Mahesweta Panigrahi

Inspirational Others Children

3.6  

Mahesweta Panigrahi

Inspirational Others Children

ମଞ୍ଜୁ ଦିଦି

ମଞ୍ଜୁ ଦିଦି

4 mins
147



   


ଏଠାରେ କହି ରଖୁଛି ଯେ, ମୁଁ ମୋ ଅଜା ଘରେ ରହି ପାଠ ପଢ଼ୁଥିଲି। ମୋର ଏକ ମାତ୍ର ମାଉସୀ ମୋର ପାଠ ପଢା ଓ ଖିଆ ପିଆ ସବୁ ଦ୍ଵାୟିତ୍ଵ ଭଲରେ ବୁଝୁ ଥିଲା। ସେଥିପାଇଁ ବିନା ଦ୍ୱିଧାରେ ମୋ ମାଆ, ତା' ମାଆ ଘରେ ମୋତେ ଛାଡ଼ି ଦେଇଥିଲା। ମୋ ଅଜା ଘରେ ମୋ ଅଜା ସହ ଆଈ ମାଉସୀ ସହ ତିନି ମାମୁଁ ରହୁଥିଲେ। ଯେତେବେଳେ ମୋର ତୃତୀୟ ଶ୍ରେଣୀ ସରିଲା, ସେହି ଖରାଛୁଟିରେ ମୋ ମାଉସୀର ବାହାଘର ହୋଇଗଲା। ଆଉ ମୋର ପାଠ ପଢା କେହି ବି ଦେଖିଲେ ନାହିଁ ମୁଁ ପୁରା ଢିଲା ପଡ଼ିଗଲି ଖାଇ ପିଇ, ଖେଳି ସମୟ ବିତେଇଲି। ମୋ ଆଈ ମୋତେ ଭାରି ସ୍ନେହ କରେ। ମୋତେ କିଏ କଥା କହିଲେ ସିଏ ସମ୍ଭାଳି ପାରେନା ଆଉ ଯଦି କିଏ ମାରିଲା,ତା'ର ଆଉ ରକ୍ଷା ନାହି। ସାତ ପୁରୁଷ ହକାରି ଆଣିବ। ପଢ଼ିଲେ ଭଲ ନହେଲେ ନାହିଁ, କିଏ କାହିଁକି ମୋତେ ପାଠ କଥା ପଚାରିବ, ଯେଝା କାମରେ ବ୍ୟସ୍ତ। ଆମ ଘର ପାଖରେ ହିଁ ଗୋଟେ ସ୍କୁଲ ଥିଲା, ସେଠି ମୁଁ ପଢ଼ୁଥିଲି। ସେଠାରେ କାର୍ଯ୍ୟରତ ସବୁ ଶିକ୍ଷକ, ଶିକ୍ଷୟତ୍ରୀ ମୋ ଅଜା ଓ ମାମୁଁ ମାନଙ୍କ ପୂର୍ଣ୍ଣ ପରିଚିତ ଏପରିକି ଖୁବ୍ ଭଲ ସମ୍ପର୍କ ମଧ୍ୟ ଥିଲା। ମୋର ସେଠାରେ ରହି ପାଠ ପଢିବାକୁ ଜମାରୁ ଇଚ୍ଛା ନଥିଲା, ମୁଁ ସବୁବେଳେ ହଟ କରୁଥିଲି ଯେ ମୋତେ ମୋ ମାଆ ପାଖରେ ଛାଡିଦିଅ, ମୁଁ ଗାଁ ସ୍କୁଲରେ ପଢିବି ମୋ ଭଉଣୀ ସହ ମିଶିକି ସ୍କୁଲ ଯିବି ମୋର କେହି ସାଙ୍ଗ ନାହାନ୍ତି ଏଠି। ଏଠାର ସାଙ୍ଗ ମାନେ ମୋତେ ହଇରାଣ କରୁଛନ୍ତି, ଏମିତି ଅନେକ କଥା ମୁଁ କହିଲେ ମଧ୍ୟ କିଏ ଶୁଣି ହେଉ ନଥିଲେ। ଘରକୁ ଗଲେ ତା' ମାଆ ପାରିବ ନାହିଁ କୁଟୁମ୍ବ ଘର ସବୁବେଳେ କୁଣିଆ, ଇଏ ସେଠି ପାଠ ଜମା ପଢ଼ିବନି ବୋଲି ସେମାନେ ମୋତେ ବିଭିନ୍ନ କଥା କହି ବାଉଁରେଇ ଦେଇଥିଲେ।


ସେଦିନ ଥିଲା ବୁଧବାର। ମୁଁ ସ୍କୁଲକୁ ପହଞ୍ଚି ଦେଖେ ତ ମୋ ସ୍ଥାନ ଆଉ କେହି ଅକ୍ତିଆର କରିଛି। ମୋ ଜାଗା ଏଇଟା ତୁ କଣ କରୁଛୁ ବୋଲି ପଚାରିବା କ୍ଷଣି ସେ ମୋତେ ନାନା କଥା କହିଲା ଓ ମୋ ବ୍ୟାଗ୍ ଫୋଫାଡି ଦେଲା ବାସ୍ ଏତିକି ଯଥେଷ୍ଟ ମୁଁ କାନ୍ଦିବା ପାଇଁ ଖାଲି କାନ୍ଦ ନୁହଁ ଏକ ମୁହାଁ ଘରକୁ, ଘରେ କେହି ନଥିଲେ ଆଈ ଆଗରେ ସକେଇ ହେଲି, ଦେଖିଲୁ ତ!! କେମିତି ସ୍କୁଲ ଇଏ ହଁ ଜାଣେ ଏଥର ମୁଁ ଆଉ ଯିବିନି କି ଏଠି ପଢ଼ିବିନି ଆଉ ଆଈ ମୋତେ ବୁଝା ସୁଝା କରି ପୁଣି ସ୍କୁଲକୁ ପଠେଇ ଦେଲା। କହିଲା ଯା' ଆଜି ବହିପତ୍ର ଛାଡ଼ି ଆସିଛୁ, ଛୁଟି ହେଲେ ବ୍ୟାଗ୍ ଧରିକି ଆସିବୁ, ତା' ପରେ ଦେଖିବା ସିନା ମୁଁ ବାଧ୍ୟ ହୋଇ ସ୍କୁଲକୁ ଫେରିଲି। ମୁଁ ଫେରି ଦେଖେ ତ ମୋ ସ୍ଥାନ ସୁରକ୍ଷିତ ପରେ ଜାଣିଲି ଆଜି ଖାତା ଦେଖା ହେବ।

 ପ୍ରଥମ ପିରିୟଡ଼ ସବୁବେଳେ ଆମର ଗଣିତ ହିଁ ରୁହେ। ମଞ୍ଜୁ ଦିଦି ଆମକୁ ଗଣିତ ପଢାନ୍ତି। ମୋର ଗଣିତରେ ଆଗ୍ରହ ଜମାରୁ ନାହିଁ, ଭାରି ଭୟ। ଗଣିତ ବହିକୁ ଦେଖିଲେ ସାପ କି ଆଉ କିଛି ଜନ୍ତୁ ଯନ୍ତା ଦେଖିଲା ଭଳି ଲାଗେ ମୋତେ । ଆସେନା ମଧ୍ୟ ଆଉ ମୁଁ ଚେଷ୍ଟା ବି କରେନା। ଯୋଉ ସମୟର ଏହି କଥାଟି ସେତେବେଳେ ମୁଁ ଚତୁର୍ଥ ଶ୍ରେଣୀର ଛାତ୍ରୀ। ଗଣିତର ଦୁଇଟି ପାଠ ସରି ଯାଇଥିଲା, ମୋର ଖାତାରେ କିନ୍ତୁ ବିନ୍ଦୁଟିଏ ମଧ୍ୟ ପଡ଼ି ନଥିଲା। ମୋତେ ଆସୁ ନଥିଲା କିଛି, କିଏ କହିଦେବା ପାଇଁ ମଧ୍ୟ ନଥିଲେ। ପ୍ରଥମ ଧାଡିରେ ସର୍ବଦା ବସୁଥିଲେ ମଧ୍ୟ ଧୀରେ ପଛକୁ ଚାଲି ଯାଇଥିଲି, ଭାବୁଥିଲି ଦିଦି ଜାଣିପାରିବେ ନାହିଁ। କିନ୍ତୁ ଦିଦି ତ ସବୁ ଜାଣନ୍ତି। କବିତା ବବିତା ବୋଲି ଦୁଇ ଜଣ ସାଙ୍ଗ ଥିଲେ, ସେମାନେ ମୋତେ ବଞ୍ଚେଇବା ପାଇଁ ପୁରା ଚେଷ୍ଟା କରିଥିଲେ, ତାଙ୍କ ଖାତାରୁ ମୋ ଖାତାକୁ ଗଣିତ ଉତ୍ତାରୁ ଥିଲେ। ଦିଦିଙ୍କ ଆଖିରେ ପଡ଼ିଗଲା ସେମାନଙ୍କୁ ଆଗ ଡାକି ଦେଖିଲେ ଯେ ମୋ ଖାତାରେ ଚାଲିଛି ଲେଖା ମୋତେ ଡାକିଲେ ତା' ପରେ। ମୁଁ ଆଉ ଅଛି କି, ଭୟରେ ପୁରା କଳା କାଠ, ମନେ ମନେ ଦିଦିଙ୍କ ଉପରେଭାରି ରାଗ, ତା' ସହ ସ୍କୁଲ ଉପରେ, ଗଣିତ ନାମକ ପାଠ ଉପରେ ଆଉ ମୋ କପାଳ ଉପରେ ଭାରି ରାଗ। ଏପଟେ ପୁଅ ପିଲାଙ୍କର ପାଟି ଚିପା ହସ ମୋ ରାଗକୁ ଦୁଇ ଗୁଣ କରି ଦେଉଥିଲା। କଣ କରିବି ଏବେ ବାଧ୍ୟରେ ମାଡ ପଡ଼ିଲା ଆଉ ତ୍ରାହି ନାହି ହେ ପ୍ରଭୁ ରକ୍ଷା ରକ୍ଷା ଡାକି ଟେବୁଲ୍ ପାଖରେ ପହଞ୍ଚିଲି। ଓଃ ମୋ ଭାଗ୍ୟ ସେଦିନ ଏତେ ଖରାପ ଥିଲା ଯେ ଆଉ କ'ଣ କହିବି!

ମୁଁ ଯୋଉ ଘରକୁ ଯାଇ ଟାଣପଣ ଦେଖେଇ ଥିଲି ତା'ର ଫଳ ମଧ୍ୟ ସେତିକି ବେଳେ ଝଡିଲା, ଫଟା କପାଳ। ମୋ ମଝିଆ ମାମୁଁ ଶ୍ରେଣୀ ସମ୍ମୁଖରେ ଦଣ୍ଡାୟମାନ କହିଲେ ଦିଦି ନମସ୍ତେ। ଦିଦି କହିଲେ ଆରେ ପଦ୍ମ ଦେଖିଲୁ ଦେଖିଲୁ ଇଏ କ'ଣ, ତୋ ଭାଣିଜିଟି ଇଏ ହାଁ ଆରେ ଗୋଟେ ଗଣିତ କରିନିଟି ଖାତାରେ ସେମାନେ ଲେଖୁଥିଲେ ପଚାରିଲେ ପାଟି ଖୋଲୁନି ୟାକୁ କ'ଣ କରିବି କହିଲୁ! ମୋ ମାମୁଁ ମୋତେ ନାଲି ଆଖିରେ ଚାହିଁଲେ ଆଉ କହିଲେ,ଦିଦି ୟାକୁ ସ୍କୁଲ ଭଲ ଲାଗୁନି, ତାଙ୍କ ଗାଁରେ ପୁଣି ପଢ଼ିବ, ସେଇଠି ଇଏ ପଢ଼ିବ ନା ବେକାର ହେବ ଘର କାମ ଶିଖିବ, ସେଥିପାଇଁ ତ ମୁଁ ଆସିଲି। ଓ ଆଛା ଏମିତି କଥା ତା' ହେଲେ ଦିଦି କହିଲେ। ତୁ ତ ଆସିଲୁ କ'ଣ କରାଯିବ କହିଲୁ ଆଗ, ମାମୁଁ କହିଲେ ଦିଦି ଝିଅ ପିଲା , ଆଖି ଦୁଇଟା ଛାଡ଼ି ଛେଚି ପକାନ୍ତୁ ତା' ପରେ ଦେଖିବା। ସେତେବେଳକୁ ମୋର ଅବସ୍ଥା ଢିଲା, ଖାଲି କଥାରେ ମୋ ଦେହ ରେ ଧୀରେ ଦିଦି ହାତ ବୁଲେଇ ଆଣିଲେ ଏକଦମ୍ ଶିହରୀ ଗଲି ମୁଁ। କହିଲେ ନାରେ ଆଜି ଛାଡ଼ି ଦେଉଛି ହେଲା, ଆର ଥରକୁ ଆଉ ରକ୍ଷା ନାହିଁ ହେଲା ତ ଯାହା ନବୁଝି ପାରୁଚୁ ପଚାରି ବୁଝିନେ ସବୁ ଗଣିତ କରି ଆଣିବୁ ହେଲା। ମୋ ପ୍ରାଣରେ ପ୍ରାଣ ଆସିଲା, ମନେ ମନେ କେତେ ଦିଅଁ ଦେବତାଙ୍କୁ ଡାକି ଦେଇଥିଲି। ଓଃ ବଞ୍ଚିଲି ଆଜି ଆଉ ଦିନେ ସ୍କୁଲ ଛାଡ଼ିବା କଥା କହିବିନି ବୋଲି ଭାବିଲି, ଅନେକ ଧନ୍ୟବାଦ୍ ଦେଲି ଦିଦିଙ୍କୁ ମନେ ମନେ। ଯଦି ସେଦିନ ମଞ୍ଜୁ ଦିଦି ମାରିଥାନ୍ତେ , ମୋତେ ଭଲ ବାହାନା ମିଳିଥାନ୍ତା ଘରକୁ ଯିବା ଲାଗି, କାରଣ ମୋ ଦେହ ରେ ହାତ ଦେଲେ ମୋ ଆଈ ଠୁଁ ଆଉ ରକ୍ଷା ନାହିଁ। ଯାହାହେଉ ସେଇଠି ରହିଲି ଆଉ ପଢିଲି। ହୁଏ ତ ସେହି ସମୟରେ ମୁଁ କାନ୍ଦି ହଟ କରି ଗାଁକୁ ଚାଲି ଯାଇଥାନ୍ତି, ଆଉ ଆଜି ଯାହା ବି ଅଛି ସେପରି ନଥାନ୍ତି ନିଶ୍ଚୟ। ଯାହା ଯେତିକି ମଧ୍ୟ ଯୋଗ୍ୟତା ମୋ ଭାଗ୍ୟରେ ଅଛି ଆଜି ଦିଦିଙ୍କ ଉଦାରତା ଲାଗି ପାଇ ପାରିଛି। ଧନ୍ୟବାଦ୍ ସହ ଭୂମିଷ୍ଠ ପ୍ରଣାମ ମଞ୍ଜୁ ଦିଦି।



Rate this content
Log in

Similar oriya story from Inspirational