ପ୍ରେତର ପ୍ରତିଶୋଧ ଭାଗ ୫
ପ୍ରେତର ପ୍ରତିଶୋଧ ଭାଗ ୫
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସେଦିନ ସଂଧ୍ୟାବେଳେ ମୋର ଡ଼୍ୟୁଟି ଅଫ୍ ଥିଲା । ସିଭିଲ ଡ୍ରେସରେ ଥାଇ ଗୋଟିଏ ରାଉଣ୍ଡ ରୁଟିନ ପେଟ୍ରୋଲିଂ ସାରିଦେଇ କ୍ଵାଟରକୁ ଫେରିଲି । ଖରାଦିନ ହେତୁ ପ୍ରବଳ ଗରମ ଅନୁଭୂତ ହେଉଥିଲା । ମୋ ଘର ସମ୍ମୁଖରେ ଗୋଟିଏ ବଡ଼ ଆମ୍ବ ଗଛ ଥିଲା । ଗଛ ତଳେ ବସିଲେ ଦେହରେ ଟିିକେ ଥଣ୍ଡା ପବନ ବାଜି ବଡ ଆରାମ ଲାଗେ । ଏଣୁ ଡ୍ୟୁଟି ନ ଥିଲା ବେଳେ ସଂଧ୍ୟା ସମୟରେ ମୁଁ ସେଠାରେ ବସି ଚା ପିଇବା ସହିତ ରିପୋର୍ଟ ହୋଇଥିବା କେସ ଗୁଡିକର ପକ୍ଷ ମାନଙ୍କ ସହ ଆଲୋଚନା କରେ । ଛୋଟ ଛୋଟ କେସ ଗୁଡିକ , ବିଶେଷକରି ସିଭିଲ ମ୍ୟାଟର (ଜମିଜମା ସଂକ୍ରାନ୍ତିୟ) କେସ ଗୁଡିକୁ ଡାଏରୀରେ ଏଣ୍ଟ୍ରି ନକରି ସମସ୍ୟାଗୁଡ଼ିକୁ ପଞ୍ଚାୟତ ସ୍ତରରେ ଭଦ୍ରଲୋକଙ୍କୁ ମାନି ନ୍ୟାୟ ମାଧ୍ୟମରେ ଫଇସଲା କରିବାଲାଗି ଆମେ ଉଭୟ ପକ୍ଷଙ୍କୁ ରାଜି କରାଇ ଅଣ୍ଡରଟେକିଙ୍ଗ ରଖି ସେମାନଙ୍କୁ ଛାଡି ଦେଉ ।
ସେଦିନ ମଧ୍ୟ ଚା କପ ଧରି ଗଛ ତଳକୁ ଆସି ଚଉକିରେ ବସିଲି । ଅପେକ୍ଷା କରିଥିବା କିଛି ଲୋକମାନଙ୍କ ସହିତ ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କଲି । ମନ ଭିତରେ କିନ୍ତୁ ପଣ୍ଡିତ ଗଣନାଥ ଶର୍ମା, ତାଙ୍କ ପୂଜା ତଥା ଗୁରୁଦେବଙ୍କ କଥା ଭାବୁଥିଲି । ମନେ ମନେ ସେ ଗାଁ'ର ଗ୍ରାମରକ୍ଷୀ ମଦନକୁ ଖୋଜୁଥିଲି । ମୋର ଧାରଣା ହେଉଥିଲା କି ମଦନ ଏ ବିଷୟରେ କିଛି ଖବର ଦେଇପାରିବ ।
ଜଣେ ହୋମଗାର୍ଡକୁ ପଠାଇ ମଦନକୁ ଡକେଇଲି । କିଛି ସମୟ ପରେ ମଦନ ଆସିଲା ।
'ମଦନ '!
'ଆଜ୍ଞା ';
'ପଣ୍ଡିତଙ୍କର ଜଣେ କେହି ଗୁରୁ ଅଛନ୍ତି ,ତୁମେ ଜାଣିଛ '?ମୁଁ ପଚାରିଲି ।
'ଆଜ୍ଞା ଜାଣିଛି : ଖାଲି ମୁଁ ନୁହେଁ ,ଗାଁ'ର ଅଧିକାଂଶ ଲୋକ ଜାଣନ୍ତି 'l
'କଣ ଜାଣିଛ କୁହ 'I
'ପଣ୍ଡିତଙ୍କ ଗୁରୁ ଜଣେ ବଡ ତାନ୍ତ୍ରିକ । ଆମେ ଯାହାକୁ ଗୁଣିଆ , କାପାଳିକ ଇତ୍ୟାଦି କହୁ । ମଝିରେ ମଝିରେ ମା କାଳୀଙ୍କ ମନ୍ଦିରକୁ ପୂଜା କରିବା ଲାଗି ଆସନ୍ତି । ତାଙ୍କୁ ଦେଖିଲେ ଭୟ ଲାଗେ । ତେଣୁ ଆମେ ତାଙ୍କଠାରୁ ଦୂରେଇକି ରହୁ 'I
'ଆମେ ବୋଇଲେ ? ଗାଁ ଲୋକ ?
'ଆଜ୍ଞା ହଁ 'I
'ଏଠାକୁ ଆସିଲେ କେତେଦିନ ରୁହନ୍ତି ଓ ଏଠାରୁ କେଉଁଆଡେ ଯା'ନ୍ତି ,ଏ ବିଷୟରେ କିଛି ଜାଣିଛ '?
'ପ୍ରତିଥର ଆସିଲେ ଆମେ ତାଙ୍କୁ ତିନି ଚାରି ଦିନ ପର୍ଯ୍ୟନ୍ତ ଦେଖୁ । କିନ୍ତୁ ଏଠାରୁ ସେ କେଉଁଆଡେ ଯା'ନ୍ତି ମୋତେ ଜଣାନାହିଁ 'I
'ଅଚ୍ଛା ଠିକ ଅଛି । ତମେ ଏବେ ଯାଅ । ଆଜି ଗୁରୁଦେବ ଆସିବେ । ତମେ ଟିକେ ନଜର ରଖ । ଯଦି କଣ ଅସ୍ଵାଭାବିକ କଥା ଦେଖିଲ କି ଜାଣିଲ , ମୋତେ ତୁରନ୍ତ ଇନଫର୍ମ କରିବ 'I
ଆଜ୍ଞା କହି ମଦନ ଚାଲିଗଲା ।
ଏହାପରେ ଦୁଇ ଦିନ ବିତିଗଲା । ସେପରି କୌଣସି ବିଶେଷ ସୂଚନା ନାହିଁ । ଦୀପକ ମର୍ଡର କେସର ଅପରାଧିମାନଙ୍କୁ ଦଣ୍ଡ ହେଲା ଭଳି କୌଣସି ଶକ୍ତିଶାଳୀ ପ୍ରମାଣ ପୋଲିସ ପାଖକୁ ଆସୁନି । ମନରେ ପଣ୍ଡିତଙ୍କ ପ୍ରତି ଦୟା ଆସୁଥିଲା । ଜଣେ ନିଷ୍ଠାପର ପୂଜକ ଓ ଜ୍ଞାନୀ ବ୍ୟକ୍ତିଙ୍କର ଶେଷ ଜୀବନ ଏଭଳି ଭାବରେ କଟିବ, ଭାବିଲେ ଅତ୍ୟନ୍ତ ଦୁଃଖ ଲାଗୁଥିଲା ।
ତୃତୀୟ ଦିନ ସମୟ ପ୍ରାୟ ୧୧ ଟା ବେଳେ ମୁଁ ଥାନା ଭିତରେ ବସି କିଛି ଫାଇଲ ଦେଖୁଥିବା ବେଳେ ଅଚାନକ ଝଡ ଭଳି ପଣ୍ଡିତେ ଥାନା ଭିତରକୁ ପଶି ଆସିଲେ । ସିଧା ମୋ ଟେବୁଲ ନିକଟକୁ ଆସି କହିଲେ , 'ସାର ,ଆପଣଙ୍କ ସାଙ୍ଗରେ କିଛି ଜରୁରୀ କଥା ହେବାର ଅଛି 'I
'କଣ କୁହନ୍ତୁ ' !
'ନାଇଁ ଆଜ୍ଞା , ଏଠାରେ ନୁହେଁ 'Iଏକଥା ଶୁଣି ମୁଁ ତାଙ୍କ ମୁହଁକୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲି । 'ଏଇଟା ଥାନା ପଣ୍ଡିତେ ;ଏଠି ବ୍ୟକ୍ତିଗତ କଥା କିଛି ନାହିଁ । ଆପଣ ଯାହା କହିବା କଥା ଏଠାରେ ନିର୍ଭୟରେ କୁହନ୍ତୁ 'I ମୁଁ ସାମାନ୍ୟ ବିରକ୍ତ ହୋଇ କହିଲି ।
'ନାଇଁ ଆଜ୍ଞା , ବ୍ୟକ୍ତିଗତ କିମ୍ବା ଭୟ କଲା ଭଳି କିଛି କଥା ନାହିଁ । କଥାଟା କଣ କି '; ପଣ୍ଡିତେ ନିଜ ମୁହଁକୁ ମୋ କାନ ପାଖକୁ ଆଣି ଯଥାସମ୍ଭବ ସ୍ଵର ନିଚ୍ଚା କରି କହିଲେ ,' ଏମାନେ ମୋ କଥା ବିଶ୍ୱାସ ତ କରିବେ ନାହିଁ , ଓଲଟି ଉପହାସ କରିପାରନ୍ତି । ତେଣୁ ଟିକେ ନିରୋଳା ସ୍ଥାନକୁ ଗଲେ ଭଲ ହୁଅନ୍ତା '।
ଅଗତ୍ୟା ବାଧ୍ୟ ହୋଇ ତାଙ୍କୁ ନେଇ କ୍ୱାଟରକୁ ଆସିଲି ।
'ମାଡାମ ଏବେ ଘରେ ଅଛନ୍ତି ତ' ?ପଣ୍ଡିତେ ଚଉକିରେ ବସିବା ଅବସରରେ ପଚାରିଲେ ।
'ମାନେ ? କୋଉ ମାଡାମ କଥା ପଚାରୁଛନ୍ତି '?
'ମାଡାମ ମାନେ ଆପଣଙ୍କ ପତ୍ନୀ ; ଏବେ ଘରେ ଅଛନ୍ତି ତ '?ପଣ୍ଡିତେ ମୃଦୁ ହସି ପଚାରିଲେ ।
'ହଁ ଅଛନ୍ତି ; କିନ୍ତୁ ତାଙ୍କ ପାଖରେ ଆପଣଙ୍କ କାମ କଣ '? ମୁଁ ସାମାନ୍ୟ ବିରକ୍ତ ହୋଇ ପଚାରିଲି ।
'କାମ ଅଛି ସାର ; ଗୋଟାଏ ବହୁତ ବଡ କାମ ଅଛି । ସେଥିରେ ଆପଣଙ୍କର ତଥା ମୋର , ଉଭୟଙ୍କର ମଙ୍ଗଳ ନିହିତ ଅଛି 'I
ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଲି । ପଣ୍ଡିତଙ୍କର ଏମିତି କି କାମ ମୋ ସ୍ତ୍ରୀ ପାଖରେ ଥାଇପାରେ , ମନେ ମନେ ଭାବୁଥିଲି । ପଣ୍ଡିତଙ୍କର ଗୁଣି ଗାରେଡି ଓ ତନ୍ତ୍ର ପୂଜା ଇତ୍ୟାଦି ପ୍ରତି ଥିବା ଆଗ୍ରହ ପାଇଁ ମୁଁ ବିବ୍ରତ ଥିଲି । ଏଭଳି ବ୍ୟକ୍ତି ସମ୍ମୁଖକୁ ମୋ ସ୍ତ୍ରୀ କୁ ଆଣିବାକୁ ମୁଁ କୁଣ୍ଠିତ ହେଉଥିଲି ।
**** କ୍ରମଶଃ ****