ପ୍ରେମର ସଂଜ୍ଞା
ପ୍ରେମର ସଂଜ୍ଞା


ପ୍ରେମ ହେଉଛି ଏକ ପବିତ୍ର ଉପଲବ୍ଧି | ପ୍ରେମର ସତ୍ତା କଣ ବୋଧହୁଏ ମୁଁ ଭଲ ଭାବେ ବୁଝିନାହିଁ |ମୋ ଜୀବନରେ ଏକ ନିଆରା ସ୍ମୃତି ନେଇ ଆସିଥିଲା ଏକ କୁନି ଝିଅଟିଏ, ଯିଏକି ମୋତେ ଶିଖାଇଥିଲା ପ୍ରେମ କଣ?
ମୋ ଜୀବନରେ ସେ ଆସିବା ଦିନଠୁଁ ମୁଁ ଯେପରି ଅସ୍ଥିର ହୋଇଯାଉଥାଏ |ମୋ ଭିତରେ ଏହି ଘୋର ପରିବର୍ତ୍ତନ ହେଉଥିବାର ମୁଁ ଅନୁଭବ କଲି | ସତେ ଯେପରି ମୁଁ ତା ପାଇଁ ବ୍ୟାକୁଳ ହୋଇ ଯାଉଥିଲି | ସେଥିରୁ ମୁଁ ଶିଖିଲି ଯେ ଭଲପାଇବା ର ଅନ୍ୟ ନାମ ବ୍ୟାକୁଳତା |ଜଣେ ଜଣଙ୍କ ପାଇଁ ଯଦି ବ୍ୟାକୁଳ ନ ହେଉଛି, ଅଶାନ୍ତ ନ ହେଉଛି, ଅସ୍ଥିର ନ ହେଉଛି ତେବେ ସିଏ କି ପ୍ରେମ..?
ଧୀରେ ଧୀରେ ସମୟର ସହ ତାଳ ଦେଇ ସବୁକିଛି ରେ ଆସିଲା ପରିବର୍ତ୍ତନ |ମୁଁ ଆଉ ସେ ଝିଅକୁ ଦେଖିବାକୁ ପାଇଲି ନାହିଁ |ମାତ୍ର ଦୁଇ ଥର ଦେଖାଦେଇ ସେ କେଉଁଆଡେ ହଜିଗଲା ମୁଁ ଜାଣେ ନାହିଁ |ହଜିଗଲା ସିନା ମୋତେ ଶିଖେଇ ଦେଇ ଗଲା ଯେ ଏ ପ୍ରେମ ଗୋଟିଏ ଅଦ୍ଭୁତ ସଂଯୋଗ ବୋଲି |
ମୁଁ ଯେ ତାକୁ ସତରେ ଭଲପାଉଥିଲି, ମୋ ଭଲପାଇବା ରେ କିଛି ପାଇବା ର ଆଶା ନଥିଲା |ଭାଗ୍ୟରେ ଥିଲା କି ସମୟର ଏକ ପରିବର୍ତ୍ତନ ଚକ୍ର ପୁଣି ଏକାଠି କରିଲା ଆମ ଦୁହିଁଙ୍କୁ |ଝିପି ଝିପି ବର୍ଷା ରେ ଭିଜୁଥିଲା ସେ | କେତେ ସୁନ୍ଦର ଦେଖା ଯାଉଥିଲା ସତେ ! ସିଏ ମୋତେ ଦେଖି ନଥିବ କି ମୋ ନଜର ତା ଉପରେ ଲାଖି ରହିଛି ବୋଲି ସାମାନ୍ୟତମ ବି ଅନୁଭବ କରିପାରି ନଥିବ, ମାତ୍ର ମୋତେ ଲାଗୁଥିଲା ସେ ହସୁଛି ମୋରି ପାଇଁ, ବର୍ଷାରେ ଭିଜୁଛି ମୋରି ପାଇଁ, ଆକାଶ କୁ ଅନାଇ ଗୁଣୁ ଗୁଣୁ ହୋଇ କିଛି କହି ଯାଉଛି କେବଳ ମୋରି ପାଇଁ |ବହୁଦିନ ପରେ ଦେଖାହେଲା ମୋର ତା ସହିତ | ସେହି ଦେଖା ରୁ ବି ସେ ମୋତେ ଶିଖେଇ ଦେଇଥିଲା ଯେ ମଣିଷ ମଣିଷ କୁ ଭୁଲି ଯାଇପାରେ ମାତ୍ର ପ୍ରେମ ସମୟ ଚକ୍ର ରେ ପୁଣି ଏକାଠି କରିଦିଏ ଦୁଇଜଣଙ୍କୁ ଅକସ୍ମିକ ଭାବରେ |ସିଏ ବୁଝାଇ ଦେଇଥିଲା ମୋତେ ପ୍ରେମର ଅନ୍ୟ ନାମ ଅକସ୍ମିକତା |
ସେ ଝିଅ ପୁଣି କେଉଁଆଡେ ହଜିଗଲା, ମୋତେ ଜଣା ନାହିଁ, ହେଲେ ତାକୁ ମୁଁ ଭୁଲି ପାରିନାହିଁ ଏ ପର୍ଯ୍ୟନ୍ତ |
ସତରେ ସିଏ ମୋତେ ପ୍ରେମର ପରିଭାଷା ବୁଝାଇ ଦେଇଥିଲା |ବିଜ୍ଞାନ ଭାଷାରେ ତୁଳସୀ ଗୋଟିଏ ଗଛ |ମାତ୍ର ଆମେ ତାକୁ ପୂଜା କରୁ |ସେ ଠାକୁର ଙ୍କ ଉପରେ ଚଢେ ବୋଲି ତାର ମହତ୍ୱ ଅଧିକ |ଠିକ ସେହିପରି ସେ ଝିଅ ସମସ୍ତ ଙ୍କ ପାଇଁ ସାମାନ୍ୟ ହେଇଥାଇ ପରେ, କିନ୍ତୁ ମୋ ପାଇଁ ସେ ତୁଳସୀ ସଦୃଶ ଥିଲା |ଆଉ ସେ ମୋ ମନ ରେ ସତେ ଯେପରି ଘର କରି ରହି ଯାଇଥିଲା |ସେହିଦିନ ହିଁ ମୁଁ ଉପଲବ୍ଧି କରି ପାରିଥିଲି ଯେ ପ୍ରେମ ବିନା ମଣିଷ ଜୀବନ ଏକ ରୁଦ୍ଧ କୋଠରୀ ଭଳି |ଆଉ ସେ ରୁଦ୍ଧ କୋଠରୀ ର ସମସ୍ତ ଝରକା ଖୋଲି ପାରୁଥିବା ଜିନିଷଟି ହେଉଛି ପ୍ରେମ....