ପହିଲି ପୁଲକ
ପହିଲି ପୁଲକ
ଶିଡି ପାହାଚରେ ଓହ୍ଲାଉ ଓହ୍ଲାଉ ଶ୍ୱେତାର ଆଖି ପଡିଲା ଗୋଟେ ଗାଡି ଉପରେ, ବିଏମଡବ୍ଯ୍ଲ୍ଯୁ ! ଠିକ୍ ଶିଡି ଘର କବାଟ ପାଖ ପାର୍କିଂ ରେ ଅଛି । କଳା ମଚ୍ ମଚ୍ ଗାଡି ର ରଙ୍ଗ, ମସୃଣ ଆଉ ତା’ର କାଚ ବି ଚିକି ମିକ୍ କରୁଛି । “କ’ଣ ହେଇଛି ମ ଗାଡି ଟା” ଶ୍ୱେତା ଗୁଣୁ ଗୁଣୁ ହେଲା ମନରେ। ପୁରା ହୀରା ର ଚମକ୍ ଆସୁଛି ସୂର୍ଯ୍ଯ କିରଣରେ । ହାତ ମାରିଦେଲା ଟିକେ ଗାଡିରେ !
ନିଜର ପ୍ରତିବିମ୍ବ ଝଲସି ଗଲା ନିଜ ଆଖିରେ । ବାଃ କି ଚମତ୍କାର ଦିଶୁଛି ସେ, ଧଳା ଅର୍ଗଞା ଗାଉନ୍ ରେ ପୁଣି ଅକ୍ସିଡାଇଜଡ୍ ସେଟ୍ ବି ମ୍ଯାଚ । କୁଲ୍....ନିଜକୁ ନିଜେ କହୁଥିଲା, ଫୋନ୍ କାଢି ଦୁଇ ଚାରିଟା ସେଲ୍ଫି ନେଲା ସେ, ଆଉ ଟିକେ ପାଖେଇ ଆସି କାଚରେ ନିରେଖି ଦେଖୁଥିଲା ନିଜକୁ ।
ହଠାତ୍...ସେ ଠିଆହେଇଥିବା ଗାଡି ପାଖର ଝରକା କାଚ ସାଏଁ କିନା ତଳକୁ ହେଇଗଲା ଏବଂ ଭିତରୁ ଯୋଡାଏ ଆଖି ସହ ମୁହଁଟେ ର ଧକ୍କା ଖାଇଲା ଭଳି ଭେଟ ହେଇଗଲା ଶ୍ୱେତାର !! ଚମକି ପଡିଲା ସେ !
ଇସସସ୍ କି ଲାଜ.....!!
ଜଡସଡ ହେଇଗଲା ସେ।
ସେଇ ମୁହୂର୍ତ୍ତରେ କ’ଣ କରିବ ମୁଣ୍ଡ କାମ କଲାନି ତା’ର!
କାନ ମୁଣ୍ଡା ଝାଇଁ ମାରିଗଲାଣି ସେତେବେଳକୁ !
ଏମିତି ହେବ ବୋଲି କିଏ ଜାଣିଥିଲା ଯେ ?!
ଅପ୍ରତ୍ଯାଶିତ ଭାବେ ପଛକୁ ପଛ ପାଦ ପକେଇ ଏକ ରକମ ଦୌଡିଲା ସେ !
ଭାରି ଖରାପ ଲାଗୁଥିଲା ତା’କୁ ଆଉ ରାଗ ବି ! ହେଃ କ’ଣ କଲା ! ମୁହଁ ଲାଲ୍ ହେଇଯାଇଥାଏ ଶ୍ୱେତା ର! କ’ଣ ଭାବୁଥିବ ଗାଡିରେ ବସିଥିବା ଲୋକଟା?
ଛିଃ! ଏମିତି କାମ କାହିଁକି କରେ ସେ କେଜାଣି ? ଘରେ ଏତେ ସମୟ ସଜ ଶୃଙ୍ଗାର ହେଇ ସାରିବା ପରେ ବି କାର୍ ପାଖରେ ଏମିତି ହେବା କ’ଣ ଦରକାର ଥିଲା? ପୁଣି ନିଜର ଦୁଇ ଦୁଇ ଟା କାର୍ ଥାଇ ବି !
ହେଲେ ସେ ବିଏମତବ୍ଲ୍ଯୁ ଟା ଝଲ୍ ମଲ୍ ହେଉଥିଲା ପରା.... ଆଉ ତା ଭିତରେ ଯିଏ ଥିଲା ? ସେ ତ ଦିଶୁ ନଥିଲା ଜମ୍ମା ବି !
ଆରେ!!....ସେ ତ କାଚ ଖୋଲି ଚାହିଁ ହସୁଥିଲା .....
ଶ୍ୱେତା ଦେହରେ ଶିହରଣ ଖେଳିଗଲା । ଏଥର ନିଜକୁ ଯେତେ ସଙ୍କୁଚିତ ମନେ ହେଲେ ବି ସେଇ ସୁନ୍ଦର ସ୍ମିତ ହସ, କଳା ଚଷମା ଦିଆ ମୁହଁଟା ଧସେଇ ପଶୁଥିଲା ଶ୍ୱେତାର ମନ ଭିତରକୁ ବାରମ୍ବାର ।
ଯେତେ ଲାଜ ସେତେ ଖୁସି !
ଅଜଣା ପୁଲକ !!
କାହିଁ କେବେ ତ ଲାଗିନି ଏମିତି ? ଆଜି କ’ଣ ପାଇଁ ?
ଥମ୍ କରି ରହିଗଲା ସେ, ନିଃଶ୍ୱାସ ତା’ର ଏବେବି ପ୍ରଖର, ସେଇ ଯେ ଦୌଡୁଛି ଯେ ଦୌଡୁଛି। କଲେଜ୍ ରାସ୍ତା ପଛରେ ରହିଗଲାଣି !! ସେ କଉଠିକୁ ଯାଉଛି ?
ସେ ଆଖି, ମୁହଁ, ହସ ଆଉ କଳା ଚଷମା କ’ଣ ଏବେବି ତା ପିଛା କରୁଛି ?
ଧେତ୍ !!!!
ଲାଜେଇ ଚାହିଁଲା ଆଉ କେହି ଦେଖୁଛି କି ତା’କୁ ?
ହେଲେ, ହେଲେ,..... ତା ଚାରିପାଖ କେତେ ସୁନ୍ଦର ଦେଖାଯାଉଛି ଯେ !! ?
ଏ ଯାଦୁ କିଏ କଲା ।। ସବୁ ନୂଆ ନୂଆ ଲାଗୁଛି କାଇଁ?
ସ୍ୱପ୍ନ କି ସତ?!
ପ୍ରଜାପତି ପରି ମନେ ହେଉଥିଲା ତା’କୁ !
ସେ ଆଖି ମନରେ ଲାଖିଛି !
ଏ ଯେଉଁ ସେ ଦୌଡୁଥିଲା ? ନା ଉଡୁଥିଲା ବୋଧେ!!
କିଶୋରୀ ମନରେ ଡେଣାଟେ ଲାଗିଛି ପରା.....
ଇସସ୍ !
ଆଉ.. ଅରୁଣାଭ?!
ବିସ୍ମୟରେ ବୁଡି ଯାଇଥିଲା ଯେମିତି। ସ୍ତବ୍ଧ, ସ୍ଥଗିତ ଚିତ୍ତ ତାର! କାଇଁ ଗୋଟେ ଶ୍ୱେତପରୀକୁ ଅଚାନକ ଆବିଷ୍କାର କରିଛି ଏବେ ଯେମିତି ତ!
ଆଃ… ସେ ୱିଣ୍ଡୋଟା ନ ଖୋଲିଥିଲେ ହେଇନଥାନ୍ତା କ’ଣ? ସେମିତିରେ ହୁଏତଃ ଆଉ କିଛି ସମୟ ପାଇଁ ଦେଖିହେଇଥାନ୍ତା ସେ ଶ୍ୱେତ ପରୀଟିକୁ। ଯାହାର ନାଲି ଓଠ, ଗୋଲାପୀ ଚିବୁକ ସହ ଚଞ୍ଚଳ ଆଖି ସବୁ ଏକାଥରକେ ସ୍ଥିର ହେଇଯାଇଥିଲେ କିଛି କ୍ଷଣ ପାଇଁ ତାକୁ ଦେଖି ଅପ୍ରତ୍ଯାଶିତ ଭାବେ!
ତଥାପି ବି ତ ସେମାନେ ଯେମିତି କିଛି କହୁଥିଲେ ତାକୁ…..କିନ୍ତୁ ସେ ଯେ ମନ୍ତ୍ରମୁଗ୍ଧ ହେଇଯାଇଥିଲା କେତେବେଳୁ, ଯେତେବେଳୁ ସେ ଝିଅଟି କାଚ ରେ ମୁହଁ ଦେଖି ବିଭିନ୍ନ ପୋଜରେ ନିଜର ଫଟୋ ନେଉଥିଲା!
ହଁ ତାକୁ ଥରେ ଦେଖିବା ଆଶା ରେ ହିଁ ତ ସେ ଗ୍ଲାସ୍ ଖୋଲିଦେଇଥିଲା ହଠାତ୍ କି! ଅବଶ୍ଯ ଚମକି ଥିଲେ ଦୁହେଁ ପରସ୍ପର ମୁହାଁମୁହିଁ ହେବାପରେ! ବଶୀଭୂତ ହେବା ପରି ଉଭୟ ଉଭୟଙ୍କୁ ଚାହିଁରହିଥିଲେ କିଛି ମୁହୂର୍ତ୍ତପାଇଁ…ତା’ପରେ ? ତା’ପରେ ସେ ପରୀ ଟି ଉ..ଡି..ଗ..ଲା, ହାୟ ଚଞ୍ଚଳ ବନହରିଣୀଟି ଦୌଡିଗଲାବେଳେ ସେ ଚାହିଁରହିଥିଲା ତାକୁ ଅପଲକ ନୟନ ରେ,।ପବନ ର ତାଳେ ତାଳେ ତା’ର ଘନ କେଶଗୁଚ୍ଛ ସବୁ ଉଡୁଥଲେ ପଛକୁ, ଆଉ ଅରୁଣାଭ ଥିଲେ ନିର୍ବାକ୍।
ସେ ଯେ ଗୋଟେ ମଲ୍ଟି ନ୍ଯାସନାଲ୍ କମ୍ପାନୀରେ ସିଇଓ ହେଇ ଜଏନ୍ କରିଛି ଏବଂ ତତ୍ସହିତ ପାଖରେ ଥିବା ଏକ ସୁନାମଧ୍ଯେୟ ବୈଷୟିକ ବଶ୍ୱବିଦ୍ଯାଳୟରେ ବିଦ୍ଯାଦାନ କରିବାର ପ୍ରତିଶ୍ରୁତି ବି ଦେଇଛି । କାରଣ ସେ ନିଜେ ଏକ ନାମୀ ଦାମୀ ବୈଷୟିକ ବିଶ୍ୱବିଦ୍ଯାଳୟର ଗୋଲ୍ଡ ମେଡାଲିଷ୍ଟ। ପଢିବା ଓ ପଢେଇବାକୁ ଭଲପାଉଥିବା ପ୍ରଚଣ୍ଡ ମେଧାବୀ ଅରୁଣାଭ ପାଶ୍ଚାତ୍ଯର ଚାକଚକ୍ଯକୁ ଆଡେଇ ନିଜ ଦେଶକୁ ପଳେଇ ଆସିଥିଲା ଏଇଠି ରହିବ ବୋଲି। ସେଥିପାଇଁ ସେ ଭେଟିବାକୁ ଆସିଥିଲା ବିଶ୍ୱବିଦ୍ଯାଳୟର ଡିନ୍ ଙ୍କୁ। ଆଉ ଆସୁ ଆସୁ ତାକୁ ସ୍ୱାଗତ ଜଣାଇଥିଲା ଏଇ ମହାର୍ଘ୍ଯ ମୁହୂର୍ତ୍ତ ।
କେବେ ହୁଏତଃ ସେ ବି ସ୍ୱପ୍ନ ଦେଖିଥିବ ଏମିତିକା ପରୀଟିଏର , କିନ୍ତୁ ସେ କ’ଣ ତାକୁ ଏମିତି ମିଳିଯିବ ବୋଲି ଭାବି ତ ନଥିଲା । ତଥାପି ବି ସେ ହଜିଛି….ତଲ୍ଲୀନ ଥିଲା ଅରୁଣାଭ!
ହଠାତ୍ କାହାର ମୃଦୁ କରାଘାତରେ ପ୍ରକୃତିସ୍ଥ ହେଲା ଅରୁଣାଭ । କିଏ ଜଣେ ତାକୁ ଡାକୁଛି, “ବାବୁ ଆପଣଙ୍କୁ ଆମ ବାବୁ ଡାକୁଛନ୍ତି, ଉପରକୁ ଆସନ୍ତୁ”।
ସୁସ୍ୱାଗତମ୍ ମିଷ୍ଟର୍ ସିଇଓ ଅରୁଣାଭ” ଗୁରୁ ଗମ୍ଭୀର ତଥା ଆତ୍ମୀୟତା ପୂର୍ଣ୍ଣ ସ୍ୱରଟେ ଅରୁଣାଭଙ୍କୁ ସ୍ୱାଗତ ଜଣାଇଲା, ମାଧୂର୍ଯ୍ଯପୂର୍ଣ୍ଣ ଭାବେ ସଜା ହୋଇଥିବା ହଲ୍ ରେ । କରମର୍ଦ୍ଦନ ପରେ ଆଦର ର ଆଲିଙ୍ଗନ ଆମୋଦିତ କଲା ଅରୁଣାଭଙ୍କୁ । “ଖୁବ୍ ଖୁସି ଲାଗିଲା ଜାଣି ଯେ, ଆପଣ ପଢେଇବାରେ ରୁଚି ରଖନ୍ତି ବୋଲି” କହିଲେ ଡିନ୍ ବେଦପ୍ରକାଶ ରାୟଗୁରୁ ।
“ସାର୍ ପଢିବା ଓ ପଢେଇବା ଉଭୟ ମୋର ରୁଚି। ତା ଛଡା ଯେତେ ନୂଆ ଟେକ୍ନଲୋଜି ସବୁ ଡେଭଲପ୍ ହେଉଛି, ସେ ବିଷୟରେ ଛାତ୍ରମାନଙ୍କୁ ଅପଡେଟ୍ କରାଇ ତାଙ୍କ ଭିଜନକୁ ବ୍ରୋଡ କରେଇବା ହିଁ ମୋର ଉଦ୍ଦେଶ୍ଯ” କହୁଥିଲେ ଅରୁଣାଭ।
“ବାଃ ବ୍ରିଲିଆଣ୍ଟ ଆଇଡିଆ, ମିଷ୍ଟର୍ ଅରୁଣାଭ” ପ୍ରଶଂସା କରୁଥିଲେ ଡିନ୍ କିନ୍ତୁ ଅରୁଣାଭର ଆଖି ଅଟକି ଯାଇଥିଲା ହଲ୍ ର ଡାହାଣ ପଟ ପିକ୍ଚର ୱାଲ୍ ରେ, ଯେଉଁଠି ଶ୍ୱେତପରୀର ଫ୍ରେମଦିଆ ଅନେକ ଫଟୋ ସଜା ହୋଇଥିଲା ପ୍ରତ୍ଯେକଟି ସ୍ମୃତିକୁ ଜାବୁଡି ଧରି।
“ଶ୍ୱେତା ରାୟଗୁରୁ, ମୋର ଏକମାତ୍ର କନ୍ଯା, ଯିଏ ଡାକ୍ତର କିମ୍ବା ଇଞ୍ଜିନିୟର ନୁହେଁ ବରଂ ଚିତ୍ରକଳା ରେ ରୁଚି ରଖେ” କହି ହୋ ହୋ ହସୁଥିଲେ ଡିନ୍
ଆଉ ପୁଲକିତ ହେଉଥିଲା ଅରୁଣାଭର ମନ । “Art is life, ଜୀବନର ପ୍ରତ୍ଯେକ ଅଂଶ କଳାରେ ସମାହିତ। କିଏ ଶବ୍ଦରେ ଗଢେ ତ କିଏ ରଙ୍ଗ ତୂଳୀରେ ଆଙ୍କିପାରେ ନିଃଶବ୍ଦ ଆବେଗକୁ” ଅନ୍ଯମନସ୍କ ଭାବେ କହିଥିଲା ସେ!
“ଚମତ୍କାର ବିଶ୍ଳେଷଣ! କଳାରେ ବି ରୁଚି ରଖନ୍ତି କି? ଥରେ ଶ୍ୱେତା ସହ ଭେଟ ହେବା ଠିକ୍ ହେବ, ଶ୍ରୀମାନ୍” କହିଚାଲିଥିଲେ……ଡିନ୍ ରାୟଗୁରୁ। ହେଲେ, ତରଙ୍ଗାୟିତ ହେଇଚାଲିଥିଲା ଯୁବ ସିଇଓଙ୍କ ମନ। ଇନ୍ଦ୍ରଧନୁ ସତେ ଯେପରି ସାରା ଆକାଶକୁ ଆଜି ଆଚ୍ଛାଦିତ କରି ସାତ ରଙ୍ଗରେ ରଙ୍ଗାୟିତ କରିଦେଇଛି । ଉଲ୍ଲସିତ ମନ ତା’ର ସ୍ୱପ୍ନ ବୁଣୁଥିଲା କେଉଁ ଏକ ପରୀ ରାଇଜର । ସତ ସତିକା ସ୍ୱପ୍ନ….!

