**ପବିତ୍ର ସଂପର୍କ **
**ପବିତ୍ର ସଂପର୍କ **


କଡ ଲେଉଟାଇଲା ସୁଚରିତା l କାନ୍ଥ ଘଣ୍ଟାରେ ବାରଟା ବାଜିବାର ସଙ୍କେତ l ଶ୍ରାବଣ ମାସ ହେଲେ ହେଁ ଜୈଷ୍ଠ ମାସର ଖରା ବାହାରେ ନିଆଁ ଜାଳି ଦେଉଛି l ଏ.ସି. ରୁମରେ ଶୋଇ ବି ତାକୁ ଭଲ ଲାଗୁ ନ ଥିଲା l
କିପରି ବା ଭଲ ଲାଗିବ l ମନ ଭଲ ନଥିଲେ ଦେହ କ'ଣ ଭଲ ଲାଗେ l
ଆଜି ଦିନ ସାରା ରହି ରହି ତା ଆଖି ମେନ୍ ଗେଟ୍ ଉପରୁ ପହଁରି ଆସୁଛି l କାଳେ ଭାଇ ଆସୁଥିବେ l ମନେ ପଡିଗଲା "ଆରେ କୋରୋନା ମାତିଛି ପରା l ନିଜ ହାତରେ ନିଜ ମୁଣ୍ଡକୁ ଆସ୍ତେ ଆସ୍ତେ ଥାପୁଡି ଦେଲା l ନିଜର ନିର୍ବୋଧପଣିଆ ଯୋଗୁଁ l ହେଲେ ମନ ବୁଝୁନି ପରା! କେମିତି ବୁଝିବ ଯେ ...କାଲି ପରା ଶ୍ରାବଣ ପୂର୍ଣ୍ଣିମା l ରକ୍ଷା ବନ୍ଧନ l
ସେ ଯେ ପିଲାଟି ଦିନରୁ ଭାଇ ହାତରେ ରାକ୍ଷୀ ବାନ୍ଧି ଆସିଛି l ଭାଇ ହାତରେ ରାକ୍ଷୀ ନ ବାନ୍ଧିଲା ଯାଏ କେବେ ବି ପାଟିରେ କିଛି ଦିଏନି l ଭୋକରେ ଅସମ୍ଭାଳ ହେଲେ ରାଗରେ ଗରଗର ହୋଇ ଭାଇକୁ ବନ୍ଦାଇବା ପାଇଁ ବାରମ୍ବାର ଡାକୁଥିବ l ଭାଇ ଜାଣି ଜାଣି ଡେରି କରୁଥିବ ତାକୁ ଚିଡାଇବା ପାଇଁ l କହୁଥିବ " ଭୋକରେ ରହି ପାରିବୁନୁ ତ ଯା... ଯା... ଖାଇ ଦେବୁ l ବୋଉ ପକୁଡି ଛାଣୁଛି l ଏଥର କିଛି ବି କହିପାରେନି ସେ l ରୁଷି ବସେ ସେ l ଶ୍ରାବଣ ପୂର୍ଣ୍ଣିମାରେ ବାହାରେ ବର୍ଷା ହେଉ ବା ନ ହେଉ ତା ନୟନରୁ ଝରି ପଡେ ଶ୍ରାବଣର ବାରି ଧାରା l ବୋଉ ଭାଇକୁ ପାଟି କରେ l ଭାଇ ତୁନି ହୋଇ ଆସି ବସି ପଡେ ଝୋଟି ଚିତା ପକା ଆସନଟିରେ l ଭାଇ ଡାକ ଶୁଣି ଦୌଡି ଯାଏ ସେ ବନ୍ଦାଣ ଥାଳି ଧରି l ଭୁଲିଯାଏ ସବୁ ରାଗ, ଋଷା l
ତା ବାହାଘର ପରେ ମଧ୍ୟ ସେ କେବେ ବି ଭାଇ ହାତ ଶୂନ୍ୟ କରିନି ରାକ୍ଷୀ ପୂର୍ଣ୍ଣିମା ଦିନ l କାଲି ଫୋନ କରି ଭାଇକୁ କହିଥିଲା ଆସିବାକୁ l ହେଲେ ଏଇ କୋରୋନା ରାକ୍ଷସୀ ଏସନ ସବୁ ପର୍ବ, ପର୍ବାଣୀ ମଜାକୁ ଖାଇଦେଲା l ଏଇ ରାକ୍ଷସୀଟା ମରି ଯାଆନ୍ତା କି ! ବିଶ୍ଵବାସୀ ଶାନ୍ତିରେ ନିଃଶ୍ୱାସ ମାରନ୍ତେ l ଆଗ ପରି ହସ, ଖୁସିରେ ଜୀବନକୁ ଜୀଅନ୍ତେ, ନିର୍ଭୟରେ, ନିଶ୍ଚିନ୍ତରେ l ଦେଖୁ ଦେଖୁ ଦିନ ସରିଗଲା l ରାତି ପାହି ସକାଳ ହେଲା l ରାକ୍ଷୀ ପୂର୍ଣ୍ଣିମାକୁ ସ୍ୱାଗତ ଜଣାଇ ସୂର୍ଯ୍ୟ ଦେବ ବି ପୂର୍ବ ଆକାଶରେ ହସି ଉଠିଲେ l
ହେଲେ, ସୁଚରିତା ଖୁସି ହୋଇ ପାରୁ ନଥିଲା ଅନ୍ୟ ବର୍ଷ ଭଳି l ଯନ୍ତ୍ରବତ୍ ନିଜ ନିତ୍ୟକର୍ମ ସାରି ଠାକୁର ପୂଜା ବି ସାରିଦେଲା l ବିରସ ମନରେ ଲାଗି ପଡିଲା ଘର କାମରେ l "ଭାଇ ଆସିବେନି, ଖାଇ ନିଅ, ତୁମର ପରା ଖାଲି ପେଟରେ ଏସିଡ୍ ହୁଏ " l ସ୍ୱାମୀଙ୍କ ବାରମ୍ବାର ତାଗିଦ ସତ୍ତ୍ଵେ ସେ ଖାଇ ପାରୁନି l ମନ ମାନୁନି ଭାଇ ହାତରେ ରାକ୍ଷୀ ନ ବାନ୍ଧି ଖାଇ ଦେବା ପାଇଁ l ଭାଇ ଆସିବେନି ଜାଣି ମଧ୍ୟ ସେ ସବୁ ଜିନିଷ ସଜାଡି ରଖିଛି l ଭାଇଙ୍କ ମନ ପସନ୍ଦ ଜଳଖିଆ ପ୍ରସ୍ତୁତ କରିଛି ନିଜ ହାତରେ l ଏଇ କୋରୋନା ପାଇଁ ବାହାରୁ କିଛି ବି ମଗାଇନି l
ସକାଳୁ ଦି 'ଥର ଫୋନ ବି କଲାଣି ଭାଇକୁ l କିଛି ନ ହେଲେ ବି କଥା ଟିକେ ତ ହୋଇପାରିବ l କିନ୍ତୁ, ଭାଇ ତ ଫୋନ ବି ଉଠାଉ ନାହାନ୍ତି l କିଛି ଅଘଟଣ ଘଟି ନାହିଁ ତ ! ଭାଇ ଘର ଏଠୁ ମାତ୍ର ୩୦ କି: ମି: ଦୂର କିନ୍ତୁ ଆଜି ତାକୁ ୩୦୦ କି: ମି: ଦୂର ପରି ଲାଗୁଛି l ମନେ ପଡିଗଲା ସ୍କୁଲ ପଢିଲା ସମୟରେ ମଧୁସୂଦନ ରାଓଙ୍କ କବିତାର ପଦଟିଏ " ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ, ଲଂଘି ଭୀଷଣ ଗିରି ,ସାଗର ବକ୍ଷ l" କିନ୍ତୁ ! ନା......!
ଆଖିରେ ଲୁହ ଜକେଇ ଆସୁଛି l ସ୍ୱାମୀ ଯେ ଡ୍ରଇଂ ରୁମରୁ ଥାଇ ଡାକ ଛାଡୁଛନ୍ତି l ଶୁଣି ବି ନଶୁଣିଲା ପରି ରହିଗଲା ସେ l -" ଆରେ ,ଶୁଣୁଛ ,ସୂଚୀ ...ଆସିଲ ଟିକେ l " ଚିଡି ଉଠିଲା ସୁଚରିତା l ସେ ଯେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାଇମନସ୍କ l ରାଗି ଯାଇ ସ୍ୱାମୀଙ୍କ ସାମ୍ନାରେ ଛିଡା ହୋଇ ଗଲା, "କଣ ,କୁହ l"
ହସି ହସି କହୁଥିଲେ ସେ "ଟିକେ ପଛକୁ ଅନାଇଲ l ମୋ ମୁହଁକୁ ଏମିତି ହାଁ ଟା କରି ଅନାଇଛ କଣ ?" ସ୍ୱାମୀଙ୍କ କଥା ଶୁଣି ପଛକୁ ଫେରି ନିଜ ଆଖିକୁ ବିଶ୍ୱାସ କରି ପାରିଲାନି ସେ ଭାଇ ଛିଡା ହୋଇଛନ୍ତି l
-କଣ ,ଦେଖୁଛୁ, ମୁଁ ଆସିଛି, ମୋର ଭୂତ ନୁହେଁ ମ l ଓ...ହୋ..ଭୋକରେ ରାଗି ବସୁଛୁ ନା..ଏଡେଟିଏ ହେଲୁଣି l ଅଭ୍ୟାସ ବଦଳିନି l "
" ଭାଇ, ଖୁସିରେ ଦୌଡି ଗଲା ସେ l
ଘୁଂଚି ଗଲେ ଭାଇ l "ଆରେ, କୋରୋନା ମାତିଛି ପରା, ଆଗ ଗୋଡ, ହାତ ସାବୁନରେ
ଧୁଏ l ଛି ..ଛି.. କାନ୍ଦୁଛୁ l ଧେତ୍, ପାଗେଳି, ଆଜି ପରା ଦିନରେ ଆସିବିନି କିପରି l ମୁଁ କଣ ଜାଣିନି, ମୋ ହାତରେ ରାକ୍ଷୀ ନ ବାନ୍ଧିଲା ଯାଏ ତୁ କଣ ଖାଇବୁ l ଫୋନ ନ ଉଠାଇ ତୋ ସାଥୀରେ ମଜା କରୁ ଥିଲି ସିନା l କୋରୋନା ଆସୁ କି ଯାହା ବି ଆସୁ ,ମୁଁ ବଂଚି ଥିବା ଯାଏ ,ଏମିତି ତୋ ହାତରୁ ରାକ୍ଷୀ ବାନ୍ଧିବା ପାଇଁ ଆସୁ ଥିବି l " ହଉ , ଯା ,ଯା ବନ୍ଦାଣ ଥାଳି ଧରି ଆସିବୁ l ମୁଁ ଜାଣିଛି ତୁ ସବୁ ସଜାଡି ରଖିଥିବୁ l "ଭାଇ ହାତ, ଗୋଡ ଧୋଇ ହୋଇ ଆସନରେ ବସି ବନ୍ଦାଇ ହେଉଛନ୍ତି l ସୁଚରିତାର ଓଠରେ ହସ ଲହଡି ଭାଙ୍ଗୁଛି l
ସ୍ୱାମୀ ବିଜୟ ବାବୁ ,ଭାବ ବିହ୍ୱଳ ହୋଇ ଦେଖୁଥିଲେ l ଭାଇ, ଭଉଣୀଙ୍କ ସ୍ନେହ ଓ ଭଲ ପାଇବାର ପବିତ୍ର ସଂପର୍କ ଆଉ...ଆମ ପରଂପରା , ସଂସ୍କୃତିର ଆଦର୍ଶକୁ l