Dr Rabinarayan Moharana

Romance

4  

Dr Rabinarayan Moharana

Romance

ପ୍ରେମିକା

ପ୍ରେମିକା

9 mins
178



ତା' ସହିତ ସତ କହିବାକୁ ଗଲେ ମୋର ପ୍ରଥମ ଜଣାଶୁଣା ହୋଇଥିଲା ସେହି ଷ୍ଟେଜ ଉପରେ, ଯେଉଁଠି ସେ ଦିନେ ଓଡ଼ିଶୀ ନାଚିବାକୁ ଯାଇଥିଲା ଓ ମୁଁ ଯାଇଥିଲି ଗୀତ ଗାଇବାକୁ । ସେ ମୋର ଶୋ ପରେ ହଠାତ ମୋ ପାଖକୁ ଆସି କହିଲା, "ତମେ ଏତେ ସୁନ୍ଦର ଗାଇ ପାର ବୋଲି ମୁଁ ଆଦୌ ଜାଣିନଥିଲି । ସତରେ ଖୁବ ସୁନ୍ଦର ଗାଇଲ ।" ଅଗତ୍ୟା ତାକୁ କେବଳ ଧନ୍ୟବାଦ ଦବା ଛଡ଼ା ମୋ ପାଖରେ ଯଦିଓ ଆଉ କିଛି ନଥିଲା, କେଜାଣି କାହିଁକି ସେତିକି ମଧ୍ୟ ମୋ ପାଟିରୁ ବାହାରିଲା ନାହିଁ । ସେ ହସିଦେଇ ଚାଲିଗଲା । ମୁଁ ମଧ୍ୟ ସାମାନ୍ୟ ସ୍ମିତ ହସ ନେଇ ଘରକୁ ଫେରିଲି । ରାତିରେ କିନ୍ତୁ ମୁଁ ଜମା ଶୋଇ ପାରିଲି ନାହିଁ । ଆଖି ବୁଜିଲା ମାତ୍ରେ ଢଳଢଳ ହୋଇ ଦେଖାଗଲା ଯେ ସେ ମୋ ପାଖରେ ବସିଛି ଓ ମତେ ପ୍ରଶଂସା କରୁଛି । ଆଖି ଖୋଲିଲେ ନିଜକୁ ଭାରି ଅପଦସ୍ଥ ମନେ ହେଉଥିଲା ଯେ ମୁଁ କାହିଁକି ତାକୁ ତା'ର ଧନ୍ୟବାଦ ପାଇଁ କୃତଜ୍ଞତାଟିଏ ବି ଜଣାଇଲି ନାହିଁ । ଅତିକମରେ ତା' ନାଚକୁ ଟିକିଏ ପ୍ରଶଂସା ତ କରି ପାରି ଥାଆନ୍ତି ଯେ ସେ ମଧ୍ୟ ଖୁବ୍ ଭଲ ନାଚିଲା ବୋଲି । କାହିଁକି ଯେ ଠିକ ସମୟରେ ଠିକ କଥା କହିବାକୁ ମୋର ମନେ ପଡ଼େ ନାହିଁ, ସେହି କାରଣରୁ ନିଜ ଉପରକୁ ବେଳେ ବେଳେ ରାଗ ଲାଗୁଥିଲା । ମନେ ମନେ ଠିକ କରିନେଲି ଯେ କାଲି ତାକୁ କଲେଜରେ କିଛି ଗୋଟାଏ ବାହାନା କରି ପ୍ରତିଧନ୍ୟବାଦଟିଏ ନିଶ୍ଚୟ ଜଣାଇବି । କଣ କହିବି, କେମିତି କହିବି, ଏସବୁ ପ୍ଲାନ କରୁ କରୁ କେତେବେଳେ ନିଦ ଆସି ଯାଇଥିଲା ଜଣାନାହିଁ । ନିଦ ଭାଙ୍ଗିବା ପରେ ଜାଣିଲି ଯେ ଖାଲି ସକାଳ ହୋଇଗଲାଣି ନୁହେଁ, ବେଳ ମଧ୍ୟ ଖୁବ ଡେରି ହୋଇଗଲାଣି । ଶୀଘ୍ର ଶୀଘ୍ର ନିଜର ନିତ୍ୟକର୍ମ ନ ସାରିଲେ ସେଣେ କଲେଜ ଡେରି ହୋଇଯିବ ।


କଲେଜ ଗଲାବେଳଜୁ କେମିତି ତାକୁ କହିବି, ସେ ତା'ର ଉତ୍ତର ଯଦି ଏପରି ଦିଏ; ତାହାଲେ ମୁଁ ତାକୁ ସେପରି ଭାବରେ କହି ତାକୁ ପ୍ଲିଜ କରାଇବି ଇତ୍ୟାଦି କେତେକଣ ଭାବି ଭାବି ଯାଉଥାଏ । ହେଲେ ମୋର ଦୁର୍ଭାଗ୍ୟ ଯେ ମୁଁ କଲେଜରେ ତା' ଆଗରୁ ପହଞ୍ଚିଗଲି । ମୁଁ ଜାଣି ପାରିଲି ନାହିଁ ଯେ ସେ ମୋ ପଛେ ପଛେ ଆସୁଥିଲା ବୋଲି । ପଛରୁ ସେ ମତେ ତା' ଆଡ଼ୁ ଆଗ ଡାକିଦେଇ ମୋର ନିକଟତର ହେଲା । ମୋ ପାଟିରୁ କିଛି କଥା ବାହାରିବା ଆଗରୁ ସେ ମୋତେ କହିଲା ଯେ ତା'ର ଗୋଟାଏ ପ୍ରୋଗ୍ରାମ ନିକଟରେ ହେବାକୁ ଅଛି । ସେ ଏଥର ଡିସାଇଡ କରିଛି ଯେ ସେ ଆଉ ଟେପ୍ ବଜାଇ ନାଚିବ ନାହିଁ । ସେ ଅରିଜିନାଲ ଭୟେସ ଉପରେ ନିଜର ଡ୍ୟାନ୍ସ ରଖିବ । ତାହାର ଏପରି ଆଇଡିଆ ଯେ ବହୁତ ଭଲ ତାହା ମୁଁ ମୋ ତରଫରୁ ପ୍ରଥମ କରି ତାକୁ ଜଣାଇ କଂଗ୍ରାଚ୍ୟୁଲେସନ ଜଣାଇବା ପୂର୍ବରୁ ସେ ପୁଣି ଆଗତୁରା କହି ପକାଇଲା ଯେ ତା'ର ଡ୍ୟାନ୍ସରେ ମୁଁ ଭୟେସ ଦେବି । ମୁଁ ନାଚରେ ଗୀତ ଗାଇ ଜାଣେ ନାହିଁ ବୋଲି ହଠାତ କହିଦେଲି ଓ ତାକୁ ଗୋଟିଏ ଭଲ ଗାୟକର ସାହାଯ୍ୟ ନେବାକୁ ପ୍ରସ୍ତାବ ଦେଲି । ସେ କିନ୍ତୁ ନଛୋଡ଼ବନ୍ଧା । କହିଲା କଣ ଅଛି ଯେ ସେ ଗୀତ ଗାଇବାରେ ? ଥରେ ଟେପ୍ ରେକର୍ଡକୁ ଶୁଣିନିଅ । ସବୁ ଠିକ ହୋଇଯିବ । ନାଚରେ ମାତ୍ର କେତୋଟି ଜାଗାରେ ତିନି ତିନି ଥର ଘୋଷାକୁ ବା ପଦକୁ ଦୋହରାଇବାକୁ ହେବ । ସେହି ଅନୁସାରେ ସେ ନାଚିଲା ବେଳେ ଥରେ ଡାହାଣକୁ ତ ଥରେ ବାମକୁ ତା'ର ଭଙ୍ଗୀକୁ ବୁଲାଇ ଶେଷରେ ସିଧା ଦର୍ଶକଙ୍କ ସମ୍ମୁଖ ଦିଗକୁ ନିଜର ଡ୍ୟାନ୍ସ ପୋଜକୁ ରଖିବ । ମୋ ଗାଇବା ଉପରେ ତା'ର ଖୁବ ଭରସା ଥିଲା । ସେ ଏପରି ଜିଦ୍ କଲା ଯେ ମୋତେ ଶେଷରେ ତା' କଥାରେ ରାଜି ହେବାକୁ ପଡ଼ିଲା ।


ସେଦିନ କିନ୍ତୁ ରବୀନ୍ଦ୍ର ମଣ୍ଡପରେ ତାହାର ଡ୍ୟାନ୍ସ ସତକୁ ସତ ପୂରା ଜମି ଯାଇଥିଲା । ସମସ୍ତେ ତାକୁ ପ୍ରଶଂସାରେ ପୋତି ଦେଉଥିଲେ । ସେ କିନ୍ତୁ ସବୁବେଳେ ନିଜର ଇଙ୍ଗିତରେ ମତେ ହିଁ ଦେଖାଇ ଦେଇ ସମସ୍ତଙ୍କୁ ତା' କ୍ରେଡିଟ ପଛରେ ମୋ ଭୟେସର ଗୁରୁତ୍ୱକୁ ସୂଚାଇ ଦେଉଥିଲା ଓ ମତେ ସମସ୍ତଙ୍କ ସହିତ ପରିଚିତ କରାଉଥିଲା । ମୁଁ ସତେ ଯେପରି ତାହାରି ପାଇଁ ଜଣେ ପ୍ରତିଷ୍ଠିତ ଗାୟକ ହୋଇ ଉଠୁଥିଲି ସେହି କେଇ ମୁହୂର୍ତ୍ତ ପାଇଁ । ଫେରିଲା ବେଳକୁ ଆମେ ହୋଟେଲରେ ଡିନର ନେଇ ଘରକୁ ଫେରିଲୁ । ସତ କହିବାକୁ ଗଲେ ସେହିଦିନ ଯାଏ ମୁଁ କେବେ ଏତେ ବିଳାସମୟ ହୋଟେଲରେ ପାଦ ଦେଇନଥିଲି । ତା' ପାଇଁ ସେଦିନ ମୁଁ ରାଜକୀୟ ଗୌରବକୁ ମନେମନେ ଅନୁଭବ କରୁଥିଲି । ଏହାପରେ ଯେତେବେଳେ ଯେଉଁଠି ତାହାର ଡ୍ୟାନ୍ସ ପ୍ରୋଗ୍ରାମ ହେଇଛି ; ସେତେବେଳେ ମୁଁ ତା' ଡ୍ୟାନ୍ସରେ ଭୟେସ ଦେଇଛି । ଡ୍ୟାନ୍ସ କଲାବେଳେ ସେ ବେଳେବେଳେ ମୋ ଆଡ଼କୁ ନିକଟତର ହୋଇଆସେ । ମୁଁ ମଧ୍ୟ ମୋ ସ୍ୱର ସହିତ ହାତର ଠାଣୀରେ ତାହାକୁ ନଚାଇଲା ପରି ଭଙ୍ଗୀ କରେ । ଏଣିକି ସେ ଆଉ ଟେପ ରେକର୍ଡର ତାଳେ ତାଳେ ନାଚେନାହିଁ ; ମୋ ଭୟେସର ମାଧୁର୍ଯ୍ୟରେ ତଲ୍ଲୀନ ହୋଇ ସେ ଡ୍ୟାନ୍ସ କରେ ।


ମୋର ସବୁଠାରୁ ବଡ଼ ଦୁର୍ବଳତା ଥଲା ଯେ ମୁଁ ତାକୁ ତା'ର ଠିକଣା ମାଗି ପାରିନଥିଲି । ସେ ରହୁଥିଲା ଲେଡିଜ୍ ହଷ୍ଟେଲରେ । କ୍ଲାସ ପରେ ଆମର ମିଳାମିଶା ସନ୍ଧ୍ୟା ଯାଏ ଚାଲୁଥିଲା । କେତେବେଳେ ଲାଇବ୍ରେରୀର ଷ୍ଟଡିରୁମରେ ତ କେତେବେଳେ କଲେଜ ଲନରେ ; ପୁଣି କେତେବେଳେ କଫିହାଉସରେ ଆମେ ମିଶୁଥିଲୁ । କ୍ରମେ ସେ ଆମ ଘରକୁ ଆସିଲା । ମୋ ବାପା ଓ ବୋଉଙ୍କୁ ସେ ତା' ପ୍ରଥମ ପରିଚିତିରୁ ହିଁ ମନ୍ତ୍ରମୁଗ୍ଧ କରିନେଲା । ଏମିତି ହେଲା ଯେ ସେ ଆମ ଘରକୁ ଆସୁ ଆସୁ ସେ ସ୍ଥାନକୁ ତା' ଡ୍ୟାନ୍ସର ପ୍ରାକ୍ଟିସ ପ୍ଲେସ କରିନେଲା । ତା' ଡ୍ୟାନ୍ସର ପ୍ରଥମ ଦର୍ଶକ ହେଲେ ମୋ ବାପା ଓ ମୋ ବୋଉ । ଏତେ ଦିନ ମଧ୍ୟରେ ମୁଁ ଜାଣି ନ ଥିଲି ଯେ ସେ ଦିଲ୍ଲୀର ଜଣେ ବିଶିଷ୍ଟ ଶିଳ୍ପପତିଙ୍କ ଏକ ମାତ୍ର କନ୍ୟା ବୋଲି । ତାଙ୍କର ଅଗାଧ ପ୍ରତିପତ୍ତି ରହିଛି ବୋଲି ଯାହା ଶୁଣିଥିଲି । ହେଲେ ମୁହଁ ଖୋଲି କେବେ ତା' ସମ୍ବନ୍ଧରେ ସବିଶେଷ ବିବରଣୀ ଜାଣିବାକୁ ପଚାରି ପାରିନଥିଲି କି ସେ ମଧ୍ୟ ସେ ବିଷୟରେ କେବେ କହିବାର ଆବଶ୍ୟକତାକୁ ଅନୁଭବ କରି ନଥିଲା ।


ହଠାତ୍ ସେ ଦିନେ କଲେଜରୁ ଉଭାନ ହୋଇଗଲା । ମନେ ମନେ ଅବଶ୍ୟ ମୁଁ ତାକୁ କେତେ ଦିନ ଧରି ବହୁତ ଖୋଜିଲି । ଶେଷରେ ନିରାଶ ହେଲି । ତେଣୁ ବାଧ୍ୟ ହୋଇ ସାଙ୍ଗ ସାଥୀଙ୍କୁ ମୁଁ ତା' ବିଷୟରେ ପଚାରିଲି । କେହି କିନ୍ତୁ ସେ ବିଷୟରେ କିଛି କହି ପାରିଲେ ନାହିଁ । ତା' ଡିପାର୍ଟମେଣ୍ଟ ଅଲଗା ଓ ମୋ ଡିପାର୍ଟମେଣ୍ଟ ଅଲଗା ଥିଲା । ମୋ ଡିପାର୍ଟମେଣ୍ଟ କଲେଜର ଫ୍ରଣ୍ଟ ଡୋର ପଟେ ତ ତା' ଡିପାର୍ଟମେଣ୍ଟ କଲେଜର ବ୍ୟାକଡୋର ବାଟେ । ସବୁଠୁ ବଡ଼ ମଜ୍ଜାର କଥା ହେଲା ଯେ କଲେଜର ଫ୍ରଣ୍ଟ ଡୋର ଓ ବ୍ୟାକ ଡୋର ମଧ୍ୟବର୍ତ୍ତୀ କ୍ଲାସରୁମମାନଙ୍କୁ ସଂଯୋଗ କରୁଥିବା ଫୁଟପାଥର ଉଭୟ ପାର୍ଶ୍ୱରେ ଅତି ସୁନ୍ଦର ଲନ ରହିଥିଲା । ବାହାର ପଟେ ଗଲେ ତାହାର ସୁଷମା ତ ଆହୁରି ଚମତ୍କାର । ରାସ୍ତାର ଦୁଇ ପାର୍ଶ୍ୱରେ ରହିଥିବା କୃଷ୍ଣଚୂଡ଼ା ଗଛଗୁଡ଼ିକ ପରସ୍ପରକୁ ଆଲିଙ୍ଗନ କଲାପରି ଢାଂକି ହୋଇ ରହିଥାନ୍ତି । ରାସ୍ତରେ ଖାଲି କୃଷ୍ଣଚୂଡ଼ାହିଁ କୃଷ୍ଣଚୂଡା ; ସତେ ଯେପରି ସ୍ୱର୍ଣ୍ଣିମ ପଥ । ତା' ଉପରେ ଚାଲି ଚାଲି ଗଲାବେଳେ କି ଯେ ଆନନ୍ଦ ! ସେ ଓ ମୁଁ ବହୁତ ଥର ସେ ରାସ୍ତାରେ ଯାଇଛୁ । ପାଠ୍ୟପାସଙ୍ଗ ଉପରେ ଯେତିକି ଆଲୋଚନା କରୁ ବୋଧହୁଏ ତା' ଠାରୁ ବେଶୀ ମୁଁ ତା'ର ନାଚ ଉପରେ ଆଲୋଚନା କରେ ଏବଂ ସେ ମୋ ଗୀତ ଉପରେ ।

ସେ ମୋତେ ଅନେକଥର ସୋଲୋ ପ୍ରୋଗ୍ରାମ କରିବାକୁ କହିଛି, ହେଲେ କେଜାଣି କାହିଁକି ସେ ଦିଗରେ ମୁଁ କେବେ ଇଚ୍ଛା ପ୍ରକାଶ କରିନାହିଁ । ସେଦିନ କାହିଁକି ମୋ ମୁଣ୍ଡକୁ ଆସିଲା ଯେ ତା'ର ସୋଲୋ ଡ୍ୟାନ୍ସ ପ୍ରୋଗ୍ରାମ କରିବା କଥା । ମୋ ପ୍ରସ୍ତାବରେ ସେ କିନ୍ତୁ ତତକ୍ଷଣାତ୍ ରାଜି ହୋଇଗଲା । ହେଲେ ମତେ ତ ଭୟେସ ଦେବାକୁ ହେବ । ପ୍ରଥମେ ପ୍ରଥମେ ଚାଲିଲା ସୋଲୋ ଡ୍ୟାନ୍ସ ପାଇଁ ରୀତିମତ ଏକ ପ୍ଲାନିଙ୍ଗ । କେଉଁଠି ପ୍ରୋଗ୍ରାମ ହେବ ? କିପରି ତାହାର ଆଡ୍ କରାଯିବ ? କିପରି ଟିକେଟ୍ ସେଲିଙ୍ଗ ହେବ ଇତ୍ୟାଦି ଇତ୍ୟାଦି । ବାସ୍ ସେଇଠୁ ତ ରବୀନ୍ଦ୍ର ମଣ୍ଡପରେ ତା' ପ୍ରୋଗ୍ରାମ । 


ସତ କହିବାକୁ ଗଲେ ରବୀନ୍ଦ୍ର ମଣ୍ଡପର ପ୍ରୋଗ୍ରାମ କେବଳ ତା' ପାଇଁ ନୁହେଁ; ଅଧିକନ୍ତୁ ମୋ ପାଇଁ ମଧ୍ୟ ତାହା ଥିଲା ଏକ ପ୍ରକାର ସଫଳ ପ୍ରୋଗ୍ରାମ । ସେହିଦିନ ରାତିରେ ହୋଟେଲରେ ଡିନର କରି ଫେରିବା ବେଳଜୁ ସେ ପ୍ରଥମେ ପ୍ରେମ କରିବା ପ୍ରସଙ୍ଗ ଉଠାଇଥିଲା । ଯାହା ଅନେକ ଦିନ ହେଲା ମୁଁ କହିବି କହିବି ବୋଲି ଭାବୁଥିଲି; ତାକୁ ସେ ଅକସ୍ମାତ ମୁହଁ ଖୋଲି କହିଦେଲା, " ଆଇ ଲଭ୍ ୟୁ "। ସେ କହି ଚାଲୁଥିଲା, "ସତରେ ଆମେ ଯଦି ବିବାହ କରନ୍ତେ, ତେବେ କେତେ ଭଲ ହୁଅନ୍ତା ! ତୁମେ ଗାଉ ଥାଆନ୍ତ ଓ ମୁଁ ତୁମ ସ୍ୱରର ତାଳେ ତାଳେ ନାଚୁଥାନ୍ତି ।"ସେ ସତରେ ଓଡ଼ିଶୀ ନାଚର ଏକ ପ୍ରବୀଣ ନୃତ୍ୟଶୀଳ୍ପୀ ଥିଲା । ଆଉ ମୁଁ ଏକ ବାଥ ରୁମ ସିଙ୍ଗରରୁ ଏକ ପ୍ରଖ୍ୟାତ କଣ୍ଠଶିଳ୍ପୀ । ସେ ରୀତିମତ ନୃତ୍ୟଶିକ୍ଷା କରୁଥିଲା । ଆଉ ମୁଁ ? ଥରେ କି ଦି ଥର ତା' ଟେପ ରେକର୍ଡରରୁ ଓଡ଼ିଶୀ ଗୀତକୁ ଶୁଣି ସେଦିନ ଯେଉଁ ଷ୍ଟେଜରେ ଗାଇବା ଆରମ୍ଭ କରିଥିଲି, ସେମିତି କରୁ କରୁ ଏବେ ତଥାକଥିତ ଏକ ଖ୍ୟାତନାମା ଗାୟକ । ସେ ସବୁବେଳେ କହିଥିଲା ଯେ ସେ ଯଦି ଓଡ଼ିଶା ଛାଡ଼ି ଆମେରିକା ଇତ୍ୟାଦି ବିଦେଶୀ ସହରକୁ ଯାଆନ୍ତା ନାଚିବା ପାଇଁ, ତେବେ ସେଠାରେ ତାହାର କ୍ରେଢିଟ୍ ବହୁଗୁଣିତ ହୋଇ ଉଠନ୍ତା । ତାହାର ଇମେଜ ଭ୍ୟାଲ୍ୟୁ ବଢି ଯାଆନ୍ତା । ମୁଁ କିନ୍ତୁ ତା' ସ୍ୱପ୍ନପାଇଁ ସାହସ ବାନ୍ଧି ପାରୁନଥିଲି । କେବଳ ତା' ମନକୁ ରଖିବାପାଇଁ କେତୋଟି ଉତ୍ସାହପୂର୍ଣ୍ଣ ଶବ୍ଦ କହିଦେଉଥିଲି । ହେଲେ ଏତେ ସ୍ୱପ୍ନ ଦେଖୁଥିବା ନୃତ୍ୟପ୍ରବୀଣା ତାହାଲେ ଗଲେ କୁଆଡ଼େ ?


ଏହା ମଧ୍ୟରେ ଅନେକ ଦିନ ବିତି ଗଲାଣି । ଦିନ ତ ନୁହେଁ, ଅନେକ ବର୍ଷ । ଏବେ ମୁଁ ଆଉ କଲେଜର ଖୁଲମଖୁଲା ଯୁବକ ନୁହେଁ ; ଅଧିକନ୍ତୁ ପ୍ରୌଢ । ମୁଁ ବିବାହ କରିସାରିଛି । ମୋର ପିଲାମାନେ ମଧ୍ୟ ଖୁବ ବଡ଼ ହୋଇ ସାରିଲେଣି । ଏବେ ମୁଁ ତାଙ୍କର ବିବାହ କଥା ଚିନ୍ତାକରୁଛି । ଏହି ସମୟରେ ହଠାତ୍ ପୋଷ୍ଟମ୍ୟାନଠାରୁ ତା'ର ଏକ ଚିଠି ପାଇଲି । ଚିଠିର ସେଣ୍ଟର ଅଂଶରୁ ଜାଣି ହେଉଥିଲା ଯେ ସେ ସୁଦୂର ଲଣ୍ଡନରୁ ଚିଠି ଲେଖିଛି । ମୋର ଉତ୍କଣ୍ଠା ବହୁଗୁଣିତ ହୋଇ ଉଠୁଥାଏ । ମୁଁ ଚିଠି ଖୋଲି ପଢିବାକୁ ଲାଗିଲି । ଚିଠିଟି ଯେତିକି ଯେତିକି ପଢୁଥାଏ, ସେତିକି ସେତିକି ମନଟି ସମବେଦନାର ଦୁଃଖରେ ଭାରାକ୍ରାନ୍ତ ହୋଇ ଉଠୁଥାଏ । 


ସେ ତା'ର ଚିଠି ଆରମ୍ଭ କରିଥିଲା ସେହିଠାରୁ, ଯେଉଁ ଦିନଠାରୁ ସେ ହଠାତ୍ କଲେଜରୁ ଅନ୍ତର୍ହିତ ହୋଇ ଯାଇଥିଲା । ସେ ସେହି ବର୍ଷ ସମର ଭ୍ୟାକେସନରେ ଯାଇଥାଏ ତା' ଘରକୁ । ସେହିଠାରେ ହିଁ ତା' ଭାଗ୍ୟର ବିପର୍ଯୟ ଘଟିଲା । ସେଦିନ ତାଙ୍କ ଘରକୁ ଆସିଥିଲେ, ତାଙ୍କ ବାପାଙ୍କ ପିଲାଦିନର ଜଣେ ସାଙ୍ଗ ଯିଏ କି ସୁଦୂର ଲଣ୍ଡନରେ ରହୁଥାନ୍ତି । ସେ ସେଠାକାର ଜଣେ ଖ୍ୟାତନସମା ଶିଳ୍ପପତି । ତାଙ୍କ ପୁଅ ଜଣେ ସଫ୍ଟଓ୍ୱେୟାର ଇଞ୍ଜିନିୟର । ବେଶ ମୋଟା ରକମର ଦରମା । ସେ ତାକୁ ଦେଖି ନିଜର ବୋହୂ କରିବାକୁ ଇଚ୍ଛା କଲେ । ତା' ବାପା ମଧ୍ୟ ତା'ର କୌଣସି ମତାମତ ନ ନେଇ ତାଙ୍କୁ ସ୍ୱୀକୃତି ପ୍ରଦାନ କରିଦେଲେ । ଚାହୁଁ ଚାହୁଁ କଥାବାର୍ତ୍ତା ଦିନେ ଦି ଦିନ ମଧ୍ୟରେ ପକ୍କା ହୋଇଗଲା । ହଠାତ୍ ଫ୍ଲାଇଟରେ ଲଣ୍ଡନ ଯାତ୍ରା । ସେଠାରେ ଗୋଟିଏ ଅତ୍ୟାଧୁନିକ କ୍ଲବରେ ବିବାହ ସଂପନ୍ନ । ସବୁକିଛି ଯନ୍ତ୍ରବତ୍ ହୋଇ ଯାଉଥିଲା ।


ଲଣ୍ଡନରେ ସେ ପ୍ରାୟ ଆଦୌ ସୁଖରେ ନଥିଲା । ତାର ହଜବ୍ୟାଣ୍ଡ ପ୍ରାୟ ବାହାରେ ରୁହନ୍ତି । କେବେ କେବେ ଲେଟ ନାଇଟରେ ଡ୍ରିଙ୍କ କରି ଘରକୁ ଫେରନ୍ତି । ଏତେଦିନ ଭିତରେ ସେମାନେ କିଛି ସମୟ ମନ ଖୁସିରେ କଥାବାର୍ତ୍ତା ମଧ୍ୟ ହୋଇନାହାନ୍ତି । ଶାଶୁ ଶ୍ୱଶୁରଙ୍କ କଥା ତ ନକିହିଲେ ଭଲ । ସେମାନେ କେଉଁ କୂଳକୁ ନୁହନ୍ତି ; ଅଥଚ ସେମାନଙ୍କର ବହୁତ ରେଷ୍ଟ୍ରିକସନ । ନାଁକୁ ବିଦେଶରେ ରହୁଛନ୍ତି ନିଜର ବ୍ୟାପାର ପାଇଁ ଓ ନିଜର ପ୍ରତିପତ୍ତି ଦେଖାଇବା ପାଇଁ । ନହେଲେ ନିପଟ ଅଶିକ୍ଷିତଙ୍କଠାରୁ ଆଦୌ କମ ନହନ୍ତି ସେମାନେ । ଦିନେ କିନ୍ତୁ ସେ ଜାଣିବାକୁ ପାଇଲା ଯେ ତା ହଜବ୍ୟାଣ୍ଡର କେହି ଜଣେ ଗାର୍ଲଫ୍ରେଣ୍ଡ ଅଛନ୍ତି । ପ୍ରଥମେ ପ୍ରଥମେ ସେ କଥାଟିକୁ ସେ ଏତେ ଗୁରୁତ୍ୱ ଦେଉ ନଥିଲା । ଫରେନ ଜାଗା । ସେଠାରେ ତ ସେସବୁ ପ୍ରାୟ କମନ୍ । କିନ୍ତୁ ସେ ସେଦିନ ବଡ଼ ଆଶ୍ଚଯ୍ୟ ହୋଇ ଉଠିଲା ଯେଉଁ ଦିନ ତା'ର ହଜବ୍ୟାଣ୍ଡ ତାଙ୍କର ସେହି ଗାର୍ଲଫ୍ରେଣ୍ଡକୁ ବିବାହ କରି ଘରକୁ ନେଇ ଆସିଲେ । ସେ ଅବଶ୍ୟ ପ୍ରତିବାଦ କରିଥିଲା । ହେଲେ ପ୍ରତିବାଦର ମୂଲ୍ୟ କିଛି ରହିଲା ନାହିଁ । ସେ ତା'ର ଶାଶୁ ଓ ଶ୍ୱଶୁରଙ୍କୁ କହିଲା , ହେଲେ ସେମାନେ ନିଜ ନିଜର ଅସହାୟତାକୁ ଅତି ସହଜରେ ପ୍ରକାଶ କରିଦେଲେ । ଅଗତ୍ୟା ନିଜର ଭାଗ୍ୟକୁ ଆଦରି ତାକୁ ରହିବାକୁ ପଡ଼ିଲା ।


ସେତିକିରେ ବି ତା'ର ଦୁଃଖ ସରିଲା ନାହିଁ । ଦିନେ ତା' ହଜବ୍ୟାଣ୍ଡ ତାକୁ ଏକ ଡିଭାର୍ସ ପେପରରେ ଦସ୍ତଖତ କରିବାକୁ କହିଲେ । ସେଦିନ ସେ ବହୁତ କାନ୍ଦିଥିଲା । ହେଲେ ତା' କଥା ବା ଶୁଣିବ କିଏ ? ଏଥର ମଧ୍ୟ ସେ ତା' ଶାଶୁ-ଶ୍ୱଶୁରଙ୍କୁ ନେହୁରା ହେଲା । ସେମାନେ ବରଂ ଆଶ୍ୱାସନା ଦେଇ ତାକୁ ଇଣ୍ଡିଆ ଫେରି ଯାଇ ସେଠାରେ ଶାନ୍ତିରେ ରହିବାକୁ କହିଲେ । ହଜବ୍ୟାଣ୍ଡ ମଧ୍ୟ ଜବରଦସ୍ତ ତା' ଠାରୁ ସିଗନେଚର କରାଇନେଇ ଇଣ୍ଡିଆ ପାଇଁ ଏକ ରିଟର୍ଣ୍ଣ ଟିକେଟକୁ ଉପହାର ସ୍ୱରୂପ ତା' ଉପରକୁ ଏକ ପ୍ରକାର ଫୋପାଡ଼ିଦେଲେ ଓ କିଛି ଟଙ୍କାର ଏକ ଚେକ ଦେଇ ଏଣିକି ଗୋଟାଏ ହୋଟେଲ ବୁକ କରି ନିଜର ମାର୍କେଟିଙ୍ଗ ଇତ୍ୟାଦି ସାରି ଇଣ୍ଡିଆ ଫେରିଯିବାକୁ ପରାମର୍ଶ ଦେଲେ । ରିଟର୍ଣ୍ଣ ଟିକେଟର ସମୟ ଥିଲା ମାତ୍ର ଗୋଟିଏ ମାସ ।


ତେଣୁ ସେ ଆସନ୍ତା ମାସରେ ଇଣ୍ଡିଆ ଫେରିବ । ନିଜ ବାପା ଓ ବୋଉ ଉପରେ ବୋଝ ହୋଇ ସେ ରହିବ ନାହିଁ । ସେ ପୁଣି ତା' ପାଦରେ ଘୁଙ୍ଗୁର ବାନ୍ଧିବ । ଆମ ପୁରୁଣା ସଂପର୍କର ଦ୍ୱହି ଦେଇ ସେ ଅନୁରୋଧ କରିଛି ପୁଣି ମୁଁ ତା' ପାଇଁ ଭୟେସ ଦେବି ଓ ଷ୍ଟେଜ ସୋ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିବି ।

 

ଚିଠିଟିକୁ ସଂପୂର୍ଣ୍ଣ ପଢିସାରିବା ପରେ ମୁଁ ଚିନ୍ତାର ଦୋଛକିରେ ବିବଶ ହୋଇ ଉଠିଥିଲି । ସେ ସିନା ନୃତ୍ୟରେ ନିପୁଣା ; ହେଲେ ମୁଁ କଣ ସତରେ ତା'ପାଇଁ ଆଉ ଏ ପରିଣତ ବୟସରେ ଭୟେସ ଦେଇ ପାରିବି ? ତା'ଛଡ଼ା ବର୍ତ୍ତମାନର ପରିସ୍ଥିତିରେ ଏହା କଣ କେବେ ସମ୍ଭବ ? ଚିନ୍ତାରେ ତ୍ରସ୍ତ ହୋଇ ଉଠୁଥିବାବେଳେ ମୋ ସ୍ତ୍ରୀ ଆସି ମୋ ବ୍ୟସ୍ତତା ସଂପର୍କରେ ପଚାରି ବସିଲେ । ମୁଁ ତାଙ୍କୁ କିଛି ନକହି କେବଳ ଚିଠିଟି ବଢାଇଦେଲି । ଚିଠି ପଢିସାରି ସେ କେବଳ କହିଲେ, "ଆରେ ! ତୁମେ ପୁଣି ଗୀତ ଗାଉଥିଲ ? ବିବାହର ଏତେ ବର୍ଷ ପରେ ମଧ୍ୟ ମୁଁ ତ କାହିଁ ଜାଣି ପାରିଲି ନାହିଁ ତ ! ଓଃ, ତେବେ ତାହା କେବଳ ତୁମର ପ୍ରେମିକାପାଇଁ ଥିଲା ନିଶ୍ଚୟ ?" ମୁଁ ନିଜକୁ ଅପ୍ରତିଭ ମନେ କରୁଥିଲି । ସେ କିନ୍ତୁ କଥାଟିକୁ ହାଲୁକା କରିଦେଲେ । କହିଲେ,"ସେ ତୁମର ଏକଦା ବାନ୍ଧବୀ ଥିଲେ କି ପ୍ରେମିକା, ତାହା ତ ମୁଁ ଜାଣିନି । ହେଲେ ଏପରି ଜଣେ ଅସହାୟା ମହିଳଙ୍କୁ ସାହାର୍ଯ୍ୟ କରିବା ନିଶ୍ଚିତ ଭାବରେ ଏକ ପୁଣ୍ୟକାମ ବୋଲି ମୋ ମନ କହୁଛି । ସେ ତୁମକୁ ଯେଉଁ ବିଶ୍ୱାସରେ ଚିଠି ଲେଖିଛି, ତା' ବିଶ୍ୱାସକୁ ବଞ୍ଚିବାକୁ ଦିଅ । ବିଚାରୀ ବଞ୍ଚିଯାଉ ।" ଅର୍ଦ୍ଧାଙ୍ଗିନୀଠାରୁ ଏତିକି ଶୁଣିବା ପରେ ମୋ ଚିନ୍ତା ଯେମିତି ହାଲୁକା ହୋଇ ଯାଉଥିଲା ।




Rate this content
Log in

More oriya story from Dr Rabinarayan Moharana

Similar oriya story from Romance