ପାଷାଣୀ ପ୍ରତିମା
ପାଷାଣୀ ପ୍ରତିମା


"ମହାଭାଗ! ଦୟାକରି ମୋ ପ୍ରାର୍ଥନା ଶୁଣିବା ହୁଅନ୍ତୁ"... l
ଏଇ ନିର୍ଜନ ନିକାଞ୍ଚନ ବନପ୍ରଦେଶରେ କାହିଁ କେଉଁ ଆଦିକାଳୁ ସୂର୍ଯ୍ୟବଂଶୀ ଏକ ଶାସକର ଅପୂର୍ବ ଅପରୂପ କୀର୍ତ୍ତି ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରଦକ୍ଷିଣା କରୁକରୁ ଋଷି ଶୃଙ୍ଗ ଶୁଣିବାକୁ ପାଇଲେ ଉପରୋକ୍ତ ଏହି କରୁଣ ପ୍ରାର୍ଥନା l
ସଂରକ୍ଷଣର ଅଭାବରେ ଧ୍ୱସ୍ତ ଏଇ ମନ୍ଦିରଟି ଜନମାନସରୁ ଦୂର ଏବଂ ବିନ୍ଧ୍ୟାଞ୍ଚଳ ପର୍ବତ ଉପରେ ହୋଇଥିବାରୁ ଏଠାକୁ ଗମନାଗମନର କୌଣସି ସଠିକ ମାର୍ଗ ନାହିଁ, କେବଳ ଋଷି ମୁନିମାନେ ହିଁ ସମୟେ ସମୟେ ଏଠାକୁ ଆସି ବିଶ୍ୱେଶ୍ୱରଙ୍କ ଦର୍ଶନ କରନ୍ତି, ତେବେ ଏପରି ଗହନବନରେ ଏକ ନାରୀର ସାହାଯ୍ୟ ପାଇଁ ନିବେଦନ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଭୀତିପ୍ରଦ l
ନିଜ ମନର ଜିଜ୍ଞାସାକୁ ପ୍ରଶମିତ କରିବା ଓ ସାହାଯ୍ୟ ମାଗୁଥିବା ବ୍ୟକ୍ତିକୁ ସାହାଯ୍ୟ କରିବା ହିଁ ପ୍ରକୃତ ସାଧୁର ପରିଚୟ ବୋଲି ସ୍ଥିର କରି ଦଶଦିଗକୁ ଆଖିବୁଲେଇଲେ ଋଷି l
"ହେ ଯତିବର! ମୁଁ ଏଠାରେ ହିଁ ଉପସ୍ଥିତ, ଦୟାକରି ଦକ୍ଷିଣ ପାର୍ଶ୍ୱକୁ ଦେଖନ୍ତୁ". l ଋଷିଙ୍କୁ ଚାରିଦିଗ ଖୋଜିବାର ଦେଖି ପୁଣି କଣ୍ଠସ୍ୱର ଶୁଭିଲା l
ହେ ଦେବୀ! ଆପଣ କିଏ? ଦୟାକରି ପ୍ରକଟ ହୁଅନ୍ତୁ. l
ଋଷିବର! ମୁଁ ଏଇ ପାଷାଣ ପ୍ରତିମା ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଉପସ୍ଥିତା. l
ଋଷି ଦକ୍ଷିଣ ଦିଗରେ ଦେଖିଲେ ଖୁବ ସୁନ୍ଦର ଏକ ନାରୀ ମୂର୍ତ୍ତି, ବସ୍ତ୍ର ଅଳଙ୍କାରରେ ସୁଶୋଭିତା ନାଟ୍ୟ ମୁଦ୍ରାରେ ଦଣ୍ଡାୟମାନା l ଋଷିଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ, ଏପରି ଜୀବନ୍ତ ପ୍ରତିମା ଗଢିବା କୌଣସି ସାଧାରଣ କାରିଗରର ନିପୁଣ କର୍ମକୌଶଳ ଅବା ସ୍ୱୟଂ ବିଶ୍ୱକର୍ମାଙ୍କର ଅନନ୍ୟ ସୃଷ୍ଟି, ଯେଉଁଠାରେ ଭରିରହିଛି ଜୀବନ୍ୟାସ l
ନିଜର ଶଙ୍କା ଦୂର କରିବାକୁ ଯାଇ ଋଷି ପୁନଶ୍ଚ ପ୍ରଶ୍ନ କଲେ, "ଦେବୀ! ଆପଣ ପାଷାଣୀ ପ୍ରତିମା ମଧ୍ୟରେ କିପରି ଏଇ ପ୍ରାଣସ୍ପନ୍ଦନରେ ଉଜ୍ଜିବୀତା, ନିର୍ଜନ ଏଇ ସବୁଜିମା ଭରା ବନପ୍ରଦେଶ ମଧ୍ୟରେ ଉପବିଷ୍ଟା"!
ଏଥର ପାଷାଣୀ ପ୍ରତିମା କହିବାକୁ ଲାଗିଲେ ତାଙ୍କ କରୁଣ କାହାଣୀ l ଯାହା ଦ୍ୱାପର ଯୁଗର ଶେଷ ଓ କଳିଯୁଗର ପ୍ରାରମ୍ଭ କାଳେ ଘଟିଯାଇଥିଲା, ଓ ବର୍ଷବର୍ଷ ଧରି ସେ ଏକ ଅଭିଶପ୍ତ ଜୀବନ ବିତାଉଛନ୍ତି.
ଏକଦା ଏହି ପୂଣ୍ୟସ୍ଥାନ ଥିଲା ମହର୍ଷି ଦେବମନ୍ୟୁଙ୍କ ତପୋସ୍ଥଳୀ l ଆରାଧ୍ୟ ମହାଦେବଙ୍କ ଗଭୀର ଧ୍ୟାନରେ ବୁଡିରହି ମହର୍ଷି ଅଦ୍ଭୁତ ଏକ ତରଙ୍ଗ ସୃଷ୍ଟି କରିଥିଲେ, ଗଗନେ ପବନେ ପାହାଡି ଝରଣାର ନାଦରେ ମଧ୍ୟ ସେଇ ସାମାନ ଓଁକାର ନାଦ ଗୁଞ୍ଜରିତ ହେଉଥିଲା l କିନ୍ତୁ ଦେବରାଜଇନ୍ଦ୍ରଙ୍କୁ ମହର୍ଷିଙ୍କ ତପସ୍ୟାରେ ଇର୍ଷାଜାତ ହେଲା, ଏହା ସହ ତାଙ୍କୁ ତାଙ୍କ ଇନ୍ଦ୍ରପଦ ଚାଲିଯିବାର ଭୟ ମଧ୍ୟ ଲାଗିଲା l ତେଣୁ ସେ ମୋତେ, ମହର୍ଷିଙ୍କ ତପସ୍ୟାରେ ବିଘ୍ନ ସୃଷ୍ଟି କରି ଧ୍ୟାନ ଭଙ୍ଗକରିବା ପାଇଁ ଆଦେଶ ଦେଲେ l
ମୁଁ ହେଲି ସ୍ୱର୍ଗର ଗନ୍ଧର୍ବ କୂଳେ ଜାତା ଅପ୍ସରୀ କୁମୁଦିନୀ l କୋଟି ଲାବଣ୍ୟଯୁକ୍ତା ମୋ ଶରୀର, ମୋ ଚାହାଣୀ, ମୋ ନୃତ୍ୟ ଅତ୍ୟନ୍ତ ମୋହିନୀଯୁକ୍ତା l କୋଟି କନ୍ଦର୍ପର ସମ୍ମୋହିନୀ ଗୁଣା ମୁଁ, ଶଚୀପତିଙ୍କ ଆଦେଶ ପାଳନ କରି ଓହ୍ଲାଇ ଆସିଲି ଭୁପୃଷ୍ଠକୁ l
ନିଜର ସମସ୍ତ ନୃତ୍ୟ, ଗୀତ, କାମ ପ୍ରତିଭା ଦ୍ୱାରା ମହର୍ଷିଙ୍କ ଧ୍ୟାନ ଭଙ୍ଗ କରିବାର ଚେଷ୍ଟା କଲି l ଅନେକ ଦିନର ନିରନ୍ତର ପ୍ରୟାସ ପରେ ଋଷି ଶେଷରେ ବିବଶ ହୋଇ ଧ୍ୟାନଭଙ୍ଗ ହେଲେ ଓ ଶେଷରେ ଅତ୍ୟନ୍ତ କ୍ରୋଧିତ ଓ କ୍ଷିପ୍ତ ହୋଇ ମୋତେ ଅଭିଶାପ ଦେଲେ ପ୍ରସ୍ତରମୂର୍ତ୍ତି ହେଇଯିବା ପାଇଁ, ମୁଁ ତତ୍କ୍ଷଣାତ ମହର୍ଷିଙ୍କ ପାଦରେ ଲୋଟି ପଡିଲି, ଅନେକ କାକୁତିମିନତି ହେଲି ଦୋଷ କ୍ଷମା ପାଇଁ l କାରଣ ମୁଁ ତ କେବଳ ଦେବେନ୍ଦ୍ରଙ୍କ ଆଜ୍ଞା ପାଳନ କରୁଥିଲି, ଏଥିରେ ମୋର ନିଜସ୍ୱ ନିହିତ ସ୍ୱାର୍ଥ ନଥିଲା.
ଶେଷରେ ମହର୍ଷି ଦେବମନ୍ୟୁ ଶାନ୍ତ ହେଲେ କିନ୍ତୁ ଥରେ ଋଷି ମୁଖରୁ ନିସୃତ ଆଶୀର୍ବାଦ ଅବା ଅଭିଶାପ କେବେ ବି ନିଷ୍ଫଳ ଯାଏନି ଏହା ମଧ୍ୟ ସୂଚାଇଦେଲେ l ମୁଁ ମୋ ପ୍ରାୟଶ୍ଚିତର ପନ୍ଥା ପଚାରନ୍ତେ କହିଲେ, "ଠିକ ମୋ ପରି ତେଜୋଦୀପ୍ତ କୌଣସି ଋଷି ଯଦି ଏହି ସ୍ଥାନକୁ କେବେ ଆସନ୍ତି ତାଙ୍କ ଦକ୍ଷିଣ ହସ୍ତ ତୁମ ମଥାରେ ସ୍ଥାପିଲେ ତୁମେ ପୁନଶ୍ଚ ଶାପମୁକ୍ତ ହୋଇ ସ୍ଵଲୋକ ଗମନ କରିବ" l ଏହା କହି ମହର୍ଷି ସ୍ଵଶରୀରେ ଅନ୍ତର୍ଧ୍ୟାନ ହୋଇଗଲେ l ମୁଁ ସେହି ଦିନରୁ ଆଜି ପର୍ଯ୍ୟନ୍ତ ମହର୍ଷିଙ୍କ ସମ ତେଜୋଦୀପ୍ତ ସନ୍ୟାସୀଙ୍କ ଅପେକ୍ଷାରତା l ଅନେକ ସାଧୁ ସନ୍ୟାସୀ ଏଠାକୁ ଆସିଲେ ମଧ୍ୟ ତାଙ୍କ ସମ କେହି ଆସିନଥିଲେ l ଆଜି ଆପଣଙ୍କୁ ଦେଖିବା କ୍ଷଣି ସେଇ ସମାନ ଆଭା ଚତୁର୍ଦିଗ ବିଚ୍ଛୁରିତ ହେଉଥିବା ଜାଣି ଆପଣଙ୍କ ଶରଣକୁ ଆସିଲି l ହେ ଋଷିବର! ମୋତେ ଏ ଅଭିଶପ୍ତ ଜୀବନରୁ ମୁକ୍ତି ଦିଅନ୍ତୁ....
ଏତକ ଶୁଣି ସାରିବା ପରେ ଋଷି ଶୃଙ୍ଗ ନିଜର ଦକ୍ଷିଣହସ୍ତ ପ୍ରସ୍ତର ମୂର୍ତ୍ତିର ମସ୍ତକରେ ସ୍ଥାପନ କଲେ..କିନ୍ତୁ ଏ କଣ!!ମୂର୍ତ୍ତିର କୌଣସି ମଧ୍ୟ ପରିବର୍ତ୍ତନ ହେଲାନାହିଁ.
ଠିକ ଏହି ସମୟରେ କୁଆଡୁ ଏକ ମର୍କଟ ଡେଇଁଡେଇଁ ଆସିଲା ଓ ହଠାତ ନିଜ ହାତ ମୂର୍ତ୍ତି ମସ୍ତକରେ ରଖିବା କ୍ଷଣି ମୂର୍ତ୍ତି ଜୀବନ୍ୟାସ ପାଇ ସୁନ୍ଦର ରମଣୀଙ୍କ ରୂପ ଧାରଣ କଲେ.
ସବୁକିଛିକୁ ଋଷି ଶୃଙ୍ଗ ଦେଖିବା ପରେ କ୍ରୋଧିତ ଓ ଆଶ୍ଚର୍ଯ୍ୟଚକିତ ହୋଇ କର୍କଶ ସ୍ୱରରେ କହିଲେ, "ଏ କଣ! ସାମାନ୍ୟ ମର୍କଟ କଣ ମୋ ଠୁଁ ଅଧିକ ତପଶକ୍ତିର ଅଧିକାରୀ, ନା ମୋ ପ୍ରତି ଏହା ଛଳନା!!
କ୍ରୋଧରେ ଅଗ୍ନିମୁଖ ଋଷିଙ୍କ ଏପରି ଅବସ୍ଥା ଦେଖି ସୁନ୍ଦରୀ ରମଣୀ ଓ ମର୍କଟ ନିଜର ସ୍ୱରୂପ ଧାରଣ କଲେ l ସେଦୁହେଁ ଆଉ କେହି ନଥିଲେ, ଥିଲେ ତାଙ୍କରି ହିଁ ଆରାଧ୍ୟ ହରପାର୍ବତୀ l
ଆରାଧ୍ୟଙ୍କୁ ସମ୍ମୁଖେ ଦେଖି ଋଷିବର ଆଚମ୍ବିତ ହେଲେ ଓ ପାଦତଳେ ପଡିଗଲେ.
ଦେବଦେବ ମହାଦେବ ଓ ମାତା କହିଲେ, "ବତ୍ସ! ମଣିଷ ଯେତେ ଶକ୍ତିରେ ବଳୀୟାନ ହେଲେ ମଧ୍ୟ ସବୁକିଛି କେବଳ ସାମାନ୍ୟ ଅହଂକାରର ବଶବର୍ତ୍ତୀ ହେଲେ ନଷ୍ଟ ହୋଇଯାଏ l ଏହା କେବଳ ଏକ ପରୀକ୍ଷା ଥିଲା, ଯେତେବେଳେ ତୁମକୁ ମୁଁ ସର୍ବ ତେଜୋଦୀପ୍ତ ଓ ଶକ୍ତିପ୍ରବୀର ବୋଲି କହିଲି, ତୁମ ଚେତନାର କେଉଁ ଏକ ନିଭୃତ କୋଣରେ ଅହଂକାର ସଙ୍ଗେସଙ୍ଗେ ବସା ବାନ୍ଧିଦେଲା l ଫଳରେ ତୁମର ଯୋଗଶକ୍ତି ସମୂହ ନଷ୍ଟ ହୋଇଗଲା, ତେଣୁ ସର୍ବଦା ଅହଂକାର ଭଳି ଦୁର୍ଗୁଣ ଠୁଁ ଦୂରେଇବାକୁ ଚେଷ୍ଟାକର".
ହେ ପ୍ରଭୁ! ହେ ମାତା! ମୋର ଇଷ୍ଟ, ଅବୋଧ ଶିଶୁ ଭଳି ମୁଁ ଯେଉଁ ଆଚରଣ କରିଛି ସେଥିପାଇଁ କ୍ଷମା କରିବା ହୁଅନ୍ତୁ, ଏତକ କହି ନିଜର ଭୁଲ ବୁଝିବା ସହ କରଯୋଡ଼ି ପ୍ରଣିପାତ କରନ୍ତେ ତଥାସ୍ତୁ ବୋଲି କହି ହରପାର୍ବତୀ ଅନ୍ତର୍ଧ୍ୟାନ ହୋଇଗଲେ.