puspanjali das

Inspirational

2  

puspanjali das

Inspirational

ପ୍ରଚେଷ୍ଟା

ପ୍ରଚେଷ୍ଟା

4 mins
196


     ସବୁବେଳେ ଗୁମସୁମ ହୋଇ ରହୁଥିବା ଆଭା ସତେ ଯେମିତି ସେଦିନ ଆଞ୍ଜୁଳାଏ ଖୁସି ସାଉଁଟି ଆଣିଥିଲା ପରି ମନେହେଉଥିଲା! ଏଇ କେତେ ମାସ ହେବ ନୂଆ ଟ୍ରାନ୍ସଫର ହୋଇ ଆସିଥିବା ଜାଗାଟିକୁ କେମିତି କେଜାଣି ନିଜର କରିବା କୁ ତାକୁ ଏକପ୍ରକାର ଅସାଧ୍ୟ ଲାଗୁଥିଲା! ଯଦିଓ ନିଜ ଇଚ୍ଛାରେ ସେ ଶିକ୍ଷକତା ବୃତ୍ତି କୁ ଗ୍ରହଣ କରିଥିଲା,ହେଲେ,ନିଜର ସମସ୍ତ ଙ୍କୁ ଛାଡି ଏତେ ଦୂରରେ ଚାକିରି କରିବା ତା'ପାଇଁ ଯେମିତି ଦୁର୍ବୋଧ୍ୟ ହୋଇ ପଡୁଥିଲା! ହାଇ ସ୍କୁଲ ର ପିଲା ମାନଙ୍କ ମନୋଦଶା କୁ ଅନୁଶୀଳନ କରିବାକୁ ଯଦିଓ ତାକୁ ବେଶି କଷ୍ଟ ଲାଗୁନଥିଲା, ହେଲେ ଅନ୍ଧବିଶ୍ୱାସ ରେ ପୂର୍ଣ୍ଣ ପରିବେଶ ଟିରେ ତାକୁ ଅଣ ନିଶ୍ଵାସୀ ଲାଗୁଥିଲା। ସେଠାରେ ଯୋଗଦେବା ଦିନଠାରୁ ,ସ୍କୁଲ ର ପରିବେଶ କୁ ସୁଧାରିବାକୁ ପ୍ରାଣ ପଣେ ଚେଷ୍ଟା କରିଥିଲା,ହେଲେ ରୂ଼ଢ଼ିବାଦି ପରିବାର ର ପିଲା ମାନ ଙ୍କ ମନ ଭିତରୁ ଅନେକ ଅନ୍ଧବିଶ୍ୱାସ କୁ ପୋଛି ପାରୁନଥିଲା, ଯୋଉଥି ପାଇଁ ନିଜକୁ ବେଳେବେଳେ ଅସହାୟ ମନେ କରୁଥିଲା।

         ସେଦିନ ପ୍ରାର୍ଥନା ପରେ ପରେ କ୍ଲାସଟିଚର ହିସାବରେ ନବମ ଶ୍ରେଣୀ କକ୍ଷ ରେ ପ୍ରଥମେ ପସି ଯାଉ ଯାଉ ଆଖିତାର ଖୋଜି ପକାଇଥିଲା 'ଗଉରୀ' କୁ,ହେଲେ ତା'କୁ ତା'ଜାଗାରେ ନ ଦେଖି ନିରାଶ ହୋଇ ଆଖି ତାର ତା'ସାଙ୍ଗ ସୁଭଦ୍ରା ଉପରେ ଅଟକି ଯାଇଥିଲା। ଅନେକ ଥର ଭଳି ସେଦିନ ବି ତା'ପାଖରୁ ଗଉରୀ ର ନ ଆସିବାର କାରଣ ଟା ଜାଣିବା କୁ ପାଇଥିଲା ଯେ କାଦୁଅ ରେ ପୁଣି ପସି ,କାନ୍ଥ ରେ ଡ୍ରଇଂ କରୁଥିବାରୁ ମାଡ ଖାଇ ସେ ଘରେ ରହିଛି ବୋଲି। ସେଦିନ କିନ୍ତୁ ଆଭା ଚୁପ୍ ହୋଇ ଯାଇ ନଥିଲା,ସୁଭଦ୍ରା କୁ ଡାକି ,ଆଉ ଜଣକ ସାଙ୍ଗରେ ଗଉରୀ ଘରକୁ ପଠାଇ ଥିଲା, ତାକୁ ସ୍କୁଲ କୁ ଡାକି ଆଣିବାକୁ। ଶ୍ରେଣୀ ର ପିଲାମାନେ କେହି କିଛି ବୁଝି ନ ପାରି ପରସ୍ପର କୁ କେବଳ ପ୍ରଶ୍ନିଳ ଦୃଷ୍ଟିରେ ଅନା ଅନି ହୋଇଚାଲିଥିଲେ। କିଛି ସମୟ ପରେ,ଗଉରୀ,ତାକୁ ଡାକି ଯାଇଥିବା ପିଲାଙ୍କ ସାଙ୍ଗରେ ଆସି, ଉପସ୍ଥିତ ହୋଇଥିଲା ଓ ଦୋଷୀ ଟିଏ ଭଳି ମୁଣ୍ଡ ତଳକୁ କରି ଛିଡା ହୋଇ ଯାଇଥିଲା। ସ୍କୁଲ ୟୁନିଫର୍ମ ରେ ଏବେ ବି କାଦୁଅ ର ଛିଟା ଅଳ୍ପ ରହିଯାଇ ଥିଲା, ଯଦିଓ କିଛି ଅଂଶ ସଫାକରାହୋଇ ଓଦାଳିଆ ରହିଯାଇ ଥିଲା।

          ଅଳ୍ପ ସମୟ ମଧ୍ୟ ରେ ହସ ହସ ମୁହଁରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ, ଅନ୍ୟ ଦୁଇ ଜଣ ଶିକ୍ଷକ ଙ୍କ ସାଙ୍ଗ ରେ ଆସି ଶ୍ରେଣୀ କକ୍ଷ ରେ ପହଞ୍ଚି ଯାଇଥିଲେ ଓ ଗଉରୀ କୁ ପାଖକୁ ଡାକି କୁଣ୍ଢାଇ ପକାଇଥିଲେ। ସେତିକି ରେ ପୁରା କକ୍ଷ ଟି ଯେମିତି ନିସ୍ତବ୍ଦ ହୋଇ ଯାଇଥିଲା। ଭୀତତ୍ରସ୍ତ ଗଉରୀ ର ମୁହଁ ର ଭାବ ପରିବର୍ତ୍ତନ ହୋଇ ଚାଲିଥିଲା! ଆଶ୍ଚର୍ଯ୍ୟ ଓ ଆଶଙ୍କା ରେ ପୂର୍ଣ୍ଣ ଆଖିଦୁଇଟି ତା'ର ପ୍ରଶ୍ନିଳ ଦୃଷ୍ଟି ରେ ଆଭା ର ମୁହଁକୁ ଚାହିଁ ରହିଥିଲା! ସବୁ ପ୍ରଶ୍ନର ଉତ୍ତର ତାକୁ ମିଳିଯାଇଥିଲା,ଯେତେବେଳେ ପ୍ରଧାନ ଶିକ୍ଷୟତ୍ରୀ ପ୍ରକାଶ କରିଥିଲେ ଯେ,ଗଉରୀ ର ପରିବେଶ ଉପରେ କରିଥିବା ଡ୍ରଇଂ ଟି ,ଜାପାନ ଦ୍ୱାରା ହୋଇଥିବା ଇଣ୍ଟର ନ୍ୟାସନାଲ କଂପିଟିସନ ରେ ପ୍ରଥମ ସ୍ଥାନ ଅଧିକାର କରିଛି ଓ ତାକୁ ମୋଟା ଅଙ୍କ ର ପୁରସ୍କାର ମଧ୍ୟ ମିଳିଛି,ଯୋଉଟା ତାଙ୍କ ସ୍କୁଲ ପାଇଁ ବହୁତ ବଡ଼ଗର୍ବ ଓ ଗୌରବ ର କଥା।

      ନିଜ କାନ କୁ ବିଶ୍ୱାସ କରିପାରୁନଥିବା ଗଉରୀ ଦଉଡି ଯାଇ ଆଭା କୁ ଏକପ୍ରକାର କୁଣ୍ଢାଇ ପକାଇଥିଲା,ଯାହା ର ପ୍ରେରଣା ଓ ପ୍ରଚେଷ୍ଟା ଯୋଗୁଁ ଯେ ତା'କଳା କୁଏତିକି ସମ୍ମାନ ମିଳି ପାରିଛି! ଗଉରୀ ର କାନ୍ଧ ଥାପୁଡେଇ ଦେଉ ଦେଉ ଆଭାର ମନ ଭିତରେ ଯେମିତି ଚେଇଁ ଉଠିଥିଲା କିଛି ଦିନ ତଳର ଘଟଣା କେତୋଟି। ନୂଆ ସ୍କୁଲ ଟିରେ ନିଯୁକ୍ତି ପାଇଥିବା ଆଭା ସେଦିନ ପାଦଚଲା ବାଟରେ ସ୍କୁଲ ଯାଉ ଯାଉ ,ବାଟବଣା ହୋଇ ଅନ୍ୟ ଏକ ସରୁ ଗଳି ରେ ପସିଯାଇଥିଲା,ଯୋଉଠି ଲମ୍ବା ପାଚେରୀ ଟି ର କଡରେ କାଦୁଅ ,ଦଳ ରେ ଭର୍ତ୍ତି ପଡିଆ ଟିଏ ରହିଥିଲା,ଆଉ ସେଇ ପା ଚେରୀ ରେ କାଦୁଅ ଓ ଦଳ ମିଶା ଘାସ ରେ ଝିଅ ଟିଏ ତା'କଳା ର ନିଖୁଣ ନିଦର୍ଶନ କରିଚାଲିଥିଲା। ଶରୀର ରେ ସ୍କୁଲ ୟୁନିଫର୍ମ ଥିଲା ଓ ରାସ୍ତା କଡରେ ବସ୍ତାନି ଟି ଥୁଆ ହୋଇଥିଲା। ଆଭା ର ପାଦ ଅଟକି ଯାଇ ଥିଲା, ପ୍ରଥମେ ଦୂରରୁ କିଛି ବୁଝିପାରିନଥିଲା,ହେଲେ ଯେତେବେଳେ ପାଖକୁ ଚାଲିଯାଇଥିଲା,ଝିଅଟିର ହାତରେ କାଦୁଅ ରୂପି ରଙ୍ଗ ଓ ଘାସ ର ତୁଳୀ ରେ ଚିତ୍ରିତ ପାଚେରୀ ଉପରେ ଅଦ୍ଭୁତ ଚିତ୍ରକଳା ର ଶୋଭା ତା'କୁ ମନ୍ତ୍ରମୁଗ୍ଧ କରିଦେଇଥିଲା!

              ଭୀତତ୍ରସ୍ତ ଗଉରୀ ,ସେଦିନ ବି ସେମିତି ସହମି ଯାଇ ,ଲୁଚି ଯିବାକୁ ବସିଥିଲା,ହେଲେ ଆଭା ର ସ୍ନେହ ବୋଳା କଥା କେଇପଦରେ ସତେ ଯେମିତି ସାହସ ଜୁଟେଇ ,ନିଜ କଳା ପ୍ରତି ରୁଚି କୁ ଜଣାଇପାରିଥିଲା। ଦରିଦ୍ରତା ର କଷାଘାତ ରେ ଯେ ତାକୁ ଏମିତି କାଦୁଅ ଓ ଘାସ ର ସାହାଯ୍ୟ ନେଇ ତା'ଇଛା ପୁରଣ କରିବାକୁ ପଡୁଛି,ଏକଥା ମଧ୍ୟ ଆଭାକୁ ଅଜଣା ରହି ନ ଥିଲା। ଅଳ୍ପ କିଛି ଦିନ ପରେ ଗଉରୀ ,ଆଭାର ଆଗ୍ରହରେ ,ତା'ଘରେ କିଛି କିଛି ସମୟ ଡ୍ରଇଂ ଶିଖିବା କୁ ଲାଗିଥିଲା,ଯଦିଓ ବହୁ କଷ୍ଟରେ ସମୟ ବାହାର କରି ଶୁଭଦ୍ରା କୁ ନେଇ ଆଭାର ଘରକୁ ଯିବାକୁ ପଡୁଥିଲା। ଗଉରୀ କୁ ଚିତ୍ର ବିଦ୍ୟା ରେ ସବୁପ୍ରକାର ସାହାଯ୍ୟ ଓ ସହଯୋଗ କରୁ କରୁ ,ଆଭାର ଡ୍ରଇଂ ପ୍ରତି ରୁଚି କୁ ପୁଣି ଯେମିତି ନୂଆ ଜୀବନ ମିଳିଯାଇଥିଲା! ତା'ରି ଗାଇଡାନ୍ସ ରେ ଅନେକ ସୁନ୍ଦର ସୁନ୍ଦର ଚିତ୍ର ସବୁ ଆଙ୍କି ଚାଲିଥିଲା ଗଉରୀ, ଯୋଉଥିରୁ ଆଭା ପରିବେଶ ଉପରେ ଆଧାରିତ ଏକ ଚିତ୍ର କୁ ଇଣ୍ଟର ନ୍ୟାସନାଲ କଂପିଟିସନ କୁ ପଠାଇଦେଇଥିଲା। ଅବଶ୍ୟ ଯଥେଷ୍ଟ ଭଲ ଲାଗୁଥିଲେ ମଧ୍ୟ ସେଇଟା ଯେ ପ୍ରଥମ ସ୍ଥାନ ଅଧିକାର କରିପାରିବ,ଏକଥା ଆଭା ମଧ୍ୟ କଳ୍ପନା କରିପାରିନଥିଲା!

        ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଘୋଷଣା ଓ ଛୋଟିଆ ଭାଷଣ ଟି ପରେ ତାଙ୍କ ପ୍ରସ୍ଥାନ ଟା ଯେମିତି ଶ୍ରେଣୀ କକ୍ଷ ଟି ଭିତରେ ନିରବତା ଛାଇ ଦେଇଥିଲା! ସେଇ ନିରବତା କୁ ଭାଙ୍ଗି ଯେତେବେଳେ ଆଭା ର କଥା କେଇପଦ ପିଲାମାନଙ୍କୁ ସମ୍ବୋଧନ କରି ବାହାରିପଡିଥିଲା,ସମସ୍ତେ ଯେମିତି ସହଜରେ ସେସବୁକୁ ଗ୍ରହଣ କରିପାରୁନଥିଲେ–'ଗଉରୀ ର ଫୋଟୋ ଯେ ସମାଜ କାଗଜ ରେ ,ତାଙ୍କ ସ୍କୁଲ ଫୋଟୋ ସାଙ୍ଗରେ ବାହାରିବ'! ଅଖ୍ୟାତ ଗାଁ ଟିରେ ଛୋଟିଆ ସ୍କୁଲ ଟିରେ ପଢୁଥିବା ପିଲାମାନଙ୍କ ପାଇଁ ସେଇଟା ଗୋଟାଏ ବହୁତ ବଡ଼ କଥା ଥିଲା,ଏକଥା ଆଭା ଯଦିଓ ଜା ଣିଥିଲା,ହେଲେ ମନ ଭିତରେ ତା'ର ଗଉରୀ କୁ ନେଇ ସ୍କୁଲ ର ପ୍ରଥମ କିଛି ଦିନ ର ଅନୁଭୂତି ପୁଣି ପସି ଆସୁଥିଲା! କେତେ ସଙ୍କୁଚିତ ହୋଇ ରହୁଥିଲା ସେଇ ଗଉରୀ ,ଯାହାକୁ ପୁରା ଶ୍ରେଣୀ ର ପିଲାଙ୍କ ପାଖରେ ନ୍ୟୁନ ହୋଇ ଚଳିବାକୁ ପଡୁଥିଲା, ନିଜର ହାତ ଗୋଡ଼ର ଆଙ୍ଗୁଠି ସଂଖ୍ୟା ଅଧିକତା ଓ କଥା ସ୍ପଷ୍ଟ କହି ନ ପାରିବାର ଅସୁବିଧା କୁ ନେଇ! ଆଭା ,ପ୍ରଥମ ଦିନଠାରୁ, ବହୁ ଚେଷ୍ଟା କରି ମଧ୍ୟ ପିଲାମାନଙ୍କ ମନରୁ ସେସବୁ ଭ୍ରାନ୍ତ ଧାରଣା କୁ ଦୂର କରିପାରିନଥିଲା! ଗଉରୀ ଯେ ସମସ୍ତଙ୍କ ପରି ସାଧାରଣ ପିଲାଟିଏ ,ଏକଥା କେହି ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲେ! ଗାଁ ଯାକର ଲୋଜଙ୍କ ଅନ୍ଧବିଶ୍ୱାସ ଏତେ ଦୃଢ଼ ଥିଲା ଯେ ସେସବୁ ଲକ୍ଷଣ କୌଣସି ଦେବଦେବୀ ଙ୍କ କୋପ ର ପ୍ରଭାବ,କି ଭାଗ୍ୟହୀନତା ର ପ୍ରତୀକ ବୋଲି ଭାବିବା ଟା ଅସ୍ୱାଭାବିକ ନ ଥିଲା!

         ଯେତେବେଳେ ଗଉରୀ ର ସଫଳତା ର କାହାଣୀ ଟି ପୁରା ସ୍କୁଲ ରେ ଖେଳି ଯାଇଥିଲା, ଆଭାର ଆଖିରେ ଆତ୍ମସନ୍ତୋଷ ର ଝଲକ ଟା ଯେମିତି ଚିକ୍ ଚିକ୍ କରିଉଠିଥିଲା,ତା'ସାଙ୍ଗରେ 'ଗଉରୀ କୁ ନେଇ ଅନ୍ଧବିଶ୍ୱାସ'  ଦୂର ହୋଇଯିବାର ଆଶା ଟା ଯେମିତି ସ୍ପଷ୍ଟ ହୋଇ ଦେଖିପାରୁଥିଲା!    


Rate this content
Log in

Similar oriya story from Inspirational