ଫୁଲରାଣୀ
ଫୁଲରାଣୀ
ବୁଢ଼ୀ ମା କଥାଟି ସତେ ଯେମିତି ଅସରନ୍ତି କୁହୁକ ଭରା ଭାନୁମତୀ ର ପେଡି । ସେ ଗପ ଶୁଣୁଶୁଣୁ ଖାଲି ରୋମ ମୂଳ ଟାଙ୍କୁରି ଉଠୁନଥିଲା, ଗପ ଶେଷ ହେଲାପରେ ଅବୁଝା ମନଟା ଆପଣା ଛାଏଁ ଶାନ୍ତ ହୋଇଯାଉଥିଲା, ବୁଢ଼ୀ ମା ବତାଉଥିବା କାମଟି ମାନଙ୍କୁ ଯନ୍ତ୍ର ବତ ସମ୍ପାଦନ କରିଦେବା ପରେ ମନରେ ସତେ ଯେମିତି ଏକ ଭଲ ଏବଂ ସବୁଜ ସୁନ୍ଦର ନୀଡ଼ ଆପଣାଛାଏଁ ଗଢି ହୋଇଯାଉଥିଲା ।
ରାଜକୁମାର,କୁମାରୀଙ୍କ ବ୍ୟତୀତ ପଶୁପକ୍ଷୀ,ଗଛଲତା ଏପରିକି ନିର୍ଜୀବ ଜଡ଼ ପ୍ରକୃତି ବି ବୁଢ଼ୀ ମା କଥାରେ ଜୀବନ୍ତ ହୋଇ ଉଠନ୍ତି ।
ପ୍ରତିଦିନ ସକାଳୁ ସକାଳୁ ଉଠି ଫୁଲ ତୋଳିବାକୁ ପିଲାଦିନେ ନାତି ନାତୁଣୀ ଙ୍କୁ ଗେହ୍ଲେଇ କହନ୍ତି ବୁଢୀ ମା । ଆଉ ସନ୍ଧ୍ୟା ବେଳେ କହନ୍ତି ଫୁଲ ରାଣୀଙ୍କ କଥା ।
ଏହି କ୍ରମରେ ତା ଠୁଁ ଶୁଣିଥିବା ଫୁଲରାଣୀ ଶେଫାଳି କଥା ଖୁବ୍ ମନଛୁଆଁ । ଏମିତି ତ ଭିନ୍ନ ଭିନ୍ନ ରଙ୍ଗ, ରୂପ,ରସ,ଗନ୍ଧ ଏବଂ ଅଲୈ।କିକ ଦିବ୍ୟ ଗୁଣ ପରିପୂର୍ଣ୍ଣ ପ୍ରତିଟି ପୁପ୍ପ ଦେବାଦେବୀଙ୍କ ଅତି ପ୍ରିୟ । ତାଙ୍କ ଦିବ୍ୟ ସାନ୍ନିଧ୍ୟ ଲାଭ କରି ତାର ଜୀବନ ଧନ୍ୟ ।
ଫୁଲରାଣୀ ଶେଫାଳି କିନ୍ତୁ ଖୁବ୍ ନିଆରା । ଶୀତ ଦିନିଆ ରାତି ବଡ଼ । ପାହାନ୍ତି ପହରୁ ଶେଫାଳି ଫୁଲର ଭୁରୁ ବାସ୍ନା ପବନରେ ଭାସି ଆସେ । ମନ କେମିତି ଏକ ଦିବ୍ୟ ଆନନ୍ଦରେ ପୁଲକିତ ହୋଇଉଠେ । ସକାଳୁ ସକାଳୁ ଗଛ ମୂଳରେ ଏହି ଧଳା ପାଖୁଡ଼ା ଯୁକ୍ତ ଫୁଲ ଗୁଡ଼ିକ ଆପଣା ଛାଏଁ ତଳେ ଝରି ପଡ଼ିବା ଦେଖାଯାଏ । ତା ଉପରେ ଲାଗିଥିବା ବିନ୍ଦୁ ବିନ୍ଦୁ କାକର ଟୋପା ମୁକ୍ତାପରି ଚିକ୍ ଚିକ୍ କରନ୍ତି ।
ବୁଢ଼ୀ ମା କହନ୍ତି ଶେଫାଳି ହେଉଛି ସ୍ୱର୍ଗପୂର ନନ୍ଦନବନର ପାରିଜାତ । ସତ୍ୟ, ଶାନ୍ତି,ତପ, ତ୍ୟାଗ ଏବଂ ସୁମନର ପ୍ରତୀକ । ପବିତ୍ରତା ହେଉଛି ଏହି ପୁଷ୍ପର ବିରଳ ସ୍ୱଭାବ । ଶୀତୁଆ ଦୀର୍ଘ ରାତ୍ରୀରେ ଏହାର ଏକାନ୍ତ ସାଧନା । ଧଳା ରଙ୍ଗ ପାଖୁଡ଼ା ସହିତ ଗୈରୀକ ବୃନ୍ତ ଖୁବ୍ ନୈସର୍ଗିକ । ପୁଣି ସକାଳୁ ସକାଳୁ ଝରି ପଡ଼ିବା ହେତୁ ଏହା କୀଟ ପତଙ୍ଗ ଙ୍କ ସମ୍ପର୍କ ରେ ଆସି ନ ଥାଏ , ଏଣୁ ସମସ୍ତ ଦେବାଦେବୀଙ୍କ ଏହି ଫୁଲ ଖୁବ୍ ପ୍ରିୟ ।
ସେବା, ତ୍ୟାଗ, ତପସ୍ୟା ର ମହିୟସୀ ମହିମା କୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରକୃତିର ଏହା ଚମତ୍କାର ଉପହାର ଅଟେ । ଏହାର ସ୍ପର୍ଶ ,ଦର୍ଶନ ଏବଂ ସୁଗନ୍ଧ ସମ୍ପର୍କରେ ଆସିଲେ ଆମର ଜୀବନରେ ଆତ୍ମିକ ଏବଂ ଆଧ୍ୟାତ୍ମିକ ଉନ୍ନତି ଅବଶ୍ୟ ହୋଇଥାଏ ।
ଦେବୀ ପାର୍ବତୀ, ସୀତା, ସାବିତ୍ରୀ ଙ୍କ ପରି ମନସ୍ଵିନୀ, ତପସ୍ୱୀନୀ ଙ୍କ ତପସାଧନା ର ସୁଫଳ ସ୍ୱରୂପ ହେଉଛି ଫୁଲରାଣୀ- ଗଙ୍ଗ ଶୀଉଳି, ଶେଫାଳି, ମର୍ତ୍ତ୍ୟଲୋକର ପାରିଜାତ ବା ସାଧାରଣ ଗାଉଁଲି ଭାଷାରେ କୁହାଯାଉଥିବା ଫୁଲ ସିଙ୍ଗଡାହାର ଯାହାର ପତ୍ର ଫୁଲ ଏବଂ ମୂଳ ନାନାଦି ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ ।
ବୁଢ଼ୀ ମା ଠୁ ଗପ ଶୁଣିବା ପରେ ଆମ ଭିତରେ ଚାଲେ ରୀତିମତ ପ୍ରତିଯୋଗିତା । କିଏ ବଡ଼ି ସକାଳୁ ଉଠି ଶୀଘ୍ର ଗଛ ମୂଳରୁ ବେଶୀ ଫୁଲ ସଂଗ୍ରହ କରି ପାରିବ ।
ଫୁଲ ରାଣୀ ଗପ ସରିଲା,
ଚାଙ୍ଗୁଡି ଭିତରୁ ଶେଫାଳି କୁ ବାଛି ବୁଢ଼ୀ ମା ମାଳ ଗୁନ୍ଥିଲା ।
କୁନା ତାଳି ମାରି ହସିଲା ।
