ପଖାଳ
ପଖାଳ


ସ୍କୁଲରେ ଥରେ ସାର୍ ସଞ୍ଜିବନୀର ଅର୍ଥ ବୁଝାଇବାକୁ ଯାଇ କହିଥିଲେ, "ଉତ୍କଳେ ପଖାଳ ମୃତ ସଞ୍ଜିବନୀ, ଏକାଥରେ ହାରେ କ୍ଷୁଧା ତୃଷ୍ଣା ଗ୍ଲାନି!" ସେବେ ମୁଁ ଏତିକି ବୁଝିଥିଲି ଯେ, ଆମ ଓଡ଼ିଶାବାସୀଙ୍କ ପାଇଁ ସଞ୍ଜିବନୀ ହେଉଛି ପଖାଳ।ଏକଥା ରମୁର ବାହାଘର ଭୋଜିରେ ଅଙ୍ଗେ ନିଭେଇଲା ପରେ ଜାଣିଲି।
ରମୁ, ରମାକାନ୍ତ ମହାନ୍ତି! ମୋର ବାଲ୍ୟ ବନ୍ଧୁ, ସ୍କୁଲରେ ସହପାଠୀ। କପିଳପ୍ରସାଦ ହାଇସ୍କୁଲରେ ଦିହେଁ ସାଙ୍ଗ ହୋଇ ପଢୁଥିଲୁ ଏକ ସମୟରେ । ମୁଁ ମେଟ୍ରିକ୍ ଫେଲ୍ ହୋଇ ଗ୍ଯାରେଜ୍ ଟେ କରିଛି ରବି ଟକିଜ୍ ଛକରେ। ରମୁ ଭଲ ପାଠ ପଢି ଗୋଟେ ବଡ଼ କମ୍ପାନୀର ବଡ଼ ଅଫିସର। ଆମେ ସବୁ ପୁରୁଣା ଭୁବନେଶ୍ଵରିଆ ଲୋକ, ବାବା ଲିଙ୍ଗରାଜଙ୍କ ଭକ୍ତ, ଆମର ଅଲଗା ପ୍ରକାର ଭାବ ସମ୍ପର୍କ। ଯିଏ ଯେଉଁଠି ଯେମିତି ରହିଲେ ବି ସୁଖ ଦୁଃଖରେ ସଭିଏଁ ସଭିଙ୍କୁ ଖୋଜାଲୋଡା କରୁ।
ରମୁର ବାହାଘର ଠିକ ହୋଇଥିଲା ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଏକମାତ୍ର ଅଲିଅଳି କନ୍ଯା ସହିତ। ଦିନେ ସଂଧ୍ୟାରେ ରମୁ ଆସିଥିଲା ଦୁଇ ତିନି ଜଣ ସାଙ୍ଗଙ୍କ ସହ ଆମ ଘରକୁ ବହୁ ଖୋଜାଖୋଜି କରି। ସପରିବାର ନିମନ୍ତ୍ରଣ। ବାରମ୍ବାର କରି କହି ଯାଇଥିଲା ସସ୍ତ୍ରୀକ ବାହାଘର ବରଯାତ୍ରୀ ଆଉ ଭୋଜିରେ ସାମିଲ ହେବା ପାଇଁ।
ଆଜିକାଲି ରାତି ଅନିଦ୍ରାକୁ ଡରି ମୁଁ ଆଉ ବରଯାତ୍ରୀରେ କୋଉଠି କି ବି ଯାଉନି। ହେଲେ ରମୁର ଭୋଜିକୁ ଯିବା ପାଇଁ ଦିନ ଗଣୁଥାଏ ଯେମିତି। ମେ ଫେୟାର ଲାଗୁନ୍ ହୋଟେଲରେ ନୈଶ୍ଯଭୋଜିର ଆୟୋଜନ। ମନରେ ଗୋଟେ ଅଲଗା ପ୍ରକାର ଭାବ - ଅବର୍ଣ୍ଣନୀୟ। ଭୋଜି ଦିନ ମୋ ଗ୍ଯାରେଜ୍ ଛୁଟି। ସେଲୁନକୁ ଯାଇ ଦୀର୍ଘ ଦିନ ଧରି ବଢି ଥିବା ଜଙ୍ଗଲି ଦାଢ଼ିକୁ ଭଲକରି କାଟି ଫିଟ୍ ହୋଇ ଆସିଲି। ପ୍ଯାଣ୍ଟ ସାର୍ଟ ଆଗରୁ କଡା ଇସ୍ତ୍ରୀ ହୋଇଥିଲା। ଦାମୀ ଅତର ଟେ କିଣି କରି ଆଣିଥିଲି ଦିଇ-ନମ୍ବର ମାର୍କେଟରୁ ଖାସ୍ ଏଇଥିପାଇଁ, ନୂଆ ଚପଲ ହଳେ ବି। ନିମନ୍ତ୍ରଣ କାର୍ଡ୍ ଟାକୁ ସ୍କୁଟର୍ ବାସ୍କେଟରେ ରଖି ଭଲ ଫୁଲତୋଡାଟେ ଧରି ମୁଁ ଛୁଟିଲି ମେ ଫେୟାର ହୋଟେଲ ଆଡକୁ।
ରମୁ ମୋତେ ଦେଖି ଆନନ୍ଦରେ କୁଣ୍ଢେଇ ପକାଇଲା। ଦି ଚାରିଟା ଫଟୋ ବି ଉଠେଇଲୁ। ରମୁ ପଚାରିଲା, "ଆରେ ଭାଉଜ କାହାନ୍ତି? ଏତେ କରି କହିକି ଆସିଥିଲି... ହଉ ହେଲା ତୁ ଆଗ ଯା' କିଛି ଖିଆପିଆ କର।... ସେ' ବନ୍ଦୋବସ୍ତ ବି ଅଛି। ଲାଜ ନକରି ପିଇବୁ ଆଉ ଖାଇବୁ। ଘରକୁ ଫେରିଲା ବେଳକୁ ଦେଖାକରିକି ଯିବୁ ଯେମିତି ବି ହେଲେ।"
ପିଇବା ପାଇଁକି ଭିତରକୁ ଯାଇ ଦେଖେତ ସବୁ ସୁଟ୍ ବୁଟ୍ ପିନ୍ଧା ବଡପଣ୍ଡାମାନେ ବସିଛନ୍ତି, ଆଉ ଆଗକୁ ଯିବାକୁ ସାହସ ଯୁଟିଲାନି। ବାହାର ଲନ୍ ରେ ବଫେ। ଖାଇବାକୁ ଶଙ୍ଖ ପ୍ଲେଟଟେ ଉଠେଇଲି। ଅଗଣିତ ସ୍ବାଦିଷ୍ଟ ଖାଦ୍ୟର ସୁରମ୍ୟ ପସରା, ମନ ପ୍ରାଣ ଅଥୟ ଉଦର ଭର୍ତ୍ତି କରିବା ପାଇଁ। ମୁଁ ଲାଇନ୍ ରେ ଠିଆହୋଇ ଆଗକୁ ଆଗକୁ ବଢିଲି। ପୁରା ପ୍ଲେଟ ଭରି ଖାଇବା ଜିନିଷ ସବୁ ଧରି ଗୋଟେ ଚେୟାରରେ ବସି ଖାଇବାକୁ ଯାଉଛି, ହଠାତ୍ ଲକ୍ଷ୍ୟ କଲି ଯେ, ସମସ୍ତେ ମୋତେ କେମିତି ଗୋଟେ ଅଲଗା ପ୍ରକାର ଦୃଷ୍ଟିରେ ଚାହୁଁଛନ୍ତି। ସତେଯେପରି ମୁଁ ବିନା ନିମନ୍ତ୍ରଣରେ ପଶିଆସିଛି। ବେଳକୁ ବେଳ ଲୋକଙ୍କର ଏଇ କଟୂଦୃଷ୍ଟି ମୋ ପାଇଁ ଅସହ୍ଯ ବୋଧ ହେଉଥାଏ। ଏହା ସହ ଜଠରାଗ୍ନିର ପ୍ରକୋପ ମଧ୍ୟ ବଢିବାରେ ଲାଗିଥାଏ।
"ଆରେ ମଫଟାରେ... " କେହି ଜଣେ କହିବା ମୋର କର୍ଣ୍ଣ ଗୋଚର ହେଲା। ଆଉ ସହ୍ୟ କରିପାରିଲି ନାହିଁ, ଅଗତ୍ୟା ଖାଇବା ଥାଳିଟାକୁ ଛାଡ଼ି ଚାଲିଆସିଲି ରାଗ ଜରଜର ହୋଇ।
ସିଧା ପହଞ୍ଚିଲି ଘରେ। ଘରଣୀଙ୍କୁ ନେଇନଥିବାରୁ ତାଙ୍କ ରାଗ ପଞ୍ଚମରେ। ନିଜ ଉପରେ ରାଗ ଶୁଝାଇବାକୁ ରାତିର ରୋଷେଇ ବନ୍ଦ। ଜଠରାଗ୍ନି ଓ କ୍ରୋଧରେ ମୁଁ ଗୋଟାପଣେ ଜଳୁଥାଏ। ମୋ ନାଲି ମୁହଁକୁ ଦେଖି ଶ୍ରୀମତୀ ତାଙ୍କ ରାଗରୋଷ ଭୁଲି ଡରି ଡରି ପଚାରିଲେ, "କଣ ହେଲା କି?"
:"କିଛି ଖାଇବାକୁ ଦିଅ" ମୁଁ କହିଲି।
:"ରୋଷେଇ ନାହିଁ, ପଖାଳ..."
ମୁଁ ଖାଇ ବସିଲି ପଖାଳ ସାଙ୍ଗରେ କଞ୍ଚା ଲଙ୍କା, ପିଆଜ, ବଡ଼ିଚୁରା, ବାଇଗଣ ପୋଡ଼ା। ଧିରେ ଧିରେ ଶାନ୍ତ ହେଉଥିଲା ଜଠରାଗ୍ନି, ସବୁ ଗ୍ଲାନି ମାନ ଅପମାନ ଲଭୁଥିଲେ ସଲିଳ ସମାଧି ...