puspanjali das

Inspirational

3  

puspanjali das

Inspirational

ପିଢ଼ି ପରେ ପିଢ଼ି

ପିଢ଼ି ପରେ ପିଢ଼ି

4 mins
209



      ଶିବାନୀ ନିଜ ରୁମରେ ଚେୟାରଟି ଉପରେ ବସୁ ବସୁ,ଝରକା ବାଟେ ସେଇ ଚେନାଏ ଆକାଶକୁ ଦେଖି ଭାରି ଅନ୍ୟମନସ୍କ ହୋଇ ଯାଇଥିଲା।ଅଧାଖୋଲା ଖାତା ଓ କଲମ ସେମିତି ଟେବୁଲଟି ଉପରେ ପଡିରହିଥିଲା!ଆକାଶଟି ସେଦିନ ଭାରି ସଫା ଦିଶୁଥିଲା, ଅଧା ନଇଁ ଯାଇଥିବା ପିଜୁଳି ଗଛଟିରେ ଚଢେଇ କେତୋଟି କିଚିରି ମିଚିରି ହେଉଥିଲେ,ପାଖ ପାଚେରୀଟି ଉପରେ ନେଉଳଟି ଅଳପ ରହିରହି ସତେ ଯେମିତି ତା'ନେଉଳିକୁ ଖୋଜି ବୁଲୁଥିଲା!ଚଢେଇ ମାନଙ୍କର କିଚିରି ମିଚିରିକୁ ଉପଭୋଗ କରି, ସେ ଯେମିତି ବୁଝିବାକୁ ଚେଷ୍ଟା କରୁଥିଲା!ପାଖ ଦଳ ପୋଖରୀଟି ଭିତରେ ସାରୁଗଛର ପତ୍ର ସବୁ ହଲି ହଲି ସତେ ଯେମିତି କେତେ କ'ଣ କହିଯାଉଥିଲେ,ଆଉ ସେ ସବୁକୁ ଆଖିପୁରାଇ ଦେଖୁ ଦେଖୁ ,ହଠାତ୍ ଫୋନଟି ତାର ଜୋରରେ ବାଜି ଉଠିଥିଲା-ଭିଡିଓ କଲ!!

         ସୁଦୂର ଲଣ୍ଡନରୁ ସାନ ଝିଅର ଶାଶୁଙ୍କର ଭିଡ଼ିଓ କଲରେ ଶିବାନୀ ପ୍ରକୃତିସ୍ଥ ହୋଇଥିଲା।ତର ତର ହୋଇ ଫୋନଟି ଅନ କରିଦେଇ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲା!ଖୁବ କମ ଦିନ ହେବ ସାନ ଝିଅର ବାହାଘର ଏତେ ଦୂରରେ ହୋଇଥିବାରୁ ଓ ସେ ବିବାହରେ ଘର ଲୋକଙ୍କୁରାଜି କରାଇବାର ଗୁରୁ ଦାଇତ୍ୱଟା ତା'ର ଥିବାରୁ ସେଠିକାର ଖବରକୁ ନେଇ ଆଶଙ୍କିତ ସବୁବେଳେ ରହୁଥିଲା! ଯଦିଓ ବାହାଘର ବେଳେ ସେ ଅପରିଚିତ ପରିବାରଟି ସମସ୍ତଙ୍କର ଅଳ୍ପେ ବହୁତେ ଆଦରଣୀୟ ହୋଇ ଯାଇଥିଲା, ତଥାପି,ଅନିଶ୍ଚିତତାର ଆଶଙ୍କାଟି ଶିବାନୀର ମନରୁ ପୁରାପୁରି ଯାଇପାରିନଥିଲା!

           ଔପଚାରିକତା ପରେ ପରେ ଝିଅର ଶାଶୁଙ୍କ ମୁହଁରୁ ଝିଅ ଇଶାର ପ୍ରଶଂସା ଶୁଣି ସାମାନ୍ୟ ଆଶ୍ୱସ୍ତ ହୋଇଥିଲା, ହେଲେ ଯେତେବେଳେ ତା'ର ଗୋଟିଏ ନୂଆରୂପ କଥା ଶୁଣିଥିଲା,ଆଶ୍ଚର୍ଯ୍ୟ ନ ହୋଇ ରହିପାରିନଥିଲା!ନିଜକୁ ଅଟକାଇ ରଖିପାରିନଥିଲା,ମନ ଭିତରେ ଉଠୁଥିବା ଅନେକ ପ୍ରଶ୍ନରେ ଛନ୍ଦି ହୋଇ ପଡ଼ିଥିଲେ ବି କେବଳ ପଚାରି ଦେଇଥିଲା-ସତରେ ଆଜ୍ଞା,ଇଶା ସବୁ କରିପାରିଲା??ସଙ୍ଗେ ସଙ୍ଗେ ଉତ୍ତର ପାଇ ଯାଇଥିଲା-ଆରେ ହଁ ଆମେ କେହି ତ ଭାବି ନ ଥିଲୁ ଆଶା କରିବାର ତ ପ୍ରଶ୍ନ ଉଠୁନଥିଲା!ଏତେ ଲୋକଙ୍କର ଡିନର ଏତେ ସୁନ୍ଦର ଭାବରେ ସେ ଆରେଞ୍ଜ କରିପାରିବ ବୋଲି! ଆମର ଟିକିଏ ବି ସାହାଯ୍ୟ ନେଇ ନଥିଲା, କେବଳ ପୁଅ ଯାହା ତା' ସାଙ୍ଗରେ ଟିକିଏ ସାହାଯ୍ୟ କରିଥିଲା! ଇଶା ବାହାଘର ପରର ପ୍ରଥମ ଛୋଟିଆ ଗେଟ୍ ଟୁଗେଦର୍ ରେକୁକ ଟା ଠିକ ସମୟରେ ଆରେଞ୍ଜ ହୋଇ ପାରି ନଥିଲା । ପୁଅର କଥା ରକ୍ଷା କରି ଭାରତରେ ବାହାଘର କରିଥିବାରୁ ଓ ନିଜ ଲୋକ କିଛି ଲଣ୍ଡନରୁ ଯୋଗ ଦେଇ ପାରି ନଥିବାରୁ ସେମାନଙ୍କ ଖୁସି ପାଇଁ ସେଠି ସେମାନଙ୍କ ସୁବିଧାରେ ତାରିଖଟି ଠିକ କରାହୋଇଥିଲା ।ସେଥିପାଇଁ ଅପ୍ରୀତିକର ପରିସ୍ଥିତିଟିକୁ ଆଡେଇବା ପାଇଁ ସମସ୍ତଙ୍କର ଚେଷ୍ଟା ଥିଲା!ବେଶୀ ନ ହେଲେ ବି ଚାଳିଶ ପଚାଶ ଜଣ ନିଜ ଲୋକଙ୍କର ଖାଇବା ,କେବଳ ଜଣେ ସାହାଯ୍ୟ କରିବା ଲୋକକୁ ନେଇ ସବୁ ଇଶାକୁ ଆରେଞ୍ଜ କରିବାକୁ ପଡିଥିଲା!ଶିବାନୀକୁ ଖୁବ ଆଶ୍ଚର୍ଯ୍ୟ ଲାଗିଥିଲା ଯେ ଦିନେହେଲେ ରୋଷଇଘରକୁ ଆସିନଥିବା ଇଶା କେମିତି ଏତେ ଲୋକଙ୍କ ଖାଇବା ପ୍ରସ୍ତୁତ କରିପାରିଥିଲା ଯଦିଓ ସେ ଜାଣିଥିଲା ଯେ ଝିଅ ତାର ଚାକିରୀର ପ୍ରଥମ ବର୍ଷଟି ସାଙ୍ଗଟିଏ ସାଙ୍ଗରେ ଭଡା ଘରେ ରହି ରୋଷେଇ କିଛିଟା ଶିଖିଦେଇଥିଲା!

          ସେତକ ଶୁଣି ଶିବାନୀର ଭାବନାର ଖିଅଟା ଲମ୍ବି ଯାଇଥିଲା ଅନେକ ବର୍ଷ ତଳକୁ-ଠିକ ସେମିତି ଗୋଟିଏ ପରିସ୍ଥିତିର ସମ୍ମୁଖୀନ ସିଏ ବି ତ ହୋଇଥିଲା!ତା'ବାହାଘରର ବର୍ଷଟିଏ ବି ପୂରଣ ହୋଇନଥିଲା ବଡ଼ଝିଅ ତା'ର କୋଳକୁ ଆସିଥିଲା,ଆଉ ନର୍ମାଲ ଡେଲିଭରି ହୋଇଥିଲେ ମଧ୍ୟ ଖୁବ ହୃଷ୍ଟ ପୃଷ୍ଟ ଝିଅ ହୋଇଥିବାରୁ ବହୁ କଷ୍ଟରେ ତାର ଜନ୍ମ ହୋଇଥିଲା।ତଥାପି ଘରର ବଡ଼ ବୋହୁ ହୋଇଥିବାରୁ ପ୍ରଥମ ପିଲାଟିର ଏକୋଇଶା ପୂଜା କରିବାକୁ ଶାଶୁଘର ଗାଁକୁ ଯିବାକୁ ପଡିଥିଲା।ସେଥିପାଇଁ ଗାଁ ସାହି ପଡିଶା ସମସ୍ତଙ୍କୁ ଖୁସିରେ ଆମନ୍ତ୍ରଣ କରା ହୋଇଯାଇଥିଲା।ବେଶୀ ଲୋକ ନ ହେଲେ ବି ଦୁଇ ଶହ ପର୍ଯ୍ୟନ୍ତ ଲୋକ ହେବାର ଆକଳନ ହୋଇ ଯାଇଥିଲା!ଆଉ ସେସବୁର ଆୟୋଜନରେ ସମସ୍ତେ ଲାଗିପଡିଥିଲେ।ହେଲେ କୁଟୁମ୍ବ ଭିତରୁ ଜଣେ ବୟୋଜ୍ୟେଷ୍ଠଙ୍କ ପାଖରୁ ନିର୍ଦ୍ଦେଶ ଆସିଥିଲା ଯେ ତାଙ୍କ ଘରର ପରମ୍ପରା ଅନୁଯାଇ ଝିଅଟିର ଜନ୍ମ ପୂଜା ମାସଟିଏ ପରେ ହୁଏ(ମାସିକିଆ),ନ ହେଲେ ଅତି କମରେ ଗୋଟିଏ ଦିନ ଗଡାଇ ଦେଇ ବିଧିରକ୍ଷା କରି ବାଇଶି ଦିନରେ ପୂଜା ହୋଇପାରିବ।ପୁଅଟିଏ ଜନ୍ମ ହେଲେ କେବଳ ଏକୋଇଶା ହୁଏ।ଏକଥାର ତାତ୍ପର୍ଯ୍ୟ ଅବଶ୍ୟ ପରେ ତାକୁ ବୁଝା ହୋଇ ଯାଇଥିଲା ହେଲେ ସେସବୁ ଯେ ଶେଷ ମୁହୂର୍ତ୍ତରେ ମାନି ସବୁ ପରିବର୍ତ୍ତନ କରିବା କଷ୍ଟସାଧ୍ୟ ଥିଲା ଏକଥା ମଧ୍ୟ ଅସ୍ବୀକାର କରି ହୋଇ ନ ଥିଲା!

          ଶେଷରେ ରନ୍ଧାବଢାର ଦାଇତ୍ୱରେ ଥିବା ରୋଷେଇଆର ସେଦିନ ପାଇଁ ଅସୁବିଧାକୁ ଆଖିରେ ରଖି ସବୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା।ଶାଶୁ ଶଶୁର ଓ ପରିବାରର ସମସ୍ତଙ୍କର ଖୁସି ମଉଳି ଯାଇଥିଲା ଆଉ ଶିବାନୀର ମନ ଟା ବି ଛଟପଟ ହୋଇ ଉଠିଥିଲା!ପୁଣି ଘରେ ଘରେ ଯାଇ ମନା କରିବା କଥାଟିକୁ ସହଜରେ ଗ୍ରହଣ କରି ପାରିନଥିଲା!ସାହସ କରିକି ଶାଶୁଙ୍କୁ ଧୀରେ ପଚାରିଦେଇଥିଲା-ଆଛା ବୋଉ,ଆମେ ସମସ୍ତେ ମିଶିକରି କରିପାରିବାନି? ବେଶି ଆଇଟମ ନ କରିପାରିଲେ ମଧ୍ୟ ପୂଜା ଭୋଗ ସାଙ୍ଗରେ କ୍ଷୀରି,ପୁରି,ତରକାରୀ ତ କରିକି ଦେଇ ହେବ।ଝିଅର ପ୍ରଥମ ଜନ୍ମଦିନକୁ ବରଂ ଭଲକରି କରିକି ସମସ୍ତଙ୍କୁ ଡାକିବା।ଯଦିଓ,ଶାଶୁଙ୍କ ମୁହଁରେ ଆଶାର କ୍ଷୀଣ ଆଲୋକଟିଏ ଦେଖା ଦେଇଥିଲା କିଛି କ୍ଷଣ ପାଇଁ ହେଲେ ସମସ୍ତଙ୍କର ଅପମାନିତ ହେବାର ଆଶଙ୍କାଟି ମଧ୍ୟ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା!ପାଖରେ ବସିଥିବା ପଡିଶା ଘରର ସ୍ତ୍ରୀ ଲୋକଟିଏର ପୂର୍ଣ୍ଣ ସହଯୋଗର କଥା ଦବାରେ ବହୁ କଷ୍ଟରେ ସମସ୍ତେ ରାଜି ହୋଇ ଲାଗିପଡିଥିଲେ ସେଦିନର ଭୋଜି ଭାତର ଆୟୋଜନରେ।ଶିବାନୀ ନିଜ ତରଫରୁ କ୍ଷୀରି ଓ ତରକାରୀର ଦାଇତ୍ୱ ଟା ନେଇଯାଇ ଅଣ୍ଟାରେ ଲୁଗା ଭିଡି ଲାଗିପଡିଥିଲା।ବାଲେଶ୍ଵରର ବୋହୁ ଓ କଟକ ଝିଅ ହେବାର ସମ୍ମାନ ସେଦିନରଖି ଦେଇଥିଲା!ସମସ୍ତଙ୍କ ମୁହଁରେ କ୍ଷୀରି ,ତରକାରୀର ଭୁରି ଭୁରି ପ୍ରଶଂସାରେ ସତେ ଯେମିତି ବଡ଼ ମେଡାଲଟିଏ ପାଇଯାଇଥିଲା!ବଡ଼ ଭାଇଙ୍କର ଆଖିଫଡା ଚାହାଣି ସେ ଏଯାଏ ବି ଭୁଲିପାରିନି!!ଝିଅ ଦିନରେ ରୋଷେଇ ଘରେ ଥରୁଟିଏ ବି ଦେଖିନଥିବା ଶିବାନୀକୁ ସଦ୍ୟ ମାତୃତ୍ବର ରଙ୍ଗ ବୋଳି ହୋଇ ଅଣ୍ଟାରେ ଲୁଗା ଭିଡି ହଣ୍ଡାରେ ରୋଷେଇ କରିବା ଦେଖି ଭାଇ ତା'ର କ୍ଷଣେରହି ଯାଇଥିଲେ,ଆଉ ଧୀରେ କରି ପଚାରି ଦେଇଥିଲେ-ତୁ ପାରିବୁ??ଶିବାନୀର ହସ ହସ ମୁହଁରୁ କେବଳ ଗୋଟିଏ କଥା ବାହାରି ଆସିଥିଲା-ମୁଁ ପରା ସେଇ ଅନ୍ନପୂର୍ଣ୍ଣା(ଶିବାନୀର ବୋଉ)ର ଝିଅ ..ପାରିବିନି??ସତରେ ଶିବାନୀ ସେଦିନ ସତେ ଯେମିତି ଅନ୍ନପୂର୍ଣ୍ଣା ପାଲଟି ଯାଇଥିଲା!ବୋଉ କଥା ତା'ର ଭାରି ମନେ ପଡୁଥିଲା-ସିଏ ବି ସେମିତି ଥରେ ନୁହେଁ ଅନେକ ଥର ଏମିତି ପରିସ୍ଥିତିର ମୁକାବିଲା କରିଥିବା କଥା,ଖୁଡ଼ୀ ଠାରୁ ଆଈ ଠାରୁ ଶୁଣିଥିଲା!ହୁଏତ ତା'ର ଶାଶୁ ଶଶୁର ନ ଥିବା ପରିବାର ଓ ବାପାଙ୍କର ସ୍ୱଳ୍ପ ଆୟକୁ ଆଖିରେରଖି ବୋଉର ସେ ପଦକ୍ଷେପ ସବୁବେଳେ ସମସ୍ତଙ୍କ ପାଖରେ ଆଦର୍ଶର କାହାଣୀ ହୋଇ ଯାଇଥିଲା!ତା'ର ସଂଘର୍ଷ ମୟ ଜୀବନଟି ସମସ୍ତ ଙ୍କ ପାଖରେ ଶିକ୍ଷଣୀୟ ଓ ଆଦୃତ ହୋଇ ସମ୍ମାନର ଅଧିକାରୀ ବୋଉକୁ କରାଇଦେଇଥିଲା!ଆଉ ସେସବୁ ହୁଏତ ସେଦିନ ଶିବାନୀର ଆତ୍ମବଳଟିକକ ବଢ଼ାଇ ଦେଇଥିଲା!

          କଲିଂ ବେଲଟିର ଶବ୍ଦରେ ଶିବାନୀ ନିଜ ଭାବନା ରାଜ୍ୟରୁ ଫେରି ଆସିଥିଲା।କବାଟ ଖୋଲିବାକୁ ଯାଉ ଯାଉ ମନ ଭିତରେ ଉଠୁଥିବା ଅନେକ ପ୍ରଶ୍ନର ଉତ୍ତର ଯେମିତି ନିଜେ ପାଇ ଯାଇଥିଲା।ସତେ ତ!ଯୁଗ ଯେତେ ବଦଳିଲେ,ନାରୀଟିର ଭୂମିକା ତ ସେମିତି ଗଡି ଆସିଛି!!ନାରୀଟିର ଅନ୍ତର୍ନିହିତ ଶକ୍ତି କେବଳ ପରିସ୍ଥିତିର ସମ୍ମୁଖୀନ ହେଲେ ହିଁ ଅନୁଭବ କରିହୁଏ!!ହୁଏତ ସେ ଯେ 'ଶକ୍ତିର ଆଧାର ନିଜେ ବି ଜାଣିବା କଷ୍ଟକର ହୋଇଥାଏ!!

           

        

        


Rate this content
Log in

Similar oriya story from Inspirational