Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.
Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.

Mahesweta Panigrahi

Comedy

3  

Mahesweta Panigrahi

Comedy

ଫିକ୍ସଡ

ଫିକ୍ସଡ

4 mins
184



ଦାସ ବାବୁ ଆଜି ତର ତର ହୋଇ ଅଫିସକୁ ବାହାରି ପଡ଼ିଲେ, କାରଣ ଆଜି ବସ୍ ଶୀଘ୍ର ଆସିବାକୁ କହିଛନ୍ତି । ପୂର୍ବରୁ ବକେୟା ଥିବା ଟଙ୍କା ଆଜି ମିଳିବ । ଏ କୋରୋନା ମହାମାରୀ ଲାଗି ୱାର୍କ ଫ୍ରମ୍ ହୋମ୍ ଲାଗିଥିଲା, ସେପରି କିଛି ବିଶେଷ ଫାଇଦା ହେଉନି ବୋଲି କହି କମ୍ପାନୀ ଦରମାରୁ ଅଧେ କାଟ୍ କରିଦେଉଥିଲା । ଦରମା ସିନା ଅଧା, ଖର୍ଚ୍ଚ କଣ ଅଧା ହୁଏ କି ? ଘରେ ବସି ବସି ଅଧିକା ଖିଆ ପିଆ, ଅଧିକା ଅନ୍ ଲାଇନ୍ କିଣା, ପୁଣି ପିଲାଙ୍କ ଅନ୍ ଲାଇନ୍ ପାଠକୁ ନେଟ ଖର୍ଚ୍ଚ, ପୁଣି ଗୋଟେ ନୂଆ ମୋବାଇଲ କିଣା, ଓହୋ ଭଗବାନ, ମଣିଷ ପୁରା ବାକିରେ ବୁଡି ଗଲାଣି । ସେ ଯାହା ହେଉ, ଏଣିକି କମ୍ପାନୀ ଦେବ ବୋଲି ତ ବସ୍ କହିଛନ୍ତି । ପୁରା ଦରମା ମିଳିଲା ବେଳକୁ ଧୁମ୍ ଧାମରେ ଖର୍ଚ୍ଚ ହେଉଥିଲା, ଏବେ ଦରମା ଅଧା ହୋଇନି ଯେ ମଣିଷ ଅଧା ମରା ହୋଇଗଲାଣି । ଗରୀବ ହୋଇ ଜନ୍ମ ହେଲେ ବରଂ ଭଲ, ନହେଲେ ବଡ଼ ଧନୀ ଘରେ ଜନ୍ମ ହେଲେ ଭଲ । ଧନୀର ତ କିଛି ଅଭାବ ନଥିବ ଛାଡ, ଗରୀବ ହେଲେ ସବୁ ସରକାର ଯୋଗାଇ ଦେବ, ଯେତିକି ଅଛି ସେତିକିରେ ଧୁମ୍ ଖାଇ ପିଇ ରହିବା କଥା । ଏ ମଝି ମଝିଆ ସବୁ ମଲେ, ନା ସରକାରୀ ସାହାଯ୍ୟ ପାଆନ୍ତି, ନା କର ଟିକସରୁ ମୁକ୍ତି ମିଳେ । ତଳକୁ ପାଦ ପାଏନି କି ଉପରକୁ ଚାହିଁ ହୁଏନି । ସେ ଯାହା ହେଉ, ବକେୟା ଟଙ୍କା ସବୁର ହିସାବ କରି ମନେ ମନେ ଭାରି ଖୁସି ହେଉଥିଲେ ଦାସ ବାବୁ । ଠିକଣା ସମୟରୁ ଆଗରୁ ଯାଇ ପହଞ୍ଚି ଗଲେ ଅଫିସରେ, ଦେଖିଲେ ଯେ ଦୁଇ ଚାରି ଜଣ ଆସିଛନ୍ତି । ନିଜ ବିଲଟା ଆଗ ସବମିଟ୍ ହେବ ଭାବି ବିଲ୍ କରିବାରେ ଲାଗି ପଡ଼ିଲେ । କିଛି ଟଙ୍କା କମ୍ ମିଳିବା ଦେଖି ଦୁଃଖ କରିଲେ, ସେଥିରେ ବଡ଼ ବାବୁ ବୁଝାଇ କହିଲେ, ଆରେ ଆରେ ଏ ପରା ଫିକ୍ସିଡ ଆମାଉଣ୍ଟ୍, ଏତିକି ବାଧ୍ୟରେ କଟିବ, ଅଫିସର ଦଶହରା ଖର୍ଚ୍ଚ, ବାବୁ ହିସାବରେ ନ ହେଉ ପଛେ ସେ ପାଖାପାଖି ଦଶ ପନ୍ଦର କମରେ ପଇସା ମିଳିଗଲା । ଆକାଉଣ୍ଟରେ ଟଙ୍କା ଚଢ଼ିଗଲା । ବଡ଼ ମନ ଖୁସିରେ ସନ୍ଧ୍ୟାରେ ଫେରିଲେ ଘରକୁ । 


  ତା' ପରଦିନ ସକାଳୁ ଉଠି ବସି ପଡ଼ିଲେ କାହାର କେତେ ବାକି ହିସାବ କରି ଟଙ୍କାଟା ଫେରାଇ ଦେବାକୁ । ପ୍ରଥମେ ରାସନ, ତା'ପରେ ଖିର, ଏମିତି ଗୋଟେ ଗୋଟେ ବାକି ସୁଝି ସୁଝି ଚାଲିଲେ । ସବୁ ଅନ୍ ଲାଇନ୍ ପେମେଣ୍ଟ । ସମସ୍ତଙ୍କର ବାକି ଶୁଖିଲା ବେଳକୁ ପୁଅ ଦଉଡ଼ି ଆସିଲା, କହିଲା "ପାପା _ ମୋର ଫିସ୍ ବାନ୍ଧି ଦିଅ, ନ ହେଲେ ମୁଁ ପରୀକ୍ଷା ଦେଇ ପାରିବି ନାହିଁ, ଆମ ମେମ୍ ଆଜି ମେସେଜ କରିଛନ୍ତି" । ଦାସ ବାବୁ କହିଲେ ଆରେ ବାନ୍ଧିଥିଲି ପରା, ଆଉ ଏବେ କଣ କିରେ? ସେପଟୁ ବାବୁଆଣି କହିଲେ ଏଇଟା ପରା ଫିକ୍ସଡ, ଅନ୍ ଲଇନ୍ ପରୀକ୍ଷା ପାଇଁ ଅଲଗାରେ ବନ୍ଧା ହେବ ପୁଣି, ନହେଲେ ପରୀକ୍ଷା ଦେଇ ପାରିବ ନାହିଁ । ଦାସ ବାବୁ ମୁଣ୍ଡ ଟୁଙ୍ଗାରି ହଁ ଭରିଲେ । ଝିଅ ଗେଲୀ ଦଉଡ଼ି ଆସି କୋଳରେ ବସି ପଡ଼ିଲା ଏବଂ ଗେହ୍ଲେଇ ହୋଇ କହିଲା ପାପା ପ୍ଲିଜ୍ ମୋର ସାଇକେଲ ଆସିବ ନା ଏଥର ଦଶହରା ରେ, ତମେ ପ୍ରୋମିଜ୍ କରିଥିଲ ପରା! କହିଥିଲ ନା! ପୁରା ଫିକ୍ସଡ ବୋଲି, ଦାସ ବାବୁ ଟିକେ ଚମକି ପଡ଼ିଲେ, ଭାବିଲେ କହି ତ ଥିଲି ନ ଆଣିଲେ ହେବନି, ଅଗତ୍ୟା ବାଧ୍ୟ ହୋଇ ହୁଁ ଟେ ଭରିଲେ । ଝିଅ ଡେଇଁ ଡେଇଁ ଖୁସିରେ ସେଠାରୁ ପଳେଇଗଲା । ସବୁ ବାକି ସୁଝି ଟିଫିନ୍ ଖାଇ ବାବୁ ବାହାରିଲେ ମାର୍କେଟ, ସଉଦା ପତ୍ର ସହ କିଛି ଆବଶ୍ୟକ ଜିନିଷର ବରାଦ ଦେଇଥିଲେ ଘରଣୀ । ଗାଡ଼ି ଧରି ପ୍ରଥମେ ତେଲ ଟାଙ୍କିରେ ପହଞ୍ଚିଲେ, ତେଲ ପକାଇ ସାରି ସେଠାର ତିନି ଜଣ ୱାର୍କର୍ ଦାନ୍ତ ଦେଖାଇ ଆଗକୁ ଆସିଲେ ଆଉ କହିଲେ ସାର୍ ଦ'ଶରା ମାମୁଲି, ଏତେ ଲୋକ ସେଠାରେ ଉପସ୍ଥିତ, ସଭିଏଁ ଦେଉଛନ୍ତି, ନ ଦେଲେ ଇଜ୍ଜତ ମାଟି ହେବ ଯାହା, ବାଧ୍ୟ ହୋଇ ଦାସ ବାବୁ ପକେଟ୍ ଅଣ୍ଡାଳି ଶହେ ଟଙ୍କା ନୋଟଟିଏ କାଢି ବଢାଇଲେ, କିନ୍ତୁ ସେମାନେ ନେବାକୁ ନାରାଜ । ଆଜ୍ଞା ଏତକରେ କଣ ହେବକି ଆମେ ପରା ଫିକ୍ସଡ, ଶହେ ଲେଖାଏଁ ଜଣେ,"ଓହୋ, ହେଉ ବୋଲି ଛେପ ଢ଼ୋକି ତିନି ଶହ ଗଣିଲେ । ତା'ପରେ ଚପଲ ଦୋକାନ, ପୂଜା ଭଣ୍ଡାର, ରାସନ ଷ୍ଟୋର, ଟେଲର ଯୋଉଠି କି ଗଲେ ସେଇ ଏକା କଥା, ଦୋକାନୀ ସିନା ନିଏ ନାହିଁ, ସେଠାରେ କାମ କରୁଥିବା ପିଲା ନଛୋଡବନ୍ଧା, ପୁଣି ଫିକ୍ସଡ ତୁଣ୍ଡ ମୁଣ୍ଡ ପୋଛି, ଅଧେ ଜିନିଷ କିଣି ଘରେ ଯାଇ ପହଞ୍ଚିଲେ । ଘରେ ପହଞ୍ଚିଲା ବେଳେ ଘର ଆଗରେ ଭଣ୍ଡାରି ଟୋକା, "ଆଜ୍ଞା ମାମୁଲି ", କହି ପାଖକୁ ଆସିଲା, ବାବୁ କହିଲେ ଆରେ କୋରୋନା ପରା, ମୁଁ କଣ ତୋ ଦୋକାନକୁ ଯାଇଛି କି? ଟ୍ରିମର କିଣିଲି ୧୫ ଶହ ଦେଇକି, ସେ ପିଲାଟା ହସି ହସି କହିଲା ହଁ ଯେ ଆମେ ତ ପ୍ରତିବର୍ଷ ନେଉ, ମାତ୍ର ଶହେ ଦିଅନ୍ତୁ, ଏ ବର୍ଷ ଅଧିକା ନାହିଁ, ଆମ ସଂଘ ପରା ଫିକ୍ସିଡ କରିଛି, ମଣିଷ ଖାଲି ଏ ଦ'ଶରା ମାମୁଲି ଗଣି ଗଣି ନୟାନ୍ତ ହେଲାଣି ବୋଲି ଗୁଜୁ ଗୁଜୁ ହୋଇ ଘରେ ପଶିଲେ । ସ୍ତ୍ରୀ ଆସି ପଚାରିଲେ ହୋଇହୋ ସବୁ ଜିନିଷ ଆଣିଲ ତ? ବାବୁଙ୍କ ଉତ୍ତରକୁ ଅପେକ୍ଷା ନ କରି ସେ କହିଲେ, ଦେଲ ଦେଲ ଦୁଇ ହଜାର ଟଙ୍କା ଦେଲ ଆଗ । 

ଆଶ୍ଚର୍ଯ୍ୟ ହୋଇ ବାବୁ କହିଲେ କିହୋ କାହିଁକି?

ଆରେ କାହିଁକି କଣ, ଦ'ଶରା ମାସ ପରା, ମାମୁଲି ନ ଦେଲେ କାମ ବାଲି ଆସିବ ଟି?

ହଁ ଯେ ଏତେ ଟଙ୍କା!!!

ହଁ ପରା ସେ କୁଆଡେ ଫିକ୍ସଡ ରେଟ, ନ ଦେଲେ ଆଉ ଆସିବ ନାହିଁ । 

ବାବୁ ମୁଣ୍ଡରେ ହାତ ମାରିଲେ, ଭଲ ମାମୁଲି , କିଏ ବାହାର କରିଛି ଏ ଧନ୍ଦା, ମଣିଷ କଷ୍ଟ ପଡ଼ିଲା ବେଳକୁ, ମାହାଳିଆରେ ଏମାନେ ଭଲ ଆଦାୟ କରି ନେଉଛନ୍ତି ତ । ହେ ପ୍ରଭୂ ସବୁ ଆଡେ ଖାଲି ମାହାଳିଆ ଖିଆ, ହଉ ହେଲା ଖୁସିର କଥା ବୋଲ, କିଛି ଦିଆ ନିଆ ଚାଲୁ, ତା' ହେଲେ ଆମ ଇଚ୍ଛା ନାହିଁ ତ ଆଉ, ସିଏ ପୁଣି ଫିକ୍ସଡ । 


  ଖାଇ ସାରି ହାତ ପୋଛି ଆସି ବସିଛନ୍ତି କି ନାହିଁ, ଘରଣୀ ଆସି କହିଲେ, ହୋଇହୋ ମୁଁ କଣ କହୁଥିଲି କି ସେ କାନର ଫୁଲଟା ପୁରୁଣା ହେଲାଣି, ସେ ନୂଆ ଗହଣା ଦୋକାନରେ ଭଲ ଭଲ ଡିଜାଇନ୍ ଅଛି, ଆଉ ଏ କଳା ମାଳିଟା ମଧ୍ୟ ବଦଳେଇ ଦେଲେ ଭଲ ହୁଅନ୍ତା, ଧୀରେ ଧୀରେ ପଇସା ଦେଲେ ବି ଚଳିବ । କଣ କହୁଛ? ଯିବାଟି ସନ୍ଧ୍ୟାରେ?

ସମାନ ସେତିକି ବେଳେ ମୋବାଇଲଟା କଟ୍ କଟ୍ କରି ବାଜି ଉଠିଲା, କଣ ମେସେଜ ବୋଧହୁଏ ବୋଲି ଦାସ ବାବୁ ଦେଖିଲେ ଯେ ବ୍ୟାଙ୍କ୍ ବାଲାନସ୍ ଜିରୋ । ହିସାବ କଲେ କୁଆଡେ ଗଲା ସବୁ ଏତକ ଟଙ୍କା, ସବୁ ତ ପ୍ରାୟ ଅନ୍ ଲାଇନ୍ ପେମେଣ୍ଟ, ଦେଖିଲେ ସବୁ ଠିକ୍ ଅଛି, ମୁଣ୍ଡ ଖରାପ ହୋଇଗଲା, ଏଣେ ସ୍ତ୍ରୀ ବାରମ୍ବାର ପଚାରୁଛନ୍ତି, କିହେ କିଛି କହୁନ ଯେ! ସକାଳୁ ଯେ ସନ୍ଧ୍ୟା ଯାଏଁ ସେ ଗୋଟିଏ ପଦ "ଫିକ୍ସଡ"ଶୁଣି ଶୁଣି ବିରକ୍ତ ହୋଇ ଯାଇଥିଲେ ଦାସ ବାବୁ, ଏପଟେ ସବୁ ପଇସା ଗୋଟେ ଓଳିରେ ଖତମ୍ । ଏପଟେ ଘରଣୀ ଙ୍କ ପ୍ରଶ୍ନ,,


ଗମ୍ଭୀର ଭାବରେ ଦାସ ବାବୁ କହିଲେ ହଁ ହଁ ଆଣିବା ଯେ ଆଉ ଯେମିତି ଦି ବର୍ଷକୁ ବଦଳି ହେବନି । 

ସ୍ତ୍ରୀ ପଚାରିଲେ," ସେଇଟା କେମିତି ମ"?

ଦାସ ବାବୁ କହିଲେ ସେଇଟା ବୋଲ୍ଟ ଭିଡ଼ି "ଫିକ୍ସଡ" କରିଦେବା । 



Rate this content
Log in

More oriya story from Mahesweta Panigrahi

Similar oriya story from Comedy