~~~ଫମ୍ପା ମାଠିଆ~~~
~~~ଫମ୍ପା ମାଠିଆ~~~
ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ରେ ଶ୍ରେଷ୍ଠ ଚିତ୍ରକର ହିସାବରେ ଆଜି ପୁରସ୍କୃତ ହେଉଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଦେବବ୍ରତ ପଟ୍ଟନାୟକ. ପୁରସ୍କାର ଗ୍ରହଣ କରୁଥିବା ସମୟରେ ମଞ୍ଚ ପରିଚାଳନା କରୁଥିବା ପରିଚାଳକ ଜଣଙ୍କ ତାଙ୍କ ଜୀବନ ଯାତ୍ରା ସମ୍ବନ୍ଧରେ ସମ୍ୟକ୍ ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କଲେ ଦେବବ୍ରତ କୁ ପରିଚାଳକଙ୍କ ଅନୁରୋଧ ଶୁଣି ଶିଳ୍ପୀ ଦେବବ୍ରତ ଙ୍କ ମନ ମଧ୍ୟରେ ଅତୀତର ପୃଷ୍ଠା ଗୁଡ଼ିକ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଜୀବନ୍ତ ହୋଇ ଉଠିଲା.ଓଡିଶାର ଏକ ଅକ୍ଷାତ ପଲ୍ଲୀ ରେ ଜନ୍ମ ହୋଇ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ରେ ପୁରସ୍କୃତ ହେବା ପର୍ଯ୍ୟନ୍ତ ସବୁ ଘଟଣା ଵଳି ଗୋଟି ଗୋଟି ହୋଇ ତାଙ୍କ ମାନସ ପଟଳରେ ଭାସି ଉଠିଲା.
ସବୁ ବାପା ମାଆଙ୍କ ଭଳି ଦେବବ୍ରତଙ୍କ ବାପା ମାଆଙ୍କ ର ମଧ୍ୟ ସ୍ବପ୍ନ ଥିଲା ତାଙ୍କ ପୁଅ ଦିନେ ବଡ଼ ହେବ.ଭଲ ମଣିଷ ଟିଏ ହେବ.ଡାକ୍ତର କିମ୍ବା ଇଞ୍ଜିନିୟର ଟିଏ ହୋଇ ବାପା ଜେଜେ ଙ୍କର ନାଁ କୁ ଆଗକୁ ନେବ.ସେଥିପାଇଁ ଦେବବ୍ରତ ଙ୍କ ବାପା ତାଙ୍କ ପଢା ଉପରେ ବହୁତ ଗୁରୁତ୍ବ ଦିଅନ୍ତି.ସେ ତାଙ୍କୁ ସବୁ ବେଳେ ପାଠ ପଢିବା ପାଇଁ କହନ୍ତି.ତାଙ୍କର ମନ କିନ୍ତୁ ଚାହୁଁ ଥାଏ ସେ ମଧ୍ୟ ଅନ୍ୟ ପିଲାଙ୍କ ଭଳି ଡାଳ ମାଙ୍କୁଡି, ବାଗୁଡ଼ି,ଚୋର ପୋଲିସ ଇତ୍ୟାଦି ଖେଳନ୍ତେ , ପ୍ରଜାପତି ଧରନ୍ତେ, ପାଣି ରେ ପହରନ୍ତେ , ବିଭିନ୍ନ ପ୍ରକାର ଚିତ୍ର ଆଙ୍କନ୍ତେ ଏମିତି କେତେ କଣ.ହେଲେ ବାପାଙ୍କ ତୀକ୍ଷ୍ଣ ନଜର ସବୁ ବେଳେ ତାଙ୍କ ଉପରେ ଥାଏ.ତେଣୁ ବାପାଙ୍କ ଡରରେ ସବୁବେଳେ ସେ ବହି ଖୋଲି ବସି ଯାଆନ୍ତି.ହେଲେ ତାଙ୍କ ମନ ଜମାରୁ ପାଠ ପଢ଼ାରେ ଲାଗେନି. ଯେତେବେଳେ ବି ଯେଉଁଠି ଭଲ ଚିତ୍ରଟିଏ ଦେଖନ୍ତି ରଫ୍ ଖାତା ରେ ତାକୁ କରିବାର ଚେଷ୍ଟାରେ ଲାଗି ଯାଆନ୍ତି.
ବାପା ଯେତେବେଳେ ବି ପାଠ ବିଷୟରେ ତାଙ୍କୁ କିଛି ପଚାରନ୍ତି ଡରରେ କହନ୍ତି ବାପା ତୁମେ ଜମାରୁ ବ୍ୟସ୍ତ ହୁଅନି.ତୁମେ ଦେଖିବ ମୁଁ ପରୀକ୍ଷା ରେ ଭଲ ନମ୍ବର ଆଣିବି.ହେଲେ ଯେତେବେଳେ ପରୀକ୍ଷାର ରେଜଲ୍ଟ ବାହାରେ ସେ ବାପାଙ୍କ ଇଚ୍ଛା ମୂତାବକ ନମ୍ବର ଆଣିବା ରେ ସଫଳ ହୁଅନ୍ତି ନି.ତେଣୁ ସବୁ ବେଳେ ସେ ତାଙ୍କ ବାପାଙ୍କ ଠାରୁ ମାଡ଼ ଗାଳି ଖାଆନ୍ତି.ତାଙ୍କ ବାପା ତାଙ୍କ ମାଆଙ୍କୁ କହନ୍ତି ବୁଝିଲ ତୁମ ପୁଅ ଗୋଟେ "ଫମ୍ପା ମାଠିଆ".ଯେତେ ବେଳେ ପଚାରିଲେ କହୁଛି ବାପା ତୁମେ ବ୍ୟସ୍ତ ହୁଅନା ମୁଁ ଭଲ ନମ୍ବର ରଖିବି କିନ୍ତୁ ପରୀକ୍ଷା ରେଜଲ୍ଟ ବାହାରିଲା ବେଳକୁ ଫଳ ଓଲଟା.ମୋତେ ଲାଗୁଛି ସେ ମୋ ନାଁ କୁ ଆଗକୁ ଆଗେଇ ନେବା ପରିବର୍ତ୍ତେ ମୋ ନାଁ କୁ ତଳେ ପକାଇ ମାନିବ.
ବାପାଙ୍କ କଥା ତାଙ୍କୁ ଭାରି କଷ୍ଟ ଦିଏ.ହେଲେ ଯେତେ ଚେଷ୍ଟା କଲେ ବି ତାଙ୍କ ମନ ପାଠ ପଢାରେ ଜମାରୁ ଲାଗେନା.ତେଣୁ ସେ ସବୁ ବେଳେ ଉଦାସ ରହନ୍ତି.ଏପରି କି ସ୍କୁଲ ର ଅନ୍ୟ ପିଲା ମାନେ ଖାଇବା ଛୁଟିରେ ଯେତେବେଳେ ଖେଳ କୁଦରେ ମାତନ୍ତି,ସେ ଅନ୍ୟ ପିଲା ମାନଙ୍କ ସହ ମିଶି ଖେଳିବା ପରିବର୍ତ୍ତେ ନିଜ ଜାଗାରେ ବସି ଚିତ୍ର ଆଙ୍କନ୍ତି.ତାଙ୍କର ଏଇ ପ୍ରକ
ାର ବ୍ୟବହାର କିନ୍ତୁ ସ୍କୁଲର ପ୍ରଧାନ ଶିକ୍ଷକ କରୁଣା ସାରଙ୍କ ଦୃଷ୍ଟିରୁ ବର୍ତ୍ତି ପାରି ନ ଥିଲା.କରୁଣା ସାର୍ ଜଣେ ବିଜ୍ଞ ଓ ଗୁଣି ବ୍ୟକ୍ତି ଥିଲେ . ପ୍ରତ୍ୟେକ ପିଲା ଙ୍କୁ ନିଜର ପୁଅ ଝିଅ ଭଳି ସ୍ନେହ କରୁଥିଲେ. ତାଙ୍କର ପ୍ରତ୍ୟେକ କାର୍ଯ୍ୟ କଳାପ ଉପରେ ନିଜେ ଦୃଷ୍ଟି ଦେଉଥିଲେ. ତାଙ୍କର ଏହି ପରିବର୍ତ୍ତିତ ବ୍ୟବହାର କୁ କିଛି ଦିନ ଧରି ଲକ୍ଷ୍ୟ କଲାପରେ ସେ ଦିନେ ଦେବବ୍ରତ ଙ୍କୁ ରଫ୍ ଖାତା ଧରି ତାଙ୍କ ରୁମ୍ କୁ ଆସିବାକୁ କହିଲେ.
ତାଙ୍କ ଠାରୁ ସବୁ ଶୁଣି ସାରିବା ପରେ ଓ ତାଙ୍କ ଉଦାସ ର କାରଣ ଜାଣି ସାରିବା ପରେ, ସେ ରଫ୍ ଖାତା ଟିକୁ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ତାଙ୍କ ଅନଭିଜ୍ଞ ହାତର ଅଙ୍କା ଚିତ୍ର ସବୁକୁ ଦେଖି ଚାଲିଲେ.ତା ପରେ କହିଲେ ବାପା ଦେବୁ ଗୋଟିଏ କଥା ମନେ ରଖିବୁ ଈଶ୍ୱର ଙ୍କ ସୃଷ୍ଟି ରେ ସବୁ ମଣିଷ ସମାନ ନୁହଁନ୍ତି . ସେ ସମସ୍ତ ଙ୍କୁ ସ୍ବତନ୍ତ୍ର ଭାବରେ ଗଢ଼ି ଥାଆନ୍ତି . ସେଥିପାଇଁ ସମସ୍ତ ଙ୍କୁ ଭିନ୍ନ ଭିନ୍ନ ଦକ୍ଷତା ମଧ୍ୟ ଦେଇ ଥାଆନ୍ତି.ଯେମିତି ତୋତେ ସେ ଏତେ ସୁନ୍ଦର ଚିତ୍ର କରିବାର ଦକ୍ଷତା ଦେଇଛନ୍ତି.ତୋ ବାପା ତୋତେ ସବୁ ବେଳେ ଫମ୍ପା ମାଠିଆ କହୁଛନ୍ତି ବୋଲି ତୁ ମନ ଦୁଃଖ କରୁଛୁ ନାଁ.ଶୁଣ ମୋର ଗୋଟିଏ କଥା ସବୁ ବେଳେ ମନେ ରଖିବୁ ଫମ୍ପା ମାଠିଆ ହିଁ ଦିନେ ପୂର୍ଣ୍ଣ କୁମ୍ଭ ରେ ପରିଣତ ହୁଏ.ଆଉ ପୂର୍ଣ୍ଣ କୁମ୍ଭ ରେ ପାଣି ଢ଼ାଳିଲେ ତାହା ଉଛୁଳି ପଡେ.ଫମ୍ପା ମାଠିଆ କୁ ପୂର୍ଣ୍ଣ କରିବା ପାଇଁ ହେଲେ ଯେମିତି ସେଥିରେ ପାଣି ଢ଼ାଳିଵା ଦରକାର.ସେମିତି ତୁ ଯଦି ଧୈର୍ଯ୍ୟ ଧରି ସାଧନା କରିବୁ ତେବେ ତୁ ମଧ୍ୟ ଫମ୍ପା ମାଠିଆ ରୁ ପୂର୍ଣ୍ଣ ମାଠିଆ ଟେ ହୋଇ ପାରିବୁ.
କଥାରେ ଅଛି ପରା "ସାଧନା ବଳେ ସର୍ବ ସିଦ୍ଧି".ତୁ ସିନା ପାଠ ମନେ ରଖି ପାରୁନୁ, ହେଲେ ଏତେ ସୁନ୍ଦର ଚିତ୍ର ପରା ଅଙ୍କୁଛୁ.ବଡ ଲୋକ ମାନେ ପରା କହନ୍ତି ପ୍ରଥମେ ସ୍ବପ୍ନ ଦେଖି ଶିଖ.ତା ପରେ ଧୈର୍ଯ୍ୟ ଧରି ତାକୁ ପୂରଣ କରିବା ପାଇଁ ସାଧନା କର ସଫଳତା ତୁମ ପାଦ ସ୍ପର୍ଶ କରିବ.ଗୋଟେ କାମ କରିବୁ ତୋ ବାପାଙ୍କୁ କହିବୁ ମୋତେ ଟିକେ ସନ୍ଧ୍ୟା ବେଳେ ଆସି ଘରେ ଦେଖା କରିବେ.ସେ ଦିନ ସାର୍ ତାଙ୍କ ବାପାଙ୍କୁ କଣ କହିଲେ କେଜାଣି ବାପା ଖାଲି ଯେ ତାଙ୍କୁ ସବୁ ବେଳେ ପାଠ ପଢିବା ପାଇଁ କହିବା ବନ୍ଦ କଲେ ତାହା ନୁହଁ ବରଂ ତାଙ୍କ ପାଇଁ ଡ୍ରଇଂ ଶିକ୍ଷକ ଟିଏ ମଧ୍ୟ ନିଯୁକ୍ତ କଲେ .ତା ପର ପାଖରୁ ତାଙ୍କ ବାପା ତାଙ୍କ ମାଆ ଙ୍କୁ କେବେ ବି କହି ନାହାଁନ୍ତି ତୁମ ପୁଅ ଏକ ଫମ୍ପା ମାଠିଆ ବୋଲି. ସେ ମଧ୍ୟ ସବୁ ବେଳେ ଧୈର୍ଯ୍ୟ ର ସହ ଆଗକୁ ଆଗେଇ ବାର ଚେଷ୍ଟା କରି ଆଜି ଏଇ ଜାଗା ରେ ପହଞ୍ଚିଛନ୍ତି.
ଦେବବ୍ରତ କହିଲେ ଆଜି ମୁଁ ଯାହାବି ହୋଇଛି ତାହା କେବଳ ମୋ ପ୍ରଧାନ ଶିକ୍ଷକଙ୍କ ସେଇ ଗୋଟିଏ ପଦ କଥାରୁ ପ୍ରେରଣା ପାଇ ହୋଇଛି ''ଫମ୍ପା ମାଠିଆ ହିଁ ପୂର୍ଣ୍ଣ ହୁଏ''. ଆଉ ଉପରକୁ ଅନାଇ କହିଲେ ସାର୍ ଦେଖୁଛନ୍ତି ତହ ଆପଣଙ୍କ କଥା ଅନୁସାରେ ଏ ଫମ୍ପା ମାଠିଆ ଆଜି କେମିତି ପୂର୍ଣ୍ଣ କୁମ୍ଭ ରେ ପରିଣତ ହୋଇଛି.