STORYMIRROR

Swagatika Dash

Romance

3  

Swagatika Dash

Romance

ପ୍ରେମ ର ସଂଜ୍ଞା

ପ୍ରେମ ର ସଂଜ୍ଞା

3 mins
188

ମେଡିକାଲର ବେଡ଼ ଉପରେ ପଡ଼ିଥାନ୍ତି ସେ , ମୁଁ ଜଣେନି ସେ କିଏ କିନ୍ତୁ ତାଙ୍କ ଦୁର୍ଘଟଣା ପାଇଁ ଦାୟୀ ଯେ ମୁଁ! କେମିତି ବା ଛାଡି ଚାଲି ଆସିଥାନ୍ତି ତାଙ୍କୁ ମରିବାକୁ? ବହୁତ କଷ୍ଟରେ ଉଠେଇ ଗାଡିରେ ବସେଇଲା ପରେ ନେଇ ଆସିଲି ପାଖ ମେଡିକାଲକୁ। ଏ ଲୋକମାନଙ୍କୁ ମରିବାକୁ କଣ ଜାଗା ମିଳେନି ଯେ ଗାଡି ଆଗକୁ ଚାଲି ଆସନ୍ତି! ମୁଁ ତ ରାସ୍ତା ଉପରେ ମାତ୍ର ୨୦ ସ୍ପପୀଡ଼ରେ ଗାଡି ଚଲାଉଥିଲି ମୁଁ କେମିତି ଜାଣିବି ସେ ଅଚାନକ ଏମିତି ପଶିଆସିବେ? ଫୋନରେ ଏତିକି କହୁ କହୁ ସେପଟୁ ଭଲ କରି ବହେ ଶୁଣେଇ ଦେଲା ବୋଉ। " ତୁ ତ ଅଣ୍ଡିରିଚଣ୍ଡୀ ଗାଡି ଚଳାଉଛୁ ବୋଲି ଇନ୍ଦ୍ର ଚନ୍ଦ୍ର ମାନୁନୁ। ଆଜି ଘରକୁ ଆସେ ତା ପରେ ତୋର ମୋର କଥାବାର୍ତ୍ତା।" ମତେ ବି ଜୋରରେ ରାଗ ଲାଗୁଥିଲା ବେଡ଼ରେ ପଡିଥିବା ସେଇ ଲୋକଟା ଉପରେ। ଏତିକି ବେଳେ ଡକ୍ଟର ଆସି କହିଲେ," ପେସେଣ୍ଟର ହୋସ ଆସିଲାଣି ଦେଖା କରିବେ ଯଦି ଭିତରକୁ ଯାଆନ୍ତୁ।" ମୁଁ ଚୁପ ଚାପ ଭିତରକୁ ଗଲି । ତାଙ୍କ ମୁଣ୍ଡରେ ଷ୍ଟିଚ ପଡିଥାଏ। ଆଖି ଦୁଇଟା ଫୁଲି ଯାଇଥାଏ ସେ ମତେ ଚାହିଁ ହାତ ଠାରିଲେ।

ମୁଁ ତାଙ୍କ ପାଖକୁ ଯିବାରୁ କହିଲେ, " ବସ ରେ ମା! ଅଯଥା ଟାରେ ତତେ ହଇରାଣ କଲି। କଣ କରିବି ଆଜି ତୋ ଆଣ୍ଟିର ଜନ୍ମଦିନ ତ କେକ ଆଣିବାକୁ ଯାଉଥିଲି, ଟିକେ ତରତର ଥିଲି ବୋଲି ତୋ ଗାଡିଟା ଦେଖି ପାରିଲିନି। ମୋ ପାଇଁ ତୁ ହଇରାଣ ହେଲୁ। ତୋ ଘର କୋଉଠିରେ ମା ମୁଁ ତତେ ମୋ ମେଡିକାଲ ପାଇଁ ତୁ ଖର୍ଚ୍ଚ କରିଥିବା ପଇସା ଫେରେଇଦେଇ ଆସିବି।" ମୁଁ ତାଙ୍କ ମୁହଁକୁ ବଲବଲ କରିଚାହିଁଥିଲି। ମୋ ଜାଣିବାରେ ଆକ୍ସିଡେଣ୍ଟ ହେଲେ ଆକ୍ସିଡେଣ୍ଟ କଲା ଵାଲାର ଭୁଲ ଥାଉ କି ନଥାଉ ଭୋଗିବାକୁ ତାକୁ ହିଁ ପଡେ। କିନ୍ତୁ ଇଏ ତ ଓଲଟା। ଆଘାତ ତାଙ୍କୁ ଲାଗିଛି ଆଉ କ୍ଷମା ବି ସିଏ ମାଗୁଛନ୍ତି! ମୁଁ କହିଲି, " ଥାଉ ଅଙ୍କଲ ମୋର ପଇସା ଦରକାର ନାହିଁ, ଆପଣ ଭଲରେ ଘରକୁ ଯାଆନ୍ତୁ ଆଜି ଯେ ଆଣ୍ଟିଙ୍କ ଜନ୍ମଦିନ।" ଡିସଚାର୍ଜ ହେଇ ଗଲା ବେଳେ ମୋ ମୁଣ୍ଡରେ ହାତ ବୁଲେଇଦେଇ ମତେ ନିଜ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରିଗଲେ ସେ ମୋ ହାତ କୁ ବଢ଼େଇ ଦେଇଗଲେ ତାଙ୍କ ଘର ଆଡ୍ରେସ ଲେଖାଥିବା କାର୍ଡ। 

  ମୁଁ ଘରକୁ ଫେରିଲି। ବୋଉ ପଚରିଲା, " ଯାହାକୁ ବାଡେଇ ଦେଇଥିଲୁ ସେ କେମିତି ଅଛନ୍ତି? ମୁଁ ମୁଣ୍ଡ ତଳକୁ କରି କହିଲି, " ହଁ ତାଙ୍କୁ ତାଙ୍କ ଘରକୁ ପଠେଇ ଦେଇଛି, ସେ ବର୍ତ୍ତମାନ ଠିକ ଅଛନ୍ତି ଆଉ ମତେ ତାଙ୍କ ଘରକୁ ଯିବାକୁ ନିମନ୍ତ୍ରଣ ବି ଦେଇଛନ୍ତି। ଆଜି ତାଙ୍କ ସ୍ତ୍ରୀ ଙ୍କ ଜନ୍ମଦିନ ତ ସେଥିପାଇଁ।" ବୋଉ କହିଲା, ଶୁଣ ଅଜଣା ଲୋକ ଘରକୁ ଯିବା ଦରକାର ନାହିଁ। କିଏ ଡାକିଦେଲା ବୋଲି ତୁ ପଳେଇଯିବୁ!" ମୁଁ କହିଲି, " ଦେଖ ବୋଉ! ମୋ ଯୋଗୁ ଏତେ ସବୁ ହେଲା ଏବେ ମୁଁ ନଗଲେ କଥା ଖରାପ ହବ। ତାଙ୍କୁ ଦେଖା କରି ଫଳ ମୂଳ ଦିଟା ଦେଇ ଆସିବି ଆଉ ଆକ୍ସିଡେଣ୍ଟ ପାଇଁ କ୍ଷମା ବି ମାଗିଦେବି। ମତେ ନିଜକୁ ହାଲକା ଲାଗିବ।" ବୋଉ କହିଲା ହଉ ତୁ ଯାହା କରୁଚୁ କର ମୋ କଥା ତ ଶୁଣିବୁନି ନା ତୁ!"

 ସନ୍ଧ୍ୟାରେ କେକ ଟେ ଧରି ମୁଁ ଦିଆଯାଇଥିବା ଠିକଣାରେ ପହଞ୍ଚିଲି ଘର ବେଲ ମାରିଲାରୁ ଅଙ୍କଲ ଆସି କବାଟ ଖୋଲିଲେ। ଉଫଃ! କେତେ ସୁନ୍ଦର କରି ସଜାହେଇଛି ଘର। ଦେଖିଦେଲେ ଯେ କେହି କହିବ ଆଣ୍ଟି ଜଣେ ସୁଗୃହିଣୀ। ମୁଁ ସୋଫାରେ ବସି ଚାରିଆଡେ ଆଖି ବୁଲାଉ ଥାଏ। ଅଙ୍କଲ କହିଲେ, " ମା ରେ ଆଣ୍ଟିଙ୍କୁ ଦେଖା କରିବୁନି?" ଯାହାର ପସନ୍ଦ ଏତେ ସୁନ୍ଦର ସେ ଦେଖିବାକୁ କେତେ ସୁନ୍ଦର ନ ହେଇଥିବ। ଏଆ ଭାବି ଭିତରକୁ ଯାଇ ମୁଁ ଜୋରରେ ପାଟି କଲି, " ହାପି ବାର୍ଥ ଡେ ଆଣ୍ଟି!" ହେଲେ ଇଏ କଣ!? ଆଣ୍ଟିଙ୍କ ଫୋଟୋରେ ଫୁଲମାଳ! ଆଖି ପୋଛି ଅଙ୍କଲ କହିଲେ, " ସେ ଚାଲିଯିବାକୁ ୩୦ ବର୍ଷ ହେଇଗଲାଣିରେ ମା! ଆମ ବାହାଘରର ଦୁଇବର୍ଷ ପରେ କ୍ୟାନ୍ସରରେ ସେ ଚାଲିଗଲା।" ମୋ ପାଟି ରୁ ବାହାରି ଆସିଲା, " ଆପଣ ଆଉ ଥରେ ବାହା ହେଲେନି କାହିଁକି?" ହସିଦେଇ ଅଙ୍କଲ କହିଲେ, " ତାକୁ ସାତଜନ୍ମ ପାଇଁ ସାଥି କରିବି ବୋଲି କଥା ଦେଇଥିଲି ପରା। ସେ ସିନା କଥା ରଖିଲାନି ମୁଁ କେମିତି ନ ରଖିଥାଆନ୍ତି? ଛାଡ଼ ସେ କଥା ତୁ କେକ ଖାଇବୁ ଆ।" ମୁଁ ଦେଖୁଥିଲି ମୋ ହାତର କଟା ଦାଗକୁ , ସୌରଭ ଚାଲି ଗଲା ପରେ ଭଲପାଇବାର ସଂଜ୍ଞା ମୋ ପାଇଁ ବଦଳି ଯାଇଥିଲା। ହେଲେ ଭଲ ପାଇବାକୁ ନେଇ ମୋ ଧାରଣା ଅଙ୍କଲଙ୍କୁ ଦେଖି ବଦଳିଗଲା। ନିଜ ଭିତରେ ଭଲପାଇବାର ବୀଜଟେ ଅଙ୍କୁରିତ ହଉଥିବାର ମୁଁ ଅନୁଭବ କରୁଥିଲି। ଆଉ ଥରେ ଜୀବନକୁ ଭଲ ପାଇବା ଶିଖୁଥିଲି ମୁଁ। ଏତିକି ବେଳେ ଅଙ୍କଲ ଡାକିଲେ, " ଆ ମା କେକ ଖାଇବୁ।" ସେପଟୁ ତାଙ୍କୁ ହସି ହସି ହାପି ବାର୍ଥ ଡେ କହୁ ଥିବାର ମୁଁ ଶୁଣି ପାରୁଥିଲି। ଆଉ ଭାବୁଥିଲି, " ଭଲ ପାଇବା ପାଇଁ ମଣିଷ ବଞ୍ଚି ରହିବା ନୁହେଁ ବରଂ ତା ପ୍ରତି ପ୍ରେମ ବଞ୍ଚି ରହିବା ଦରକାର।" 



Rate this content
Log in

Similar oriya story from Romance