STORYMIRROR

Suchitra Rath

Romance

3  

Suchitra Rath

Romance

ପ୍ରେମିକର ଚିଠି

ପ୍ରେମିକର ଚିଠି

5 mins
352


ମୋ ସ୍ପନ୍ଦିତ ପ୍ରାଣର ଈଶ୍ବରୀ ଛନ୍ଦା,


 ନୂତନ ଛନ୍ଦରେ ଛନ୍ଦାୟିତ ତୁମ ପଦଯୁଗଳରେ ମୋର ପ୍ରୀତି ପୁଷ୍ପାଞ୍ଜଳି ।ବିଶେଷ ଅନୁରୋଧ ଚିଠି ଟି ନପଢି ଚିରିଦେବ ନାହିଁ ।ହୁଏତ ମୋ ହାତ ଲେଖା ଦେଖୁ ଦେଖୁ ତୁମେ ଆଙ୍କି ସାରିଥିବ ଏକ ବିଶ୍ବାସଘାତକର ରୂପକଳ୍ପ । କିନ୍ତୁ ବିଶ୍ବାସ କର, ମୁଁ ଆଦୌ ବିଶ୍ବାସ ଘାତକତା କରିନାହିଁ ଆମ ପ୍ରେମ ପ୍ରତି ।ତାହା କାଲି ଯେମିତି ଥିଲା, ଆଜି ବି ସେମିତି ଅଛି , ଆଉ ମୋ ପିଣ୍ଡରେ ପ୍ରାଣ ଥିବାଯାଏଁ ଶ୍ବାସକ୍ରିୟାର ସ୍ବଭାବିକତା ପରି ସେମିତି ରହିଥିବ ଓ ଅହରହ ଜାହିର କରୁଥିବ ତୁମର ଉପସ୍ଥିତିକୁ । ତେବ ଏଠାରେ ପ୍ରଶ୍ନ ଉଠିପାରେ ପ୍ରାପ୍ତି ଓ ଅପ୍ରାପ୍ତିର । ସତ କହିଲ, ପ୍ରେମର ପୂର୍ଣ୍ଣତା କଣ କେବଳ ପ୍ରାପ୍ତିରେ ?


 ହୁଏତ ତୁମକୁ ପାଇଥିଲେ ଉତ୍ତେଜନା ପ୍ରବଣତାରେ ମୁଁ ଚୁମିଯାଇଥାନ୍ତି ତୁମ ଓଷ୍ଠ, ନିତମ୍ବ ଓ ନିଭୄତ ଅବୟବମାନଙ୍କୁ ବା ଆଦିମତାର ଉଦ୍ବେଳନରେ ହଜାଇ ଦେଇଥାଆନ୍ତି ନିଜକୁ ।ହେଲେ ତୁମକୁ ନ ପାଇ.....!!ତୁମକୁ ନପାଇ ବି ମୁଁ ନିତ୍ଯ ଭ୍ରମଣ କରୁଛି ଅମୄତମୟ ପ୍ରେମର ନନ୍ଦନବନରେ । ମନ୍ଦିରର ଘଣ୍ଟଧ୍ବନି ହେଉ ବା ଦିଗବଳୟର ପ୍ରତିଧ୍ବନି, ପ୍ରତ୍ଯେକ ମୋତେ ଅନୁଭବ ଦିଏ ତୁମ କଣ୍ଠର ଶବ୍ଦମୟତାକୁ । ଏକୁଟିଆ ନଈପଠାରେ ବସିଥିବା ବେଳେ ନଈଟା ଛନ୍ଦ ତୋଳେ ତୁମ ପାଉଁଜିର । ପୂନେଇଁ ଜହ୍ନ ମୁହଁ ଗୁଞ୍ଜିଦିଏ ନଡ଼ିଆ ଗଛର ଫାଙ୍କରେ , ବୋଧହୁଏ ମୋ ଛାତିରେ ବିମ୍ବିତ ତୁମର ତୋଫା ମୁହଁଟାକୁ ସେ ଦେଖିନେଇ ଲାଜେଇ ଯାଏ ପ୍ରତିଥର । ସେଥିପାଇଁ ଏବେବି ମୋ ଦୁନିଆ କେବଳ ତୁମେ ମୟ ।ତୁମେ ମୋ ହୄଦୟତନ୍ତ୍ରୀର କୋମଳ ସମ୍ବେଦନ, ମୋ କବିତାର ମୁଗ୍ଧା ନାୟିକା,ମୋ ଜୀବନ ବାଦ୍ଯର ତାଳ, ଚିର ଆହ୍ଲଦଦାୟିନୀ ଓ ଅନୁଭବ ସର୍ବସ୍ବ ।


    ଏମିତି ଅନୁଭବକୁ ନେଇ ଜୀଇଁବା ମୋର ଏକାନ୍ତ କାମ୍ଯ । ତେବେ ବିଶ୍ବାସ କର, ମୁଁ ମହାନୁଭବ ନୁହେଁ, କି ଚାଟୁକାର ବି ନୁହେଁ ।ମୁଁ ବି ମଣିଷ ।ତୁମକୁ ନ ପାଇବାର ଯନ୍ତ୍ରଣାରେ ମୋ ହୄଦୟ ହୋଇଛି ଶତଧା ବିଖଣ୍ଡିତ । ଆକୁଳତା ମୋତେ ଦେଇଛି ଶତ ବୄଶ୍ଚିକର ଦଂଶନ ।ଅସରନ୍ତି କୋହ କରିଛି ଶ୍ବାସରୁଦ୍ଧ ଅଜସ୍ର ବାର ।ତୁମକୁ ଆପଣେଇ ନପାରିବାର ଗ୍ଲାନିରେ ଆତ୍ମପ୍ରତ୍ୟୟ ଧିକ୍କାରିଛି ପ୍ରତି ମୁହୂର୍ତ୍ତ ।ମୋର ଅପାରଗତା, ନିପାରିଲାପଣ ଜଳାଇଛି ମୋର ସତ୍ତାକୁ ତିଳ ତିଳ କରି । କିନ୍ତୁ ସେ ସବୁ ଜଟିଳ ମୁହୂର୍ତ୍ତକୁ ମୁଁ ମୋ ଭିତରେ କବର ଦେଇ ସାରିଛି । ଲୁହକୁ ଲୁଚାଇ ଦେଇଛି ଦୁନିଆ ଆଖିରୁ କାଳେ ସେ କଳଙ୍କ ସାଜିବ ତୁମ ପାଇଁ । କୋହକୁ ରୋକିଛି ଦୀର୍ଘଶ୍ବାସର ଦ୍ବାହିରେ ଓ ନିରବତା ଭିତରେ ଆତ୍ମଗୋପନ କରିଛି ନିଜେ, କାଳେ ମୁହଁ ଖୋଲିଲେ ଅପବାଦର ଅଗ୍ନି ଚରିଯିବ ଚଉଦିଗରେ । ତେବେ ମୋର ଏତେ ସବୁ ପ୍ରୟାସ କେବଳ ତୁମରି ମଙ୍ଗଳ ପାଇଁ ଓ ତୁମ ପରିବାରର ସନ୍ତୁଷ୍ଟି ପାଇଁ ଛନ୍ଦା । ତ୍ଯାଗର ତୀର୍ଥଭୂମି ଛଡା ପ୍ରେମ ଆଉ କଣ ଯେ !! ପ୍ରିୟତମାର ପାଦତଳେ ସୁଖର ଗଙ୍ଗୋତ୍ରୀ ବୁହାଇବାରେ ତ ଆନନ୍ଦ !


   ତୁମେ ଭାବୁଥିବ ମୁଁ କେବଳ ମୋ ଅବସ୍ଥାର ବିଚାର କରୁଛି । ନା ନା ତୁମ ପ୍ରେମକୁ ବି ମୁଁ ସମ୍ମାନ ଦିଏ । ତେବେ ମୁଁ ଜାଣେ ନୂଆ ଏକ ସଂସାରର ମାୟାରେ ତୁମେ ବିଭୋର ହୋଇ ପାରିବ । ସିନ୍ଦୂର କୁ ଅବମାନନା କରିବା ଭଳି ଝିଅ ତୁମେ ନୁହେଁ ।ସୀମନ୍ତର ସିନ୍ଦୂର ସନ୍ତକ ହୋଇ ଯେବେ ଜଠରରେ ସ୍ଥାନ ନେବ ଏକ ନୂତନ ସୄଷ୍ଟିର ସମ୍ଭାବନା, ସେତେବେଳକୁ ତୁମେ ପ୍ରେମିକାରୁ ନାରୀ ପାଲଟି ସାରିଥିବ । ସମସ୍ତ କର୍ତ୍ତବ୍ୟାକର୍ତ୍ତବ୍ଯର ବିଚାରବୋଧରେ ତୁମ ସ୍ମୃତି ମହଲରେ ଅଳନ୍ଧୁ ଲାଗି ମୋ ଛବି ଝାପସା ହୋଇଯିବ ତୁମ ନଜରରୁ । ତାହା ହିଁ ତୁମ ପାଇଁ ଉଚିତ । ନଚେତ ଜୀଇଁ ପାରିବନି ତୁମେ ଏତେବଡ ଜୀବନ । ମାତ୍ର ଚିଠିଟି ଲେଖୁଛି ଏକ ବିଶେଷ ଅନୁରୋଧରେ ।


     ଛନ୍ଦା, ବିଶ୍ବାସଘାତକର ସଜ୍ଞା ନେଇ ବଞ୍ଚିବାକୁ ମୁଁ ଆଦୌ ସହ୍ଯ କରି ପାରୁନାହିଁ ।ଆଶୁତୋଷଙ୍କ ବାଗ୍ ଦତ୍ତା ହେବା ଠାରୁ ତୁମେ ଅନେକ ଚିଠି ଲେଖିଛ , ଆମ ପ୍ରେମର ସମ୍ଭାବିତ ମୄତ୍ଯୁକୁ ଆଶଙ୍କା କରି । ଅନେକ ଥର ଜଣାଇଛ ତୁମ ଆନ୍ଦୋଳିତ ପ୍ରାଣର ଆବେଗକୁ । ପ୍ରସ୍ତୁତ ହୋଇଛ ସାମାଜିକ ଶୄଙ୍ଖଳାକୁ ଡେଇଁ ଯାଇ ମୋ ସହ ଅନନ୍ତ ପଥର ଯାତ୍ରୀ ହେବାକୁ । ଠିକ୍ ସେହି ମୁହୂର୍ତ୍ତରେ ମୁଁ ଜାଣି ଜାଣି ନିରବ ରହିଛି । ଆଉ ତାହା ହିଁ ତୁମ ଦୄଷ୍ଟିରେ ମୋର ଅପରାଧ, ପାପ, ବିଶ୍ବାସଘାତକତା । ଏବେ ତୁମ ପ୍ରେମର ମନ୍ତ୍ରଧ୍ବନି ମୋତେ ମରିବାକୁ ଦେଉନି କି ତୁମ ଆତ୍ମାର ଆରୋପ ମୋତେ ବଞ୍ଚିବାକୁ ଦେଉନି । ସେଥିପାଇଁ ମୋର ବିଶେଷ ଅନୁରୋଧ ଥରୁଟିଏ ମୋତେ ତୁମକୁ ସାକ୍ଷାତ କରିବାର ସୁଯୋଗ ଦିଅ ।ଥରୁଟିଏ ବାଢିବାକୁ ଦିଅ ମୋର କୈଫତ । ସେଇ ହେବ ମୋର ଶୂନ୍ଯ ପ୍ରାଣରେ ପୂର୍ଣ୍ଣତା ।ଆଶୁତୋଷ ଙ୍କ ଧର୍ମପତ୍ନୀ ରୂପରେ ଥରୁଟିଏ, ହୁଏତ ଶେଷ ଥର ପାଇଁ ମୁଁ ଦେଖି ନେବାକୁ ଚାହେଁ ତୁମକୁ ବଧୂ ବେଶରେ , ଶଙ୍ଖା ସିନ୍ଦୂରର କୁହୁକ ଛୁଆଁରେ ।ବାସ୍ ମୋର ଦୁଇ ପଦ କଥା ଓ ମୋ ସ୍ବପ୍ନର ବଧୂ ନିରୂପମା ଓଠର ଧାରେ ହସ ମୋ ଭିତରେ ଭରିଦେବ ଅମାପ ଆତ୍ମତୄପ୍ତି ।ଆଉ ତା ପରେ ବାଆଁରା ପକ୍ଷୀଟିଏ ପରି ମୁଁ ଉଡିଯିବି କେଉଁ ଏକ ଅଜ୍ଞାତ ମୂଲକକୁ ।


ଆଶୁତୋଷ ବହୁତ ଭଲ ଲୋକ । ତୁମ ସ୍ବାମୀ ହେବାର ଯୋଗ୍ଯତା ଓ ସୌଭାଗ୍ୟ ଉଭୟ ଅଛି ତାଙ୍କର ।ତୁମ୍ଭର ସୁଖମୟ ଦାମ୍ପତ୍ୟ କାମନାକରି, ଥରେ ମାତ୍ର ସାକ୍ଷାତ କରିବାର ଆଶା ପୋଷଣ କରି ରହୁଛି ।       

 ଇତି

         

ତୁମର ହତଭାଗ୍ଯ 'ସ୍ପନ୍ଦନ'


  ଏକା ନିଃଶ୍ବାସରେ ସ୍ପନ୍ଦନଙ୍କ ଚିଠିକୁ ପଢି ଯାଉଥିଲା ଛନ୍ଦା ପ୍ରଥମଥର ପାଇଁ , ଯାହା ଲେଖା ହୋଇଥିଲା ପନ୍ଦରବର୍ଷ ତଳେ ।ସ୍ନେହ, ପ୍ରେମ, ଅନୁରାଗ, କ୍ରୋଧ ଓ ଅଭିମାନର ମିଶ୍ରରାଗରେ ଶିହରି ଉଠୁଥିଲା ତାର ଅନ୍ତର ।ସେହି ମୁହୂର୍ତ୍ତରେ ସେ ପାଲଟି ଯାଉଥିଲା ଷୋଡଷୀ ତରୁଣୀ ।

 ସମୟର ପ୍ରତିକୂଳ ସ୍ରୋତରେ ଯାଇ ସେ ସିକ୍ତ ହୋଇ ପଡୁଥିଲା ତରୁଣୀ ପ୍ରାଣର ପ୍ରଣୟ ମଧୁର ଅନୁଭୂତିରେ । ଚିତ୍ରପଟ୍ଟ ପରି ସେ ଦେଖି ପାରୁଥିଲା ସ୍ପନ୍ଦନଙ୍କ ସହ ଅତିବାହିତ ତାର ଅଭୁୂଲା ମୁହୂର୍ତ୍ତ ମାନଙ୍କୁ। ଉଭୟଙ୍କ ନିରବତା ଭିତରେ ଥିଲା ସମୁଦ୍ରର ପ୍ରଗଳ୍ଭତା, ଚାହାଣୀ ସୄଜୁଥିଲା ଅସରନ୍ତି କାହାଣୀ, ଅନ୍ତରଙ୍ଗତା ଆଙ୍କୁଥିଲା ଆତ୍ମୀୟ ଆବର୍ତ୍ତ। ପୁଣି ସେ ଦେଖି ପାରୁଥିଲା ବିଚ୍ଛେଦର ବିଧୂରତା,ବିରହ ବିଳାପ ଓ ବିସ୍ତାରିତ ବିପୁଳ ଦୂରତା । ଲୁହମାନେ ଛାଏଁ ଛାଏଁ ଆସି ରାଜୁତି କଲେ ଛନ୍ଦାର ଆଖିରେ । ଧୀରେ ଧୀରେ ପ୍ରକୄତିସ୍ଥ ହେଲା ଛନ୍ଦା ।


ଘର ବଦଳ ପରେ ଆଶୁତୋଷଙ୍କ ବହିଥାକ ସଜାଡୁଥିବା ବେଳେ ଖସିପଡିଥିଲା ଚାରି ପରସ୍ତ ମଳିଛିଆ କଗଜ ଖଣ୍ଡକ। ଯାହାକୁ କୌତୁହଳରେ ଉଠାଇ ନେଇ ଖୋଲିଥଲା ଛନ୍ଦା ଓ ତହିଁରୁ ଆବିଷ୍କାର କରିଥିଲା ସ୍ପନ୍ଦନଙ୍କୁ ।


--ଆଶୁଙ୍କ ପାଖରେ ଏ ଚିଠି ?ସେ କଣ ତାହା ହେଲେ     ସ୍ପନ୍ଦନ ଓ ମୋ ସମ୍ପର୍କ ବିଷୟରେ ଜାଣିଥିଲେ !କାହିଁ ଥରେ ହେଲେ ତ ତାହାର ଆଭାସ ଦେବାକୁ ଚାହିଁ ନାହାନ୍ତି ସେ !ଏହା ତାଙ୍କର ଈର୍ଷା,  କାତରତା ନା ମହାନୁଭବତା କିଛି ବୁଝି ପାରୁ ନଥିଲା ଛନ୍ଦା ।ଏତେବର୍ଷର ଦାମ୍ପତ୍ଯର ଆଧାର କଣ ଛଳନା ଥିଲା ? ଆଶୁଙ୍କୁ ଦୋଷ ଦେଇ ଲାଭ କଣ ? କାହିଁ ସେ ବି ତ ଆଶୁଙ୍କୁ କେବେ ନିଜ ଆଡୁ କହିନି ସ୍ପନ୍ଦନ ଙ୍କ କଥା !ତେବେ ସେ କଣ ଉତ୍ତମ ପତ୍ନୀ ହେବାର ଅଭିନୟ କରିଛି କେବଳ ? ନା ନା ଆଶୁତୋଷଙ୍କୁ ବି ତ ସେ ଭଲପାଏ ପ୍ରାଣ ଭରି !ସ୍ପନ୍ଦନ ତାର ଅତୀତ ହେଲେ ଆଶୁତୋଷ ତାର ବର୍ତ୍ତମାନ ।ତାଙ୍କ ବିଷୟରେ ଅନ୍ଯଥା ଭାବିବା ପାପ ।


    ଚିଠିଟି ହାତରେ ଧରି ଭାବନାର ଭଉଁରୀରେ ହଜିଯାଇଥିବା ଛନ୍ଦା ଅନୁଭବ କଲା ତା କାନ୍ଧରେ ଆଶୁତୋଷଙ୍କ ହାତର କୋମଳ ସ୍ପର୍ଶ । ଲଜ୍ଜାରକ୍ତ ହୋଇ ପଡୁଥିଲା ଛନ୍ଦା । ଯେମିତି ଏଇ ମୁହୂର୍ତ୍ତରେ କିଛି ଗୋଟାଏ ଅପରାଧ ଘଟାଇଛି ସେ । ସଳଖି ଚାହିଁ ପାରୁନଥାଏ ଆଶୁତୋଷଙ୍କୁ । ଛନ୍ଦାର ମୁହଁକୁ ତୋଳି ନେଇ ଆଶୁତୋଷ କହିଲେ , କଣ କିଛି କହିବ ? ପଚାରିବ, ଏ ଚିଠି ମୁଁ ତୁମକୁ ଦେଇ ନଥିଲି କାହିଁକି ? 

-- ଆମ ବାହାଘର ଦିନ କେଇଟା ପରେ ଯେଉଁ ବିଶ୍ବସ୍ତ ସୂତ୍ରରେ ଚଠିଟି ତୁମ ପାଖକୁ ପହଞ୍ଚିବାର ଥିଲା , ତାହା ଭୁଲ ବଶତଃ ମୋ ହସ୍ତଗତ ହୋଇ ଗଲା । କୌତୁହଳ ଆଧିକ୍ଯରେ ମୁଁ ତାହା ପଢି ନେବାରେ ଅନୁଭବ କଲି ସ୍ପନ୍ଦନଙ୍କ ଠାରେ ସମ୍ପର୍କର ମୂଲ୍ୟବୋଧକୁ । ଆଉ ସେବେଠାରୁ ମୁଁ ତୁମକୁ ବେଶି ରୁ ବେଶି ଭଲପାଇବାକୁ ଲାଗିଲି । କାରଣ ମୋ ଭିତରେ ତୁମ ହୄଦୟ ହଜିଗଲେ ହୁଏତ ତୁମେ ଭୁଲି ପାରିବ ସ୍ପନ୍ଦନଙ୍କୁ । ଆଉ ରହିଲା ସ୍ପନ୍ଦନଙ୍କ ସହିତ ଦେଖା କରିବାର କଥା । ମୁଁ ଭଲଭାବରେ ଜାଣିଥିଲି , ସେହି ସମୟରେ ଉଭୟଙ୍କର ମନୋଭାବ ଯେପରି ଥିଲା ସ୍ପନ୍ଦନଙ୍କୁ ଦେଖିବା ମାତ୍ରେ ତୁମେ ତରଳି ଯାଇଥାନ୍ତ ମହମ ପରି । ଆଉ କଣ ତୁମେ ଫେରି ପାରିଥାନ୍ତ ମୋ ସଂସାରକୁ? ସ୍ବାମୀ ହିସାବରେ ଏତିକି ସ୍ବାର୍ଥପର ହେବା କଣ ମୋ ପକ୍ଷରେ ଉଚିତ ନଥିଲା ? କଥା ବାହାରୁ ନଥିଲା ଛନ୍ଦା ମୁହଁରୁ । ଆଶୁତୋଷଙ୍କ ଛାତି ଆଡକୁ ଜାକି ହୋଇ ଯାଉଥିଲା ସେ । ଆଶୁତୋଷ କହୁଥିଲେ, ଚାଲ ବିଶିଷ୍ଟ ଲେଖକ ସ୍ପନ୍ଦନ ପରିଜାଙ୍କ ପୁରସ୍କାର ପ୍ରାପ୍ତ ଉପନ୍ଯାସ 'ନାୟିକାର ନାମ ଛନ୍ଦା'କୁ ଆଉଥରେ ମିଶିକି ପଢିବା । ଜିଭ କମୁଡି ପକାଇଲା ଛନ୍ଦା । ଆହୁରି ଲାଜେଇ ଯାଇ ଆଶୁତୋଷଙ୍କ ଛାତିରେ ମୄଦୁ ବିଧାଏ ଦେଇ ସେ କହୁଥିଲା, " ଧେତ୍ ତମେ ବି.......!



Rate this content
Log in

Similar oriya story from Romance