STORYMIRROR

Sachidananda Kar

Romance

2  

Sachidananda Kar

Romance

ପ୍ରେମରେ ପଡିଥିବା ଝିଅ

ପ୍ରେମରେ ପଡିଥିବା ଝିଅ

2 mins
531

        ଝିଅଟିଏ

        ମା' କହେ ସରଗପରୀ

        ବାପା କହନ୍ତି ଗୋଲାପ କଳି ଭଲ ପାଇବାର ଆଖିରେ କେହି ବି କେବେ ଚାହିଁ ରହନ୍ତିନି ତାକୁ କେହି ବି କେବେ ଚାହିଁ ରହନ୍ତିନି ତାକୁ ପଚାରିଲା ଆଖିରେ।

        ସବୁଦିନେ ଘରୁ ବାହାରି ଏକାଏକା କୁଆଡେ ଚାଲିଯାଏ ସେ ହଜିଯାଏ ପ୍ରକୃତି ଭିତରେ,କୋଉ ଘାସ କିଆରୀରେ ପହଞ୍ଚିଯାଏ କୋଉ ଅପହଞ୍ଚ ଜାଗାମାନଙ୍କରେ ଯେଉଁଠି ଅନେକ ଦୂର ଯାଏ ଲମ୍ବି ଯାଇଥାଏ ସବୁଜ ସୌନ୍ଦର୍ଯ୍ୟ। ଧୀରେଧୀରେ ବଡ ହୋଇଗଲା ଝିଅଟି।

        ଏବେ ସେ ଚାଲିଗଲେ କଳା ହଂସ ଗ୍ରୀବା ପରି ତା'ର ଲମ୍ବା ବେଣୀ ଏପଟ ସେପଟ ହେଲା। ମୁହଁରେ ଭରିଗଲା ଲାଜ ଆଖିରେ ଲହଡି ଭାଙ୍ଗିଲା ମିଠା ମିଠା ଜହ୍ନରାତି । ଦେହରେ ଉଚ୍ଛନ୍ନ ହେଲା ଯୌବନ ବର୍ଷା ଋତୁର ଭରା ନଈ ପରି । ପିଆସୀ ଓଠରେ ଖାଲି ଶୋଷ ଆଉ ଶୋଷ - ପ୍ରେମର,ମିଳନର।

       ସବୁଜ ଘାସର ଛାତିରେ ଭଉଁରୀ ଖେଳୁଥିବା ପବନ ଭଲପାଇଲା ଝିଅକୁ। ଫୁଟାଇଦେଲା ଅନାବନା ଘାସଫୁଲ। ଛୁଟାଇଦେଲା ଅସରନ୍ତି ବାସ୍ନା।

       ପବନ କି କଥା କହେ

       କହିଲା - ' ଆସ ! ତମ ବିଭୋର ବେଣୀରେ ଘାସଫୁଲ ଖୋସି ଦେବି। ତୋଳି ଆଣିଦେବି ଅଗଣିତ ତାରା। ମଳୟର ବାସ୍ନାରେ ସଜେଇ ଦେବି ତମ ହୃଦୟକୁ। ଆସ , ଚାଲିଆସ। '

       ହଠାତ୍ ଝିଅର ସୁଗଠିତ ସଫେଦ୍ ଦେହଟି ବାସି ଉଠିଲା ମହମହ। ଘାସଫୁଲର ବାସ୍ନା। ଫାଜିଲ୍ ଭଅଁର ଗୋଟେ କେଉଁଠୁ ଆସି ଛୁଇଁବି ଛୁଇଁବି କହି ତା' ଚାରିପାଶେ ଉଡି ବୁଲିଲା ସେକ୍ଷଣି। ତାକୁ ଭାବାବିଷ୍ଟ କଲା। ତା' ପାଇଁ ତୋଳିଲା ଗୋଟେ ପ୍ରୀତିର ଉଆସ ସ୍ବପ୍ନପୁରୀ।

        କିଏ ? କିଏ ମୋତେ ଛୁଇଁବାକୁ ଚାହୁଁଛି ?

        ଆନମନା ହେଲା ଝିଅଟି। ତା'ର ଚହଲା ମନରେ ଇନ୍ଦ୍ରଧନୁର ଛାଇ। ପ୍ରୀତିର ପୁଲକ।

        କେଉଁଠି ଥିଲା କେଜାଣି ଅପାଣିଆ ମେଘ ଖଣ୍ଡକ ଆକାଶକୁ ଢାଙ୍କି ଦେଲା। ସବୁଆଡେ ଫିଟି ପଡିଲା ସାହାନାଇର ଝିଁ ଝିଁ ସ୍ବର।

       ଏବେ ଝିଅଟିର ଦେହସାରା ଖାଲି ରୋମାଞ୍ଚିତ ଶୀତରାତି। ଶିରା ପ୍ରଶିରାରେ ବିଜୁଳିର ଚମକ। ଓଠରେ ଓଠରେ କୃଷ୍ଣଚୂଡାର ହସ।

       ପ୍ରେମ ପାଇଁ ପ୍ରାର୍ଥନା ଆରମ୍ଭ କରିଦେଲା ଝିଅଟି। ମନକୁ, ତନୁକୁ ବନ୍ଧନ ମୁକ୍ତ କରିଦେଲା ବି।

        ଅନୂଢା,ଷୋଡଶୀ,ରୂପସୀ,ସୁନ୍ଦରୀ, କେଶବତୀ,ଲାବଣ୍ୟବତୀ ସେଇ ଝିଅଟି ଏବେ ଖୋଜିଲା ମନର ମଣିଷ - କନ୍ଦର୍ପ ପୁରୁଷ, ସ୍ବପ୍ନର ରାଜକୁମାର।

        ଚାଲିଲା ପ୍ରତୀକ୍ଷା ପରେ ପ୍ରତୀକ୍ଷା, ତପସ୍ୟା ପରେ ତପସ୍ୟା।

        କେତେ ଦିନ ଚାଲିଗଲା।

        ଦିନେ ରାତି ଶେଷରେ ଛାଇ ନିଦ ବେଳେ ଚୋରା ଜହ୍ନ ଭଳି ଝର୍କା ଫାଙ୍କ ଦେଇ ଆସି ପାଖରେ ପହଞ୍ଚିଲା ସ୍ବପ୍ନର ରାଜକୁମାର। ଯେତେ ନାଇଁ ନାଇଁ କଲେ ବି ତୋଳି ଧରିଲା ତା'ର ସ୍ନିଗ୍ଧ ଚିବୁକକୁ। ଧୀରେ ଧୀରେ ଶକ୍ତ,ମଧୁର ବାହୁର ବନ୍ଧନୀ ଭିତରକୁ ନେଇଗଲା। ଜିତିଲା ପ୍ରେମ। ରାତିର ଶେଫାଳି ପରି ରାଜକୁମାରର ପାଦତଳେ ଝରିଗଲା ସେ । ନିଜକୁ ରଖି ପାରିଲା ନାହିଁ ଧରି ବାନ୍ଧି।

       ପରଦିନ ବାରିରୁ ଖଣ୍ଡେ କଦଳୀପତ୍ର କାଟୁ କାଟୁ ହାତ କାଟିଦେଲା ସେ।

        ଇସ୍

       - ' କ'ଣ ହେଲା କି ଝିଅ ? ' ପଚାରିଲା ତା'ର ମା'।

       - ' ହାତ କଟିଗଲା, ମା'। ' ହସିଦେଇ କହିଲା ସେ।

       - ' କୋଉ ସପନ ରାଇଜରେ ବୁଲୁଥିବୁ। କାହା କଥା ମନେ ମନେ ଭାବୁଥିବୁ। ଛିଃ ! ଅଲାଜୁକିଟା ! ' ଗମ୍ଭୀର ସ୍ବରରେ କହିଲା ମା'।

       ସେ ଟିକେ ଲାଜେଇ ଗଲା। ତଳକୁ ମୁହଁ ପୋତିଲା।

       ପ୍ରେମରେ ପଡିଥିବା ଝିଅଟା ଏପରି ହେବ ନାହିଁ ତ ଆଉ କିଏ ହେବ !

       ପ୍ରେମରେ ପଡିଥିବା ଝିଅ


Rate this content
Log in

Similar oriya story from Romance