Dmishra Sahityalaya

Abstract Drama Tragedy

3  

Dmishra Sahityalaya

Abstract Drama Tragedy

ପାଉଁଜି

ପାଉଁଜି

3 mins
307



ସେଦିନର କଥା ମନେ ପଡ଼ିଲେ ଆଜି ବି ଦେହ ଥରିଉଠେ। କାଳରାତ୍ରୀ ଥିଲା ସେ ରାତି, ପ୍ରଳୟଙ୍କାରୀ ବାତ୍ୟା କିଏ ବା ଭୁଲିପାରିବ ସେ ଶୁକ୍ରବାର। ଅକ୍ଟୋବର ମାସ ୨୯ ତାରିଖ ୧୯୯୯ ମସିହା ପରି ଅଶୁଭ ଦିନ ଆଉ ନ ଆସୁ। ଜଳଜଳ ହୋଇ ଦେଖାଯାଏ ସେ ଘଟଣା ଗୁଡ଼ିକ। ଛାରଖାର କରିଦେଇଥିଲା ଆମ ଗାଁ ଓ ସାରା ଓଡ଼ିଶା କୁ। 


* * * * * * * * * * *


ସମୁଦ୍ରକୂଳିଆ ଅଞ୍ଚଳରେ ଆମ ଗାଁ, ଆମ ଗାଁର ନରିଆ ଭାଇ ଚାଷକାମ କରେ ଓ ଦରକାର ପଡ଼ିଲେ ଭାଇ ମୂଲ ଲାଗି ଚଳେ। ବାହାଘରର କିଛି ବର୍ଷ ପରେ ରୋଗରେ ପଡ଼ି ସ୍ତ୍ରୀ ତାର ମରିଯାଇଛି। ଗୋଟିଏ ଝିଅ ତାର ବହୁ କଷ୍ଟରେ ବଡ଼ କରିଛି ଓ ବାହା କରିବ ବୋଲି ଯଥା ସମ୍ଭବ ଧନ ସଞ୍ଚୟ ମଧ୍ଯ କରିଛି। ବାହା ବୟସ ହୋଇଛି ଝିଅର, ବହୁ ଖୋଜାଖୋଜି କରି ପାଖ ଗାଁ ର ଏକ ପାତ୍ର ଯୋଗାଡ଼ କରିଛି, ପିଲାଟି ଘରେ ଗୋଟିଏ ବୋଲି ପୁଅ, ଖଣ୍ଡିଏ ପାନ ଦୋକାନ କରିଛି ଆଉ ଛାତ ଘର ଓ କିଛି ଚାଷ ଜମି ଅଛି । ନରିଆ ଖୁସିରେ ତିଥିବାର ଦେଖି ଦିନ ଠିକ୍ କଲା ବାହାଘର କରିବ ଝିଅର। ବହୁତ୍ ଖୁସିଥାଏ ସେ। ଆଉ ଅଳ୍ପଦିନ ରହିଲା ବାହାଘର ଯୋଗାଡ଼ ଯନ୍ତ୍ର ରେ ଲାଗି ପଡ଼ିଛି ସେ। 


      ହଠାତ୍ ଚାରିଆଡ଼େ ଏକ ନୁଆ ଚର୍ଚ୍ଚା ଶୁଣିବାକୁ ମିଳିଲା, ଛକ ମାନଙ୍କରେ ସବୁ ଆଲୋଚନା ହେଲା। ରେଡ଼ିଓରେ ପ୍ରଚାର କଲାଣି ସରକାର ବଡ଼ ବାତ୍ୟା ଆସୁଛି ଏକ। ଗାଁର ବୟସ୍କ ଲୋକେ କଥାବାର୍ତ୍ତା ହେଲେ... 


......"ହଁ ମ.... କେତେ ବାତ୍ୟା ଆସିଛି ଇଏ ବି ଗୋଟେ ଆସିବ ଯିବ। ଏତେ ଡ଼ର କ'ଣ ଯେ..!! "


 ସରକାରୀ ଗାଡ଼ି ବୁଲୁଛି ମାଇକ ରେ ପ୍ରଚାର ହେଉଛି "ଆସନ୍ତା କାଲି ବାତ୍ୟା ହେବାର ସୂଚନା ମିଳିଛି ଆଜି ସନ୍ଧ୍ଯା ସୁଦ୍ଧା ସମସ୍ତେ ଉଚ୍ଚ ସ୍ଥାନ କୁ ନିଜର ଜରୁରୀ ଜିନିଷପତ୍ର ଧରି ଚାଲି ଯାଆନ୍ତୁ । " ଏମିତି ବାରବାର ପ୍ରଚାର ଗାଡ଼ି ବୁଲୁଛି। ଲୋକଙ୍କ ବେଖାତିର ଭାବନା -


 ......"ଆମେ କେତେ ପବନ ଦେଖିଛୁ ଆମର କିଛି ହେବନି।".... 


* * * * * *

ସମୟ ଅତିବାହିତ ହୋଇଯାଇଛି। ପରଦିନ ସକାଳ ଆରମ୍ଭ ହୋଇଛି ପବନର ବେଗ। ସମୟ ଗଡ଼ିବା ସହ ପବନର ବେଗ ବଢିଛି। ଧୀରେ ଧୀରେ ରାତି ହୋଇଛି। ରାତିରେ ଯିଏ ଯାହାର ଘରକୁ ଯାଇଛନ୍ତି। ରାତିକାଟି ଆସନ୍ତା କାଲି ପୁଣି ଯିଏ ଯାହାର କର୍ମ ରେ ଲାଗିବେ ।ଏହି ଆଶା ସମସ୍ତଙ୍କ ମନରେ...

ସବୁ ଆଶା ଧୂଳିସାତ୍, ବୋଧହୁଏ ଏମିତି ସକାଳ କିଏ ଦେଖିନଥିବ ଜୀବନରେ। କୁହାଯାଏ, ସକାଳ ରାତିର ସବୁ ଦୁଃଖ ଦୂରକରିବାକୁ ଆସେ କିନ୍ତୁ କ'ଣ ହେଲା ସବୁ, ସବୁ ଧ୍ୱଂସ। କେବଳ କାନ୍ଦବୋବାଳି ଛଡ଼ା ଆଉ କିଛି ଶୁଭୁନି। ଏମିତି ହେବ ବୋଲି ମଣିଷ କଳ୍ପନା ମଧ୍ଯ କରିନଥିଲା। ଚାରିଆଡ଼େ ହାହାକାର ସରକାରୀ କଳ ତତ୍ପର ଉଦ୍ଧାର କାର୍ଯ୍ୟ ରେ। 


ସେ ସମୟ ର ଚିତ୍ର କେହି ଦେଖିପାରିବେ ନାହିଁ, ଏତେ ମର୍ମନ୍ତୁଦ ଥିଲା। କିଛି ମଣିଷ ପାଲଟିଯାଇଥିଲେ ନିର୍ଜୀବ ପଥର, ଆଉ କିଛି ଲୋକଙ୍କୁ ଦେଖି ଲାଗୁଥିଲା ସତେକି ସାଙ୍ଗେସାଙ୍ଗେ ପ୍ରାଣ ଚାଲିଯିବ। ସତେ ଯେମିତି ଶବର ସମୁଦ୍ର ପାଲଟି ଯାଇଥିଲା ଆମ ଗାଁ ର ପରିବେଶ। ଅନେକ ପରିବାର ଛାରଖାର ହୋଇଗଲା। ରାତିରେ ନରିଆ ଭାଇର ଝିଅ ନିଖୋଜ, ନରିଆ ଘରେ ନଥିଲା ସେହି ମଧ୍ଯ ରାତ୍ରି ରେ। ନିଜକୁ ଗାଳି ଦେଉଥିଲା କାହିଁକି ମୁଁ ଏମିତି କଲି, ମୁଁ ଘରେ ଥିଲେ ମୋ" ଝିଅ ଆଜି ମୋ' ପାଖରେ ଥାନ୍ତା। ମୋ' ଝିଅ ମୋ' ଝିଅ କହି ଚିତ୍କାର କରୁଥିଲା ପାଗଳ ପରି। ଅନେକ ଖୋଜିଲା ପରେ ବି ପାଇଲାନି। ଶବଗୁଡ଼ିକ ଗଛପରି ପଡ଼ିଥାଏ। କେତେ ଭୟଙ୍କର ସେ ସମୟର ରୂପ। ହତାଶ ହୋଇ ବୁଲିଲା। କ'ଣ ହେଲା କେଜାଣି ମନରେ ତାର ଲୋଭ ଆସିଲା ବୋଧହୁଏ, ଭଗବାନଙ୍କ ଏହା କି ଲୀଳା। ଶବଗୁଡ଼ିକ ଦେଖି ମନରେ ଭୟ ଆସିବ କ'ଣ ସେ ଶବ ଗୁଡ଼ିକ ରୁ ଗହଣା ଗୁଡ଼ିକ କାଢିବାରେ ଲାଗିଲା। ଅନେକ ସୁନାରୂପା ଆଦି ଏକାଠି କରିଲା ପରେ ଆଉ ଏକ ପାଦରେ ତାର ନଜର ପଡ଼ିଲା ପାଉଁଜିଟି ଦେଖି ପାଦରୁ ଖୋଲିଲା ତାକୁ ଚିହ୍ନାଲାଗିଲା , ସେ ସେତେବେଳକୁ ଜାଣିସାରିଥିଲା ତାର ଝିଅର ପାଉଁଜି ବୋଲି ମା' ଚାଲିଯିବା ପୂର୍ବରୁ ଏହି ପାଉଁଜି ଟି ଝିଅ ପାଇଁ କରିଦେଇଥିଲା । ହଠାତ୍ ଧପ୍ କରି ପଡ଼ିଗଲା ମାଟିରେ। ଶହଶହ ଶବ ମଧ୍ୟରେ ନରିଆ ମଧ୍ଯ ଶବ ପାଲଟିଯାଇଥିଲା.....। 



Rate this content
Log in

Similar oriya story from Abstract