ପୀୟୂଷଧାରା
ପୀୟୂଷଧାରା
ଆଜି ଲଳିତା ଦେବୀଙ୍କ ନାମରେ ନାମିତ ମନ୍ଦିରଟିଏ ପ୍ରତିଷ୍ଠା ହେଉଛି। ପ୍ରତିଷ୍ଠିତ ହେଲେ ତାଙ୍କର ଇଷ୍ଟ ଲଡ଼ୁଗୋପାଳ। ରାଜା ସ୍ୱୟଂ ସବୁକିଛି ତଦାରଖ କରୁଛନ୍ତି । ଘଣ୍ଟଘଣ୍ଟା, ହୁଳହୁଳି, ଶଙ୍ଖନାଦରେ ଗଗନ ପବନ ପ୍ରକମ୍ପିତ। ଲୋକେ ଲୋକରଣ୍ୟ।ମନ୍ଦିର ପ୍ରତିଷ୍ଠା ଦେଖିବାକୁ ନୁହେଁ କି ରାଜାଙ୍କୁ ଦେଖିବାକୁ ନୁହେଁ ଲୋକେ ଆସିଛନ୍ତି ଲଳିତା ଦେବୀଙ୍କୁ ଦେଖିବାକୁ। ଜଣେ ଗଣିକା ହୋଇ ମଧ୍ୟ ମନ୍ଦିର କେମିତି ତିଆରି କଲେ ଜାଣିବାକୁ।
ଏଗାର ବର୍ଷ ବୟସରେ ବିବାହ ହୋଇଥିଲା ଲଳିତାଙ୍କର ଜଣେ ସତୁରୀ ବର୍ଷର ବୃଦ୍ଧଙ୍କ ସହ। ତାଙ୍କର ଆଗରୁ ଆଉ ତିନୋଟି ବିବାହ ହେଇ ସାରିଥିଲା। କିନ୍ତୁ ସନ୍ତାନ କାହାରି ଠାରୁ ନଥିଲା। ଗରିବ ବ୍ରାହ୍ମଣର କନ୍ୟା ଲଳିତା। କେମିତି ହେଲେ ଝିଅ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ରହିଲେ ଢେର। ତେଣୁ ବାପା ବାହାଘର କରିଦେଲେ। ସେତେବେଳେ ଝିଅମାନଙ୍କୁ ପଚାରା ଯାଉ ନଥିଲା କି, ସେ ଏ ବାହାଘରରେ ରାଜି ଅଛି କି ନାହିଁ ।
ବାହାଘର କ'ଣ ବୁଝିବା ଆଗରୁ ଲଳିତା ବାହା ହୋଇ ଶାଶୂଘରକୁ ଗଲା। ସାଙ୍ଗରେ ନେଇକିଗଲା ତା' ପ୍ରିୟ ଲଡୁଗୋପାଳ ଯାହାଙ୍କୁ କି ସେ ତିନି ବର୍ଷ ବୟସରୁ ଧରି ଖେଳୁଥିଲା। ଶୋଇଲା ବେଳେ ବି ସାଙ୍ଗରେ ନେଇକି ଶୋଉଥିଲା। ଏବେ ତା'ର ଜୀବନ ବଦଳି ଗଲା। ପ୍ରଥମ ରାତିରେ ହିଁ ଜୀବନର ଭୟଙ୍କର ଦିଗଟି ସହ ପରିଚୟ ହେଲା। ସ୍ୱାମୀଙ୍କ ବଦଳରେ ଆଉ ଜଣଙ୍କୁ ପାଇଲା ସେଠି। ସ୍ୱାମୀ କ'ଣ ବୁଝିବାର ବୟସ ବି ତ ହୋଇ ନ ଥିଲା ।ଶୁଣିଲା ତାକୁ ଯେମିତି ହେଲେ ପୁଅଟିଏ ଜନ୍ମ ଦେବାକୁ ହବ, ସ୍ୱାମୀର କୁଳରକ୍ଷା ପାଇଁ ଓ ଏ ବିଶାଳ ସମ୍ପତ୍ତିର ସୁରକ୍ଷା ପାଇଁ। କିଛି ଜାଣିବା ବୁଝିବା ଆଗରୁ ହିଁ ଭୟଙ୍କର ରାକ୍ଷସର ଆଙ୍କୁଡାରେ କବଳିତ ହେଲା। ଖିନଭିନ ହେଇଗଲା ତା କଅଁଳ ମନ, କଅଁଳ ଦେହ। ସବୁଦିନ ସେଇ ସମାନ କାହାଣୀର ପୁନରାବୃତ୍ତି।
ବାହାଘର ମାସେ ପରେ ସ୍ୱାମୀର ସ୍ୱର୍ଗପ୍ରାପ୍ତି। ସେ ହେଇଗଲା ବିଧବା। ବାପା ଆସିଥିଲେ। ଲଳିତା ବହୁତ କାନ୍ଦିଲା ସାଙ୍ଗରେ ନେଇଯିବା ପାଇଁ, ମିନତି ବି କଲା। କିନ୍ତୁ ବାପା ନିଜର ଅସମର୍ଥ୍ୟତା ଦେଖେଇଲେ। ଏଠି ଖାଇପିଇ ଭଲରେ ଅଛି, ପୁଣି ସେ ଦାରିଦ୍ର୍ୟ ଭିତରକୁ ନେବାକୁ ଚାହିଁଲେନି। ଘରେ ଆଉ ସାତୋଟି ସନ୍ତାନ । 'ଦେଲି ନାରୀ ହେଲି ପାରି' ନ୍ୟାୟରେ ଦେହରୁ ଧୂଳି ଝାଡି ବାପା ଚାଲିଗଲେ। ବିଚାରୀ ଲଳିତା କରମକୁ ଆଦରି ପଡି ରହିବାକୁ ବାଧ୍ୟ ହେଲା।
r>
ସାନ ସଉତୁଣୀର ଭାଇ ଯେତେବେଳେ ଆସେ ତାକୁ ଦୟା ଦେଖାଏ। ଭଲରେ କଥା ଟିକେ କହେ। ଦେହ ଖରାପ ଥିବାରୁ ସଉତୁଣୀ ବାପଘରକୁ ଯାଇଥାଏ। ଦିନେ ତା' ଭାଇ ଲଳିତାକୁ ସାଙ୍ଗରେ ନେଇଯିବାକୁ ଆସି ପହଁଚିଲା। ତା ନାନୀ ଦେହ ବହୁତ ଖରାପ। ଲଳିତା ଗଲେ ସେବା କରିବ। ଯୋଡ଼େ ଫୁଟେଇକି ଦବ। ସେଇ ଯେ ଘରୁ ବହାରିକି ଗଲା ଆଉ ଘରକୁ ଫେରିପାରିଲାନି । ଫେରିବ ବା କେମିତି ଯେ? ସେ ଜାଣିଲା ବେଳକୁ ତାକୁ ବିକ୍ରି କରା ହେଇଯାଇଥିଲା ଗଣିକା ମହଲରେ।
ଆରମ୍ଭ ହେଲା ତା ଜୀବନର ଆଉ ଏକ ଅଧ୍ୟାୟ। ଯାହାକୁ ସମାଜ ଘୃଣା ଆଖିରେ ହିଁ ଦେଖିଥାଏ। ତା' ଵିଵଶତା ଆଉ କିଏ ବୁଝୁଛି ? ଲଡୁଗୋପାଳକୁ କିନ୍ତୁ ପାଖରୁ ଛାଡି ନ ଥାଏ ସେ। ସେ ହିଁ ତ ଜଣେ ଯାହାକୁ ସେ ମନର କଥା ଟିକେ କହିପାରେ। ଦିନ ବିତିବା ସହ ବୟସ ବି ଗଡି ଚାଲିଲା।
ଏବେ ଲଳିତାଙ୍କୁ ଷାଠିଏ ବର୍ଷ। ଅତି ଅଭିମାନରେ ଦିନେ ଗୋପାଳକୁ କହିଲେ " ଧନରେ ! ଏ ଜୀବନ ତ ମୋର ବ୍ୟର୍ଥ ହେଇଗଲା। କଳୁଷିତ ଜୀବନ ମୋର। ମୋ ପାଇଁ ମୋର ଚିନ୍ତା ନାହିଁ। ମୋ ପରେ ତୋର କ'ଣ ହବ, କିଏ ଗୋଟିଏ ଗଣିକାର ଠାକୁରକୁ ଘରକୁ ନବ ପୂଜା କରିବାକୁ ? ସେଇଆ ଭାବିକି ରାତି ଶୋଇ ପାରୁନି। କିଏ ତୋ ସେବା କରିବ, କିଏ ଗେଲ କରିବ, କିଏ ତୋ ସହ ସୁଖ ଦୁଃଖ ବାଣ୍ଟିବ। ଆର ଜନମରେ ତୁ ମୋରି କୋଳକୁ ପୁଅ ହେଇକି ଆସିବୁରେ ଲଡ଼ୁ" । ଯେମିତି ଏତିକି କହିଛନ୍ତି ତାଙ୍କ ବକ୍ଷରୁ ଅମୃତର ଧାରା ପ୍ଲାବିତ ହେବାରେ ଲାଗିଲା। ଆଉ ଗୋପାଳ ଛୋଟ ଶିଶୁଟିଏ ହେଇ ସେ ଅମୃତ ପାନ କରୁଥାନ୍ତି। ଏପଟେ ଆଖିରୁ ଅଶ୍ରୁଧାରା ସେପଟେ ବକ୍ଷରୁ ପୀୟୂଷର ଧାରା । ଏମିତିରେ କେତେ ସମୟ ବିତିଲା ତା ହିସାବ କିଏ ବା ରଖିଛି?
ରାତିରେ ରାଜାଙ୍କୁ ସ୍ୱପ୍ନ ହେଲା ଲଳିତା ଦେବୀଙ୍କ ନାମରେ ମନ୍ଦିରଟିଏ ହେବ, ଲଡୁଗୋପାଳ ପ୍ରତିଷ୍ଠା ହେବେ ଓ ଯେତେଦିନ ଲଳିତା ବଞ୍ଚିଥିବେ ସେ ହିଁ ଗୋପାଳଙ୍କର ସେବା କରିବେ। ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା ରାଜା ନିଜେ କରିବେ। ସକାଳୁ ରାଜା ଧାଇଁ ଆସିଲେ ଲଳିତାଙ୍କ ପାଖକୁ। ଗୋଡ଼ ତଳେ ଲମ୍ବ ହେଇ ପଡିଗଲେ । କହିଲେ, " ମାଆ। ଧନ୍ୟ ତୁ। ଗୋପାଳକୁ ପୁଅ ରୂପେ ପାଇଲୁ। ଯଶୋଦାଙ୍କ ଠାରୁ କୌଣସିଥିରେ ଉଣା ନୁହେଁ ତୁ। ତୋ ପାଇଁ ସ୍ୱପ୍ନରେ ହଉ ପଛେ ଗୋପାଳର ଦର୍ଶନ ମିଳିଲା। ସବୁ ତୋ ପାଇଁ ଲୋ ମାଆ"। ଭକ୍ତର ଭକ୍ତିରେ ଭଗବାନ ଚିରଦିନ ବନ୍ଧା।