Sanjeeb Kumar Nag

Inspirational

4.7  

Sanjeeb Kumar Nag

Inspirational

ପୌରୁଷ

ପୌରୁଷ

10 mins
23.3K


ସେଦିନ ସନ୍ଧ୍ୟାରେ କାଗଜ ଖଣ୍ଡିଏ ଧରି କିଛି ଗୋଟେ ଲେଖିବାରେ ବ୍ୟସ୍ତ ଥାନ୍ତି ଗାଳ୍ପିକ ପ୍ରଦୀପ ସାର। କୌଣସୀ ଏକ ଶର୍ଟ ଫିଲ୍ମର ସଂଳାପ ଲେଖୁଥାନ୍ତି ବୋଧେ। ଠିକ ଏତିକି ବେଳକୁ ତାଙ୍କ ପୁଅ ଫୋନ କରି ଜଣେଇଛି ଯେ ତାର ମେଡିକାଲ କ୍ଲିଅର ହେଇଯାଇଛି। ସେ ଯୋଉ ଏମ୍ସର ଏଣ୍ଟ୍ରାନ୍ସ ପରୀକ୍ଷା ଦେଇଥିଲା ସେଥିରେ ଭଲ ରେଙ୍କ ଆସିଛି। ପ୍ରଦୀପ ବାବୁଙ୍କ ଖୁସି କହିଲେ ନସରେ। ଆନନ୍ଦାଶ୍ରୁ ଗଦଗଦ ହେଇ ବାହାରି ପଡୁଥାଏ। ଲୁହ ପୋଛି ଭଗବାନଙ୍କୁ ପ୍ରଣାମ କରି କହିଲେ, "ହେ ପ୍ରଭୁ ତୁମକୁ କୋଟି କୋଟି ଧନ୍ୟବାଦ, ଶେଷରେ ପହଞ୍ଚେଇ ଦେଲ ସେଇ ମୁହୂର୍ତ୍ତକୁ, ଯୋଉ ମୁହୂର୍ତ୍ତରେ ପହଞ୍ଚିବା ଲାଗି ଦୀର୍ଘ ଅଠର ବର୍ଷ ପର୍ଯ୍ୟନ୍ତ ଭୟ ଓ ଆଶଙ୍କାରେ ବଞ୍ଚି ଆସୁଥିଲି। ଏବେ ମୋତେ ଆଉ ପାଞ୍ଚ ବର୍ଷ ସୁସ୍ଥ ରଖ ପ୍ରଭୁ। ମୋ ପୁଅକୁ ମୁଁ ଡାକ୍ତର ରୂପରେ ଦେଖିବାକୁ ଚାହେଁ। ତାପରେ ମୋତେ ତମ ପାଖକୁ ନେଇଗଲେ ବି ମୋର କୌଣସି ଆପତ୍ତି ନାହିଁ, ଅଭିଯୋଗ ନାହିଁ। ମୋ ପୁଅର ଡାକ୍ତରୀ ପାଠ ପଢିବା ପାଇଁ ମୁଁ ଅର୍ଥ ସଞ୍ଚୟ କରି ସାରିଛି। ଘରଦ୍ୱାର, ଜମିବାଡ଼ି ସବୁ ସଜାଡ଼ି ଦେଇଛି। ବଡ଼ପୁଅ ଡାକ୍ତର ହେଇଗଲେ, ସାନପୁଅର ଭବିଷ୍ୟତ କଥା ବୁଝିବ। ଦୁଇପୁଅ ସହିତ ମୋ ସ୍ତ୍ରୀ ବି ଖୁସିରେ ରହିବ"। ଏତିକି ବେଳକୁ ତାଙ୍କ ଆଖି ସାମନାରେ ଝଲସି ଉଠୁଥିଲା ଅତୀତର ସେଇ କୋହ, ଭୟ ଓ ଆଶଙ୍କା ମଧ୍ୟରେ ଅତିବାହିତ ଦୀର୍ଘ ଅଠର ବର୍ଷ।


ଆଞ୍ଜୁଳାଏ ସ୍ୱପ୍ନ ସାଙ୍ଗକୁ କିଛି ଭରସା ଓ ବିଶ୍ୱାସକୁ ପୁଞ୍ଜି କରି ସଂସାର ଆରମ୍ଭ କରିଥିଲେ ପ୍ରଦୀପ ଓ ପ୍ରିୟା। ଶତପ୍ରତିଶତ ଶୁଦ୍ଧ ଅରେଞ୍ଜ ମ୍ୟାରେଜ ହେଇଥିଲା ଦୁହିଁଙ୍କର। କେହି କାହାରିକୁ ଆଗରୁ ଜାଣିନଥିଲେ। ବିବାହ ସ୍ଥିର ହେବାଠୁ ବିବାହ ଦିନ ମଧ୍ୟରେ ଯାହା ତିନି ଚାରିଥର କଥା ହେଇଛନ୍ତି। 

ବିବାହ ସରିଯାଏ ଦୁଇ ଭିନ୍ନ ଭିନ୍ନ ପରିବେଶରେ ବଢିଥିବା ପ୍ରାଣୀଙ୍କ। ପରିବେଶ ଭିନ୍ନ, ସଂସ୍କାର ଭିନ୍ନ, ଚିନ୍ତାଧାରା ବି ଭିନ୍ନ। ଜଣେ ସାମାନ୍ୟ ରାଗୀ ଅଥଚ ପରିପକ୍ୱ ମାନସିକତାର ହୋଇଥିଲାବେଳେ ଅନ୍ୟ ଜଣେ ଅପରିପକ୍ଵ ତଥା ଜିଦଖୋର ପ୍ରକୃତିର। ପ୍ରଦୀପ ଓ ପ୍ରିୟାର ବୈବାହିକ ଜୀବନରେ ପ୍ରେମର ଫଗୁଣ ସ୍ୱଳ୍ପ ସମୟ ଲାଗି ଅବସ୍ଥାନ କରିଥିଲା। ଦୁଇ ଚାରି ମାସ ପରେ ପରେ ମାଡି ଆସିଥିଲା ଅଶାନ୍ତର ଝଡ଼। ଭାଙ୍ଗିଦେଇଥିଲା ଦୁହିଁଙ୍କ ସ୍ୱପ୍ନ ରାଇଜର ଜୀବନ ଶୈଳୀର ଢଙ୍ଗ।


ପ୍ରତ୍ୟେକ କଥାର ନକାରାତ୍ମକ ଦିଗଟିକୁ ଗୁରୁତ୍ତ୍ୱ ଦେଉଥିବା ପ୍ରିୟା ଓ କେବଳ ସକାରାତ୍ମକ ଚିନ୍ତାଧାରା ସମ୍ପନ୍ନ ପ୍ରଦୀପର ସର୍ବଦା ବୈଚାରିକ ମତଭେଦ ଲାଗିରହିଥାଏ। ପ୍ରଦୀପ ନିଜ ପିତାଙ୍କ ଠାରୁ ସହନଶୀଳତା ଓ ପରୋପକାରିତା ବଂଶଗତ ସୂତ୍ରରେ ଲାଭ କରିଥାଏ। ସଦାବେଳେ ସେ ଅନ୍ୟକୁ ସହଯୋଗର ହାତ ବଢ଼େଇ ଥାଏ। ଅହଂଭାଵ ରଖି ତାର ନିଜ ଲୋକମାନେ ବି ଅନେକ କଥା କହନ୍ତି କିନ୍ତୁ କୋୖଣସି କଥାକୁ ସେ ଖାତିର କରେନା। ଯେଉଁ ଘଟଣାକୁ ପ୍ରିୟାର ଜୀବନ ଉପରେ ସାମାନ୍ୟ ପ୍ରଭାବ ବି ପକାଇବାର ସମ୍ଭାବନା ନାହିଁ ମନେକରି ପ୍ରଦୀପ ଅଣଦେଖା କରେ, ସେହି ସାମାନ୍ୟ ଘଟଣା ସବୁ ପ୍ରିୟା ଦୃଷ୍ଟିରେ ବେଶ ଗୁରୁତ୍ତ୍ୱ ବହନ କରେ। ଦିନତମାମ ଖଟି ସନ୍ଧ୍ୟାରେ ଘରକୁ ଫେରୁଥିବା ସ୍ୱାମୀ ବାଟସାରା ଭଗବାନଙ୍କୁ ଡାକି ଡାକି ଆସେ, "ହେ ପ୍ରଭୁ, ଆଜି ମୋ ସ୍ତ୍ରୀର ମୁଡ ଠିକ ଥାଉ, ମୁଁ ଗଲାବେଳେ ସେ ଖୁସିରେ ଥାଉ।" କାହିଁକି ନା ପ୍ରିୟା ଛୋଟ ଛୋଟ କଥାରେ ଅଭିମାନ କରେ। କେବେ ସେ ସ୍ୱାଧୀନ ଜୀବନ ଜିଇଁନି, ଲୋକଙ୍କ ସହ ମିଶିନି। ମାଆର ପଣତ ଆଢୁଆଳରେ ରହି ଆସିଛି ସେ। ସମାଜରେ ଅନେକ ପ୍ରକାର ଲୋକ ଅଛନ୍ତି, ଅନେକ ପ୍ରକାର ଚିନ୍ତାଧାରା ଥିବ, ଅନେକ ପ୍ରକାର କଥୋପକଥନ ଶୈଳୀ ଥିବ, ଅନେକ ପ୍ରକାର ସଂସ୍କୃତି ଥିବ। ଏକଥା ସେ ଭାବି ପାରେନା। ପ୍ରିୟା କେବେ କାହାର କ୍ଷତି କରେନି କି ମିଠା କଥା କହି ଅନ୍ୟକୁ ନିଜ ସପକ୍ଷରେ ନେବାର କଳା ବି ଜାଣିନି, ସେଥିପାଇଁ ତା ନିଜ ଲୋକ ସବୁ ତାର ବିପକ୍ଷ ଦଳରେ ସାମିଲ ହୁଅନ୍ତି, ପ୍ରିୟା ବିରୁଦ୍ଧରେ ଚର୍ଚ୍ଚା କରନ୍ତି, ଯାହା ତା ପାଇଁ କଷ୍ଟକର ହୁଏ। ପ୍ରଦୀପ ବି ଜାଣେ ଯେ, କିଛି ଦୁଶ୍ଚରିତ୍ରା ଗୋଷ୍ଠୀ ଏ ଘର ମାଉସୀ, ସେ ଘର ପିଉସୀ ସାଜି ପ୍ରିୟାକୁ ଉତ୍ତେଜିତ କରନ୍ତି ବୋଲି। ସେଭଳି ଘଟଣାକୁ ଅଣଦେଖା କରିବା ହିଁ ବୁଦ୍ଧିମାନର ବିଷୟ। କିନ୍ତୁ ଏକଥା ତାକୁ କିଏ ବୁଝେଇବ! ଗୁରୁଜନଙ୍କ ଉପଦେଶ ତ ତା' ପାଇଁ ଗାଳି ସଦୃଶ। କେହି ତାକୁ ଉପଦେଶ ଦିଅନ୍ତୁ, ସେକଥା ସେ ଚାହେଁନି। କେହି ତାକୁ ତାଗିଦ କରନ୍ତୁ ସେକଥା ବି ସେ ଚାହେଁନି। ଅନ୍ୟଙ୍କ ଠାରୁ ସେ କେବଳ ସେଇ କଥା ଶୁଣିବାକୁ ଚାହେଁ, ଯାହା ତାକୁ ଭଲ ଲାଗୁଥିବ। 

ପ୍ରିୟା କେବେ ବି ପ୍ରଦୀପ ସହିତ ଘରର ସୁଖ ଦୁଃଖ, ଆୟ ବ୍ୟୟ କଥା ହୁଏନି। କେବେ ବି କହେନି, ଏ ମାସରେ ଅଧିକ ଖର୍ଚ୍ଚ ହେଇଗଲା, କେମିତି କରିବା? ପୂରା ମାସଟେ ଚଳି ହେବ ତ? ଏତେ କମ ଆୟରେ ଏତେ ସବୁ ଖର୍ଚ୍ଚ କେମିତି କରୁଛ? ଭବିଷ୍ୟତ ପାଇଁ କିଛି ବି ସଞ୍ଚୟ କରୁନ କାହିଁକି? ରୋଗଦୁଖଃ କଣ କହିକି ଆସେ? କେତେବେଳେ କଣ ହେବ, କିଏ ଜାଣିଛି? ଛୁଆର ଭବିଷ୍ୟତକୁ ବି ଦେଖିବାର ଅଛି। ପ୍ରଦୀପର କାନ ତରସୁ ଥାଏ ଏଭଳି କଥା ପଦୁଟେ ପ୍ରିୟା ପାଟିରୁ ଶୁଣିବାକୁ। କିନ୍ତୁ ତାର ପିଲାଳିଆ ବୁଦ୍ଧିରେ ଏସବୁ କେବେ ଆସେନି। ପ୍ରିୟା ଯଦି କିଛି କଥା ହୁଏ, ତେବେ ଘରକୁ କେମିତି ସଜାଡିବ, ବେଡ଼ରୁମ କିପରି ହେବ, କିଚେନ କିପରି ହେବ ଏଭଳି କଥା ହୁଏ। ଆଉ ଯଦି କିଛି ଅଧିକା କଥା ହୁଏ ତେବେ କିଏ ତାହାକୁ କଣ କହିଲା, କିଏ ତାକୁ ଗାଳି କଲା ଏମିତି କଥା ସବୁ କହେ। ପ୍ରଦୀପ ସଦାବେଳେ କହେ, "କାହାର ପାଟିକୁ ବନ୍ଦ କରାଯାଇପାରିବନି, କହିବା ଲୋକ ନିଶ୍ଚୟ କହିବେ, ଆଜିର ଏ ସ୍ୱାର୍ଥପର ଦୁନିଆଁରେ ଲୋକେ ଅନ୍ୟର ସୁଖଶାନ୍ତି ଦେଖିଲେ ଈର୍ଷା କରନ୍ତି, ଅଶାନ୍ତି ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରୟାସ କରନ୍ତି। ସେଥିପାଇଁ ତମେ ଏଭଳି କଥାଗୁଡିକୁ ଅଣଦେଖା କର"। ଏତିକି କହିଲେ ବି ପ୍ରିୟା ରାଗିଯାଏ ପ୍ରଦୀପ ଉପରେ, କହେ "ତମେ ସବୁବେଳେ ଅନ୍ୟକୁ ସମର୍ଥନ କରୁଛ, ମୋତେ ସବୁବେଳେ ଦୋଷୀ ଭାବୁଛ"। ଏମିତି ଅନେକ କଥା। ପ୍ରଦୀପ ବେଳେ ବେଳେ ରାଗି ବି ଯାଏ। ତମର ବୁଝିବାର ଶକ୍ତି ନାହିଁ ବୋଲି ଗାଳି ବି କରେ।

ସମୟ ତ କାହାକୁ ଅପେକ୍ଷା କରେନି, ଅବିରତ ଗଡିଚାଲେ। ଇତିମଧ୍ୟରେ ଦୁହିଁଙ୍କର ଏକ ପୁତ୍ର ସନ୍ତାନ ବି ହେଇସାରିଥାଏ। ଦୁହେଁ ବାପା ମାଆ ହେଇସାରିଥାନ୍ତି। ତଥାପି ଦୁହିଁଙ୍କ ଚିନ୍ତାଧାରାରେ ଅନେକ ତଫାତ। କେବେବି ଦୁହିଁଙ୍କ ଚିନ୍ତାଧାରା ମେଳ ଖାଏନି। ଏଇ ବର୍ଷକ ମଧ୍ୟରେ ପ୍ରଦୀପ, ପ୍ରିୟାକୁ ଭଲ ଭାବରେ ବୁଝି ସାରିଥାଏ। ସେ ବୁଝି ସାରିଥାଏ ଯେ, ପ୍ରିୟା ଖରାପ ଝିଅ ନୁହେଁ, ସେ କେବଳ ସାଲିସ କରିବା ଶିଖିନି। ବ୍ୟବସ୍ଥିତ କରଣ ତଥା ଅନୁକୂଳନରେ ସେ ବେଶ ଧିମା। ଧୀରେ ଧୀରେ ସବୁ ଶିଖିଯିବ ବୋଲି ଭାବି ପ୍ରଦୀପ ସବୁ କଥାକୁ ସହିଯାଏ। 

କେବେ ସ୍ୱାମୀ ସ୍ତ୍ରୀଙ୍କ ପାରସ୍ପରିକ ମତଭେଦ ତ ଆଉ କେବେ ପାରିବାରିକ କନ୍ଦଳ। ଏମିତି ବାରମ୍ବାର ବିଭିନ୍ନ ପ୍ରକାର ମାନସିକ ଚାପ ଦେଇ ଗତିକରୁଥାଏ ପ୍ରଦୀପ। କିନ୍ତୁ ପ୍ରିୟାର କୌଣସି ଶାରୀରିକ ଅସୁସ୍ଥତା ଦେଖାଦେଲେ ବିଚଳିତ ହେଇ ଉଠେ ସେ। ପ୍ରିୟାର କଷ୍ଟ ଦେଖି ପ୍ରଦୀପର ଆଖିରୁ ଲୁହ ଝରେ। ମନେ ମନେ ସେ ଭାବେ, ଯାହା ସହିତ ଏତେ ମତଭେଦ ଅଛି, ଯାହା ସହିତ ସବୁବେଳେ କଳି ଝଗଡା ଲାଗି ରହିଛି, ତାର ଦୁଃଖରେ ମୋ ଆଖିରୁ ଲୁହ କାହିଁକି ଝରୁଛି? ତାର ଦୁଃଖରେ ମୁଁ କାହିଁକି ଦୁଃଖୀ? ଏବେ ସେ ଠିକ ଭାବରେ ବୁଝିପାରେ ଯେ, ସେ ପ୍ରିୟାକୁ ପ୍ରେମ କରେ, ବହୁତ ପ୍ରେମ କରେ। ତାର ଯତ୍ନ ନିଏ, ତାର ପସନ୍ଦ-ନାପସନ୍ଦର ଧ୍ୟାନ ରଖେ। କିନ୍ତୁ ପ୍ରିୟା ଠାରୁ ଆଶାନୁରୂପ ଯତ୍ନ ସେ ପାଏନି। ଆଶାନୁରୂପ ସେବା ଓ ଶ୍ରଦ୍ଧା ସେ ପାଏନି। ସେଇଥିପାଇଁ ବୋଧେ ପ୍ରିୟା ଉପରେ ପ୍ରଦୀପ ଅଧିକାଂଶ ସମୟ ବିଶେଷକରି ନିଜର ଅସୁସ୍ଥତା ବେଳେ ଅସନ୍ତୋଷ ରହେ। ତାମାନେ ନୁହଁ ଯେ ପ୍ରିୟା ପ୍ରଦୀପକୁ ପ୍ରେମ କରେନି। ପ୍ରିୟା ବି ପ୍ରଦୀପକୁ ଭଲପାଏ କିନ୍ତୁ ସେ ତା ପ୍ରେମ ପରଶି ଜାଣେନି। ସେ ଜାଣେନି ଯେ ପ୍ରେମକୁ କେତେବେଳେ ଯତ୍ନର ଥାଳିରେ ତ କେତେବେଳେ ସେବାର ଥାଳିରେ, କେତେବେଳେ ଶ୍ରଦ୍ଧାର ଥାଳିରେ ତ କେତେବେଳେ ସମ୍ମାନର ଥାଳିରେ ପରଶିବାକୁ ହୁଏ।

ବେଳେବେଳେ ଦୁହିଁଙ୍କ ସମ୍ପର୍କରେ ଏତେ ତିକ୍ତତା ଆସେ ଯେ, ପରସ୍ପର ଠାରୁ ଅଲଗା ହେଇଯିବା କଥା ବି ଦୁହେଁ ଭାବନ୍ତି। କିଛି ସମୟ ପରେ ପ୍ରଦୀପ ଭାବେ "ମୁଁ ତ ଅଲଗା ରହି ଯେମିତି ସେମିତି ଦୁଃଖରେ କଷ୍ଟରେ ବଞ୍ଚିଯିବି, ହେଲେ ପ୍ରିୟା ବଞ୍ଚିପାରିବନି। ଝୁରି ଝୁରି ମରିଯିବ ସେ। ତା ପରିବାର ଲୋକେ ବି ତାକୁ ଶାନ୍ତିରେ ରଖେଇ ଦେବେନି।" ସତ କଥା; ପ୍ରିୟା କେବେ ବି ପ୍ରଦୀପ ବିନା ବଞ୍ଚି ପାରିବନି। ସେ ପ୍ରଦୀପକୁ ବହୁତ ଭଲପାଏ। ସେ ତା ବାପା, ମାଆ, ଭାଇ, ଭଉଣୀଙ୍କଠୁ ବି ବେଶୀ ଭଲପାଏ ତାକୁ। କିନ୍ତୁ ତାର ପ୍ରକୃତି ହିଁ ସେଇୟା। ଆଜି ରାଗରେ ଅଲଗା ହେଇଯିବ କିନ୍ତୁ କାଲି ବିଷ ପିଇଦେବ। ଯଦି ସେ ଏତେ ଭଲପାଏ ପ୍ରଦୀପକୁ, ତେବେ ପ୍ରଦୀପର ମନକୁ କାହିଁକି ବୁଝି ପାରେନି। ପ୍ରଦୀପକୁ ଭରସା କାହିଁକି କରେନି। ପ୍ରଦୀପତ ତାର ସବୁ ପ୍ରକାର ଯତ୍ନ ନିଏ। ପ୍ରଦୀପ ପ୍ରତି ତା ମନରେ ସମ୍ମାନ କାହିଁକି ନାହିଁ। ଏମିତି ଅନେକ ପ୍ରଶ୍ନ ଉଙ୍କିମାରେ ପ୍ରଦୀପର ମନ ଭିତରେ। କିନ୍ତୁ କିଛି ସମୟ ପରେ ଦୁହେଁ ସବୁ ତିକ୍ତତା ଭୁଲି ପୁଣିଥରେ ଖୁସିରେ ରହନ୍ତି। ପୁଣି କୋଉ ଗୋଟେ କଥାରେ ଦୁହେଁ ଝଗଡା କରନ୍ତି। ପୁଣି ସବୁ ଠିକ ହେଇଯାଏ। କିନ୍ତୁ ସୁଖ ଓ ଦୁଃଖର ଏଇ ଲୁଚକାଳି ଖେଳ ଭିତରେ ପେଷି ହେଇଯାଏ ପ୍ରଦୀପ। ସବୁବେଳେ ତାକୁ ହିଁ ସାଲିସ କରିବାକୁ ପଡେ, ତାକୁ ହିଁ ତ୍ୟାଗ କରିବାକୁ ପଡେ। ସେ କେବେବି ଚିନ୍ତାମୁକ୍ତ ହେଇ ପାରେନି, କାରଣ କୋଉ ମୁହୂର୍ତ୍ତରେ ଯେ ପ୍ରିୟା ମନରେ କଣ ପଶିବ, ଆଉ ସେ କଣ କରିବ, ସେକଥା ସେ ନିଜେ ବି ଜାଣେନି।


ସମୟ କେତେବେଳେ ଯେ କୋଉ ରୂପ ଧାରଣ କରିବ କିଏ ଜାଣେ। ଠିକ ସେମିତି ପ୍ରଦୀପର ଜୀବନରେ ବି ଏକ କଳା ବାଦଲ ହଠାତ ମାଡି ଆସିଲା, ଯେତେବେଳେ ସେ ଜାଣିଲା ଯେ ତା ମୁଣ୍ଡରେ ଏକ ଟ୍ୟୁମର ଅଛି। ସେଦିନ ହସ୍ପିଟାଲରେ ତାର ଟେଷ୍ଟ ରିପୋର୍ଟ ଦେଖିଲା ପରେ ଅନୁଭବ କଲା ସେ, ଯେ ସତେ ଯେପରି ସମସ୍ତେ ବହୁତ ଆଗକୁ ଚାଲିଯାଉଛନ୍ତି ଓ ସେ ପଛେ ପଡିଯାଇଛି, ସତେ ଯେପରି ସମସ୍ତଙ୍କ ଚକ ଆଗକୁ ଗାଡିଚାଲିଲା ବେଳକୁ ତାର ଚକ ସେଇଠି ହି ଘୁରୁଛି। ଡାକ୍ତରଖାନାର ଶୌଚାଳୟ ଭିତରେ ସେଦିନ ସେ ନିଜର ଭାଗ୍ୟକୁ ଦାୟୀ କରି ଦୀର୍ଘ ଏକ ଘଣ୍ଟା ଯାଏଁ କାନ୍ଦିଥିଲା।


ଡାକ୍ତରଖାନାରୁ ରେଲୱେ ଷ୍ଟେସନରେ ପହଁଞ୍ଚିଲା ପରେ ତା ସଙ୍ଗରେ ଥିବା ତାର ଭିଣୋଇ ଭାଇ ତାକୁ ବସିବାକୁ କହି ଟିକଟ ପାଇଁ ଲମ୍ବିଥିବା ଲମ୍ବା ଧାଡିରେ ଯାଇ ଛିଡା ହେଇଗଲେ। ପ୍ରଦୀପ ନିଜ ଅଜାଣତରେ ବସି ପଡେ ଟିକଟ କାଉଣ୍ଟରର ସାମ୍ନାରେ ଥିବା ପାହାଚ ଉପରେ।

ଜୀବନ ଓ ମରଣର ଦୋ'ଛକିରେ ସାଉଁଟୁଥାଏ ସେ ଅତୀତର ସ୍ମୃତିସବୁ, ଏଇ ଆଶାରେ... କି କାଳେ ହସିବାର କିଛି କାରଣ ମିଳିଯିବ! ନିମିଷକ ପାଇଁ ଲୁହଗଡ଼ିବା ବନ୍ଦ ହେଇଯିବ! କେବେ ମାତୃବିୟୋଗର ବେଦନା, ତ କେବେ ପିତୃବିୟୋଗର ଯନ୍ତ୍ରଣା। କେବେ ଆତ୍ମୀୟଙ୍କ ଦୁଃଖରେ, ସମଦୁଃଖୀ ହୋଇ ସହିଥିବା ବେଦନା, ତ କେବେ ଆତ୍ମୀୟଙ୍କ ପ୍ରତାରଣାର ଶୀକାର ହୋଇ ଭୋଗିଥିବା ଯନ୍ତ୍ରଣା। କେବେ ବିଫଳତାର ବିଷପାନ କରିବାର କୋହ, ତ କେବେ ମିଥ୍ୟା ବଦନାମୀର ଭୟ। ସବୁଠୁ ବେଶୀ... ଏଇ ହତଭାଗା ଉପରେ ନିର୍ଭରଶୀଳ ଦୁଇ ନିରୀହ ପ୍ରାଣୀଙ୍କ ଚିନ୍ତାର ବେଦନା। ତଥାପି ସେ ହସେ, ନିଜକୁ ସ୍ବାନ୍ତନା ଦିଏ, ଏଇ ଆଶାରେ… କି କାଳେ ସବୁ ଠିକ ହେଇଯିବ! ସବୁ ଆଗଭଳି ହେଇଯିବ! କିଛି ଚମତ୍କାର ହେଇଯିବ! ଏମିତି ଭାବୁ ଭାବୁ ହଜେଇଦିଏ ନିଜକୁ ଏକ ସ୍ୱପ୍ନର ଦୁନିଆଁରେ। ଆଖି ସାମନାରେ ଭାସି ବୁଲନ୍ତି, ଆନନ୍ଦଦାୟକ ବିଶେଷ୍ୟ ଓ ବିଶେଷଣ ଗୁଡିକ। ଧରିରଖିବାକୁ ଚେଷ୍ଟା କରେ ସେ, ସେଇ ଶବ୍ଦଗୁଡିକୁ। ହାତମୁଠାଇ ଧରିଲେ ଭାଙ୍ଗିପଡ଼େ, ସେଇ ଶବ୍ଦ ଗୁଡିକର ଅକ୍ଷର ସଂରଚନା, ରହିଯାଏ ତ କିଛି ଅକ୍ଷର, କିଛି ଇଂରାଜୀର, କିଛି ଓଡ଼ିଆର, ପୁଣି କିଛି ରାଷ୍ଟ୍ର ଭାଷା ହିନ୍ଦୀର। ଗୋଟେ ବି ଶବ୍ଦ ହାତରେ ଆସେନି, ଆସିବ ବା କେମିତି, ମରିଚିକାର କଣ ବାସ୍ତବତା ଥାଏ।


ସେଦିନ ଟ୍ୟୁମର ଅପରେସନ ବେଳକୁ ତା ମନ ଭିତରେ କେବଳ ଗୋଟିଏ କଥା ଉଠୁଥିଲା। ମୋର ଯଦି କିଛି ହେଇଯାଏ ତେବେ ମୋ ସ୍ତ୍ରୀର କଣ ହେବ? ମୋ ପୁଅର କଣ ହେବ? କେମିତି ବଞ୍ଚିବେ ଏମାନେ? 

ସୌଭାଗ୍ୟବଶତଃ ପ୍ରଦୀପର ସଫଳ ଅସ୍ତ୍ରୋପଚାର ହେଇଗଲା। ମାନସିକ ଚାପ ନନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର ମହାଶୟ। ତେଣୁ ସେ ମନେ ମନେ ପ୍ରତିଜ୍ଞା କରିଥିଲା କେବେ ବି କାହା ଉପରେ ରାଗିବନି ବୋଲି, ଅଯଥାରେ ଉତ୍ତେଜିତ ହେବନାହିଁ ବୋଲି କିନ୍ତୁ ମାସଟେ ମଧ୍ୟ ସେ ଚିନ୍ତାମୁକ୍ତ ହୋଇ ରହିପାରିଲାନି। ଭାବିଥିଲା ଏବେ ଆଉ ମୁଁ ପ୍ରିୟା ସହ କଳି କରିବିନି, ଆମେ ଦୁହେଁ କେବଳ ପ୍ରେମାଳାପ କରିବୁ, ସୁଖଦୁଃଖର କଥାବାର୍ତ୍ତା ହେବୁ କିନ୍ତୁ ମାସଟେ ନପୁରୁଣୁ ଦୁହିଁଙ୍କ ମଧ୍ୟରେ ପୁଣି କଥା କଟାକଟି, ପାଟିତୁଣ୍ଡ ଆରମ୍ଭ ହେଇଗଲା। ଛୋଟିଆ କାମଟେ ବି ଯଥାରୀତିରେ ନହେଲେ ରାଗି ଯାଉଥିଲା ପ୍ରଦୀପ। ଏପଟେ ପ୍ରିୟା ବି ଚୁପ ପଡିବା ପ୍ରାଣୀ ନୁହଁ। ମୋ ସ୍ୱାମୀ ଅସୁସ୍ଥ ଅଛନ୍ତି, ତାଙ୍କୁ ଟେନ୍ସନ ଦେବା ଠିକ ନୁହଁ, କହୁ କହୁ ରାଗରେ ପଦେ କହିଦେଲେ, ମୁଁ ଯଦି କଥା ବଢ଼େଇବି ସେ ଆହୁରି ବିରକ୍ତ ହେବେ, ମାନସିକ ଚାପରେ ରହିବେ। ମୁଁ ଚୁପ ରହିଗଲେ ସବୁ ଠିକ ହେଇଯିବ। କେବେବି ସେ ବେଶୀ ସମୟ ରାଗିକି ରହନ୍ତିନି, ଏବେ ରାଗିଥିବେ ହେଲେ କିଛି ସମୟ ପରେ ଆସିକି ଗେଲ କରିବେ। ଏମିତି ଭାବନା କେବେ ଆସୁନଥିଲା ପ୍ରିୟାର ମନରେ। ଯାହାକି ପ୍ରଦୀପକୁ ଆହୁରି ବ୍ୟଥିତ କରୁଥିଲା।

ପ୍ରଦୀପ ବିରକ୍ତ ହୋଇ ବେଳେବେଳେ କହେ, "ପ୍ଲିଜ ପ୍ରିୟା, ମତେ ଏତେ ଟେନ୍ସନ ଦିଅନି, ତମେ ଜାଣିଛ ମୁଁ ଯେତେ ଟେନ୍ସନ ନେବି ସେତେ ବିପଦ ଅଛି ମୋ ଜୀବନ ପାଇଁ। କେତେବେଳେ କୋଉ ମୁହୂର୍ତ୍ତରେ ଯେ କଣ ହେବ, କିଏ ଜାଣିଛି? ଏବେ ତମ ପାଖରେ ଅଛି ବୋଲି ଏତେ କଷ୍ଟ ଦେଉଛ, କାଲି ଯଦି ମୋର୍ କିଛି ହେଇଯାଏ କେମିତି କରିବ? ତମର ଅବସ୍ଥା କଣ ହେବ ବୁଝି ପାରୁଛ ତ? ପ୍ଲିଜ, ମୋତେ ଆଉ ଦଶ ପନ୍ଦର ବର୍ଷ ବଞ୍ଚିବାକୁ ଦିଅ। ଆଉ କିଛି ବର୍ଷ ବଞ୍ଚିଗଲେ, ପୁଅର ଭବିଷ୍ୟତ ଗଢ଼ିଦେଲେ ମୋ ମୁଣ୍ଡରୁ ବହୁତ ବଡ଼ ଚିନ୍ତାଟେ ଯିବ। ମୁଁ ସବୁବେଳେ ଡରି ଡରି ବଞ୍ଚୁଛି, କେବେ କଣ ହେବ ମୁଁ ଜାଣିନି। ମୋର୍ କେବଳ ତମ ଦୁଇ ଜଣଙ୍କ ଚିନ୍ତା। ମୁଁ ନଥିଲେ ବି ଯେମିତି ତମର କିଛି ଅସୁବିଧା ନହୁଏ, ସେଥିପାଇଁ ରାତିଦିନ କାମ କରୁଛି। ତଥାପି ତମେ ମତେ ବୁଝିପାରୁନ। ମୁଁ ଚୁପଚାପ ବସି ରହିଲେ ମନକୁ ଅନେକ ଦୁଶ୍ଚିନ୍ତା ଆସେ, ମୁଁ ଭାଙ୍ଗିପଡ଼େ, ସେଥିପାଇଁ ସଦାବେଳେ କିଛି ନା କିଛି କାମ କରୁଥାଏ। ଜାଣିଛ କି, ମୁଁ କାହିଁକି ବିଛଣାରେ ଗଡିରହିବାକୁ ପସନ୍ଦ କରେନି? କେବେ ଅନୁମାନ କରିଛ କି, ମୁଁ କେବଳ ତମେ ବେଡ଼ରେ ଥିଲେ ହିଁ ବେଡ଼ ଉପରକୁ ଯାଏ। ତମ ସହିତ ପ୍ରେମାଳାପ କରିବାକୁ ହିଁ ଯାଏ। କିମ୍ବା ଦେହ ଅସୁସ୍ଥ ଥିଲେ ହିଁ ବେଡ଼ରେ ଗଡେ। ମୋତେ କେବେ ବେଡ଼ରେ ଏକା ଗଡିଥିବା ଦେଖିଛ କି? ବିଛଣାରେ ଗଡ଼ିଲେ ମୋତେ ଡାକ୍ତରଖାନାର ସେଇ ଅପରେସନ ଥିଏଟର ମନେପଡେ। ତମେ ଘରେ ନଥିଲେ ମୁଁ ସୋଫାରେ ଟିଭି ଦେଖି ଦେଖି ଶୋଇପଡ଼େ ସିନା ବେଡକୁ ଯାଏନି।" 

ପ୍ରିୟା ଏମିତି କଥାସବୁ ଶୁଣି କାନ୍ଦି ପକାଏ। କାନ୍ଦି କାନ୍ଦି କହେ, "ମୁଁ ତ ସବୁଦିନ ତମ ପାଇଁ କାନ୍ଦେ, ତମେ ଘରେ ନଥିଲା ବେଳେ ତମ କଥା ଭାବି ଭାବି କାନ୍ଦେ। ଏମିତି କଥା ସବୁ କହି କହି ପୁଣି କାହିଁକି ମତେ କଷ୍ଟ ଦେଉଛ? ମୁଁ ତମ ଜୀବନକୁ ଆସିଲା ଦିନଠୁ ହିଁ ବିଭିନ୍ନ ସମସ୍ୟା ଆସୁଛି, ଏସବୁ ପାଇଁ ମୁଁ ହିଁ ଦାୟୀ। ମୋ ଭାଗ୍ୟରେ ଖାଲି ଦୁଃଖ ହିଁ ଦୁଃଖ ଅଛି।" ପ୍ରଦୀପ ସାର ଧୀରେ ଧୀରେ ପାଖରେ ବସି କହନ୍ତି, "ଦେଖ ପ୍ରିୟା, ଏସବୁରେ ମୁଁ ବିଶ୍ବାସ କରେନି। ଯାହା ହେବାର ଥାଏ ହୁଏ, ଏଥିରେ ତମେ ନିଜକୁ କାହିଁକି ଦାୟୀ କରୁଛ?"

କିଛି ସମୟର ନୀରବତା ପରେ ସବୁ ଠିକ ହେଇଯାଏ। ଗଡିଚାଲେ ଜୀବନ। କିନ୍ତୁ ଏସବୁର ଅନ୍ତ କେବେ ହୁଏନି। କିଛି ଦିନର ବିରତି ପରେ ପୁନର୍ବାର ଇତିହାସ ନିଜେ ନିଜକୁ ଦୋହରାଇଥାଏ।


ଏମିତି ଦୋହଲି ଦୋହଲି ଚାଲିଆସି ପହଞ୍ଚିଛି ପ୍ରଦୀପ ସାର ଓ ପ୍ରିୟା ମ୍ୟାଡମଙ୍କ ଜୀବନ ନୌକା ବର୍ତ୍ତମାନର କୋଳକୁ। ଲୁହ ପୋଛି ଠିଆ ହେଇ ପଛକୁ ବୁଲିଲା ବେଳକୁ ଚୁପଚାପ ଛିଡାହେଇ ତାଙ୍କ କଥା ଶୁଣୁଥିବା ପ୍ରିୟା ମ୍ୟାଡମ କାନ୍ଦିକାନ୍ଦି ଜାବୁଡି ଧରି ପକେଇଛନ୍ତି ପ୍ରଦୀପ ସାରଙ୍କୁ।

"ମୋତେ ମାଫ କରିଦିଅ, ମୁଁ ନିଜେ ଆମ ଜୀବନକୁ ସ୍ୱାଦହୀନ କରିଛି। ମୋ ଆବୁଝାପଣ ଲାଗି, ମୋ ନିର୍ବୋଧତା ଲାଗି ଆମେ ଜୀବନର ମଧୁର ମୁହୂର୍ତ୍ତ ସବୁ ହରେଇଛୁ। ମୁଁ ବୁଝିପାରିଥିଲେ ଆମ ଜୀବନ ଆହୁରି ମଧୁର ହେଇପାରିଥାନ୍ତା। ତମେ କେତେ ଯେ କଷ୍ଟ ସହିଛ, ମୋ ପାଇଁ, ଆଜି ବୁଝି ପାରୁଛି ମୁଁ। 

ସ୍ମିତହାସ୍ୟ ହସି ପ୍ରଦୀପ ସାର କହିଲେ, "ଏବେ ବି ସମୟ ଅଛି, ଆମେ ଜୀବନକୁ ଉପଭୋଗ କରି ପାରିବା। ପୁଅ ଡାକ୍ତର ହେବ। ସେ ଖୁସିରେ ଚାଲ କୋଉଠୁ ବୁଲି ଆସିବା।"

-ଏତେ କଷ୍ଟ ସହି, ଭୟ ଓ ଆଶଙ୍କା ମଧ୍ୟରେ ବଞ୍ଚି, ତମ ଓଠରେ ହସ କେମିତି ଆସେ? ତମେ କୋଉ ଉପାଦାନରେ ଗଢ଼ା? ପ୍ରକୃତରେ ଅନ୍ୟ କିଏ ହେଇଥିଲେ କେତେଦିନୁ ଭାଙ୍ଗିଯାଇଥାନ୍ତା? ଧନ୍ୟ ତୁମର ସାହସ, ଧନ୍ୟ ତୁମ ପାରିବାପଣିଆ।

-ଥାଉ ଆଉ ବେଶୀ କୁହନି, କୋଉଠିକି ଯିବା କୁହ

-କୋଉଠିକି ଯିବା?

-ହନିମୁନ

-ହନିମୁନ? ଏଇ ବୟସରେ?

- ହଁ, ମୁଁ କଣ ବୁଢା ହେଇଛି! ସେତେବେଳେ ଫର୍ଷ୍ଟ ହନିମୁନ ଥିଲା, ଏବେ ସେକେଣ୍ଡ ହନିମୁନ।

-ତମ ବୟସ ବଢ଼ି ଯାଇଛି ସିନା, ହେଲେ ତମେ ଏବେ ବି...

ମନଖୋଲା ହସଟିଏ ହସି ପ୍ରଦୀପ ସାର କହିଲେ, "ଏଜ ଇଜ ଜଷ୍ଟ ଏ ନମ୍ବର, ହଉ କଫି ଟିକେ ତିଆରି କର।" 

-ତମକୁ ଗ୍ୟାସ ଆଣିବା ପାଇଁ କହିଥିଲି

-ହଁ ଯେ, ଆଜି ମିଳିବନି, ଷ୍ଟକ ନାହିଁ। କାଲି ମିଳିବ।

-ଏବେ ଗ୍ୟାସ ସରିଗଲେ ରାତି କେମିତି ରୋଷେଇ ହେବ?

-ଆଡ଼ଜଷ୍ଟ କରିଦିଅ ରାତକ ପାଇଁ। ଇନ୍ଡ଼କସନ କୁକର୍ ତ ଅଛି।

-କେମିତି ଆଡ଼ଜଷ୍ଟ କରିବି, ଯିଏ କରେ ସେ ଜାଣେ

-ରାଗୁଛ କାହିଁକି

-କେମିତି ନରାଗିବି କୁହ, ଗଲା ମାସରୁ କହୁଛି, ଘରେ ଥିବା ଖାଲି ଟାଙ୍କିଟା

 ଭରିବା ପାଇଁ; ଆଜି ଭରିବି କାଲି ଭରିବି କହି କେବେ ବି କଲନି।

-ଯେ କଣ ହେଲା ସେଠୁ, ତମେ ତ ଦେଖୁଛ, ମୁଁ କେତେ ବିଜି ଅଛି! ଏମିତି ହୁଏ,

ଏମିତି ଛୋଟ ଛୋଟ କଥାରେ ରାଗିଲେ ହେବ କି?

-ତମର ସବୁ କାମ ସେମିତି, ଦାୟୀତ୍ୱଜ୍ଞାନ କିଛି ନାହିଁ?।

-ତମର ପ୍ରକୃତି ହିଁ ସେମିତି, ଆଜି ପର୍ଯ୍ୟନ୍ତ ଟିକିଏ ବି ମେନେଜ କରିବା

 ଶିଖିପାରିଲନି।

-ତମେ ମେନେଜ କର, ମୁଁ କାହିଁକି କରିବି? ତମେ ଜାଣି ଜାଣି ମତେ ହଇରାଣ

 କରିବା ପାଇଁ ଏସବୁ କରୁଛ। ମୁଁ ସବୁ ବୁଝି ପାରୁଛି।

ପ୍ରଦୀପ ସାର ବିରକ୍ତ ହେଇ ବାଇକ ଧରି ବାହାରିଗଲେ। ମନେ ମନେ କହୁଥିଲେ, "ହେ ପ୍ରଭୁ ମୋତେ ଏସବୁ ମାନସିକ ଚାପ ସହିବା ପାଇଁ ଶକ୍ତି ଦିଅ।"

କିଛିଦୂର ଗଲାପରେ ହଠାତ କିଛି ମନେ ପଡିବାରୁ ଘରକୁ ଫେରି ଆସିଲେ ପ୍ରଦୀପ ସାର। ବିଛଣାରେ ମୁହଁ ମାଡି ଶୋଇଥାନ୍ତି ପ୍ରିୟା ମ୍ୟାଡ଼ମ। ପ୍ରଦୀପ ସାର ପାଖରେ ବସି କହିଲେ, "ଆଜି ଦ୍ଵି-ପହରରେ ପେଟ କାଟୁଛି ବୋଲି କହୁଥିଲ, ଏବେ ଖାଲି ପେଟର ମେଡ଼ିସିନ ଖାଇଦେଇ ଥାଅ, ନହେଲେ ରାତି ବେଶୀ କାଟିବ। ମୁଁ ବାହାରକୁ ଗଲେ ତମେ ମେଡ଼ିସିନ ଖାଇବନି ଆଉ ରାତିସାରା ମତେ ହଇରାଣ କରିବ। ଭଲ ଭାବରେ ଜାଣିଛି ତମର ଡ୍ରାମା, ଆଗେ ମୋ ସାମନାରେ ମେଡିସିନ ଖାଅ ତାପରେ ମୁଁ ଯୁଆଡେ ଯିବାର କଥା ଯିବି।"

-ନାଁ ମୁଁ ଖାଇବିନି

-ଖାଇବ ନା ଦେଖିବ କଣ କରିବି

ଏବେ ବି ଲାଗେ ଯେମିତି ଦୁହେଁ ନୂଆ ନୂଆ ଦାମ୍ପତ୍ୟ ଜୀବନ ଆରମ୍ଭ କରିଛନ୍ତି। ନା ପ୍ରଦୀପ ସାର ବଦଳିଛନ୍ତି ନା ପ୍ରିୟା ମ୍ୟାଡ଼ମ।


Rate this content
Log in

Similar oriya story from Inspirational