ପାଣି ଫୋଟକା
ପାଣି ଫୋଟକା
ମାତ୍ର ଦୁଇ ଦିନ ବଳକା ଥାଏ । ଘରେ ଅତିଥିଙ୍କ ଆଗମନ ମଧ୍ୟ ଆରମ୍ଭ ହୋଇଯାଇଥାଏ । ଏପଟେ ମହେଶ ବାବୁଙ୍କ ଚିନ୍ତା ବଢିଯାଉଥାଏ । କେମିତି ହେବ । କେତେବେଳେ ସବୁ ସରିବ ଏଇ ଚିନ୍ତା ଭିତରେ ସେ ଖାଇବା ପିଇବା ଠାରୁ ଶୋଇବା ପର୍ଯ୍ୟନ୍ତ କୌଣସିଯେ ଧ୍ୟାନ ଦେଉନଥିଲେ । କେବଳ କାମ ଏବଂ ଚିନ୍ତା ଭିତରେ ଏକ ରକମର ପଶିରହିଥାନ୍ତି ।
ଲୋକଙ୍କ ଆଗେ ମୁଣ୍ଡ ଯେମିତି ନ ନଇଁ ପଡୁ ବୋଲି ସେ ଭାରି ବ୍ୟସ୍ତ ଥିଲେ । ଝିଅ ବାହାଘର ପାଇଁ ସେ ପୂର୍ବରୁ କେତେ ଉତ୍ସାହ ସହ ଅପେକ୍ଷା କରିଥିଲି ହେଲେ ଯେବେ ବାହାଘର ଦିନ ଆସିଗଲା ସେବେ ତାଙ୍କ ବ୍ୟକୁଳତା ବଢିଗଲା । ଗୋଟେ ପଟେ ଅଳି ଅଳି ଝିଅ ଚାଲିଯିବ ବୋଲି କେତେବେଳେ ମନ ଭାରି ଭାରି ଲାଗେ ତ ଆଉ କେତେବେଳେ କେମିତି ସବୁ ଦାୟିତ୍ବ ସୁରୁଖୁରୁରେ ହେବ ସେଇ ଚିନ୍ତାରେ ମୁଣ୍ଡ ହୋଇପଡେ ଭାରି । ମହେଶ ବାବୁଙ୍କର ଚିନ୍ତାକୁ ଦେଖି ସମସ୍ତେ ତାଙ୍କୁ ବୁଝାଉଥିଲେ ମଧ୍ୟ ସେ ଚିନ୍ତା କରୁଥାନ୍ତି ।
ରାତିର ଚାରି ପ୍ରହରୀ ପରେ ସକାଳ ଆସେ । ଚହଳ ଭିତରେ ପୁଣି ଚହଳ ଭରେ । ଲୋକଙ୍କ ଆଗମନ ହୁଏ । ମାମୁଁ ଘର ଲୋକେ ଆସି ପହଞ୍ଚି ଯାଆନ୍ତି । ଘରଠୁ ରାସ୍ତା ପର୍ଯ୍ୟନ୍ତ ସଜେଇ ଦିଆଯାଇଥାଏ ରଂଗ ବେରଂଗର ଆଲୋକ । ସବୁଠି ଝୁଲୁଥାଏ ଗେଣ୍ଡୁ ର ହଳଦିଆ ନାରଙ୍ଗୀ ମାଳ। ବିବାହ ବେଦୀ ମଧ୍ୟ ସଜା ସରିଥାଏ ।
ବରଯାତ୍ରୀଙ୍କ ଆଗମନ ହୋଇ ନଥାଏ । ହଠାତ୍ ମହେଶ ବାବୁ କଚାଡି ହୋଇ ପଡିଯାଆନ୍ତି ତଳେ । ଦୌଡା ଦୌଡି ଆରମ୍ଭ ହୋଇଯାଏ । ଡାକ୍ତର ଖାନାକୁ ନେଇ କିଛି ସମୟ ଭର୍ତ୍ତି କରାଯାଏ । ହେଲେ ଫଳ ଶୂନ୍ୟ । ଅତ୍ୟଧିକ ଚିନ୍ତା ଯୋଗୁଁ ତାଙ୍କ ହାର୍ଟ ଫେଲ ହୋଇଯାଇଛି ।
ବରଯାତ୍ରୀଙ୍କ ଆସିବା ସମୟରେ ଆସେ ମହେଶ ବାବୁଙ୍କର ଶବ । ଫୁଲରେ ସଜା ଯାଇଥିବା ଘରର ଫୁଲ ହୋଇଯାଏ ବାସି । ହସର ମୁହୂର୍ତ୍ତରେ ଫାଟି ପଡେ ଆତ୍ତ ବିଳାପ । ଆସିଥିବା ପଣ୍ଡିତ ବିବାହର ମନ୍ତ୍ର ପାଠ ବଦଳରେ ଶବ ସଂସ୍କାରର ପୂଜା ପାଇଁ ପ୍ରସ୍ତୁତ ହୋଇଯାନ୍ତି । କନ୍ୟା ବିଦାୟ ଦେବାର ସ୍ୱପ୍ନ ତାଙ୍କର ଅଧୁରା ରହିଯାଏ । ପାଣି ଫୋଟକା ସମ ଜୀବନ କ୍ଷଣିକ ଭିତରେ ଫାଟିପଡେ । ମାଟିର ମଣିଷ ମାଟିରୁ ଜନ୍ମ ହୋଇ ପୁଣି ଚାଲେ ଭାଟିରେ ମିଶିବା ପାଇଁ ।
ଚିକ ଚିକ ଆଲୋକ ସବୁ ସତେ ଯେମିତି ବିଦାୟ ଦେଉଥାନ୍ତି ମହେଶ ବାବୁଙ୍କୁ । ଘର କି ଅତିଥି ନୁହେଁ ସମଗ୍ର ଗାଁ ରେ ଫଡିଯାଇଥାଏ ଚହଳ । ସଭିଙ୍କ ଆଖିରେ ବିଦାୟର ଅଶ୍ରୁ । ମୁହୂର୍ତ୍ତକ ଭିତରେ ପରିବର୍ତ୍ତନ ହୋଇଯାଏ ଜୀବନର ସ୍ଥିତି ।
