେଁ ନିଜ ଇଚ୍ଛା ଅନୁସାରେ ଖାଦ୍ୟ କିଣି ଖାଇ ନେବ l 

   କାନ୍ଥଘଣ୍ଟାର ଶବ୍ଦରେ ତା'ର ଧ୍ୟାନଭଙ୍ଗ ହେଲା ଏଇ ଯେ ତିନି ଟା ହେଇଗଲା, ଆଜି କେମିତି ସମୟ ଗୁଡିକ ଶୀଘ୍ର ଶୀଘ୍ର ସରି ଯାଉଛି l ଏପଟେ ଦେଖେ ତ ସେହି ଗାର୍ଲସ ମାନଙ୍କ ଭିତରେ ଚର୍ଚ୍ଚା ଜୋରସୋରରେ ଚାଲିଛି ବ୍ୟାଡ ଟଚକୁ ନେଇ l ଯାହା ଆଜିର ତାଲିମ ରେ ବିଶେଷ ଭାବେ ଶିଖିବେ ଓ ପରେ ଅନ୍ୟ ମାନଙ୍କୁ ସେ ସମ୍ପର୍କରେ ସଚେତନ କରେଇବେ l 

    ସେମାନଙ୍କ କଥାରୁ ସେ ଯାହା ବୁଝିଲା, ସେ ଆଶ୍ଚର୍ଯ୍ୟ ହେଲା l ତେବେ ତ ସେ ନିଜେ ଅନେକ ଥର ଏଇ ବ୍ୟାଡ ଟଚ ର ଶୀକାର ହେଇଛି l ସେ ଯେବେ ଷଷ୍ଠ ଶ୍ରେଣୀରେ ପଢୁଥିଲା, ତା'ର ଜଣେ ନିକଟ ସମ୍ପର୍କର ଅଜା ତାକୁ ଡାକନ୍ତି, ଗେହ୍ଲା କରିବା ବାହାନାରେ ତାଙ୍କର ସେ ଟାଣୁଆ ଦାଢ଼ିକୁ ତା ଦେହ ସାରା ଘଷି ଦିଅନ୍ତି ମୋନାଲିସାକୁ କାଟେ ହେଲେ ସେ ଏତେ ଜୋରରେ ତାକୁ ଚାପି ଧରି ଥାଆନ୍ତି ଯେ ସେ ସହଜରେ ମୁକୁଳି ଆସି ପାରେନି l ସେ ଅଜାଙ୍କୁ ଦେଖିଲେ ସେ ଦୌଡ଼ି ପଳେଇ ଯାଏ କେବେ କେବେ ଧରା ବି ପଡି ଯାଏ l ଅନ୍ୟ ମାନେ କହନ୍ତି ସିଏ ପରା ତୋ ଅଜା ତୋତେ ଗେହ୍ଲ କରୁଛନ୍ତି l

    ସମୟ ସହିତ ସେ ଅଜାଙ୍କ ସହ ତା ଭେଟ ତ କମି ଗଲା ହେଲେ ତା'ର ହାଇସ୍କୁଲ ବେଳର ଟିୟୁସନ ସାର ! ସେ ଘରକୁ ଆସି ଟିୟୁସନ କରୁଥିଲେ କେବଳ ଗଣିତ ଓ ବିଜ୍ଞାନ l ଅନେକ ଥର ତାଙ୍କ ଚାହାଣି ଭାରି ଖରାପ ଲାଗୁ ଥାଏ, କେବେ କେବେ ଆଶୀର୍ବାଦ କରିବା ବାହାନା ରେ ପିଠି ଥାପୁଡେଇ ବାର ଶୈଳୀ ବି l 

     ହଠାତ ଘଣ୍ଟା ଉପରେ ତା'ର ନଜର ପଡେ ତ ଆଉ ମାତ୍ର ଦଶ ମିନିଟ ଅଛି, ଉଠି ଦୌଡ଼ିଲା ମୋନାଲିସା ସାରଙ୍କ ଘର ଅଭିମୁଁଖେ l କଲେଜ ଗେଟ ଆରପାଖେ ସାରଙ୍କ ଭଡାଘର l ପହଁଚିଗଲା ସେ ଠିକ ସମୟରେ l ଆଜି କିନ୍ତୁ ପିଲାମାନେ ପଢିବାକୁ ବସି ନଥିଲେ l ସମସ୍ତେ ନିଜ ନିଜ ଭିତରେ କଥାବାର୍ତ୍ତା କରୁଥିଲେ l ସାର ଆଗରୁ ଜଣେଇ ନ ଥିଲେ ଆଜି ହେଉଛି ସାରଙ୍କ ଜନ୍ମଦିନ l ଘରେ ପାର୍ଟିର ଆୟୋଜନ ଚାଲିଛି l ଭିଡ଼ ଆରମ୍ଭ ହେବା ଆଗରୁ ପିଲାଙ୍କୁ ଟିକିଏ ପଢାଇ ଛାଡିଦେବେ ଭାବି ସାର ପଢେଇବାକୁ ଆରମ୍ଭ କରିଛନ୍ତି କି ନାଇ ତାଙ୍କ ମିସେସ ଆସି କେହି ଜଣେ ଦୂର ସମ୍ପର୍କର ବ୍ୟକ୍ତି ସାରଙ୍କୁ ଶୁଭେଚ୍ଛା ଜଣେଇବାକୁ ଆସିଛନ୍ତି କହି ଚାଲିଗଲେ l ବାଧ୍ୟ ହେଇ ସାର ଉଠିଗଲେ, ଆମେ ସମସ୍ତେ ମଧ୍ୟ ସାରଙ୍କୁ ଖାଲି ଜନ୍ମଦିନର ଶୁଭେଚ୍ଛା ଜଣେଇ ଫେରି ଆସିବାର ନିଷ୍ପତ୍ତି ନେଲୁ l ସାର କିନ୍ତୁ ଛାଡିଲେନି l ଆମ ସମସ୍ତଙ୍କୁ ବିଭିନ୍ନ ପ୍ରକାରର ମିଠା ଆଣି ଖାଇବାକୁ ଦେଲେ l ଖାଲି ସେତିକି ନୁହଁ ସାର ତ ସମସ୍ତଙ୍କୁ ନିଜ ହାତରେ ଖୁଆଇ ଦେଉଥାନ୍ତି l ଅଧିକ ଦିଅନ୍ତୁ ନି କହିବା ବେଳେ ସାର ମୋର ହାତକୁ ଧରିବା ସହିତ କେମିତି ଗୋଟେ ପୂରା ମୋତେ ବି ଧରିନେଲେ l ମୁଁ ଖୁବ ଜୋରରେ ନିଜକୁ ତାଙ୍କ ଠୁଁ ଛଡେଇ ଆଣିଲି l ସାଙ୍ଗ ମାନଙ୍କ ନଜରକୁ ଏକଥା ଆସିଲା କି ନାହିଁ ଜାଣେନି କିନ୍ତୁ ସାର ମୋ କାନ ପାଖରେ ଆସି ଚୁପକିନା କହି ଦେଲେ "ୟୁ ସୁଡ ନଟ ବି ୱରିଡ" l 

   ସେଦିନ ମେସ କୁ ଫେରିଲା ବେଳେ ମନଟା ଖୁବ ଭାରାକ୍ରାନ୍ତ ଲାଗୁ ଥିଲା l ଅନେକ ଥର କିଛି ଲୋକ ହାତକୁ ଏମିତି ଜୋରରେ ଚାପିକି ଧରନ୍ତି କାହିଁକି ! ପୁଣି ସୁଯୋଗ ପାଇଲେ କୁଣ୍ଢେଇ ବାକୁ ବି ପଛାନ୍ତିନି l କେଜାଣି କାହିଁକି ଭାରି ଅଶ୍ୱସ୍ତି ବୋଧ ହେଉ ଥିଲା ମୋନାଲିସା କୁ l 

   ମେସ ରେ ପହଁଚିଲା ବେଳକୁ ପାଞ୍ଚଟା ଅତିକ୍ରମ କରି ସାରିଥିଲା l ମେସର ନିୟମ ଥିଲା ପାଞ୍ଚଟା ପୂର୍ବରୁ ପହଞ୍ଚିବେ l ତେଣୁ ମେସର ମାଲିକ ତାକୁ ଦେଖା କରିବାକୁ କହି ସାରିଲେଣି l ମାଲିକାଣୀ କିନ୍ତୁ ଟିକିଏ ଭଲ l ଯେଉଁ ପିଲାର 5/10 ମିନିଟ ଲେଟ ହେଇଯାଏ, ସେ ତାକୁ ଗାଳି ଖାଇବାରୁ ବଞ୍ଚାନ୍ତି l ସେ ଦିନ ସେ ତାଙ୍କ ଝିଅକୁ ନେଇ ଟାଉନ ଭିତରେ ଥିବା ତାଙ୍କ ଭଉଣୀ ଘରକୁ ବୁଲି ଯାଇଛନ୍ତି l ତେଣୁ ଆଜି ଗାଳି ଖାଇବାଟା ସୁନିଶ୍ଚିତ l ଡରି ଡରି ମୋନାଲିସା ଗେଟ ଭିତରକୁ ପଶିଲା l ସାମ୍ନାରେ ମାଲିକଙ୍କୁ ଦେଖି ଡେରିର କାରଣ ବି ସ୍ପଷ୍ଟ କଲା l ଆଜି କିନ୍ତୁ ମାଲିକ ତାଙ୍କ ରୁଦ୍ର ମୂର୍ତ୍ତି ବାହାର କଲେ ନାହଁ l ବରଂ ତା ମୁଣ୍ଡରେ, ପିଠିରେ ହାତ ବୁଲାଇ କହିଲେ ମା'ରେ ଟିକିଏ ସମୟରେ ଫେରି ଆସିବୁ l ମା'ଶବ୍ଦ ରେ ଥିବା ପବିତ୍ରତାର ଆଢୁଆଳରେ କେଜାଣି କେଉଁ ଏକ ଘୋର ଅପବିତ୍ରତା ଉଙ୍କି ମାରୁ ଥିଲା ମୋନାଲିସା ଆଡେ l

 

 ଦ୍ଵିତୀୟ ମହଲାରେ ଥିବା ନିଜ ରୁମକୁ ଯିବା ପାଇଁ ପାହାଚ ପରେ ପାହାଚ ଚଢିବା ବେଳେ ଭାବୁଥିଲା କେମିତି ଅଟକାଇବ ସେ ଏଇ ମଇଳା ହାତ ଗୁଡିକର ସ୍ପର୍ଶକୁ l

 

   


Rate this content
Log in

Similar oriya story from Tragedy