ପରାଧୀନ
ପରାଧୀନ


ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳି ସାରି ପୁଅ ଆସି ଘରେ ପହଞ୍ଚି ତା ପାପା ଆଗରେ ବଖାଣି ବସିଲା । ଦିନ ମାନର ଘଟଣା ସବୁ ।
-" ସ୍କୁଲରେ ବହୁତ ମଜା ହେଲା , ଆମେ ପ୍ୟାରେଡ଼ କଲୁ ସ୍ଲୋଗାନ ଦେଲୁ , ଚକଲେଟ , ବିସ୍କୁଟ ସେଓବୁନ୍ଦି ଖାଇଲୁ , ବଡ ପିଲା ମାନେ ଭାଷଣ ଦେଲେ । ଜାଣିଛ ମୋ ସାଙ୍ଗ ମିତାଲି ଗୋଟେ ବଢିଆ ଗୀତ ଗାଇଲା......।
ଏମିତି କେତେ କ'ଣ ଗପି ଚାଲୁଥାଏ ପୁଅଟି , ବାପା ଉପଭୋଗ କରୁଥାଆନ୍ତି ପୁଅର ଚପଳାମି ।
ଅଚାନକ ପୁଅ ମନକୁ ଗୋଟେ ପ୍ରଶ୍ନ ଆସିଲା -" ପାପା , ପରାଧୀନ ମାନେ କ'ଣ ?
ବାପା କହିଲେ-" ପରାଧୀନ କହିଲେ ନିଜର କିଛି ସ୍ବାଧୀନତା ନ ରହିବା , ମାନେ ତୁ କିଛି କରିବା ପାଇଁ ପର ଉପରେ ନିର୍ଭର କରିବୁ । ଶୁଣୁ କହୁଛି , ତୁ ଆଇସକ୍ରିମ ଖାଇବୁ ହେଲେ ତୋ ପାଖରେ ଟଙ୍କା ନାହିଁ । ଟଙ୍କା ପାଇଁ ତୁ ମୋ ଉପରେ ନିର୍ଭର କରିବୁ । ମୁଁ ଟଙ୍କା ଦେଲେ ତୁ ଆଇସକ୍ରିମ ଖାଇବୁ ନହେଲେ ନାଇଁ ।
ତେଣୁ ତୁ ହେଲୁ ପରାଧୀନ । ମାନେ ତୋ ପାଖରେ ଯଦି ଟଙ୍କା ଥାଆନ୍ତା ତୁ ମୋତେ ମାଗି ନଥାନ୍ତୁ ତୁ ଆଇସକ୍ରିମ ନିଜେ କିଣି ଖାଇଥାଆନ୍ତୁ , ତୁ ସ୍ବାଧୀନ ବା ନିଜ ଇଚ୍ଛାରେ ଟଙ୍କାକୁ ଯେମିତି ପାରେ ସେମିତି ଖର୍ଚ୍ଚ କରି ପାରିଥାଆନ୍ତୁ । ତେଣୁ କିଛି କରିବା ପାଇଁ ଯେ ଅନ୍ୟ ଜଣକ ଉପରେ ନିର୍ଭର କରେ ସେ ପରାଧୀନ ।
ପୁଅର ମନକୁ କ'ଣ ଆସିଲା କେଜାଣି ବାପା ଙ୍କୁ ପଚାରିଦେଲା - " ତେବେ ଜେଜେ ପରାଧୀନ ନାଁ ? ନିଜ ଇଚ୍ଛାରେ ବୁଲି ଯାଇ ପାରୁନାହାଁନ୍ତି । ମାଛ ଖାଇବାକୁ ଇଚ୍ଛା କଲେ ଖାଇ ପାରୁନାହାନ୍ତି । ମାମା ଠାରୁ ଗୀତା ଭାଗବତ ଶୁଣିବାକୁ ଚାହିଁଲେ ଶୁଣି ପାରୁ ନାହାନ୍ତି । ଚା' ଜଳଖିଆ ମାମା କୁ ଆଠ ଥର ମାଗିବା ପରେ ଯାଇ ସେ ଦଉଛି । ଆଁ ପାପା , ଜେଜେ ପରାଧୀନ ନାଁ ? "
ବାପାଙ୍କ ପାଟିରେ ପୁଅକୁ ଉତ୍ତର ଦେବାକୁ କିଛି ବି ଭାଷା ନଥିଲା ।