କମେଣ୍ଟ
କମେଣ୍ଟ


ସୂର୍ଯ୍ୟଙ୍କ ଆଲୋକ ସରିସରି ଆସୁଥିଲା, ସମସ୍ତେ ଘରକୁ ଫେରିବା ସମୟ । ମୁଁ ରୁମ୍ ରେ ଥାଏ, କଲିଂବେଲ୍ ର କ୍ରିଂ କ୍ରିଂ ଶବ୍ଦ ଶୁଣି କବାଟ ଖୋଲିଲି, ଖୋଲି ଦେଖେ ମୋ' ସାଙ୍ଗ ମୟଙ୍କ।
ଆରେ ମୟଙ୍କ କ'ଣ ହେଲା ଏମିତି ବ୍ୟସ୍ତ ଜଣାପଡ଼ୁଛୁ....ସେ କିଛି କହିବା ପୂର୍ବରୁ ମୁଁ ତାକୁ ପାଣି ଗ୍ଲାସ୍ ଟେ ଦେଲି। ସବୁଯାକ ପାଣି ଢକଢକ କରି ପିଇଗଲା। ତା' ଆଖିରେ ଲୁହମିଶା ଭୟର ଚିତ୍ର ଦେଖି ଉତ୍କଳ ର ଚିନ୍ତା ବଢି ଚାଲିଥାଏ। ମୟଙ୍କ କହିବା ଆରମ୍ଭ କଲା... ସାଙ୍ଗ ବହୁତ ବଡ଼ ଅଘଟଣ ଘଟିଯାଇଛି, ପିୟୁଷ... ହଁ ପିୟୁଷ.... ଆମ କଲେଜ ସାଙ୍ଗ କ'ଣ ହେଲା ତା'ର ଆରେ କହୁନୁ... ଉତ୍କଳ ଉଚ୍ଚସ୍ବର ରେ ପଚାରିଲା... ପିୟୁଷ ଦଉଡ଼ି ଲଗାଇ ଆତ୍ମହତ୍ଯା କରିଦେଇଛି ....ମୟଙ୍କ କହିଲା । ବେକାର କଥା ଗୁଡ଼ା କୋଉଠୁ ଶୁଣିକି ଆସୁଛୁ; ମୁଁ ଜମା ବିଶ୍ୱାସ କରିପାରୁନଥାଏ। ନିଜକୁ ଯେତେ ସମ୍ଭାଳିବାକୁ ଚେଷ୍ଟା କଲି ପାରିଲିନି ଆଖିରୁ ଲୁହ ବୋହୁଥାଏ ।
ବହୁତ ଭଲ ପିଲା ଥିଲା ପିୟୁଷ । ସାଙ୍ଗେସାଙ୍ଗେ ତା' ରୁମ୍ କୁ ବାହାରିଲି, ମୟଙ୍କ ଯିବାକୁ ରାଜି ହେଲାନି କହିଲା ତୁ ଯା, ତା' ଆଖିରେ ଏକ ଭୟ ଦେଖାଯାଉଥାଏ, ଭାବିଲି ଦୁଃଖରେ ଛାନିଆ ହୋଇଯାଇଛି ବୋଧେ । ମୁଁ ଏକୁଟିଆ ଗଲି, ଦେଖିଲି କିଛି ପୋଲିସ ଅଧିକାରୀ ଓ ସାହି ପଡିଶା ଲୋକ ରୁଣ୍ଡ ହୋଇଛନ୍ତି। ଆଉ ଆମ ସାଙ୍ଗସାଥୀ କିଛି। ତା' ରୁମ ରେ ସେ ଏକା ରହୁଥିଲା। ସିଏ ଟିକେ ଅଲଗା ଥିଲା। ଏପଟେ ପୋଲିସ ଅପେକ୍ଷା କରିଥିଲା ପରିବାର ଲୋକ ଆସିବା ପରେ ପୋଷ୍ଟମର୍ଟମ୍ ପାଇଁ ଶବ ନେଇଯିବ। ରାତି ୧୨ ଟା ପରେ ହେବ ଘରଲୋକ ଆସିଲେ କାନ୍ଦରେ ପରିବେଶ ଶୋକାକୁଳ ହେଲା। ରାତି ଅଧ, ଭୟଙ୍କର ଲାଗୁଥାଏ। ରୁମ୍ କୁ ଫେରିଲି। ମୟଙ୍କର ସେମିତି ପୂର୍ବ ଅବସ୍ଥା। ନିଦ ନ ଆସିଲେ ବି ମୁଁ ଶୋଇବାକୁ ଚେଷ୍ଟା କଲି।
ଦିନକ ପରେ ପୋଲିସ୍ ର ପ୍ରଥମ ରିପୋର୍ଟ ଆସିଲା। ରିପୋର୍ଟ ଆଧାରରେ ମୟଙ୍କ କୁ ପୋଲିସ ଉଠାଇ ନେଲା। କିଛି ସମୟ ରଖି ଛାଡ଼ି ଦେଲା। ପିୟୁଷ ର ଆହୁରି କେତେକ ସାଙ୍ଗଙ୍କୁ ପୋଲିସ ଛାଡ଼ିନି । ଘଟଣା କ'ଣ ଜାଣିବାକୁ ଚେଷ୍ଟା କଲା ପରେ ଜାଣିଲି ଆଚମ୍ବିତ ହୋଇଗଲି ।
ଫେସବୁକର କମେଣ୍ଟ ରୁ ମାନସିକ ଆଘାତ ପାଇ ପିୟୁଷ ଏପରି ଭୟଙ୍କର ନିଷ୍ପତି ନେଇଛି । ଦୁଇ ଦିନ ତଳେ ପିୟୁଷ ତା' ଫେସବୁକ ଆକାଉଣ୍ଟ ରେ କିଛି ଲେଖିଥିଲା, ତାହାଥିଲା: -
"ମୁଁ ମୋ' ବାପାମାଆଙ୍କୁ ବହୁତ ଭଲପାଏ। ପରିବାର ର ସମ୍ମାନ ହିଁ ମୋର ସମ୍ମାନ । ପାନ, ପୁଡ଼ିଆ, ଅବା ମଦ ଏପରି କୌଣସି ନିଶା ଅଭ୍ଯାସ ମୋର ନାହିଁ । ମୁଁ ଅଧିକ ରାତିଯାଏ ବାହାରେ ରହେନାହିଁ । ମୋର କେହି ଗାର୍ଲଫ୍ରେଣ୍ଡ ନାହାନ୍ତି। ମୁଁ ନାଇଟ୍ କ୍ଲବ ଯାଏନି । ମୁଁ ଅଭଦ୍ର ଭାଷା ବ୍ୟବହାର କରେନାହିଁ, ମୋତେ ସାଦା ଜୀବନ ଭଲଲାଗେ। ବେଶି ଥଟ୍ଟା ମଜା ମୋତେ ପସନ୍ଦ ନୁହେଁ । ମୁଁ ଦେଶକୁ ଭଲପାଏ। feeling proud with my family, love u mom.. "
ପୋଲିସ ଅନୁସନ୍ଧାନ ରୁ ଯାହା ଜଣାପଡ଼ିଛି ତାହା ମୁଁ କହୁଛି। ପାଖରେ ମୋର ବସି ମୟଙ୍କ ଶୁଣୁଥାଏ ।
ଏହିଭଳି ଲେଖାଦେଖି କିଛି ସାଙ୍ଗସାଥୀ କମେଣ୍ଟ ରେ କିଛି ଥଟ୍ଟା କଲାଭଳି ଲେଖିଲେ। ଜଣଙ୍କ ପରେ ଜଣେ ଏମିତି ଲେଖି ଚାଲିଲେ।
କିଏ ଲେଖିଲା :- Are u a boy ? ତ କିଏ ଲେଖିଲା: - Boring person । ଏମିତି କମେଣ୍ଟ ପରେ କମେଣ୍ଟ ଆସୁଥାଏ ।
କିଛି ସମୟ ପରେ ପିୟୁଷ ଫେସବୁକ ଖୋଲି ଏ ସବୁ କମେଣ୍ଟ ଦେଖିଛି, ନିଜକୁ ଅନ୍ୟ ମାନଙ୍କ ସହ ତୁଳନା କରିବା ଆରମ୍ଭ କରିଛି, ଖୁବ ଆଘାତପ୍ରାପ୍ତ ହୋଇ ଏହି ଚରମ ନିଷ୍ପତ୍ତି ନେଇଛି ବୋଲି ପୋଲିସ ସୂତ୍ର ରୁ ପ୍ରକାଶ ।
ମୋ' ମୁହଁରୁ ଏକଥା ଶୁଣି ମୟଙ୍କ କାନ୍ଦିବାକୁ ଆରମ୍ଭ କଲା। ମୁଁ କିଛି ପଚାରିବା ପୂର୍ବରୁ ମୟଙ୍କ କହିବାକୁ ଲାଗିଲା... ମୁଁ ନିଜକୁ କେବେ କ୍ଷମା କରିପାରିବିନି। କାରଣ ମୁଁ ବି ତାକୁ କିଛି ଖରାପ କମେଣ୍ଟ ଦେଇଥିଲି, ତା ଫେସବୁକ ପୋଷ୍ଟରେ। ଏକଥା ଶୁଣି ପ୍ରଥମେ ମୋର ବି ମୟଙ୍କ ଉପରେ କ୍ରୋଧ ଆସିଗଲା କିନ୍ତୁ କ୍ରୋଧକୁ ମନରେ ରଖିଦେଲି ।
ବର୍ତ୍ତମାନ ଯାଏ ମୟଙ୍କ ସେ କଥାକୁ ଭୁଲି ପାରୁନି। ସେ ଦିନ ଉତ୍କଳ ତାକୁ ବହୁତ ବୁଝାଇଲା । ମୟଙ୍କ ଆଖିରୁ ଲୁହ ଶୁଖିଯାଇଥିଲା କିନ୍ତୁ ମନରୁ ସାଙ୍ଗକୁ ହରେଇବାର ଦୁଃଖ ଭୁଲି ପାରୁନଥିଲା । କେବଳ ଗୋଟିଏ କଥା ସେ କହିଚାଲିଥିଲା । ସମସ୍ତ ଙ୍କୁ ନିଜ ଢଙ୍ଗରେ ବଂଚିବାକୁ ଦିଅ, ଫେସବୁକ ବା ଯେକୌଣସି ସୋସିଆଲ ମେଡ଼ିଆରେ କମେଣ୍ଟ ଦେବାପୂର୍ବରୁ ଚିନ୍ତାକର। କାହାକୁ ଆଘାତ ହେଲାଭଳି ଏମିତି କିଛି କୁହନି, ଯାହା ତୁମକୁ ପଶ୍ଚାତାପ କରିବାର ସୁଯୋଗ ଦେବନାହିଁ।
ତା' କଥା ଶୁଣି ମୁଁ ମୋର ଲୁହ ଅଟକାଇ ପାରୁନଥାଏ...।