ପିଶାଚିନୀର କ୍ଷୁଧା
ପିଶାଚିନୀର କ୍ଷୁଧା
ସାମନ୍ତରାୟ ବାବୁ ଭାରତୀୟ ସାମରିକ ବିଭାଗ ରୁ ଅବସର ଗ୍ରହଣ କରି ସାରିଲା ପରେ ଭାରତୀୟ ରେଳ ବିଭାଗ ରେ ଯୋଗ ଦେଇ ଥାନ୍ତି l ନିଜର ସଞ୍ଚିତ ଧନ କୁ ଉପଯୋଗ କରି ପଇତୃକ ଗ୍ରାମ ନିକଟରେ ଥିବା ଛୋଟ ସହର ରେ ଘର ଖଣ୍ଡେ କିଣିଲେ l ସେଥିରେ ତାଙ୍କର ଧର୍ମ ପତ୍ନୀ ଆଉ ଦୁଇ ଝିଅ ଭାରି ଖୁସି ଥାନ୍ତି l ସେ ମଧ୍ୟ ଆତ୍ମସନ୍ତୋଷ ଅନୁଭବ କରୁଥିଲେ l
ଦୁଇ ଝିଅ ଙ୍କୁ ନେଇ ରୀନା ନୂଆଁ ଘରେ ରୁହନ୍ତି l ଛୁଟି ହେଲେ ସାମନ୍ତରାୟ ବାବୁ ଘରକୁ ଆସନ୍ତି l ସେହି ଘର ପଛରେ ଏକ ବିରାଟ ଆମ୍ବ ଗଛ ଥିଲା l ତାକୁ ଦେଖି ସାମନ୍ତରାୟ ବାବୁ କହିଲେ ଏ ଗଛଟି ଅଯଥା ସ୍ଥାନ ଅଧିକାର କରୁଛି ଏବଂ ଘରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି l ତେଣୁ କିଛି ଲୋକଙ୍କୁ ଡାକି ଗଛ ଟିକୁ କାଟି ଦେଲେ ଏବଂ ଗୋଟିଏ ଦିନ ପରେ ନିଜର କର୍ମସ୍ଥଳି କୁ ଚାଲିଗଲେ l
ତା ପରଠୁଁ ଯେପରି ତାଙ୍କର ଖୁସିର ସଂସାର ରେ କଳା ବାଦଲ ଛାଇଗଲା l ସେଦିନ ରାତିରେ ରୀନା ଝିଅ ମାନଙ୍କୁ ଧରି ଶୋଇ ଥାନ୍ତି l ଝୁମ ଝୁମ ପାଉଁଜି ସ୍ଵର ତାଙ୍କ କାନ ରେ ବାଜିଲା l ସେ ଚମକି ପଡିଲେ l ଭାବିଲେ ଏ ତାଙ୍କରି ଭ୍ରମ ହୋଇଥିବ l ପୁଣି ଶୋଇବାକୁ ଚେଷ୍ଟା କଲେ l ପୁଣି ଚୁଡ଼ି ର ଝୁଣ ଝୁଣ ଶବ୍ଦ l କାହାକୁ କହିବେ, ଝିଅ ମାନଙ୍କୁ କହିଲେ ଡରିବେ l ତେଣୁ କାହାକୁ କିଛି ନ କହି ଶୋଇବାକୁ ଚେଷ୍ଟା କଲେ l
ସକାଳୁ ସକାଳୁ ଫୋନ ଯୋଗେ ସ୍ୱାମୀ ଙ୍କୁ ସବୁକଥା ଜଣାଇଲେ l ସେ କିନ୍ତୁ ଏହା ତୁମର ଭ୍ରମ କହି କଥା କୁ ଟାଳି ଦେଲେ l କିନ୍ତୁ ଗଛ କାଟିବା ଦିନ ଠାରୁ ପ୍ରତ୍ୟେକ ଦିନ ରାତି ତାଙ୍କ ର ଭୟଭୀତ ହୋଇ କଟୁଥିଲା l ସେ ଅନୁଭବ କରୁଥିଲେ ଘର ଭିତରେ ଭୌତିକ କାଣ୍ଡ lକେତେଦିନ ପରେ ସାମନ୍ତରାୟ ବାବୁ ଛୁଟି ରେ ଆସିଲେ l ସେଇ ଦିନ ରାତି l ଖାଇ ସାରି ସବୁ ଶୋଇବାକୁ ଗଲେ l ରାତି ଅଧ ସାମନ୍ତରାୟ ବାବୁ, "ରୀନା " "ରୀନା "କାହିଁକି ଏମିତି ଚୁଡ଼ି ଝୁଣ ଝୁଣ କରୁଛ? ମୋତେ ନିଦ ହେଉନି l ରୀନା ଆଖିକୁ ମଳି ମଳି ମୋତେ କିଆଁ ଦୋଷ ଦେଉଛ ଏଇ ଦେଖ ପଟେ ସୁନା ଚୁଡିକୁ ପଟେ ପାଣି ଚୁଡ଼ି ପିନ୍ଧିଚି l କାହିଁକି ହେବ ଝୁଣୁ ଝୁଣୁ l
ଏହା ପରେ ଛୋଟ ଛୋଟ କଥାରେ ମନ ମାଳିନ୍ୟ ଘଟେ, ଝଗଡା ହୁଏ l ରୀନା ବୁଝି ଯାଇଥିଲି ଏ ସବୁ ସେଇ ଗଛ କାଟିବା ଯୋଗୁଁ ଘଟୁଛି l ତେଣୁ ସେ କୁଆଡେ ବୁଲି ଯିବା ପାଇଁ କହିଲା l ସମସ୍ତଙ୍କୁ ନେଇ ଚାରିଦିନ ପାଇଁ ବାହାରକୁ ଯାଇ ବୁଲାବୁଲି କରି ଆସିଲେ l ଆସିଲା ବେଳକୁ ରାତି ସାତ ଟା l ସମସ୍ତେ ଗାଡ଼ିରୁ ଓଲ୍ହେଇବା ଭିତରେ ରୀନା ଯାଇ ଚାବି ଖୋଲିଲା l କବାଟ ଖୋଲିଲା ଯେତେବେଳେ ସେ ପୁରା ଅବାକ l ପୁଣି ଧଡ଼ କରି କବାଟ କୁ ବନ୍ଦ କରିଦେଲା l ଦୌଡିଲା ସାମନ୍ତରାୟ ବାବୁ ଙ୍କ ପାଖକୁ l ଥରା ଥରା କଣ୍ଠ ରେ ଶୁଣୁଛ ଆମ ଘରେ କେହିଜଣେ ଓଢଣୀ ଟାଣି ବସିଛି l ତୁମେ ପୁଣି ଆରମ୍ଭ ହେଲ କହି ବିରକ୍ତ ହେଲେ l ବାହାରୁ ତାଲା ପଡିଛି ଭିତରକୁ କିଏ ଯିବ କିପରି l ସହଜେ ବୀର ସୈନିକ l ଦମ୍ଭ ଓ ସାହାସ ତାଙ୍କ ପରିଚୟ l
ତାର ଦୁଇ ଦିନ ପରେ ରାତ୍ରି ଭୋଜନ ସାରି ସବୁ ମିଳିମିଶି ଶୋଇଲେ l ରାତି ପାହିଲା କିନ୍ତୁ ସାମନ୍ତରାୟ ବାବୁ ଘରେ ନାହାନ୍ତି l ଚାରି ଆଡେ ଖୋଜା ଖୋଜି ଚାଲିଲା l ତାଙ୍କର କୌଣସି ଖୋଜ ଖବର ମିଳିନାହିଁ l ରୀନା, ଆଉ ଦୁଇ ଝିଅ ନା ଖିଆ ନା ପିଆ ଲୁହ ଝରାଇ ଝରାଇ ଶୁଖି ଗଲେଣି l
ସେ ନିଖୋଜ ହେବାର ଚାରି ଦିନ ପରେ, ସହର ଠାରୁ ଏକ ଦୁର୍ଗମ୍ୟ ଜଙ୍ଗଲ ସେଠି ମିଳିଲା ସାମନ୍ତରାୟ ବାବୁ ଙ୍କ ଶବ ଏକ ଗଛ ନିକଟରୁ lରୀନା ପୁରା ଭାଙ୍ଗି ପଡିଲା କିନ୍ତୁ ଦୁଇ ଝିଅ ଙ୍କ କଥା ଭାବି ଧର୍ଯ୍ୟ ଧରିଲା l କଣ କରିବ ଶାଶୂଘରେ ମଧ୍ୟ କିଏ ତାକୁ ସାହାରା କି ସାହାସ ଦେଲେ ନାହିଁ l ଓଲଟି ତାଙ୍କ ପୁଅ ର ମୃତ୍ୟୁ ପାଇଁ ତାକୁ ଦାୟୀ କଲେ l
ତା ଭାଇ ତାକୁ ଘରକୁ ଡାକିଲେ କିଛି ଦିନ ରହିକି ଗଲେ ତତେ ଭଲ ଲାଗିବ ଭାବି l ତେଣୁ ସେ ନିଜ ପିଲା ଙ୍କୁ ନେଇ ଚାଲିଗଲା ବାପା ଘରକୁ l ସେଠାରେ ପ୍ରାୟ ଗୋଟିଏ ମାସ ଅତିବାହିତ କରି ଫେରିଲେ l ଯେଉଁ ଦିନ ଫେରିଲା ରୀନା କବାଟ ଖୋଲିବା ମାତ୍ରେ ସେଇ ଦୃଶ୍ୟ l କବାଟ ଧଡ଼ କରି ବନ୍ଦ କରି ବାହାରୁ ତାଲା ମାରିଦେଲା l ସର୍ବାଙ୍ଗ ଶରୀର ତାର ଭୟରେ ଶିହରୀ ଉଠୁଥାଏ l ଆଉ ଘରକୁ ଗଲାନାହିଁ, ସେଦିନ ସିନା ତା ସ୍ୱାମୀ ତା ଦମ୍ଭ ତା ସାଙ୍ଗରେ ଥିଲେ କିନ୍ତୁ ଆଜି? ଘର ବାଉଣ୍ଡାରୀ ର ଏକ କୋଣ ରେ ବସି ସାରା ରାତି ବିତେଇ ଥିଲା ସେ l ଦୁଇ ଛୁଆଙ୍କୁ କୋଳରେ ଧରି ଏକ ଭୟଭୀତ ରଜନୀ ସେ କିପରି ଅତିବାହିତ କରିଥିଲା ତାହା ବର୍ଣ୍ଣନାତୀତ l ରାତି ଯେତେ ବଢୁଥିଲା ଭୀତତ୍ରସ୍ତ ପ୍ରାଣ ତାର ହଜାରେ ମରଣ କୁ ଅନୁଭବ କରୁଥିଲା l
କାଳ ରାତ୍ରି ପାହିଲା, ସେ ଫୋନ କଲା ତା ସ୍ୱାମୀଙ୍କ ବନ୍ଧୁଙ୍କୁ l ତା ପାଇଁ ବଖରେ ହେଉ ପଛେ ଘର ଭଡା ଖୋଜିଦେବା ପାଇଁ l କାରଣ ସେ ଆଉ ନିଜ ଛୁଆ ଙ୍କୁ ହରେଇବା କୁ ଚାହୁଁନଥିଲା l ବୁଝି ସାରିଥିଲା ସେ ପିଶାଚିନୀ ହିଁ ତା ସ୍ୱାମୀ କୁ ଖାଇଛି l ଏତିକିରେ ତା କ୍ଷୁଧା ମେଣ୍ଟିଲାନି ଯେ ସେ ପୁଣି ଅପେକ୍ଷା କରିଥିଲା ଆମର l

